Unknown

 

 

 

 

 

 

 

 

 

୧୦୨ତମ ସଂଖ୍ୟା କୋଣାର୍କ ୧୯୯୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାହିତ୍ୟ ମୁଖପତ୍ର

 

ସନ୍ଥକବି ଭୀମଭୋଇ

ଆବିର୍ଭାବ : ୧୮୫୦ ଖ୍ରୀ: ମହାପ୍ରୟାଣ.୧୮୯୫

ଶ୍ରୀ କିଶୋରୀଚରଣ ଦାସ

ସଭାପତି

ଶହେଦୁଇତମ ସଂଖ୍ୟା ଅକ୍‌ଟୋବର ୧୯୯୭

ସମ୍ପାଦକ

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

ସୌଜନ୍ୟ ସମ୍ପାଦକ

ଶ୍ରୀ ଚିତ୍ତରଞ୍ଜନ ଦାସ

ପରିଚାଳନା ସମ୍ପାଦକ

ଶ୍ରୀ ହରପ୍ରସାଦ ପରିଛା ପଟ୍ଟନାୟକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

କୋଣାର୍କ

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

ଫୋନ୍‌ ୪୩୧୮୪୦

ଆବରଣ : ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

ଚିତ୍ର : ଶ୍ରୀ ଅନ୍ତର୍ଯାମୀ ମେହେର

ମୁଦ୍ରାକର : ସପ୍ତର୍ଷି ପ୍ରିଣ୍ଟର୍ସ,କଟକ -୧୦

 

ମୂଲ୍ୟ : ଟ.୧୫-୦୦

ବାର୍ଷିକ ସଦସ୍ୟ ଶୁଳ୍କ –ଟ.୬୦ .୦୦

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ।

ପ୍ରକାଶିତ ସମଗ୍ରୀର ପୁନର୍ମୁଦ୍ରଣ ଲେଖକ /ଅନୁବାଦକ

ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁମତି ସାପେକ୍ଷ ।

ରଚନାଗୁଡ଼ିକରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

କୋଣାର୍କ

ଶହେଦୁଇତମ ସଂଖ୍ୟା : ଅକ୍ଟୋବର – ୧୯୯୬

(ସନ୍ଥକବି ଭୀମଭୋଇ ବିଶେଷାଙ୍କ)

 

୧.

ସଂପାଦକୀୟ.

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

୨.

ଅପେକ୍ଷା – ଉପେକ୍ଷାର ଘେର

ଭିତରେ ଭୀମଭୋଇ.

ଭକ୍ତ ଶତ୍ରୁଘ୍ନନାଥ

୩.

‘ସ୍ତୁତିଚିନ୍ତାମଣି’ର କରି ଭୀମଭୋଇ.

ଡକ୍‍ଟର ମଧୁସୂଦନ ପତି

୪.

ପୁନଶ୍ଛ ଭୀମଭୋଇ.

ଭାଗୀରଥୀ ନେପାକ

୫.

ଯୋଗସିଦ୍ଧ ସନ୍ଥକବି ଭୀମଭୋଇ

ଅନ୍ଧ ନଥିଲେ.

ଶ୍ରୀ ବ୍ରଜମୋହନ ଦାନୀ

୬.

ଭୀମଭୋଇଙ୍କ ନିର୍ଗୁଣ ସାଧନା.

ଶ୍ରୀ ନିରାକାର ମହାଳିକ

୭.

ଭୀମଭୋଇଙ୍କ ଧର୍ମବୋଧ.

ଡକ୍‍ଟର ବିଭୂତି ଭୂଷଣ ମିଶ୍ର

୮.

ଚଉତିଶା ମଧୁଚକ୍ରରେ ଭୀମ

ଜୀବନୀ ଓ ଧର୍ମ.

ଡକ୍‍ଟର ରେଣୁ ମିଶ୍ର

୯.

ମହିମା ଧର୍ମରେ ସାଧିକା.

ଶ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର

୧୦.

ଭୀମଭୋଇ: ଏନ୍ତୁଡ଼ିଶାଳରୁ ସମାଧିସ୍ଥଳ

ଶ୍ରୀ ଗୋରେଖ ନାଥ ସାହୁ

୧୧.

ବିଶ୍ୱକବି ଭୀମଭୋଙ୍କ ଦୃଷ୍ଟି.

ଡକ୍‍ଟର ଉଦ୍ଧବ ଚରଣ ନାୟକ

୧୨.

ସୌରଭ: ଏକ ଅରଣ୍ୟ ପ୍ରସୂନର.

ଡକ୍‍ଟର ପବିତ୍ରମୋହନ ନାୟକ

୧୩.

ଦେଖୁଁ ଦେଖୁଁ କେବା ସହୁ.

ଶ୍ରୀ ଚିତ୍ତରଞ୍ଜନ ଦାସ

୧୪.

ଏକାଡେମୀ ସମାଚାର

 

 

“କୋଣାର୍କ” ପ୍ରକାଶନର ନିୟମାବଳୀ

 

୧.

ପ୍ରତିବର୍ଷ ’କୋଣାର୍କ’ର ଚାରିଗୋଟି ସଂଖ୍ୟା ନିୟମିତଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/- ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ହେବ ।

୨.

‘କୋଣାର୍କ’ରେ ସାହିତ୍ୟ ସଂସ୍କୃତି ସଂପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସଂପର୍କିତ ନିବନ୍ଧମାନ ଏଥିରେ ସ୍ଥାନ ପାଇବ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯେପରି ଏହା ଡିମାଇ ୧/୮ ଆକାର ବିଶିଷ୍ଟ ’କୋଣାର୍କ ’ର ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ପେରସ୍ତ ହେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ୱରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍‌ସ କିମ୍ୱା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ୍‌ ଅଧା କାଗଜର ଏକ ଚତୁର୍ଥାଶଂ ହାସିଆ ରହିଥିବା ଆବଶ୍ୟକ ।

୫.

‘କୋଣାର୍କ’ ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

୬.

‘କୋଣାର୍କ ’ ରେ ପ୍ରକାଶିତ ପ୍ରତ୍ୟେକ ଲେଖାପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ ’ ସଂପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସଂପାଦକଙ୍କ ସହିତ କରାଯିବ ।

 

ସଂପାଦକୀୟ

ସତରେ ସନ୍ଥକବି ମହାତ୍ମା ଭୀମଭୋଇ କୋଉଠି ଜନମିଥିଲେ, ତାଙ୍କର କୋଉଠି ଘର ଏତକ ଠାବ କରିନେଲେ ଏବଂ ସେ ଅନ୍ଧ ଥିଲେ କି ମୂର୍ଖ ଥିଲେ ଏତକ ନିର୍ଭୁଲ ଜାଣିଗଲେ ସବୁ ପ୍ରଶ୍ନର ଉତ୍ତର ମିଳିବ, ଯୋଗୀକୁ ଜାତି କଣ ଘର କୋଉଠି ପଚାର ନାହିଁ - ତାହା ତାର ପରିଚୟ ଆଦୌ ନୁହେଁ ।

 

ଗୋଟାଏ କଥା ତ ସତ ଯେ ଭୀମଭୋଇ କବିଟିଏ । ଅଗୋଚର ବା ସନ୍ଦେହାସ୍ପଦ କାଳକୁ ଛାଡ଼ିଦେଲେ ଜୀବନର ଶେଷଭାଗର ସାଧନାଭୂମି ଓ ସମାଧିପୀଠ ଯେ ଖଲିଆପାଲି ଏଥିରେ ଦ୍ୱିମତ ହେବାର କୌଣସି କାରଣ ନାଇଁ । କବିତାଟିଏକୁ ଠାବରୁ ନୁହେଁ ଭାବରୁ ଜାଣିହେବ-। ଆଉ ସେ ସେଇ ଭାବଟିଲାଗି ଯାବତ୍‌ ଚନ୍ଦ୍ରାର୍କେ ରହିଥିବ; ମରିବ ନାଇଁ । ସେଇ ତା’ର ଧର୍ମ, ଦୀକ୍ଷା, ସାଧନା, ସିଦ୍ଧି, ପରିଚୟ ... । ସେଇ ଥିଲେ ଓଡ଼ିଆ ସାହିତ୍ୟରେ ଆଧୁନିକ କବିତାର ଆଦ୍ୟ ଉଦ୍‌ଗାତା । ବିଶ୍ୱତୋମୁଖୀ ଚେତନାର ସ୍ୱରର ଉଚ୍ଚାରଣ କରିଥିଲେ ସେ । ମଣିଷ ମାତ୍ରକର ଦୁଃଖ ଶୋକରେ ମର୍ମାହତ, ଭୌଗୋଳିକ ସୀମାହୀନ ଏକ ଜଗତ, ଧର୍ମ, ଉଚ୍ଚନୀଚ, ଜାତି ବର୍ଣ୍ଣର କୌଣସି ବାଡ଼ ପଡ଼ି ନଥିଲା ତାଙ୍କର ସମାଜରେ ଆଉ ସେ ସବୁରି ମୂଳରେ ପୃଥ୍ୱୀକୁ, ଖାଲି ମଣିଷକୁ କାହିଁକି ଛପ୍ନାକୋଟି ପ୍ରାଣୀଙ୍କୁ ଭଲ ପାଉଥିଲେ, ଆପଣାଠୁଁ ଅଧିକ କରି ।

 

ପ୍ରାୟ ପ୍ରତ୍ୟେକ କବିତାରେ ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷରେ ମଣିଷର ଦୁଃଖଲାଗି, ପାକଳ ହୋଇ ଆସିଲା କଳିଲାଗି, ବଢ଼ିଲା ଅନୀତି ଅବିଚାର, ଅନ୍ୟାୟ, ଅନାଚାର ବ୍ୟାକୁଳ କରୁଥିଲା ସନ୍ଥକବିଙ୍କୁ-। ଅବଶ୍ୟମ୍ଭାବୀ ଧ୍ୱଂସରୁ, ଦୁର୍ବିସହ ଯାତନା ଯନ୍ତ୍ରଣାରୁ ପରିତ୍ରାଣ କରିବାକୁ ସେଇ ଅରୂପ ଅଲେଖ ବ୍ରହ୍ମକୁ ଯେତେଯେତେ, କାକୁସ୍ଥ ମିନତୀ କରିଗଲେ ମଣିଷକୁ ତତୋଽଧିକ ଚେତେଇ ଦେଇଗଲେ ସ୍ୱଧର୍ମ ପାଳନ ଲାଗି, ସମଦର୍ଶୀ ଭାବରେ ସାରାଜଗତକୁ ଭଲ ପାଇବା ଲାଗି ବୁଝେଇ ବୁଝେଇ ଗଲେ । ସେହି ଧର୍ମାଚରଣ, ସେଇ ଆରାଧନା, ସେଇ ତପସ୍ୟା ଆଉ କରି କରି ମଣିଷ ଆପେ ସଙ୍କୁଚିତ ହୋଇଯିବ, ପୃଥବୀକୁ ସଙ୍କୁଚିତ କରିଦେବ ଏପରିକି ସର୍ବନିଅନ୍ତା ଅଣୁପରମାଣୁରେ ବିଦ୍ୟମାନ ପ୍ରଭୁକୁ ଗୋଟାପଣେ ଆପଣା ଆୟତ୍ତକୁ ଆଣି ପକେଇବ । କଣ ଦେଇଛି ଚିନ୍ତାଟି ଭ୍ରମରେ ସୁଦ୍ଧା କରି ନଥିବା ମଣିଷଟି କୋଉ ଅଧିକାରରେ ସତରେ ପାଇବା କଥାଟି ଚିନ୍ତା କରିବ । ପାଇବାକୁ ଇଚ୍ଛାଥିଲେ ଦେବାକୁ ପଡ଼େ, ପାଇବାପରେ କୃତଜ୍ଞତାରେ ଚିତ୍ତ ଆର୍ଦ୍ର ହୋଇଯାଏ ମାଗି ଜାଣିଲେ ସବୁ ମିଳେ । ପ୍ରଭୁର ଅକ୍ଷୟ ଭଣ୍ଡାରରେ ତ କୋଲପ ପଡ଼ିନାଇଁ....

 

କବିମାନେ କହିବେ ସିନା... ସେମାନଙ୍କ ଆଖିରେ ମଣିଷ କେମିତି ଦିଶୁଛି, ଜଗତ କେମିତି ଦିଶୁଛ, ପ୍ରଭୁ କିଭଳି ଦିଶୁଛି... ଜିଜକୁ ନିଜର ଛବି କେମିତି ଦିଶୁଛି....

 

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

 

 

ଅପେକ୍ଷା-ଉପେକ୍ଷାର ଘେର ଭିତରେ ଭୀମଭୋଇ

ଶ୍ରୀ ଭକ୍ତ ଶତ୍ରୁଘ୍ନନାଥ

 

ବ୍ୟଥା ବଳି ପଡ଼ିଛି । ବିପୁଳ ବ୍ୟାକୁଳତା ଜମି ଯାଇଛି । ଅସହ୍ୟ ମର୍ମଭେଦୀ ଯନ୍ତ୍ରଣାର ପଟାନ୍ତର ନାହିଁ । ଏପରି ସ୍ଥଳରେ ଶୋକ ଶ୍ଳୋକରେ ଝରି ପଡ଼ିଛି । ଏହା ହୁଏ ଭାରତ ଭାରତୀ ବିଶ୍ୱବକ୍ଷରେ ପ୍ରଥମ ମହାକାବ୍ୟ ରାମାୟଣ । ଶିଷ୍ୟ ଭରଦ୍ୱାଜଙ୍କ ସହିତ ମହର୍ଷି ବାଲ୍ମୀକି ଦେଖୁଥାନ୍ତି ସୁରମ୍ୟ ଅରଣ୍ୟାନୀର ଶୋଭା । କ୍ରୌଞ୍ଚ ଯୁଗଳର ମଧୁର ଗୁଞ୍ଜନ ଶୁଣୁଥାନ୍ତି । ଏତେବେଳେ କାମୋନ୍ନତ୍ତ ପକ୍ଷୀଦ୍ୱୟଙ୍କ ମଧ୍ୟରୁ ପୁରୁଷ ପକ୍ଷୀଟିକୁ ଶରବିଦ୍ଧ କରିଛି ଜଣେ ସ୍ୱଭାବସିଦ୍ଧ ବ୍ୟାଧ । କ୍ରୌଞ୍ଚ ରକ୍ତରେ ଜୁଡ଼ୁବୁଡ଼ୁ ଓ କ୍ରୌଞ୍ଚୀର ଜ୍ୱାଳା ଅକଥନୀୟ । ସ୍ୱତଃ ନିର୍ଗତ ହୁଏ ବାଲ୍ମୀକିଙ୍କ କଣ୍ଠରୁ, ‘‘ମା ନିଷାଦ ପ୍ରତିଷ୍ଠାଂ ତ୍ୱମ ଚମଃ ଶାଶ୍ୱତୀଃ ସମାଃ ..... ।। ରେ ନିଷାଦ, ତୋତେ ନିତ୍ୟ ନିରନ୍ତର ଶାନ୍ତି ନମିଳୁ... । ବାଲ୍ମୀକିଙ୍କ ଅନୁଶୋଚନା ଜାଣି ଆଶ୍ରମରେ ଉପସ୍ଥିତ ହୁଅନ୍ତି ବ୍ରହ୍ମା ଓ ସେ ଆଶ୍ୱାସନା ଦିଅନ୍ତି, ତାଙ୍କ ପ୍ରେରଣାବଶତଃ ବାଲ୍ମୀକିଙ୍କ ମୁଖରୁ ଏପରି ବାକ୍ୟ ନିଃସୃତ ହୋଇଛି ।

 

ପରବର୍ତ୍ତୀ କାଳରେ କାବ୍ୟପ୍ରାଣ ଲୋଡ଼ି ନାହିଁ ରାଜ୍ୟ, ସୁଖ, ସ୍ୱର୍ଗ ଓ ଭୋଗ । ବାସନା ପୋଷଣ କରିନାହିଁ, ‘‘ଯଦ୍‌ଗତ୍ୱା ନ ନିବର୍ତ୍ତନ୍ତେ’’, ଅର୍ଥାତ୍‌ ଯୋନି ଚକ୍ରକୁ ନ ଫେରିବାର ସ୍ଥିତିକୁ ଶ୍ରେୟ ମନେ କରାଯାଇ ନାହିଁ । ତେବେ କବି ମାନସର ଉତ୍ତରଣ କେଉଁ ଦିଗରେ ? ‘’କାମୟେ ଦୁଃଖ ତପ୍ତାନାମ୍‌ ପ୍ରାଣିନାମ୍ ଆର୍ତ୍ତିନାଶନମ୍‌ ।’’ ଦୁଃଖ ତା’ପରେ ଜର୍ଜରିତ ସକଳ ପ୍ରାଣୀଙ୍କ ଆର୍ତ୍ତିମୋଚନ ପାଇଁ ଏକାନ୍ତ ଏକମାତ୍ର ଆବେଦନ ହୁଏ କାବ୍ୟର ।

 

ବହୁକାଳର ବ୍ୟବଧାନ ପରେ ଭୀମଭୋଇଙ୍କ କଣ୍ଠରେ ପ୍ରତିଧ୍ୱନିତ ହୁଏ ଉକ୍ତ କାଳଜୟୀ କାରୁଣ୍ୟର ବାଣୀ ଓ ଆତ୍ମୋତ୍ସର୍ଗର ସ୍ଫଳନ । ଅନ୍ୟାୟ ଅତ୍ୟାଚାର ଅବିଚାରର ଗରଳ ସେ ପିଇଯିବେ । ଶୋଷଣ କଷଣର ବିଷରେ ସେ ପାରିହେବେ, ନର୍କଗାମୀ ହେବେ । କେବଳ ଏଇଥିପାଇଁ ଯେ ଜଗତ ଉଦ୍ଧାର ପାଉ । ବିଶ୍ୱବାସୀ ରକ୍ଷା ପାଆନ୍ତୁ ଭେଦ, ବାଦ ଓ ଛଳରୁ ।

 

‘‘ପ୍ରାଣୀଙ୍କ ଆରତ             ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେବା ସହୁ,

ମୋ ଜୀବନ ପଛେ      ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।’’

 

ଆଧୁନିକ କାବ୍ୟ ଜଗତର ମଉଡ଼ମଣି ହୁଅନ୍ତି ଜ୍ୱାଳାଗ୍ରସ୍ତ ଆଦିବାସୀ କବି ଭୀମଭୋଇ । କଟା ଘା’ରେ ଚୂନ ଦେଲାପରି ସେ ବ୍ୟଥା ଜର୍ଜରିତ ହୁଅନ୍ତି । ଅସୁମାରି ଦୁଃଖ ବେଦନାରେ ବିଦୀର୍ଣ୍ଣ ବିଶ୍ୱ । ଭୀମ ମାତ୍ର ବ୍ୟକ୍ତି ଜଣେ, ନିଜେ ପୋଡ଼ି ପାଉଁଶ ହୋଇଯିବେ ପଛେ, ବିଶ୍ୱବ୍ରହ୍ମାଣ୍ଡ ରକ୍ଷା ପାଉ । ସମଷ୍ଟିର ମଙ୍ଗଳରେ ବ୍ୟଷ୍ଟିର ମଙ୍ଗଳ । ସମସ୍ତଙ୍କ କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ । ପୁନଶ୍ଚ ପ୍ରଶ୍ନ କରିଛନ୍ତି କବି ଭୀମ, ‘‘ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ? ଜଗତଜନ ଶାନ୍ତି, ସ୍ନେହ, ସମତା ଓ ମମତାରେ ବାନ୍ଧି ହୋଇ ରହିଲେ ବ୍ୟକ୍ତିର ଜୀବନ ମଧୁମୟ ହୁଏ । ଜଙ୍ଗଲ ପୋଡ଼ିଗଲେ ଗଛର ଅସ୍ତିତ୍ୱ ରହିବ କି ? ବ୍ରହ୍ମାଣ୍ଡ ସୁରକ୍ଷିତ ହେଲେ ପିଣ୍ଡ ପଲ୍ଲବିତ ହୁଏ ।

 

ସୁଖ, ଦୁଃଖ, ହର୍ଷବିଷାଦ, ପୁଣ୍ୟପାପ, ସତ୍ୟମିଥ୍ୟା ଆଦିର ଯୋଡ଼ି ମଧ୍ୟରେ ଏକ ବିରବଚ୍ଛିନ୍ନ କ୍ରମାନ୍ୱୟର ଯେ କୌଣସି ବିନ୍ଦୁ ସହିତ ତାଦାତ୍ମ୍ୟର ଅନାବିଳ ପ୍ରକାଶ ଏଥିରେ ଥାଏ । ଅର୍ଥାତ୍‌ ଏସବୁ ପରସ୍ପର ବିପରୀତ ନୁହନ୍ତି । ଅସ୍ପୃଶ୍ୟ ନହୋଇ ସଂଯୁକ୍ତ ହେବାର ସମ୍ଭାବନା ରହିଛି । ସେହିପରି ଅନ୍ତଃଦୃଷ୍ଟି ଓ ବହିଃଦୃଷ୍ଟି ମଧ୍ୟରେ ବ୍ୟବଧାନର ରେଖା ରହେ ନାହିଁ । ଅନ୍ତର ବାହାରକୁ ତଥା ବାହାର ଅନ୍ତରକୁ ପ୍ରଭାବିତ ଓ ସଂକ୍ରମିତ କରୁଥାଏ । ଉପରନ୍ତୁ ଦୃଶ୍ୟ ଓ ଦର୍ଶକ, ନାମ ଓ ନାମୀ, ଚିନ୍ତା ଚିନ୍ତକ ଓ ଚିନ୍ତ୍ୟ ସ୍ନିଗ୍‌ଧ ଛଳରେ ଏକ ହୋଇ ଯାଆନ୍ତି । କାବ୍ୟ ଓ କବି ଅଭିନ୍ନ ହୁଅନ୍ତି-। ଏହାହିଁ ଭୀମଭୋଇଙ୍କ କାବ୍ୟ ଓ କବିତା ରଚନାର ବୈଶିଷ୍ଟ୍ୟ । ଏହା ହେଉଛି ତାଙ୍କ ବିଧଗ୍‌ଧତା ।

 

ଅଚିହ୍ନା ପିଲାଟିଏ । ଚିହ୍ନି, ଜାଣି, ବୁଝି କିଏ ତାଙ୍କୁ ଭୀମ ନାଁ ଦେଉଛନ୍ତି । ସୀମିତ ଦିଗ୍‌ବଳୟ, ଅଭିଳାଷଶୂନ୍ୟ ଜୀବନ । ଦିନ ରାତିର ସୀମାରେଖା ଅସ୍ପଷ୍ଟ । ସମସ୍ତ ଦ୍ୱନ୍ଦର ଅତୀତ ସରଳରେଖା ପରି ସେ ପିଲାଟି । ପିତାମାତାଙ୍କ ସମର୍ଥନ ନାହିଁ, କିମ୍ବା ତା’ର ଅଭାବରୁ ତଳେ ପଡ଼ିଯିବାର ଆଶଙ୍କା, ଭୟ ଓ ବିପଦ ନାହିଁ । ନୀରବ ନିର୍ଭୀକତାର ରାଜୁତି ଓ ସେଥିରେ ରାଜାଧିରାଜଙ୍କ ଆକ୍ରମଣର ଆଶଙ୍କା ନାହିଁ, କିମ୍ବା ଆକ୍ରାନ୍ତ ହେବାର ବିଭୀଷିକା ନାହିଁ ।

 

ବେପରୁଆ ସେ ପିଲା, ଅଣବିକାରର ମଣିଷଟିଏ । ଶତ୍ରୁମିତ୍ରର ପ୍ରଶ୍ନ ନାହିଁ । ସବୁ ଏକାକାର । ଦାନବ, ମାନବ ଓ ଦେବର ପାର୍ଥକ୍ୟ ରେଖା ନାହିଁ । ଯାବୁଡ଼ି ଧରିଛି । ଯାବୁଡ଼ା ଫିଟୁ ନାହିଁ । ସେ ନଛୋଡ଼ବନ୍ଧା । ଏଇଠି ପାଇଛି ସେ ଜଣକୁ ହାତମୁଠାରେ, ପାଇଲା ଧନ ସେ ଛାଡ଼ୁ ନାହିଁ । ସଙ୍କଟ, ସମ୍ପତ୍ତି କଅଣ ସେ ଜାଣେ ନାହିଁ । ବୁଝି ନାହିଁ । ସଙ୍କଟ ରକ୍ଷକ ଆସିଯାଆନ୍ତି ସେହି ଅଟଳ ପିଲା ପାଖକୁ । ମାତୃଗର୍ଭରୁ ଯାହାଙ୍କୁ ଦେଖିବାର ସେ ଠଉରନ୍ତି ସେଇ ସେ ସେପରି ଜଣାପଡ଼ନ୍ତି । ଅନ୍ତରର ସତ୍ୟଟିକୁ ସତ୍ୟ ବୋଲି ଭଜି ନାହାନ୍ତି - ସେହି ସତ୍ୟ ଏପରି ପିଲା ପାଖକୁ ଆସିଯାଆନ୍ତି ଅଯାଚିତ ଗୁରୁ ଭାବରେ । କାହିଁକି ? ବିଶ୍ୱ ହସିବ । ଦୁଃଖ ଦୂର ହୋଇଯିବ । ସକଳ ସୃଷ୍ଟି ନଖକୋଣରେ ଦିଶିଯିବ । ଯନ୍ତ୍ରଣା ଓ ଅଶାନ୍ତି ହଟିଯିବ । ଶତଧା ବିଭକ୍ତ ବସୁଧା ଏକ ହୋଇଯିବ । ସେ ଏକ, ଦେଖୁଛି ତାଙ୍କୁ ଏକ, ଅନ୍ତର ବାହାରେ, ବାଁ ଓ ଡାହାଣରେ, ଯେଉଁ ଆଡ଼କୁ ଚାହିଁଲେ ସେଆଡ଼େ । ଏକ, ଯାହାର ଦୁଇତିନି ନାହିଁ । ଏପରି ଏକ ସତ୍ୟ, ଯାହାର ଏକାଧିକ ନାହିଁ-। କେହି କହି ନାହିଁ ଓ କାହାଠାରୁ ଶୁଣିନାହିଁ । ଭୀମଙ୍କ ହୃଦୟର ସତ୍ୟ ତାଙ୍କ ହୃଦୟରେ ଉଦ୍‌ଭାସିତ-। କୁଡ଼ିଆର କିଳିଣି ଫିଟିଯାଇଛି, ବରଡ଼ାତାଟି ମେଲିଯାଇଛି । ଶୀତ, କାକର, ବର୍ଷା, ଖରା, ପାଣି, ପବନ ବାଧି ନଥିଲା, ଏବେ ବି କାଟୁ ନାହିଁ । କେବଳ ବାଧୁଛି ପ୍ରାଣୀଙ୍କ କଷଣ, କରତରେ କାଟୁଛି ଜୀବନକୁ । ଦୁଃଖ ଦାଉ ସାଧୁଛି । ହାତ ମୁଠାରେ ସେ ସତ୍ୟ, ଜୀବନର ସତ୍ୟ । ଆର୍ଚିମେଡ଼ିସଙ୍କ ଇଉରେକା ପରି ସେ ସତ୍ୟ ପାଇଛି, ସତ୍ୟ ପାଇଛି କହି କହି ଧାଇଁ ଯାଉଛି । ଭୀମଭୋଇ ଅସମ୍ଭାଳ ସତ୍ୟକୁ କେହି ଲୁଚାଇ ରଖିପାରେ କି ? ଅଣ୍ଟାରେ ନାଶଦାନୀରେ ପୂରାଇ ପାରେ କି ? ସେ ବାଟଘାଟରେ ଗଡ଼ି ଯାଉଛି । ଦାନ୍ତରେ ତିରଣ ଓ ଗଳାରେ ବନ୍ଧନ । ସର୍ବତ୍ର ଓ ସମସ୍ତଙ୍କ ପାଇଁ ସତ୍ୟ ପଦାରେ ପଡ଼ିଯିବ । ସମସ୍ତେ ସତ୍ୟ ପାଲଟିଯିବେ । ସେ ଅସମ୍ଭମ ଭାବରେ ବ୍ୟାକୁଳ । ଅକଳଣା ସେ ବ୍ୟାକୁଳତା । ହୃଦୟର ଝର ଫିଟି ଯାଇଛି । କେହି କେବେ କୌଣସି ପ୍ରକାରେ ଝର ମୁହଁରେ ଠିପି ଦେଇ ପାରିବେ କି ? ଛୁଆଠାରୁ ବୁଢ଼ାଯାଏ ଜଣ ଜଣ କରି କହି ଚାଲିଛନ୍ତି । କେହି ଜଣେ ହେଲେ କାନ ଡେରିବେ !

 

ସାନ ସାନ ପିଲାଙ୍କ ଆଗରେ ସତ୍ୟର ମଶାଲ ଦେଖାଇଛନ୍ତି ଭୀମଭୋଇ । ଡାକି ହାକି କହିଛନ୍ତି, ପିଲେ ଖେଚଡ଼ ବୁଦ୍ଧି ଛାଡ଼ । ସତ୍ୟାଦି ପଥରେ ଚାଲ । ଅନ୍ୟାୟ ଅକର୍ମ କରନାହିଁ । ବେଳହୁଁ ବ୍ରହ୍ମଜ୍ଞାନ ଭଜିଲେ ମହୀମଣ୍ଡଳରେ ରହିବା ଖାଇବାକୁ ମିଳିବ । ଏହା ଶୁଣି ପିଲେ ଉତ୍ତର ଦିଅନ୍ତି, ଅଜ୍ଞାନ ଆମର ବୁଦ୍ଧି । ଚଞ୍ଚଳ ମତି । ଆମେ ବାଳଭୋଳା । ସତ୍ୟ ମିଛ ଆମେ ଜାଣୁନାହିଁ । ଖାଇ ଖେଳି ଆମ ଦିନ ଯାଉଛି । ଖେଚଡ଼ ବୁଦ୍ଧି ଆମର । ଖଜା, ଭୁଜା, ଭାତ, ତୁଣ, ଖିରୀ, ପିଠାରେ ଆନନ୍ଦ । ସନ୍ଥକବି ଏବେ କଅଣ କହିବେ ? ଉଚିତ ପ୍ରମାଣ କଥା ବୋଲି କହିଛନ୍ତି । ଶୁଭ କଲ୍ୟାଣ ଦେଇ ସେଠୁ ବାହୁଡ଼ି ଆସିଛନ୍ତି ।

 

ସତ୍ୟ ହେଉଛି ଆନନ୍ଦ । ତେଣୁ ସବୁଥିରେ ଆନନ୍ଦ ଭୀମଙ୍କର ହେଉ ବା ନହେଉ । ସ୍ୱଭାବତଃ ସେ ସାହସିଆ । ସନ୍ଥକବି ଦୁଃସାହସିକ, ଭିଡ଼ି ସାହସର ଯୋଦ୍ଧା । ଛୁଏ ସିନା ନାହିଁ ନାହିଁ କଲେ । ଏଥରକ ସତ୍ୟର ପସରା ଛୁଆଙ୍କ ମା’ଙ୍କ ପାଖରେ ଥୋଇଛନ୍ତି । ମା ସତ୍ୟ ପାଳିଲେ ପିଲେ ସତ୍ୟବାଦୀ ହେବେ । କିନ୍ତୁ ଏ କୌଶଳ ମଧ୍ୟ କାମ କରି ନାହିଁ । ଉତ୍ତର ମିଳିଛି, ଆମେ ସ୍ତିରୀ ଜାତି । ଋତୁ ମତରେ ଚାଲି ନପାରୁ । ଜ୍ଞାନ ନାହିଁ ଜାଣୁ, ଜାଣୁ କେବଳ ମୁରତି ସଙ୍ଗମ ସୁଧା ଝିଅ ପାଇଁ ବର ଓ ପୁଅ ପାଇଁ କନିଆ ମିଳିବ ନାହିଁ । ଆୟ ଅଳଙ୍କାର ଆମେ ଅଙ୍ଗରେ ଲଗାଇ ଖାଇବା ପିଇବା ଜାଣୁ । ତେଲ ହଳଦୀ ଲଗାଇ ଆମେ ଯୁବାତନୁ ଧରିଛୁ । ଏ ବୟସରେ ରତିସୁଖ ନଜାଣିଲେ ଜୀବ ଅକାରଣ ହେବା ସ୍ତିରୀମାନେ ବୁଝିଲେ ନାହିଁ ।

 

ସେଠୁ ସନ୍ଥକବି କରିବେ କଅଣ ? ସେ ଥକିଯିବେ କି ? ଡରିଯିବେ କି ? ମନେ ପଡ଼ିଗଲା ନିଜ କଥା ଓ ଲେଖା । ସତ୍ୟ ଅଟେ ସଦଗୁରୁ, ଦୂବକୁ କରନ୍ତି ଦାରୁ, ସିଦ୍ଧିବଚନ ଆଜ୍ଞାରୁ କାହାକୁ ମୋ ନାହିଁ ଭୟେ ।’’ ଏବେ ସେ ପଛେଇବେ ନାହିଁ । ଏବେ ବୁଢ଼ାମାନେ ହଡ଼ା ହେଲେଣି ସିନା, ସେବେଳରେ ବିପଦ କାଳରେ ବୁଢ଼ାଙ୍କ ବଚନ ଘେନୁଥିଲେ । ତେଣୁ ବୁଢ଼ାଙ୍କୁ ବୁଝାଇ ବସିଲେ ସନ୍ଥକବି । ଏ କଳିଯୁଗରେ ଶୂନ୍ୟରୁ ଦେହଧାରୀ ହୋଇ ଆସିଛନ୍ତି ମହିମାଗୁରୁ । ତାଙ୍କୁ ଆଶ୍ରା କଲେ ଭବସାଗରରୁ ପାର ହୋଇ ପାରିବ । ଏହା ଶୁଣି ବୃଦ୍ଧମାନେ କହିଲେ, ଆମେ ଅଶକତ ହେଲୁଣି । ଦେହରୁ ବଳବୀର୍ଯ୍ୟ ଗଲାଣି ମହିମା ଅଲେଖ ଭଜିବାର କଥା ଆଗରୁ ଶୁଣା ନଥିଲା । ବେଦଶାସ୍ତ୍ରରେ ନାହିଁ । ବାପ,ଅଜା, ବଡ଼ବଡ଼େ ଏ ବାଟରେ କେହି ଯାଇ ନାହାନ୍ତି । ପିତୃପିତାମହ ପିଣ୍ଡପାଣି ପାଇବେ ନାହିଁ । ମରିଗଲେ ଅଶୁଦ୍ଧ ହେବୁ, ଭୂତପ୍ରେତ ବୋଲାଇବୁ । ପ୍ରାଣପଛେ ଯାଉ ଆମେ ମହିମା ନଭଜୁ । ତୁମ୍ଭେ ଜିଅ ଆମେ ପଛେ ମରିବୁ । ଶହେ ଷାଠିଏ ବର୍ଷରୁ ଆମେ ଅଛୁଁ । ବୁଢ଼ା ହେଲୁଣି, ବ୍ରହ୍ମଜ୍ଞାନ ଜାଣିଲୁ ନାହିଁ । ତୁମେ କାହୁଁ ଜାଣିଲ ? ଆମେ ତୁମ ବାପ ଅଜାଙ୍କୁ ଜାଣୁ, ତାଙ୍କ ନାତି ତୁମେ, କାଲିର ପିଲା, ଯାହା ବୋଇଲ ଏତିକି କହିଥାଅ, ଆଉ ଆମେ ଶୁଣିବୁ ନାହିଁ । ଭୀମ ସେଠୁ ପଳାଇ ଆସିଲେ, ପଛରେ ଦୋଷ ଦେବ ନାହିଁ ବୋଲି କହିଲେ ।

 

ଉପେକ୍ଷିତ ଭୀମ; ସନ୍ଥକବି ତଥାପି ଅପେକ୍ଷାରେ ଅଛନ୍ତି । ସେ ସାହସିକ ପିଲା; ସନ୍ଥକବି ସତ୍ୟକୁ ସମସ୍ତଙ୍କୁ ଧରାଇ ଦେବାର ଦୁଃସାହସିକ କାମରେ ଯୋଦ୍ଧା ସାଜିଛନ୍ତି । ରଜା, ବ୍ରାହ୍ମଣ, ଶୂଦ୍ର, ଚଣ୍ଡାଳ, ନୀଚ ଉଚ୍ଚ ପରିଯନ୍ତେ ସମସ୍ତଙ୍କୁ ଜଣ ଜଣ କରି ବୁଝାଇଛନ୍ତି । ତଥାପି ଗାଳି, ନିନ୍ଦା ଖାଇଛନ୍ତି କିରସ୍ତାନ ବୋଲି । ଦୁର୍ଦ୍ଦଣ୍ଡ ଦୁଃଖ ଭୋଗିଛନ୍ତି । ସତ୍ୟ ଧର୍ମ ସତ୍ୟ ଧର୍ମ ବୋଲି ନିନ୍ଦୁ ଅଛନ୍ତି ସକଳ । ଅବଧୂତ ଅବଧୂତ ବୋଲିବାକୁ ବୋଇଲେ ବାବନାଭୂତ । ଅଣାକାର ଅଣାକାର ବୋଲିବାକୁ ଅନାଇ ଦେଖିଲେ ନାହିଁ । ନିଷ୍କାମ ନିଷ୍କାମ ବୋଲିବାକୁ ନିଶେ ଦେଉଛନ୍ତି ହାତ । ନିର୍ଗୁଣ ନିର୍ଗୁଣ ବୋଲିବାକୁ ଗ୍ରାମରୁ ଦେଲେଣି ଖେଦି । ନିର୍ବେଦ ନିର୍ବେଦ ବୋଲିବାକୁ ଲାଗି ବସୁଛନ୍ତି ବାଦୀ-। ନାମଭଜ ନାମଭଜ ବୋଲିବାକୁ ଭାଙ୍ଗି ଯାଉଛନ୍ତି ଲୋକ । ମହିମା ମହିମା ବୋଲିବାକୁ ମହୁରା ବିଷ ମଣିଲେ । ଅରୂପା ଅରୂପା ବୋଲିବାକୁ ବୋଲ ଆସି ରଖୁ ତୁମ୍ଭ ବାପା । ଅଜପା ଅଜପା ବୋଲିବାକୁ ଅଚ୍ଛବ ଜାତି ବୋଇଲେ । ଏକାଙ୍ଗ ଭକତି ବୋଲିବାରୁ ବୋଲେ ଅଧମ ଏ ଅରକ୍ଷିତ । କାରଣ କର୍ତ୍ତାକୁ ଲଭ ବୋଲିବାକୁ କର୍ଣ୍ଣପିଚାଶୀ ବୋଇଲେ । ସମଦୀକ୍ଷା ସମଦୀକ୍ଷା ବୋଲିବାକୁ ବୋଇଲେ ଶ୍ୱାନ କୁକୁର ।

 

କେତେ ଗାଳିନିନ୍ଦା, ତୁଣ୍ଡରେ ଧରିହେବ ନାହିଁ । କାନରେ ଶୁଣିହେବ ନାହିଁ । ଅପେକ୍ଷା ଆଶାରେ ଭୀମ ଚରମ ଉପେକ୍ଷା ପାଇଛି । ଏପରି ସେ ସମୟ । ସତ୍ୟାଦି ମୂଲ୍ୟବୋଧ ଅବକ୍ଷୟର ଅନ୍ଧାର ଭଳି ଭିତରେ ଗଡ଼ି ଯାଇଛି । ଜନ ଜୀବନରେ ଅରୁଚି ହୋଇଛି । ଅସୁବିଧା ସତ୍ତ୍ୱେ ସନ୍ଥକବି ଛାଡ଼ୁନାହାନ୍ତି । ଅପେକ୍ଷା ଓ ଉପେକ୍ଷାର ଘେର ଭିତରେ ପଡ଼ିଛନ୍ତି । ଏହାର ଉଦାହରଣ ତାଙ୍କ ଚଉତିଶାରେ ପ୍ରକାଶ ପାଇଛି । ପ୍ରଥମ ଭାଗର ଦ୍ୱାଦଶ ଚଉତିଶାରୁ କେତୋଟି ଉଦାହରଣ ନେବା ।

 

ଅଲେଖ ମହିମା ନାମ ହେ ଚାରିଯୁଗରେ ସତ୍ୟ, ଅଳପକେ ନାଶ ଯିବରେ ନିଶ୍ଚେ ହୋଇବ ହତ । ୫ । ଚିଦାନନ୍ଦ ଯେଉଁ ପୁରୁଷ ସର୍ବେ ଜୀବନ କବିତା ଚାତୁରୀ କରିଣ କହୁଛ ଏ ଯେ କେବଣ କଥା । ୬। x x ଧର୍ମାଦି ପୁରୁଷ ଅଲେଖ ନାମ ଅଟେ ନିର୍ଗୁଣ, ଧରିଅଛୁ ଆମେ ସମସ୍ତେ ଭାଗବତ ପୁରାଣ ।୧୯। ... ବ୍ରହ୍ମାଣ୍ଡ କରତା ବଚନ ତୁମ୍ଭେ ନୁହଁ ଅଧମ, ବାଉନ ପାଟକ ଜାତିକୁ ତୁମେ କରିଛ ସମ ।୨୩। .... ସତ୍ୟାଦି ସାପର ପ୍ରଭୁଙ୍କୁ ସର୍ବେ ଲଗାଅ ଧ୍ୟାନ, ଶୂନ୍ୟ ଶୂନ୍ୟ ମହାଶୂନ୍ୟକୁ ପ୍ରତେକ ଗଲା ମନ ।୩୨।

 

ବାକ୍ୟ ଓ ପ୍ରତିବାକ୍ୟ କେଡ଼େ ସଜଡ଼ା ! କେହି ତିଆରି କରି ନାହିଁ । ଏ ରଚନା କାହାର ? ନିଶ୍ଚୟ ସନ୍ଥକବିଙ୍କର । ଜଙ୍ଗଲର ସବୁ ହାତୀ ରଜାଙ୍କର, ଏହି ନ୍ୟାୟରେ ଭୀମଭୋଇଙ୍କର । ଏହା ସତ୍ୟ, ସଚିଦାନନ୍ଦଙ୍କ ପ୍ରକାଶ । ଅଣରୂପ ରୂପରେ ପ୍ରତୀୟମାନ । ଧନ୍ୟ ଧୈର୍ଯ୍ୟ ଓ ଅବିଚାଳିତ ଚିତ୍ତ-

 

କାବ୍ୟଶିଳ୍ପୀ ସନ୍ଥକବି ପ୍ରକାଶ ଚାତୁରୀରେ ଯେପରି ମହାନ୍‌, ସ୍ପଷ୍ଟବାଦିତାରେ ସେପରି ମହୀଆନ୍‌ । ନିଜ କଥା ଓ ଅନୁଭୂତିର ପ୍ରକାଶରେ ଯେପରି ସ୍ପଷ୍ଟ ଓ ବଚନବଦ୍ଧ, ଅନ୍ୟମାନଙ୍କ ଉପେକ୍ଷା ଓ ପ୍ରତିକ୍ରିୟାକୁ ରୋକଠୋକ ଚିତ୍ରିତ କରିବାରେ ସେପରି ସିଦ୍ଧହସ୍ତ ଓ ନିଖୁଣ । ବିଶ୍ୱର କାବ୍ୟଜଗତରେ ସେ ବିସ୍ମୟ, ସେ ଅନନ୍ୟ । ସେ ବିରଳ ବ୍ୟକ୍ତିତ୍ୱ । ସେ ନିଜେ ସତ୍ୟ, ଗୋଟାପଣେ ସତ୍ୟ; କଥା, କାମ ଓ ଚିନ୍ତାରେ ସତ୍ୟ । ସତ୍ୟ ଅବିଭକ୍ତ । ସତ୍ୟ ଅଖଣ୍ଡିତ । ଅନ୍ତର ଓ ବାହାରରେ ସତ୍ୟ । ତେଣୁ କବ୍ୟ ରଚନାରେ ସତ୍ୟ ଓ କାବ୍ୟର ବୁକୁରେ ପ୍ରକାଶିତ ସତ୍ୟ ପ୍ରତି ଯେଉଁ ଖେଦୋକ୍ତି, ଉପେକ୍ଷା, ପ୍ରତିବାଦ, ବ୍ୟଙ୍ଗ ଓ ପ୍ରତିକ୍ରିୟା ଆସିଛି, ଏହାକୁ ସତ୍ୟର ନିକିତିରେ ପ୍ରକାଶ କରିଛନ୍ତି । ଆଦରରେ ଯେଉଁ ସତ୍ୟ ନିନ୍ଦାରେ ସେହି ସତ୍ୟ ।

 

ଏହି କାରଣରୁ ସେ ଘୋଷଣା କଲେ, କଳି ଭାଙ୍ଗି ସତ୍ୟ ହେବ, ନିର୍ଣ୍ଣୟ ବଚନ ଧ୍ରୁବ । ସେ ମହାନ ବିପ୍ଳବୀ ହୋଇଛନ୍ତି । ବିପ୍ଳବ ଜଗତରେ ସେ ମହାନ୍‌ । ନିଜ ଗୁରୁ ମହାବ୍ରହ୍ମ ମହିମାକୁ ଶୁଣାଇଛନ୍ତି । ‘‘ଭୁଲାଇଛ କେତେ କହି ନାନାମତେ ବୁଝାମଣା ନାହିଁ ବେଗ, ଛାଡ଼ିଦିଅ ମୋତେ ଗୁରୁଦେବ ସ୍ୱାମୀ ଭରଣା କରିବି ଯୁଗ ।’’ ନବଖଣ୍ଡ ମହୀକୁ ସେ ଥାଳ ପ୍ରାୟ ଦେଖୁଛନ୍ତି । ତାଙ୍କ ମନକୁ ଏପରି ଆସୁଛି । ଛପ୍ନା କୋଟି ଜୀବ ତାଙ୍କ ଆଖିରେ ତିରିଶ ପ୍ରାୟ ଦିଶୁଛି । ଏପରି ସମଗ୍ର ସୃଷ୍ଟି ପୃଥିବୀକୁ ସେ ଦିନକ ଭିତରେ କ୍ଷଣକ ମଧ୍ୟରେ ଲେଉଟାଇ ଦିଅନ୍ତେ । କିନ୍ତୁ ସେ ଦାନ୍ତ କାମୁଡ଼ି ଅଟକି ଯାଉଛନ୍ତି । କାରଣ ଶ୍ରୀଗୁରୁଙ୍କ ଆଜ୍ଞା ନାହିଁ । ମିଛକୁ ମଧ୍ୟ ଧମକାଇଛନ୍ତି । ସଂସାର ମଧ୍ୟରେ ମିଥ୍ୟାର ସ୍ଥାନ ନାହିଁ, ସେ ପଳାଇ ଯିବାକୁ ଧମକ ଦେଇଛନ୍ତି ମିଛକୁ ।

 

ସତ୍ୟର ଧର୍ମ ଓ ଧର୍ମର ସତ୍ୟ ନିତ୍ୟସତ୍ୟ ମହିମାଧର୍ମର ସନ୍ଧାନ ଓ ସନ୍ଦେଶ ଦେଇଛନ୍ତି ଏ ଜଗତକୁ ଭୀମଭୋଇ ଜଗତର ରକ୍ଷା ପାଇଁ । ସତ୍ୟକୁ ଭଜିଛନ୍ତି ସବୁଥିପାଇଁ ଓ ସମସ୍ତଙ୍କ ପାଇଁ । ଘେର ଖସିଯାଇଛି । ଭୀମଙ୍କୁ ଆଉ ଘେରି ନାହିଁ ବା ଘାରି ନାହିଁ । ଘର ହୋଇଯାଇଛି । ବ୍ରହ୍ମାଣ୍ଡ ବଖୁରିଏ ଘର ହୋଇଛି । ଛପ୍ନାକୋଟି ଜୀବଙ୍କୁ ଆପଣାର ଆତ୍ମା କରିଛନ୍ତି । ପରାପରର ବିଚାର ମନର ମୂଳରୁ ଓ ବ୍ରହ୍ମାଣ୍ଡରୁ ଦୂର ହୋଇ ଯାଇଛି । ସବୁ ଅପର ଆପଣାର ହୋଇଛି । ଅବନୀରୁ ଅମ୍ବର ଯାଏ ସବୁ ଓ ସମସ୍ତେ ନିଜର ଓ ନିଜେ ସମସ୍ତଙ୍କର । ଏହି ଜୀବନର ସତ୍ୟ ଓ ସତ୍ୟର ଜୀବନ ଆପଣେଇ ଯାଇଛି । ତରୁତୃଣଠାରୁ କୀଟପତଙ୍ଗ ଯାଏଁ. ଦୁଷ୍ଟଦୁରାଚାର ଠାରୁ ପତିତ ପାମର ଯାଏଁ ସମସ୍ତେ ମହାନ୍ । ‘‘ଅଲେଖପୁର ଭୁବନ, ‘‘ନାହିଁ ତହିଁ ବଡ଼ସାନ, ସମାନରେ ଦୟାଦୃଷ୍ଟି ସର୍ବଜୀବାରେ ।’’

 

 

୬୮୯.ଶହୀଦ୍‌ନଗର

ଭୁବନେଶ୍ୱର-୭

 

 

***

 

‘ସ୍ତୁତିଚିନ୍ତାମଣି’ର କବି ଭୀମଭୋଇ: ବିରୋଧାଭାସର ବୈଚିତ୍ର୍ୟ

ଡକ୍‌ଟର ମଧୁସୂଦନ ପତି

 

‘ସ୍ତୁତିଚିନ୍ତାମଣି’ର କବି -ବ୍ୟକ୍ତିତ୍ୱ ବିଚିତ୍ର । ସେ ବ୍ୟକ୍ତିତ୍ୱରେ ପୁରାଣ, ଦର୍ଶନ, ସାହିତ୍ୟ ପ୍ରଭୃତି ସହିତ ଗଭୀର ଆତ୍ମୀୟତା ଯେପରି ସୁସ୍ପଷ୍ଟ । ସେସବୁ ପ୍ରତି କୌଣସି ଋଢ଼ୀବାଦୀ ଆଜ୍ଞାଧୀନତା ନ ରଖିବାର ବୈପ୍ଳବିକ ମନୋବୃତ୍ତି ସେପରି ସମୁଜ୍ୱଳ । ବ୍ୟକ୍ତିଗତ ଜୀବନର ଘାତ - ପ୍ରତିଘାତରେ ତାହା ଯେତିକି ଉଦ୍‌ବେଳିତ, ଗୋଟିଏ ବିଶ୍ୱାୟତ ସହାନୁଭୂତି ଓ କରୁଣାବୋଧରେ ତାହା ସେତିକି ବ୍ୟାକୁଳ । ଗୁରୁ ଏବଂ ଈଶ୍ୱରଙ୍କ ପ୍ରତି ଆନୁଗତ୍ୟ ତହିଁରେ ଯେଉଁ ପରିମାଣରେ ଗଭୀର, ତାଙ୍କ ବିରୁଦ୍ଧରେ ଅଭିଯୋଗ ବାଢ଼ିବାର ସାହସ ମଧ୍ୟ ସେହି ପରିମାଣରେ ଦୃଢ଼ । କବିତ୍ୱ ପ୍ରତି ଆକର୍ଷଣ ଯେତିକି ତୀବ୍ର, ତାହା ପ୍ରତି ଉଦାସୀନତା ମଧ୍ୟ ସେହି ଗୁଣରେ ସୁନିଶ୍ଚିତ । ସନ୍ଥର ମହିମାବୋଧ ସେଠାରେ ଯେଭଳି ଗମ୍ଭୀର, ଗୋଟିଏ ସାଧାରଣ ମନୁଷ୍ୟର ଅସହିଷ୍ଣୁତା ଓ ଧୈର୍ଯ୍ୟହୀନତା ସେଭଳି ପ୍ରଗାଢ଼ । ବାସ୍ତବତା ପ୍ରତି ସ୍ପର୍ଶକାତର ସଚେତନତା ଏବଂ ଅରୂପ ପ୍ରତି ଐକାନ୍ତିକତା ସେଥିରେ ଏକାଥରେ ଉପଲବ୍‌ଧ । ଏକ ବିଚିତ୍ର ବ୍ୟକ୍ତିତ୍ୱ, ଏବଂ ସେହି ବ୍ୟକ୍ତିତ୍ୱର କାବ୍ୟିକ ଆତ୍ମପ୍ରକାଶ ବିରୋଧାଭାସର ଏକ ଅନନ୍ୟ ବୈଚିତ୍ର୍ୟ ।

 

‘ସ୍ତୁତିଚିନ୍ତାମଣି’କୁ ଉଚ୍ଚାଙ୍ଗ ସାହିତ୍ୟ କହିବା ଯେପରି କଷ୍ଟକର, ତାକୁ ଲୋକସାହିତ୍ୟ କହିବା ସେପରି ଅସୁବିଧାଜନକ । ସାହିତ୍ୟର ସଜଡ଼ା - ସଜଡ଼ିର ଚିହ୍ନ ସେଠି ଖୁବ୍‌କମ୍‌; ଅଥଚ ପୁରାଣ ଓ ଦର୍ଶନତତ୍ତ୍ୱ ପ୍ରତି ସୂଚନା ସବୁର ପରିମାଣ ଏତେ ଅଧିକ ଯେ ଲୋକଗୀତର ଭାବସରଳତା ସେଠି ନିୟାମକ ବୋଲି କହିହେବ ନାହିଁ । ଭୀମଭୋଇଙ୍କ କବିତାର ନିର୍ଦ୍ଦିଷ୍ଟ ଧର୍ମ ଓ ତାହାର ଆବେଦନ ସଂପର୍କରେ ସଠିକ୍‌ ଅବବୋଧ ତେଣୁ ସମାଲୋଚନାର ପ୍ରାଥମିକ ବିଷୟ ଅଟେ-। ସେ ବିଷୟରେ ‘ସ୍ତୁତିଚିନ୍ତାମଣି’ର ଅବଲମ୍ବନରେ ଯତ୍‌ସାମାନ୍ୟ ଆଲୋଚନା ଏହି ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

 

‘ସ୍ତୁତିଚିନ୍ତାମଣି’ର ଲେଖକ ଉଭୟ ‘ମଧୁଚକ୍ର ଚଉତିଶା’ ଏବଂ ଡାଲଖାଇ, ରସର୍‌କେଲି ପ୍ରଭୃତିର ସରଳ ମାନସିକତା ପରିହାର କରିଛନ୍ତି । ମୁଖ୍ୟତଃ ଏକ ଅସହ୍ୟ ବେଦନାବୋଧର ଦୀର୍ଘ ଓ ସେହି କାରଣରୁ ପୁନଃପୌନିକ ଉଚ୍ଛ୍ୱାସ ଭାବେ ଏହି ଶୋକଗୀତିକା ନିର୍ମିତ ହୋଇଛି । ଏହି ପରିପ୍ରେକ୍ଷୀରେ ମଧ୍ୟ ଭୀମଭୋଇ- କବିତାର ବିରୋଧାଭାସ ସ୍ପଷ୍ଟ, କାରଣ ସେହି ଶୋକଗୀତିର ଅନ୍ୟତମ ନିୟନ୍ତ୍ରକ ଭକ୍ତିଭାବନା ଓ ପରମବିଶ୍ୱାସ ତାକୁ କେବଳ ଶୋକଗୀତିର ନିର୍ଦ୍ଦିଷ୍ଟତାରେ ଆଉ ବାନ୍ଧି ରଖିନାହିଁ । ତଥାପି ଶୋକର ମୂର୍ଚ୍ଛନାହିଁ ତହିଁରେ କେନ୍ଦ୍ରସ୍ୱର । ଲକ୍ଷ୍ୟ କରିବାର କଥା, କବିତାର ବିଷାଦଭାବଟି କେବଳ ବ୍ୟକ୍ତିଗତ ଜୀବନର କ୍ଳେଶ ଓ ବିପର୍ଯ୍ୟୟରୁ ଉତ୍ସୃଷ୍ଟ ନୁହେଁ । ଜଣେ ଭକ୍ତର ମୌଳିକ ବିଶ୍ୱାସ ବାରମ୍ବାର ଆଘାତ ପାଉଥିବାର କାରୁଣିକତା ମଧ୍ୟ ତାହାର ଏକ ମୁଖ୍ୟ ଉତ୍ସ । ମାନବଜାତିର ନୈତିକ ଓ ଆଧ୍ୟାତ୍ମିକ ଅବକ୍ଷୟ ଏବଂ ସେହି କାରଣରୁ ମହାପ୍ରଳୟର ଆଶଙ୍କାବୋଧ ତାହାର ଅପର ଏକ ଉତ୍ସ । କିନ୍ତୁ ଏହା ସତ୍ତ୍ୱେ କାବ୍ୟଟି କେବଳ ରୋମାଣ୍ଟିକ ବିଷାଦଭାବ, ଭକ୍ତକବିର ଅଭିଯୋଗ, କିମ୍ବା ଏକ ପୌରାଣିକ ଭବିଷ୍ୟ ପ୍ରଳୟର ଆଶଙ୍କା ଜନିତ ବ୍ୟାକୁଳତାରେ ସୀମିତ ନୁହେଁ । ଏଠାରେ ଭୀମଭୋଇଙ୍କ ବେଦନାବୋଧ, ଅଭିଯୋଗ- ପ୍ରବଣତା ଏବଂ ବିପ୍ଳବୀ ମନୋଭାବର ଯେଉଁ ତୀବ୍ରତା ଆମେ ଲକ୍ଷ୍ୟକରୁଁ ତାହା ତାଙ୍କ ପୂର୍ବର କିମ୍ବା ତାଙ୍କ ସମକାଳୀନ ଅନ୍ୟ କୌଣସି ଓଡ଼ିଆ କବିଙ୍କ ରଚନାରେ ଉପଲବ୍‌ଧ ନୁହେଁ । ଏହାର କାରଣ ହେଉଛି ତାଙ୍କ ଭୂୟୋଦୃଷ୍ଟିର ପରିସର ଓ ସେହି କ୍ରମରେ ତାଙ୍କ ସମ୍ବେଦନଶୀଳତାର ପରିସର ସେମାନଙ୍କଠାରୁ ଅଧିକ ବ୍ୟାପକ ।

 

‘ସ୍ତୁତିଚିନ୍ତାମଣି’ର ତ୍ରୟୋଦଶ ବୋଲିରେ ଭୀମଭୋଇଙ୍କ ଚେତନାର ଏକ ବିଲକ୍ଷଣ ଅନୁଭବ ଆମେ ପାଉଁ । ଏ ଭକ୍ତକବିଟି ଅନ୍ୟ ସମଜାତୀୟ ଭକ୍ତକବିଙ୍କଠାରୁ କିପରି ଓ କାହିଁକି ଏତେ ଭିନ୍ନ ତାହାର ଗୋଟିଏ ଚମତ୍କାର ସୂଚନା ସେଥିରେ ମୁଦ୍ରିତ ହୋଇଛି । ‘କୃପାସିନ୍ଧୁ ବଦନ କରି ଅବଲୋକନ କେଉଁ କରମହୀନ ଜନ,’ ବା ‘କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ ତୁମ୍ଭେ ତ ଜଗତପତି’ର ସକୁଶଳ ସାହିତ୍ୟିକତା ବଦଳରେ ଭୀମଭୋଇଙ୍କ ‘ଭକ୍ତ ପ୍ରାଣଖିଆ ହରି’ଙ୍କ ବିରୁଦ୍ଧରେ ରୋକ୍‌ଠୋକ ପ୍ରତିକ୍ରିୟା ମଧ୍ୟରେ କେବଳ ଏକ ତୀବ୍ରତର ଆବେଗ ସୂଚିତ ହୁଏ ନାହିଁ, ସେଇ ପରିପ୍ରେକ୍ଷୀରେ ଗୋଟିଏ ବିଶାଳ ଭାବ- ପରିଧି ମଧ୍ୟ ସଂଯୁକ୍ତ ହୋଇଯାଏ । ଭୀମଭୋଇଙ୍କ ଅଭିଯୋଗ କେବଳ ଜଣେ ଦୁଃଖପ୍ରପୀଡ଼ିତ ବ୍ୟକ୍ତି, ଜଣେ ବାରମ୍ବାର ପରାହତ ଅନୁଭବ କରୁଥିବା ସାଧକ ବା ଭକ୍ତ ବା ବ୍ୟାଧି ଓ ମାୟା ପ୍ରପଞ୍ଚରେ ଘାରି ହେଉଥିବା ଜଣେ ପ୍ରତିନିଧି- ପୁରୁଷର ବିଷାଦଭାବ ପ୍ରକାଶ କରେନାହିଁ । ତାହା ଅଧିକ ମୌଳିକ ସ୍ତରରେ ବିଶ୍ୱବିଧାନର ଅନ୍ୟାୟ ଓ କ୍ରୁରତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରେ । ଏ ସ୍ତରର ସ୍ଥିତିବାଦୀ ଅନୁଭବ ଖୁବ୍ ଅଳ୍ପ ଆଧ୍ୟାତ୍ମକୈନ୍ଦ୍ରିକ କବିଚେତନାର ସଂପଦ । ସେଇ ତ୍ରୟୋଦଶ ବୋଲିରେ ତେଣୁ ଆମେ ଭୀମଭୋଇଙ୍କ ଯନ୍ତ୍ରଣାବୋଧର ପରିସରର ବ୍ୟାପକତା ସମ୍ପର୍କରେ ଠିକ୍ ସଚେତନ ହେଉ । ନିଜ ବ୍ୟକ୍ତିଗତ ତଥା ସମଷ୍ଟିଗତ ଭାବେ ମାନବଜାତିର ଦୁର୍ଦ୍ଦଶାର ଚିତ୍ର ଆଙ୍କିବା ପରେ ଭୀମଭୋଇଙ୍କ ହୃଦୟରୁ ଯେଉଁ ଆର୍ତ୍ତଭାବ ନିଷ୍ପନ୍ନ ହୁଏ ତାହା ବିଶ୍ୱାୟତ ହୋଇପଡ଼େ । ଭୀମ ଦେଖନ୍ତି ଅନ୍ୟାୟ, ଅଯଥାର୍ଥ କ୍ଳେଶ, ବେଦନାର୍ତ୍ତ ଅବସ୍ଥା ସର୍ବତ୍ର ପରିବ୍ୟାପ୍ତ । ସମସ୍ତ ଜୀବଜନ୍ତୁ ଏପରିକି ଗଛଲତା ମଧ୍ୟ ଅକାରଣରେ ସନ୍ତପ୍ତ ତ୍ରସ୍ତ ହୋଇ ତ୍ରାହି ତ୍ରାହି ଡାକ ପାରୁଥିବା ସେ ଶୁଣନ୍ତି । ସମସ୍ତେ ଭଗବତ୍ କରୁଣା ଓ ସୁରକ୍ଷାପାଇଁ ଆଶାୟୀ, ଏବଂ ସମସ୍ତେ ବ୍ୟାକୁଳ । ସେ ନିଜେ, ସମଗ୍ର ମାନବଜାତି, ବାସୁକି, ସାଗର, ଜୀବଜନ୍ତୁ, ପର୍ବତ, ବୃକ୍ଷ, ତୃଣ (‘ତିରଣ ବୋଲୁଛି ପତର ପାଖୁଡ଼ା ବତ୍ସାଧେନୁ ପଛେ ଖାଉ/ଭୂମିରୁ ନଛାଡ଼ି ଅଗ୍ନିରେ ନପୋଡ଼ି ମୂଳ ଉପୁଡ଼ି ନଯାଉ’) ସମସ୍ତେ ଏକାଭାବରେ ଅସହାୟ । ସମସ୍ତେ ବିସ୍ମିତ- କାତର ଭାବେ ପ୍ରଶ୍ନ କରୁଛନ୍ତି- ‘ସମସ୍ତ ଘଟରେ ତିନି ବ୍ରହ୍ମାଣ୍ଡରେ ପୁରି ଚଉବର୍ଗ ଦାତା/ ଅନନ୍ତ ଠାକୁର ହୋଇ ମହାପ୍ରଭୁ କିମ୍ପା ଦେଉଛ ଅବସ୍ଥା’ । ତୃଣପରି ପ୍ରତ୍ୟେକେ ନିଜ ନିଜର ବିଶ୍ୱାସ, ଆତ୍ମସତ୍ତା ଓ ସୃଷ୍ଟିଶୀଳତାର ମୂଳସବୁ ଉପୁଡ଼ିଯିବାର ଆଶଙ୍କାରେ ଅନୁଭୂତ । ବିଶ୍ୱାୟତ ଯନ୍ତ୍ରଣାବୋଧର ଏଭଳି ମାର୍ମିକ, ଘନିଷ୍ଠ ଅମ୍ଭୂଭବ ଆମେ ଅନ୍ୟ କେଉଁଠି ପାଉଁ ?

 

ଭୀମଭୋଇଙ୍କ ଶୋକଗୀତରେ ବାରମ୍ବାର ଆଧ୍ୟାତ୍ମିକ, ସାମାଜିକ ଓ ମନସ୍ତାତ୍ତ୍ୱିକ କ୍ଳେଶସବୁ ଏକାଥରେ ଯୋଡ଼ି ହୋଇ ରହିଥାନ୍ତି । ତେଣୁ ଏକ ପକ୍ଷରେ ବିଶ୍ୱାୟତ ଶୋକ ଏବଂ ଅପର ପକ୍ଷରେ ଜଣେ ବ୍ୟସ୍ତସତ୍ତାର ନିର୍ଦ୍ଦିଷ୍ଟ ଶୋକବୋଧ ସମ୍ମିଳିତ ହୋଇ ସେଥିରେ ଅସାଧାରଣ ଗଭୀରତା ସୃଷ୍ଟିକରେ । ତା ସହିତ ଗୋଟିଏ ମୌଳିକ ସ୍ତରର ଅଭିଯୋଗ ଗୁନ୍ଥାହୋଇ ଯେଉଁ ନାଟକୀୟ ଯୁକ୍ତିବତ୍ତା ତିଆରି ହେଉଛି ତାହା ହେଉଛି ଭୀମଭୋଇ କବିତାର ଏକ ବିଶିଷ୍ଟ ଚିହ୍ନ । ସେଭଳି ଯୁକ୍ତିର କାବ୍ୟିକ ବିକାଶ କ୍ରମେ ଜଣେ ଭକ୍ତର କାତର ଧୈର୍ଯ୍ୟହୀନତା ଓ ତାହାର ଅନଳଂକୃତ, ସିଧାସିଧା କହିବାର ଭଙ୍ଗୀ ଉଭୟ ମୂଳ ବିଶ୍ୱାସର ପ୍ରଗାଢ଼ତା ତଥା ତାହା ଆଘାତପ୍ରାପ୍ତ ହେବା କାରଣରୁ ଅନ୍ତରରେ ସୃଷ୍ଟ କ୍ଷୋଭ ଓ ବିକ୍ଷୋଭ କେତେ ମାର୍ମିକ ହୋଇଥାଏ ତାହାର ଗୋଟିଏ ନମୁନା ଭାବେ ଅଷ୍ଟତ୍ରିଂଶ ବୋଲିକୁ ନିଆଯାଇପାରେ । କାବ୍ୟପରୁଷ ‘ଜୀବ’, ‘ଚାତକ’, ଓ ‘ଦରିଦ୍ରପ୍ରାଣୀ’ ଭାବେ ଅନେକ କାଳ କୃପାପାଇଁ ଅପେକ୍ଷା କରିବା ପରେ ତାର ନିରାଶ୍ରିତ ଅନୁଭବ ସେଥିରେ ବର୍ଣ୍ଣିତ । ଏକ ପକ୍ଷରେ ‘ପୂର୍ଣ୍ଣମୀ ଶଶୀ’ ପରି ସମୁଦିତ ତାର ‘ଏତେ ବଡ଼ ପ୍ରଭୁ ବୀରବଧୁ ବାନା’ ଉଡ଼ାଇ ରହିଥିବା ପ୍ରତ୍ୟକ୍ଷ; ଏବଂ ଅପର ପକ୍ଷରେ ତାଙ୍କ ‘ଭୃତ୍ୟ’କୁ ଜଣେ ‘ଖଣ୍ଟଚୋର’ ପରି ହଟହଟା ଓ ‘ନାରଖାର’ କରାଉଥିବାର ବାସ୍ତବତା ଯାହା ଫଳରେ ସେହି ପ୍ରଭୁଙ୍କ ମର୍ଯ୍ୟାଦା ନାଶ ହୁଏ ତାହା ମଧ୍ୟ ଗଭୀର ଭାବେ ଅନୁଭୂତ । ଏ ଉଭୟ ଅନୁଭୂତିର ଅସାମଞ୍ଜସ୍ୟ ଜନିତ ଅନ୍ୟାୟବୋଧ ଓ ଅଭିଯୋଗ ପ୍ରଥମେ ବର୍ଣ୍ଣିତ ହୁଏ ଏବଂ ତାପରେ ଆସେ ମୂଳ ଯୁକ୍ତିଟିଏ ଯେ ଦୟନୀୟ ଭାବେ ରହିଥିବା ସେହି ଭକ୍ତଟିର ଶକ୍ତି, ଧୈର୍ଯ୍ୟ ଓ ସମୟ ସବୁକିଛି ସୀମିତ । ଏଣୁ ସଂଶ୍ଳିଷ୍ଟ ସୃଷ୍ଟିବିଧାନ ଅଯୌକ୍ତିକ । ଅତ୍ୟନ୍ତ କାତର ଭାବେ ସେ ପ୍ରଶ୍ନ କରିଚାଲେ ଅନେକ ଦିନର ବୁଭୁକ୍ଷା ମେଣ୍ଟାଇବା ପାଇଁ ସେ ‘ଭାତ’ ‘ପାଣି’, ‘ଧନ’ ପାଇବ ନା ନାହିଁ । ଏଠି ରୂପକ ଛଳରେ ଗୋଟିଏ ଭିନ୍ନ ସ୍ତରର ‘କ୍ଷୁଧାତୃଷ୍ଣା’ ସୂଚିତ ହେଉଥିଲେ ସୁଦ୍ଧା ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନର ବିକଟ ଦାରିଦ୍ର୍ୟର ବାସ୍ତବତାର ଧ୍ୱନି ମଧ୍ୟ ପରିଷ୍କାର ବାରିହୁଏ । ଏଠି ବଞ୍ଚିବାର ଉପାଦାନ ସବୁର ଆପାତତଃ ଅକାବ୍ୟିକ ସୂଚନା କବିତାକୁ କିଭଳି ଶକ୍ତିଶାଳୀ କରିଛି ତାହା ଲକ୍ଷ୍ୟଣୀୟ ।

 

ତାପରେ ଆଉ ଗୋଟିଏ ଅଭିଯୋଗ ଆସେ, ଅନ୍ୟସ୍ତରର ଏକ ବ୍ୟର୍ଥତା ସମ୍ପର୍କରେ । କବିପ୍ରତିଭାର ସଫଳ ପରିଣତି ନେଇ ମନରେ ଆସୁଥିବା ଶଙ୍କା ଓ ସନ୍ଦେହ ଜନିତ ଆକୁଳତା ଅଭିଯୋଗଟିକୁ ନୂଆ ମୋଡ଼ ଦିଏ ଏବଂ ଫେର ସେଇ ମୂଳଯୁକ୍ତି ପୁରୋବର୍ତ୍ତୀ ହୁଏ । କବି ପ୍ରଶ୍ନ କରନ୍ତି, ‘ପିଣ୍ଡବ୍ରହ୍ମାଣ୍ଡ’ ଏକ ହୋଇଥିବା, ‘ଯଶ- ଅପଯଶ’ର ମିଶାମିଶି ଅନୁଭବ ଜୀବନର ଏକ ସାଧାରଣ ସତ୍ୟ ହୋଇଥିବା; ମହାକାଳ ପ୍ରସଙ୍ଗରେ ଯେକୌଣସି ବ୍ୟକ୍ତିଗତ କୀର୍ତ୍ତି ମୂଲ୍ୟହୀନ ମନେ ହେଉଥିବା; ଏବଂ ଅକ୍ଷୟ- ଅବ୍ୟୟ ପୁରୁଷର ପ୍ରସଙ୍ଗରେ ‘କ୍ଷୟବୃଦ୍ଧି’ ସଂପୂର୍ଣ୍ଣ ନିରର୍ଥକ ହେଉଥିବାର ଯେତେସବୁ ସତ୍ୟ ଅସ୍ୱୀକାର ନକଲେ ସୁଦ୍ଧା, ସୀମିତ ଶକ୍ତିଧାରୀ ଯେଉଁ ମନୁଷ୍ୟକୁ ଈଶ୍ୱର ସୃଷ୍ଟିକଲେ ତାହାର ଚେତନା ପ୍ରସଙ୍ଗରେ ସେସବୁ ସତ୍ୟ ମଧ୍ୟ ନିରର୍ଥକ ନୁହନ୍ତି କି ? ତେଣୁ ବିଶ୍ୱପ୍ରଣାଳୀର ସେହି ମୌଳିକ ଅସମତା ଓ ଅନ୍ୟାୟ ପ୍ରତି ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିବା ଭୀମଭୋଇ କହନ୍ତି-

 

ତୁମ୍ଭ ଅଙ୍ଗ ସିନା ତୁମ୍ଭେ ବଞ୍ଚାଇଛ ମାୟାରୁ କାୟାକୁ ଏଡ଼ି

ମୋର ପିଣ୍ଡପ୍ରାଣ କେତେକାଳ ଥିବ ଯେସନ ସିନ୍ଧୁ ଲହଡ଼ି ।

 

ଏବଂ ଜଣେ ଅତ୍ୟନ୍ତ ସମ୍ବେଦନଶୀଳ ମନୁଷ୍ୟ ମହାକାଳର ବିନାଶ ପ୍ରତି ଋଷିର ଦୃଷ୍ଟି ଆପଣାର ନକରି ଅନ୍ୟର କଷ୍ଟରେ ସ୍ୱୟଂ ଜର୍ଜରିତ ହେଉଥିବାର ଅନୁଭବଟିକୁ କେନ୍ଦ୍ରସ୍ଥ କରନ୍ତି । ବାରମ୍ବାର ଅଭିଯୋଗ କରି କହନ୍ତି ଯେ ମାନବୀୟ ସହନଶୀଳତାର ସୀମାରୁ ଅନେକ ଦୂର ଅଧିକ ଭକ୍ତର ପରୀକ୍ଷା ଆଳରେ ଭଗବାନ ତାକୁ ସନ୍ତପ୍ତ କରୁଛନ୍ତି । ଲକ୍ଷ୍ୟ କରିବାର କଥା ଯେ ବ୍ୟକ୍ତିଗତ କ୍ଳେଶ ପ୍ରସଙ୍ଗରେ ଭକ୍ତ ଭୀମଭୋଇଙ୍କ ସହନଶୀଳତାର ପରିସୀମା ଖୁବ୍‌ ବ୍ୟାପକ । କିନ୍ତୁ ଜଗତର ଦୁଃଖ ପ୍ରସଙ୍ଗରେ ସେହି ପରିସୀମା ଖୁବ୍‌ ସଙ୍କୁଚିତ ।

 

ଅନ୍ୟର ପୀଡ଼ା ଅସହନୀୟ ବୋଧ ହେବା କାରଣରୁ ତାଙ୍କର ଯେଉଁ ବୈପ୍ଳବିକ, ବିଦ୍ରୋହୀ ମନୋଭାବ ସୃଷ୍ଟି ହୁଏ ତହିଁର ଅନ୍ୟ ଏକ ସୁବିଦିତ ଉଦାହରଣ ଏଠି ସ୍ମରଣୀୟ । ଏକ ପ୍ରଚଣ୍ଡ ବିସ୍ଫୋରକ ସ୍ୱରରେ ଷଡ଼୍‌ବିଂଶ ବୋଲିରେ ସେ ତାଗିଦ୍‌ କରି କହିଥିଲେ, ସତୈଶ ଅଙ୍କରେ ଅବସ୍ଥାର ପରିବର୍ତ୍ତନ ନ ଘଟିଲେ-

 

ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟକରି,

ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।

ପ୍ରାଣୀଙ୍କ କଷଣ ଭେଦୁଅଛି ମନ ଜୀବନକୁ ମୋର ବାଧେ,

ଭୀମ ଅରକ୍ଷିତ କରି ଦଣ୍ଡବତ କାରଣ ମାଗୁଛି ପାଦେ ।

 

ଏହି ବୋଲିଟିର ଉତ୍‌କ୍ଷିପ୍ତ, ଉଦ୍‌ବେଳିତ, ଧୈର୍ଯ୍ୟଶୂନ୍ୟ ଅବସ୍ଥା ସୃଷ୍ଟିକରେ ଏକ ଚମତ୍କାର ନାଟକୀୟ ପଟ୍ଟଭୂମି ଯାହା ପ୍ରସଙ୍ଗରେ ପରବୋଲି (୨୭)ର କାତର ଅଭିବ୍ୟକ୍ତି ଲାଭକରେ ଏକ ମହାନ, କାଳାତୀତ ଗୌରବ । ଏଥିରେ ଅଭିଯୋଗ ବଢ଼ାଯାଇଛି ଯେ ଜଗତର ଦୁଃଖ ଦେଖିବା ପାଇଁ ଗୁରୁ ତାଙ୍କୁ ଶକ୍ତି ଦେଲେ, କିନ୍ତୁ ‘ଅର୍ଦ୍ଧବାଟେ ଆଣି’ ତାଙ୍କୁ ପରିତ୍ୟାଗ କରି ସେହି ଦୁଃଖ ଅପନୋଦନ କରିବା ପାଇଁ ସାମର୍ଥ୍ୟ ଦେଲେ ନାହିଁ । ପିଣ୍ଡ ବ୍ରହ୍ମାଣ୍ଡର ସତ୍ୟ, ଗୁରୁଙ୍କ ଈଶ୍ୱରୋପମ ସର୍ବବ୍ୟାପକତା ଓ ସମଦୃଷ୍ଟି ସବୁକିଛି କବି ସ୍ୱୀକାର କରନ୍ତି । କିନ୍ତୁ ଠିକ୍ ସେଇ କାରଣରୁ ଯେତେବେଳେ ଜଗତର କ୍ଳେଶଭାର ବୋହିବା ପାଇଁ ନିଜର ଅପାରଗତା ଅଥଚ ସେହି କ୍ଲେଶପ୍ରତି ଉଦାସୀନ ରହିବା ପାଇଁ ନିଜର ଅକ୍ଷମତା ତୀବ୍ରଭାବେ ଅନୁଭବ କରନ୍ତି ସେତେବେଳେ ତାଙ୍କ ଆତ୍ମା ବିକ୍ଷୁବ୍‌ଧ ହୋଇ ଉଠେ । ଏ ବାସ୍ତବତାଠାରୁ ସେ କିପରି ବା ପଳାଇଯିବେ ତାହା ‘କିମ୍ପା ନ ବୁଝୁଛ’ ବୋଲି ଅଳିକରି ସେସବୁର ଦାୟିତ୍ୱ ନେବାପାଇଁ ଗୁରୁଙ୍କୁ ନିବେଦନ କରନ୍ତି ଏବଂ ସେହି ପରିପ୍ରେକ୍ଷୀରେ ନିଜକଥା କହିବାକୁ ଯାଇ ଅତ୍ୟନ୍ତ ମାର୍ମିକ ଭାବେ ପ୍ରକାଶ କରନ୍ତି ଯେ ସମସ୍ତ ‘ପ୍ରାଣୀଙ୍କ’ ଅପ୍ରମିତ ଦୁଃଖର ବାସ୍ତବତା ଅସହାୟ ଭାବେ ଦେଖିଚାଲିବା ଅବସ୍ଥା ହିଁ ତାଙ୍କ ପାଇଁ ସବୁଠାରୁ ଦୁଃଖାବହ ଅନୁଭୂତି । ତାହାର ପ୍ରତିକାର ପାଇଁ ସେ ଅନୁନୟ କରିବେ, ପ୍ରାର୍ଥନା କରିବେ ଓ ବିଦ୍ରୋହ ମଧ୍ୟ କରିବେ । ନିଜର ଯାହାକିଛି ପତନ ହେଉ ସେ ସହିବେ କେବଳ ଯଦି ‘ଜଗତ’ ଉଦ୍ଧାର ପାଏ । ଓଡ଼ିଆ ସାହିତ୍ୟରେ ଅନନ୍ୟ, ସୁବିଦିତ ବକ୍ତବ୍ୟଟିଏ ସହିତ (୧୬ରୁ ୨୦ ପଦ) ଏ ବୋଲିଟି ସମାପ୍ତ ହୁଏ । ସେଥିରେ ରହିଥିବା ପ୍ରଚଣ୍ଡ ମାନବବାଦିତା ଏବଂ କ୍ରୁର ବାସ୍ତବତା ପ୍ରତ୍ୟକ୍ଷ ଅନୁଭୂତିରୁ ନିଷ୍ପନ୍ନ ବେଦନାବୋଧ, କରୁଣାବୋଧ ଓ ବିଦ୍ରୋହୀଭାବ ଏକ ସୁଗଭୀର ଭକ୍ତିଭାବନା ଓ ଦାର୍ଶନିକତା ସହିତ ଘନିଷ୍ଠ ଭାବେ ଜଡ଼ିତ ହୋଇ ଭୀମଭୋଇଙ୍କ କବିତାକୁ ଅସାଧାରଣ ଭାବେ ଶକ୍ତିଶାଳୀ କରିଛି ।

 

ଏ ପ୍ରସଙ୍ଗରେ ପୁଣି ବିଚିତ୍ର ମନେହୁଏ ତାଙ୍କ କାବ୍ୟଶୋକର ଅପର ଏକ ବିଭାବ । ସେ ଶୋକଟି କେବଳ ଜଣେ ସାଧାରଣ ବ୍ୟକ୍ତିବିଶେଷ ବା ଭକ୍ତ ବା ମାନବବାଦୀ ଚେତନାର ଭାବୋଚ୍ଛ୍ୱାସ ନୁହେଁ । ତାହା ମଧ୍ୟ ନିର୍ଦ୍ଦିଷ୍ଟଭାବେ ଜଣେ କବିପୁରୁଷର ନୈରାଶ୍ୟବୋଧ ଜନିତ ଶୋକ-କବିତାରେ ଆକାଙ୍‌କ୍ଷିତ ସଫଳତା ହାସଲ କରୁ ନଥିବାର ବେଦନା । ସାହିତ୍ୟିକତା ପରିହର କରୁଥିବା, ଯଶ-ଅପଯଶ ପ୍ରସଙ୍ଗରେ ଉଦାସୀନ ରହିବାକୁ ଇଚ୍ଛା କରୁଥିବା, ଆଧ୍ୟାତ୍ମିକ ଭାବ ସଂଚାରକୁ ହିଁ ମୁଖ୍ୟ ଗୁରୁତ୍ୱ ଦେଉଥିବା, ଜଗତର ଦରଦକୁ ନିଜ ଚେତନାରେ କେନ୍ଦ୍ରୀଭୂତ କରୁଥିବା କବିଟି ଯେ ପୁଣି ନିଜ କାବ୍ୟପ୍ରସିଦ୍ଧି ପ୍ରସଙ୍ଗରେ ବ୍ୟାକୁଳତା ଅନୁଭବ କରିବ ଏହା ହୁଏତ ପ୍ରତ୍ୟାଶିତ ନୁହେଁ । ହୁଏତ ଅନ୍ୟ କେହି ଭକ୍ତ- କବି ହୃଦୟର ସେଇ କାମନା ଟିକକ ଓ ତଜ୍ଜନିତ ବିଡ଼ମ୍ବନାବୋଧକୁ ଲୁଚେଇ ରଖିଥାନ୍ତେ । କିନ୍ତୁ ଭୀମଭୋଇଙ୍କ କାବ୍ୟର ଏହାହିଁ ମୁଖ୍ୟଗୌରବ ଯେ ତହିଁରେ ତାଙ୍କ ସାମଗ୍ରିକ ବ୍ୟକ୍ତିଚେନତା ସଂପୂର୍ଣ୍ଣ ଭାବେ, ପରିଷ୍କାର ଭାବେ ଉନ୍ମୁକ୍ତ । ତ୍ରିଂଶ ବୋଲିରେ ସେଇ ବେଦନାଟି ମୁଖ୍ୟ ସ୍ଥାନ ଅଧିକାର କରିଛି । ସପ୍ତବିଂଶ ବୋଲିରେ ‘ମୁଁ ଯେ ମୂର୍ଖକବି’ କହିବାର ଭକ୍ତସୁଲଭ ବିନମ୍ରତା ବଦଳରେ ଏଠାରେ ରହିଛି ଏକ ସଚେତନ, ପ୍ରଗାଢ଼ କାବ୍ୟ- ଆକାଙ୍‌କ୍ଷା । ପ୍ରଥମରୁ ସେ ବିଶ୍ୱସ୍ରଷ୍ଟାଯୁଗଳଙ୍କ ସନ୍ତାନଭାବେ ନିଜର ଜନ୍ମଗତ ସୃଷ୍ଟିପ୍ରତିଭା ଘୋଷଣା କରନ୍ତି- ‘ଜନମ ଲଭିଛି କବି- କୃତ କଳାଧରି’ । ଅଥଚ ଦ୍ୱିତୀୟ ପଦରେ ସେହି ସଚେତନତା ହିଁ ନିର୍ଦ୍ଦିଷ୍ଟଭାବେ ଉପସ୍ଥିତ ସୃଷ୍ଟି ମୁହୂର୍ତ୍ତରେ ଏକ ମନସ୍ତାତ୍ତ୍ୱିକ ଅନ୍ତରାୟ ନେଇ ଆସିଛି- ‘ଏଠାରୁ ଏଣିକି ନ ଦିଶୁଛି ପଦ’ । ଏ ଅବସ୍ଥାରେ ଗୁରୁଙ୍କ ଚରଣରେ ସମସ୍ତ କାମନା କଳ୍ପନା ଅର୍ପଣ କରିଦେଇ (ପଦ ୩) ଚତୁର୍ଥ ପଦରେ ନିଜ ମନୋମତ କାବ୍ୟପ୍ରତିଭାର ପରିସ୍ଫୁରଣ ପାଇଁ ସେ ପ୍ରାର୍ଥନା କରନ୍ତି । ମନେହୁଏ, ‘ସାର- ଅସାର’ (ମାର୍ଜିତ- ଅମାର୍ଜିତ, କଳ୍ପନା- ବାସ୍ତବତା, ସାହିତ୍ୟିକଶୈଳୀ କଥିତ ଭାଷା ଶୈଳୀ) ଏ ଉଭୟର ସଂଯୋଗ ସହିତ ବାତ୍ସଲ୍ୟ ଅନୁରାଗ- ଓ- କୋମଳତା ସମ୍ବଳିତ ପଦଯୋଜନା ପାଇଁ ଏବଂ ତାହା ସାଙ୍ଗକୁ ବର୍ଷାଋତୁରେ ମହାନଦୀ ଜଳ ପରି ‘ପଦ- ଅର୍ଥ’ ସ୍ୱତଃ ‘ବଢ଼ି’ ଆସିବା ପାଇଁ ଯେଉଁ ପ୍ରାର୍ଥନା ଆମେ ଏଠି ଶୁଣୁ ତାହା ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ କେବଳ ଭୀମଭୋଇଙ୍କ ପକ୍ଷରେ ହିଁ ସମ୍ଭବ ।

 

ଏହାପରେ ସେଇ ଧରଣର କାବ୍ୟ-ଗୌରବ ତାଙ୍କର ରହିଥିଲେ ସେ ଯେ ଅନ୍ୟ ସମସ୍ତ ଦୁଃଖ ସ୍ୱୀକାର କରିବାକୁ ପ୍ରସ୍ତୁତ (ପଞ୍ଚମ ପଦ) ଏବଂ କେବଳ ସୃଷ୍ଟିଶୀଳ ଚେତନା ଜରିଆରେ ହିଁ ସମ୍ଭବପର ହେଉଥିବା ଭକ୍ତିର ‘ସୁଧାମଧୁରସ’ ପାନ କରିବାର ତାଙ୍କର ଯେଉଁ ଉତ୍କଣ୍ଠା (ଷଷ୍ଠପଦ) ତାହା ସେ ବୟାନ କରନ୍ତି । ତାପରେ ରହିଥିବା କେତେକ ପଦରେ ମନେହୁଏ ସତେ ଯେମିତି ସେଇ କାମନା ଓ ପ୍ରାର୍ଥନା ଜଣାଇଦେବା ପରେ କବି ତାଙ୍କ ଆଧ୍ୟାତ୍ମିକତାର ମୁଖ୍ୟ ପ୍ରସଙ୍ଗକୁ ଫେରି ଆସୁଛନ୍ତି (ପଦ ୭-୧୨) । କିନ୍ତୁ ବାସ୍ତବରେ ସେହି ପର୍ଯ୍ୟାୟରେ ମଧ୍ୟ ସେ ‘ଦାରୂରୁ ଦୂବ’ ଅବସ୍ଥାକୁ ଆସିଥିବା ଅବସ୍ଥାରେ ପୁଣି ‘ଦୁବରୁ ଦାରୁ’ ଅବସ୍ଥାକୁ ଫେରିଯିବା ନିମନ୍ତେ ଯେଉଁ ଆଗ୍ରହ ପ୍ରକାଶ କରନ୍ତି ସେହି କ୍ରମରେ ବର୍ଣ୍ଣିତ ଅନନ୍ତ, ଅରୂପ ଶୂନ୍ୟ ପୁରୁଷଙ୍କ ପ୍ରତି ତାଙ୍କ ଆନୁଗତ୍ୟ ବର୍ଣ୍ଣନା ପ୍ରସଙ୍ଗରେ କବି- କଳ୍ପନାର ଦର୍ଶନ- ଓ- ମନନ ଶକ୍ତିହିଁ ପୁରୋବର୍ତ୍ତୀ ହୁଏ ଏବଂ ଏହି ପର୍ଯ୍ୟାୟରେ ମଧ୍ୟ ଯେ କବିତାର ମୂଳ ପ୍ରେରଣା ଓ ଆବେଦନ ସୁରକ୍ଷିତ ରହିଥିଲା ତାହାର ପ୍ରମାଣ ୧୩ଶ ପଦରେ ଚମତ୍କାର ଭାବେ ପ୍ରତ୍ୟକ୍ଷ ହୁଏ-

 

ଏଥକୁ ଚାହିଁ ବିଚାରି ଦୟାକର ବାଞ୍ଛାଫଳ ପୂର୍ଣ୍ଣ ହେଉ,

କବିକୃତ କଳା ଫୁଟି ଅନର୍ଗଳା ଯୁଗେ ଯୁଗେ କୀର୍ତ୍ତି ରହୁ ।

 

ପୁଣି କବିତାର ଶେଷ ଅଂଶରେ ଏକ ସଚଞ୍ଚଳ ବର୍ଣ୍ଣନା ମାଧ୍ୟମରେ ଭୀମଭୋଇ ପ୍ରକାଶ କରନ୍ତି କିଭଳି ତାଙ୍କର ସମସ୍ତ ଅଶିକ୍ଷା, ବିସ୍ମୃତି, ଜଡ଼ତା ଓ ଅଜ୍ଞାନ ସତ୍ତ୍ୱେ, ଏକ କାବ୍ୟିକ ଅନୁପ୍ରେରଣା ଓ ସ୍ପର୍ଶକାତରତା ତାଙ୍କ ସମଗ୍ର ଚେତନା ଓ ବ୍ୟକ୍ତିତ୍ୱରେ ପ୍ରସାର ଲାଭ କରିଥିଲା ‘ଶଶୀତେଜ ପ୍ରାୟ ହୋଇଲା ଉଦୟ ହୃଦରୁ ଭବୁକି ଭେଦ / ଅଜ୍ଞାନ ପିଣ୍ଡରେ ଚେତା ପ୍ରକାଶିଲା ଶିରେ ଶିରେ ଲାଗି ପାଦ’) ଏବଂ କିଭଳି ନିଜ କଳ୍ପନା ଓ ‘ଅନୁଭବ’କୁ ‘ବୁଦ୍ଧି’ କରି ସେ ଚକ୍ଷୁସ୍ମାନ୍‍ ହେଲେ ଓ ତାଙ୍କ କବିପ୍ରତିଭା ଭକ୍ତିକଳା ସହିତ ଆପେ ସଂଯୁକ୍ତ ହୋଇଗଲା, ‘ସ୍ତୁତିଚିନ୍ତାମଣି’ର ଏହି ବୋଲିଟି ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ଭୀମଭୋଇଙ୍କ କବି- ବ୍ୟକ୍ତିତ୍ୱର ଆତ୍ମସଚେତନତା କେତେ ଗଭୀର ଥିଲା ତାହାର ଅନ୍ୟ ଏକ ଚମତ୍କାର ପରିଚୟ ଆମେ ପାଉଁ ତ୍ରୟୋବିଂଶ ବୋଲିରେ । ସକଳ ବିଶ୍ୱ ପ୍ରତି ଆକୁଳ ନିବେଦନ ଜଣାଇବା ପରେ ଦେଠାରେ ତାଙ୍କ ପ୍ରତି ନ୍ୟାୟ କରିବାପାଇଁ ସେ ମିନତି କରନ୍ତି ଏବଂ ପ୍ରଖର ଭାବାବେଗରେ କହନ୍ତି –

 

ବୁଝିଦେଲେ ବୁଝ ଏ ମୋର ନିଆୟ ନହେଲେ ଛାଡ଼ିବି ଦେହ,

ତିନିପୁର ସଭାମଣ୍ଡଳରେ ଯେତେ କବିହତ୍ୟା ଦୋଷ ବହ । (୧୨)

 

ଅର୍ଥାତ୍ ପ୍ରାଥମିକ ଭାବେ ଜଣେ କବି ରୂପରେ ସେ ନିଜର ପରିଚୟ ଏଠାରେ ମୁଦ୍ରିତ କଲେ । ଏହା ଅବଶ୍ୟ ମନେ ରଖିବାକୁ ହେବ ଯେ ଏ କବିତ୍ୱର ଗୌରବକୁ ସେ ଆଧ୍ୟାତ୍ମିକତାର ମାଧ୍ୟମ ଭାବେ ମୁଖ୍ୟତଃ ଗ୍ରହଣ କରିଛନ୍ତି । କିନ୍ତୁ କବି-ପ୍ରତିଭା ସମ୍ପର୍କିତ ଯେଉଁ ଧରଣର ଆତ୍ମବିଶ୍ୱାସ ଓ ଭାବାବେଗ ତାଙ୍କ ଚେତନାରେ କେନ୍ଦ୍ରୀଭୂତ ତାହା ତାଙ୍କ ଆଧ୍ୟାତ୍ମିକତା ଓ ଦାର୍ଶନିକତା ପରିପ୍ରେକ୍ଷୀରେ ବିସ୍ମୟକର ମନେହୁଏ । ଠାଏ ଠାଏ ଏହି ସଚେତନତା ତାଙ୍କ ମନରେ ଏକ ଦୋଷବୋଧ ମଧ୍ୟ ସୃଷ୍ଟି କରେ ଯେପରି ଚତୁଃତ୍ରିଂଶ ବୋଲିର ପ୍ରଥମ ଧାଡ଼ିରେ- ‘ଜଗତରେ କବିପଣେ ବୋଲାଇଛି ଦୋଷ ନାହିଁ ଦେବ ମୋତେ’ ଏବଂ ସେହି ବୋଲିର ୧୨ଶ ପଦ ଭଳି ଅନ୍ୟ ଅନେକ ସ୍ଥଳରେ ନିଜ କାବ୍ୟପ୍ରତିଭା ଜଗତର ମାୟାଗ୍ରସ୍ତ ଲୋକଙ୍କ ପାଇଁ ଯଥେଷ୍ଟ ପ୍ରଭାବଶାଳୀ ହେଉ ନଥିବାର କ୍ଷୋଭ ଓ ନୈରାଶ୍ୟ ମଧ୍ୟ ପ୍ରକାଶ ଲାଭ କରେ । ଏଣୁ କେବଳ ଆଧ୍ୟାତ୍ମିକତାର ମାଧ୍ୟମ ଭାବେ ନିଜ କବିପ୍ରତିଭା ପ୍ରତି ସେ ଅନୁରକ୍ତ ରହିଥିବା ସ୍ପଷ୍ଟ ଜଣାପଡ଼େ ଏବଂ ସେହି ସଚେତନତା ମୋଟେ ଆକସ୍ମିକ ନୁହେଁ । ଅଥଚ ନିର୍ଦ୍ଦିଷ୍ଟ ଭାବେ ସାହିତ୍ୟ ରଚନା ପାଇଁ ସେ ବିଶେଷ ଆଗ୍ରହୀ ନଥିଲେ । ଏହା ମଧ୍ୟ ତାଙ୍କ କବିଚେତନାର ଏକ ବୈଚିତ୍ର୍ୟ ।

 

ଭୀମଭୋଇଙ୍କ ଭକ୍ତକବି ବ୍ୟକ୍ତିତ୍ୱ ଏବଂ ତାଙ୍କ କବିତାର କାବ୍ୟପୁରୁଷ ଏକ ଓ ଅଭିନ୍ନ । ତାଙ୍କ କବିତା ସିଧାସଳଖ ଭାବରେ ତାଙ୍କ ନିଜ ଜୀବନର ଗାଥା । ଏହା ଅବଶ୍ୟ ନିଶ୍ଚିତ ଯେ ସେଗୁଡ଼ିକ ଯୋଜନାହୀନ, ସରଳ, ସ୍ୱତଃସ୍ଫୁର୍ତ୍ତ ଅଭିବ୍ୟକ୍ତି ମାତ୍ର ନୁହନ୍ତି । ଆଙ୍ଗିକ ଓ ଶୈଳୀ ସଚେତନତା ଏବଂ କାବ୍ୟକୁଶଳତା ମଧ୍ୟ ସେଠି ସ୍ପଷ୍ଟ । କିନ୍ତୁ ଆପେକ୍ଷିକ ଭାବେ ସେସବୁର ନିରଳଙ୍କାର ପ୍ରୟାସ, କଥିତ ଭାଷାଶୈଳୀର ବହୁଳ ବ୍ୟବହାର ତଥା ଆଶୁ କବିତାର ଶୈଳୀ ପାଠକ ମନରେ ଗୋଟିଏ ବିଶ୍ୱାସ ସୃଷ୍ଟି କରେ ଯେ ସେ କେବଳ ତାଙ୍କ ଭାବନା ପ୍ରକାଶ କରିଯିବାରେ ଆଗ୍ରହୀ । ଯେଉଁ ଶ୍ରୋତା ବା ପାଠକଗୋଷ୍ଠୀଙ୍କ ପାଇଁ ସେ ରଚନା କରୁଥିଲେ ଏବଂ ଯେଉଁ ଧରଣର ଧର୍ମପ୍ରଚାର ଉଦ୍ଦେଶ୍ୟରେ ତାହା ଅଭିପ୍ରେତ ସେହି ପ୍ରସଙ୍ଗରେ ସର୍ବସାଧାରଣ ବୁଝିବା ଭଳି ଭାଷାଶୈଳୀକୁ ସେ ପ୍ରାଥମିକତା ଦେଇଥିଲେ । କିନ୍ତୁ କାରଣ ସବୁ ଯାହାହେଉ, ମୁଖ୍ୟକଥା ହେଲା ତହିଁର ଫଳସ୍ୱରୂପ ଗୋଟିଏ ବିଶ୍ୱାସ ସୃଷ୍ଟିହୁଏ ଯେ ତାଙ୍କ କବିତା ସେଇ ବିଶେଷ ବ୍ୟକ୍ତିଟିର ନିହାତି ଅନ୍ତରଙ୍ଗ ଆତ୍ମପ୍ରକାଶ ମାତ୍ର । ଏ ବିଶ୍ୱାସଟି ତାଙ୍କ କବିତାକୁ ପ୍ରଭାବଶାଳୀ କରିବାରେ କମ୍ ସହାୟକ ହୋଇନାହିଁ । ତାଙ୍କ ପ୍ରତ୍ୟେକ ଲେଖାରେ ପାଠକ ଦେଖେ ପ୍ରଚଣ୍ଡ ସତ୍ୟଶୀଳତାର ଗୌରବ । ଏଣୁ କବିତାର ମାନ ଖୁବ୍ ବଢ଼ିଯାଏ ଏବଂ ଠିକ୍‌ ସେହିସବୁ କାରଣରୁ ଅନେକ ମନେକରନ୍ତି ସେ ଜଣେ ଲୋକ ସାହିତ୍ୟିକ ।

 

ଭୀମଭୋଇ ପ୍ରକୃତି କବିତା ଲେଖି ନଥିଲେ । ଲୋକଗୀତରେ ନିର୍ଦ୍ଦିଷ୍ଟ ଭାବେ ପ୍ରକୃତି କବିତା ନଥାଏ । କାରଣ ସହରୀ ସଭ୍ୟତାର ପଟ୍ଟଭୂମିଟିଏ ନଥିଲେ ପ୍ରକୃତି କବିତା ରଚିତ ହୁଏ ନାହିଁ । କିନ୍ତୁ ଲୋକଗୀତ ମାନବବାଦୀ ମଧ୍ୟ ନୁହେଁ । କାରଣ ମନୁଷ୍ୟ ଓ ବିଶ୍ୱର ସ୍ୱତନ୍ତ୍ର ପରିଧି ସେଠି ଚିହ୍ନିତ ହୋଇ ନଥାଏ । ଲୋକଗୀତରେ କବି ନଥାଏ । କାରଣ ଲୋକଗୀତିକାର ନିଜକୁ ସବୁବେଳେ ତା’ ଗୋଷ୍ଠୀ, ତାର ସାମଗ୍ରିକ ପରିବେଶ ଓ ତାର ପରମ୍ପରା ମଧ୍ୟରେ ହଜେଇ ରଖେ । ତାର କବିତ୍ୱ ସଚେତନତା ଅନ୍ୟମାନଙ୍କଠାରୁ ତାର ପ୍ରକାଶ କ୍ଷମତାର ଆଧିକ୍ୟ ମଧ୍ୟରେ ସୀମିତ ରହିଥାଏ । ସେ ଯେ ନୂଆ କିଛି ଦେଖୁଛି ବା ଭାବୁଛି ସେଭଳି ବିଶ୍ୱାସ ତାର ନଥାଏ । ସେ ନିଜକୁ ମନେକରେ ଜଣେ ପ୍ରତିନିଧି ବା ପ୍ରବକ୍ତା । ଅନ୍ୟମାନଙ୍କଠାରୁ ନିଜେ ଭିନ୍ନ ହୋଇଥିବାର ଅନୁଭବ ତା’ର ନଥାଏ । ଲୋକଗୀତର ସବୁଠାରୁ ମୁଖ୍ୟ ଗୁଣ ହେଉଛି ତାର ଆପେକ୍ଷିକ ଉଦ୍ଦେଶ୍ୟହୀନତା । ସଂସ୍କୃତି ଗଠନ କରୁଥିବାର ସଚେତନତା ତହିଁରେ ନଥାଏ । ସମାଜକୁ ବଦଳେଇବାର ଚେଷ୍ଟା, ଜୀବନପ୍ରତି ନୂଆ ଦୃଷ୍ଟିଭଙ୍ଗୀ ତିଆରି କରିବାର ଆଗ୍ରହ ବା ଗୋଟିଏ ନୂଆ ରୁଚିବୋଧ ପ୍ରସ୍ତୁତ କରିବାର କାମନା ସେଥିରେ କ୍ରିୟାଶୀଳ ହୁଏ ନାହିଁ । ଏସବୁ ଦୃଷ୍ଟିରୁ ବିଚାର କଲେ ଭୀମଭୋଇଙ୍କ ରଚନାକୁ ଲୋକସାହିତ୍ୟ ବୋଲି କହିହେବ ନାହିଁ । ଅଥଚ ତାହା ସର୍ବଦା ଗଣ ଉଦ୍ଦେଶ୍ୟରେ ଓ ଗଣ ଉପଯୁକ୍ତ ଶୈଳୀରେ ହିଁ ରଚିତ ହେଉଥିଲା ।

 

ବାସ୍ତବ ପକ୍ଷେ ଭୀମଭୋଇଙ୍କ କବିତା ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀର ଅଟେ । ଗୋଟିଏ ଦୃଷ୍ଟିରୁ ଅନେକ ଆଗରୁ ରହିଥିବା ମଣି- ପ୍ରବାଳ ଶୈଳୀର ତାହା ଏକ ଅଭିନବ ସଂସ୍କରଣ । ସେଥିରେ ପାଣ୍ଡିତ୍ୟ ଅଛି, ଦର୍ଶନ ଅଛି, ଆଳଙ୍କାରିକତା ମଧ୍ୟ ଅଛି; କିନ୍ତୁ ସେଥିରେ ଲୋକସାହିତ୍ୟର କେତେକ ଆଦର୍ଶ ମଧ୍ୟ କେନ୍ଦ୍ରୀଭୂତ । ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ରଚିତ ସାରଳା ସାହିତ୍ୟ ବା ପଞ୍ଚସଖା ସାହିତ୍ୟରେ ‘ସ୍ତୁତିଚିନ୍ତାମଣି’ ଭଳି ରୋମାଣ୍ଟିକ ଆତ୍ମକୈନ୍ଦ୍ରିକତାର ତୀବ୍ରତା ନଥିଲା । ଦୁର୍ବିସହ ମାନସିକ କ୍ଳେଶ ଓ ବିକ୍ଷୋଭ ସେସବୁ କବିଙ୍କ ରଚନାର କାବ୍ୟବସ୍ତୁ ହୋଇ ନଥିଲା । ଭୀମଭୋଇ ନିଜକୁ କେବେହେଁ ଭୁଲାଇ ପାରିଲେ ନାହିଁ ଯେ ଗୋଟିଏ ଆତ୍ମା ହେବା ସଙ୍ଗେ ସଙ୍ଗେ ସେ ମଧ୍ୟ ଗୋଟିଏ ଶରୀର ଓ ଗୋଟିଏ ମନ ଯାହା ସାମାଜିକ- ଐତିହାସିକ ତାଡ଼ନାର ଶରବ୍ୟ ହୋଇଛି । ଭକ୍ତି ଓ ଦର୍ଶନତତ୍ତ୍ୱର ଆବେଗ ମଧ୍ୟରେ ସେ କେବେହେଁ ‘ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ’କୁ ଭୁଲି ପାରିଲେ ନାହିଁ । ଜୀବନର ଯେତେସବୁ ଯନ୍ତ୍ରଣା, ସମାଜ ଓ ବିଶ୍ୱବିଧାନର ଯେତେସବୁ ଅନ୍ୟାୟ ପ୍ରତି ‘ଶୂନ୍ୟ ଶୂନ୍ୟ ବୋଲି’ ସେ କେବେହେଁ ଉଦାସୀନ ରହି ପାରିଲେ ନାହିଁ । ଅଥଚ ସେହି ପ୍ରସଙ୍ଗରେ ତାଙ୍କର ସବୁ ଯେତେ ସାଲିସ- ବିହୀନ ବିକ୍ଷୋଭ ଓ କ୍ରୋଧ ସତ୍ତ୍ୱେ ଗୁରୁ ଏବଂ ଈଶ୍ୱର, ଅଲେଖ ଏବଂ ଅରୂପ ପ୍ରତି ତାଙ୍କ ନିଷ୍ଠା ଓ ଆନୁଗତ୍ୟକୁ କେବେହେଁ ବିସ୍ମରିଲେ ନାହିଁ । ମାଟିକୁ ଜାବୋଡ଼ି ଧରିଲେ ଏବଂ ତା ସହିତ ଆତ୍ମାକୁ ମଧ୍ୟ ଜାବୋଡ଼ି ଧରିଲେ । ସମସ୍ତ ପ୍ରାଣୀ ଜଗତକୁ ଆପଣାର ମନେକଲେ ଏବଂ ତା ସହିତ ଶୂନ୍ୟକୁ ମଧ୍ୟ ଏକାନ୍ତ ଭାବେ ନିଜ ସ୍ୱରୂପ ମନେକଲେ । ସାମାଜିକ ଓ ଆଧ୍ୟାତ୍ମିକ ଉଭୟକୁ ସମଭାବରେ ଗୁରୁତ୍ୱପୂର୍ଣ୍ଣ ମନେକଲେ । ଉଚ୍ଚାଙ୍ଗ ସାହିତ୍ୟ ଓ ଦର୍ଶନରୁ ଅନେକ ଉପାଦାନ ତାଙ୍କ କବିତାରେ ସଂଯୋଜିତ କଲେ ଏବଂ ସାଧାରଣ ଜନଜୀବନର ଭାଷା ଓ ଭାବକୁ ତହିଁରେ ସିଧାସଳଖ ଯୋଡ଼ିଦେଲେ । ସାହିତ୍ୟ, ପୁରାଣ ଓ ଲୋକସାହିତ୍ୟ ସବୁ କିଛିର ମିଶ୍ରଣରେ ସୃଷ୍ଟିକଲେ ଭୀମଭୋଇ ସାହିତ୍ୟ- ଅନନ୍ୟ ଓ ଅସାଧାରଣ ।

 

***

 

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୁନଶ୍ଚ ଭୀମଭୋଇ

ଶ୍ରୀ ଭାଗୀରଥି ନେପାକ

 

ସମଗ୍ର ବିଶ୍ୱରେ ଆଦିବାସୀ ସଂପ୍ରଦାୟ ଅନୁନ୍ନତ, ଅଶିକ୍ଷିତ ତଥା ପଛୁଆ ବର୍ଗର ମଣିଷ ଭାବରେ ବିବେଚିତ ହେଉଥିବା ସ୍ଥଳେ, ଓଡ଼ିଶାର ଅବହେଳିତ ପଶ୍ଚିମ ଓଡ଼ିଶାର ଆହୁରି ଅବହେଳିତ ପୂର୍ବତନ ଗଡ଼ଜାତ ରାଜ୍ୟ ସୋନପୁର (ଅଧୁନା ସୁବର୍ଣ୍ଣପୁର ଜିଲ୍ଲା)ର ଅଖ୍ୟାତ ଗ୍ରାମ ଖଲିଆପାଲିରେ ନିଜକୁ ଆଦିବାସୀ କନ୍ଧ ବୋଲି ପରିଚୟ ଦେଉଥିବା ସନ୍ଥକବି, ଭକ୍ତ, ଧର୍ମପ୍ରଚାରକ, ସଂସ୍କାରକ, ବିପ୍ଳବୀ ଭୀମଭୋଇ ୧୮୫୦ ମସିହା ବୈଶାଖ ପୂର୍ଣ୍ଣମୀ ଦିନ ଜନ୍ମଗ୍ରହଣ କରି; ଓଡ଼ିଶାର ମାଟି ପବନରେ ଜନ୍ମ ନେଇଥିବା ଓ ପ୍ରତିପାଳିତ ହୋଇଥିବା ପୃଥିବୀର ସର୍ବ କନିଷ୍ଠ ଧର୍ମ ‘ମହିମା ଧର୍ମ’ର ଆଦିଭକ୍ତ, ଆଦିକବି ଓ ଆଦିପ୍ରବକ୍ତା ଭାବରେ କେବଳ ଓଡ଼ିଶା ନୁହେଁ କି ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଅଛନ୍ତି ।

 

ଭାଗ୍ୟର ବିଡ଼ମ୍ବନା, ଭୀମଭୋଇ ଅଜ୍ଞାତ ପିତାମାତାଙ୍କର ଅବାଞ୍ଛିତ ସନ୍ତାନ ରୂପେ ଜନ୍ମ ଗ୍ରହଣ କରି, ସେମାନଙ୍କଦ୍ୱାରା ପରିତ୍ୟକ୍ତ ହୋଇ ସୋନପୁର ଜିଲ୍ଲାର ବୀରମହାରାଜପୁର ସବ୍‌ଡିଭିଜନ୍ ଅନ୍ତର୍ଗତ ଏକ ଗ୍ରାମର ପୋଖରୀ ହିଡ଼ରେ ପଡ଼ିରହି କୁଆଁ କୁଆଁ ରାବ ଛାଡ଼ୁ ଥିଲାବେଳେ ଏକ କନ୍ଧ ଦମ୍ପତିଙ୍କ କର୍ତ୍ତ୍ୱକ ଆବିଷ୍କୃତ ତଥା ପ୍ରତିପାଳିତ ହୋଇ ଆସନ୍ନ ମୃତ୍ୟୁ କବଳରୁ ଉଦ୍ଧାର ଲାଭ କରିଥିଲେ ।

 

ଏଠାରେ ଉଲ୍ଲେଖନୀୟ ଯେ, ସୋନପୁର ରାଜ୍ୟର ବୀରମହାରାଜପୁର ସବ୍‌ଡିଭିଜନ୍ ଓଡ଼ିଆ ଭାଷା ସାହିତ୍ୟ ଓ ଧର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଏହି ସବ୍‌ଡିଭିଜନ୍‍ର ଉଲୁଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ‘କୋଟ ସମଲେଇ’ ପର୍ବତରେ ବହୁକାଳ ପୂର୍ବେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପାତାଳି କରାଯାଇଥିଲା । ଏଇଠି ସମ୍ବଳକ ରାଜ୍ୟର ରାଜା ଇନ୍ଦ୍ରଭୂତି ଅଷ୍ଟମ ଶତାବ୍ଦୀରେ ବୌଦ୍ଧ ଧର୍ମରେ ବ୍ରଜଯାନ ମାର୍ଗ ପ୍ରବର୍ତ୍ତନ କରି ସାରା ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଏଇଠି କୋଟସମଲେଇ ନିକଟସ୍ଥ ନିର୍ଜନ, ନିକାଞ୍ଚନ ‘ବାଘପାଲି’ ଗ୍ରାମରେ ସାଧକକବି ଚନ୍ଦ୍ରମଣି ଦାସ ସୁପ୍ରସିଦ୍ଧ ‘ସୁଧାସାରଗୀତା’ ତାଣ୍ଡବଲୀଳା, ହଳିଆଗୀତ ଆଦି ଅଭିନବ ଗ୍ରନ୍ଥମାନ ରଚନା କରିଥିଲେ ଓ ନାମବ୍ରହ୍ମ, ଶଦ୍ଦବ୍ରହ୍ମ, ଅଲେଖ ଧ୍ୟାନ ତଥା ମାନସ ପୂଜାରେ ନିମଗ୍ନ ରହି ଜୀବନ୍ତ ସମାଧି ଗ୍ରହଣ କରିଥିଲେ । ଏବେ ମଧ୍ୟ ପୂର୍ବତନ ସୋନପୁର ରାଜ୍ୟ (ଅଧୁନା ସୁବର୍ଣ୍ଣପୁର ଜିଲ୍ଲା) ର ସ୍ଥାନେ ସ୍ଥାନେ ଚନ୍ଦ୍ରମଣି ବାବାଙ୍କ ଗାଦିମାନ ରହିଛି ଓ ତାଙ୍କଦ୍ୱାରା ପ୍ରବର୍ତ୍ତିତ ଯୋଗ, ଧ୍ୟାନ ଓ ଉପାସନା ପଦ୍ଧତିର ପ୍ରଚାର କରାଯାଉଛି । ଏହିପରି ଏକ ପୃଷ୍ଠଭୂମି ଉପରେ ପ୍ରତିଭାବାନ, ସ୍ୱଭାବକବି ଭୀମଭୋଇ ଜନ୍ମଗ୍ରହଣ କରିଥିଲେ ଓ କନ୍ଧଦମ୍ପତିଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ବଲ୍ୟଜୀବନ ତାଙ୍କର ହା’ହୁତାଶମୟ ଥିଲା । ସେହି କଥା ବର୍ଣ୍ଣନା କରି ସେ ସ୍ତୁତିଚିନ୍ତାମଣିରେ ଲେଖିଛନ୍ତି –

 

ଗର୍ଭଧାରୀ ପିତା ଛାଡ଼ିଗଲେ ମୋତେ, ଜନ୍ମରୁ ନିଶାଖା ହୋଇ

ସୁସ୍ଥେ ଭୋଜନ ସୁଖଭୋଗ ବାଞ୍ଛିଲେ କାହିଁରୁ ପାଇବି ମୁହିଁ । ୨୧-୧୬

 

ଭୀମଭୋଇ ଜନ୍ମର ଦୁଇ ବର୍ଷରୁ ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁପରି ଦୁଃଖମୟ ଜୀବନ ଅତିବାହିତ କରିଥିଲେ, ତାର ସ୍ପଷ୍ଟ ଚିତ୍ର ତାଙ୍କଦ୍ୱାରା ରଚିତ ‘ସ୍ତୁତିଚିନ୍ତାମଣି’ ଗ୍ରନ୍ଥରେ ଦେଖିବାକୁ ମିଳେ ।

 

ଦୁଇବର୍ଷ-ଜନମ ଦିନରୁ ଦୁଇ ବରଷରୁ ବସିଲାକ ହେତୁ ବୁଦ୍ଧି

ପଞ୍ଚୁମନେ ଆସି ଭେଦ ଗଲା ପଶି, ଜୀବନ ହେଉଛି ଶୋଧି । ୨୧-୩

 

ଚାରିବର୍ଷ-ଚାରିବରଷ ସମ୍ପୂର୍ଣ୍ଣ ସମୟେ ଦେଖାଥିଲା ଜ୍ୟେଷ୍ଠମାସେ

ନିର୍ବେଦ କର୍ମେ ଯୋଗୀପୁତ୍ରଟିଏ ଭ୍ରମୁଥିଲେ ଗ୍ରାମଦେଶେ ।

କଷା କଉପୀନ ଚଢ଼ାଇ ସେ ପୁଣ ଦିଶୁଥାନ୍ତି ଅପ୍ରଚ୍ଛନ୍ନ ।

ବେନି ଭୁଜରେ ପ୍ରତ୍ୟକ୍ଷେ ଦେଖିଛି, ଥିଲା ଶଙ୍ଖ ଚକ୍ର ଚିହ୍ନ ।

 

ସାତରୁ ଚଉଦବର୍ଷ-ସପ୍ତବରଷରୁ ଅଷ୍ଟମ, ନବମ, ଦଶମ, ଏଗାର ହେଲା –

 

ବାରବରଷରୁ ବତ୍ସାଙ୍କ ସଙ୍ଗତେ ବନେ ବୁଲି ଦିନ ଗଲା । ୨୧-୧୭

ଶୋକ ସନ୍ତାପରେ ରୋଦନ କରଇ ବୃଦ୍ଧଛାୟା ତଳେ ବସି । ୨୧-୧୮

ବତ୍ସାଗଲେ ଚରି ପଛେ ଅନୁସରି ବୁଲୁଥାଇ ସଙ୍ଗେ ସଙ୍ଗେ । ୨୧-୨୦

ବୁଲୁଥାଇ ବନେ ନିତି ପ୍ରତିଦିନେ ବତ୍ସାଙ୍କୁ ସଙ୍ଗତେ ଘେନି

କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଇ ଝରପାଣି । ୨୨-୧

ଆକାଶକୁ ଚାହିଁ ମନରେ ଭାଳଇ କରୁଥାଇ ପାଞ୍ଚହେଜ

ବେଳ ହୋଇ ନାହିଁ ଯିବି ମୁଁ କି ନାହିଁ, ନ ମିଳିବ ପାଣିପେଜ । ୨୭-୨

ଧନ୍ୟ ଏ ପିଣ୍ଡ ନହୋଇ ଖଣ୍ଡ ଖଣ୍ଡ ପଡିଅଛି ଯେତେ ମାଡ଼,

ଗାଳି ଦ୍ୱନ୍ଦ ପଛ ଆଡ଼କୁ ପଳାଇ ହୃଦ କରିଥାଇ ଦୃଢ଼ । ୨୨-୩

ଲୁହ ନାହିଁ ରକ୍ତ ବହୁଥାଇ ମୋର ସ୍ୱହସ୍ତେ ଦିଅଇ ପୋଛି

କେହି ନଜାଣନ୍ତି, ଶ୍ରୀଗୁରୁ ଜାଣନ୍ତି, ଯେତେ କଷ୍ଟ ପାଇଅଛି । ୨୨-୪

ବାରଠାରୁ ତେର ଚଉଦ ବରଷ ବହିଗଲା ଏହି ରୂପେ

ମନ ଜାଣୁଅଛି ଅନ୍ତର ବେଦନା ଦହିର୍ଯ୍ୟ ହୋଇ ସନ୍ତାପେ । ୨୨-୬

ଚଉଦିଗ ଚାହିଁ ମନରେ ଭାଳଇ ଲଲାଟରେ କରମାରି

ଆହାରେ ଦାରୁଣ ଦଇବ ବିଧାତା କରିଗଲୁ ଏତେ ସରି । ୨୨-୮

ରକ୍ଷା କରିବାକୁ ଘୋର ଦଶାମୁଖୂ ସଖା ସୋଦର ମୋ ନାହିଁ

ନାହିଁ ତାତମାତ, ଇଷ୍ଟ ବନ୍ଧୁଭ୍ରାତ ଅନାଥ ପ୍ରାଣୀ ଅଟଇ ।

ଲେଖିଅଛି ଯାହା ଭୁଞ୍ଜୁଅଛି ତାହା ଅଦୃଷ୍ଟ କର୍ମକୁ ମାନି

ପୋଷୁଛି ଉଦର, ଦିବସ ଅନ୍ଧାର, ଦୁଃଖ ପଡ଼ି ମୁଠେ ଆଣି । ୨୨-୧୬

 

ଏଥିରୁ ଜଣାଯାଏ ଯେ, ଭୀମ ଚାରିବର୍ଷ ବୟସରେ ଯୋଗୀପୁତ୍ର (ସମ୍ଭବତଃ ତାଙ୍କ ଗୁରୁଦେବ ମହିମା ଗୋସାଇଁ) ଙ୍କୁ ନିଜ ଆଖିରେ (ପ୍ରତ୍ୟକ୍ଷେ) ଦେଖିଥିଲେ । ସାତବର୍ଷ ବୟସରେ ପାଳିତ ପିତାମାତାଙ୍କ ଦୁର୍ବ୍ୟବହାର ସହ୍ୟକରି ନପାରି ଘରଛାଡ଼ି ଚାଲିଯାଇ ଗାଈ ଚରାଇ, ମୂଲଲାଗି (ଦୁଃଖ ପଡ଼ି ମୁଠେ ଆଣି) ଜୀବନ ନିର୍ବାହ କରୁଥିଲେ ।

 

ଏହାପରେ ରେଢ଼ାଖୋଲ ରାଜ୍ୟର କଙ୍କଣପଡ଼ା ଗ୍ରାମରେ ଚୈତନ୍ୟ ପ୍ରଧାନଙ୍କ ଘରେ ମୂଲଲାଗି ଉଦର ପୋଷଣ କରୁଥିଲାବେଳେ ଗୁରୁ ମହିମାଗୋସାଇଁ ସ୍ୱୟଂ ଶିଷ୍ୟ ଜଗନ୍ନାଥ ଦାସ (ବଲାସିଂଘା) ବନାମ ଗୋବିନ୍ଦ ବାବାଙ୍କୁ ସଙ୍ଗରେ ନେଇ ଭୀମଭୋଇଙ୍କ କୁଟୀରରେ ପହୁଞ୍ଚିଥିଲେ ଓ ନିଜେ ଭୀମଭୋଇଙ୍କୁ ମହିମାଧର୍ମର ଦୀକ୍ଷା ଦେଇଥିଲେ । ଏ ବିଷୟ ଭୀମଭୋଇ ତାଙ୍କର ‘ନିର୍ବେଦସାଧନ’ ଗ୍ରନ୍ଥର ପ୍ରଥମ ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି ।

 

ସ୍ତୁତି ଉଚ୍ଚାରି ମନେମନେ

ପ୍ରବେଶ ହୋଇଲି ସଦନେ

ହୃଦେ ସୁମରି ନିଦ୍ରାଗଲି

ଶ୍ରୀଗୁରୁ ଅବଧୂତ ବୋଲି

।।

ହୋଇଛି ଦଶଘଡ଼ି ରାତି

ବିଜୟେ ଅଣାକାର ଜ୍ୟୋତି

ପ୍ରବେଶ ଶୟନ ମନ୍ଦିରେ

ତିମିର ଫିଟିଲା ତେଜରେ

।।

ଛିଡ଼ା ହୋଇଲେ ଦିବ୍ୟଜ୍ୟୋତି

ଜାଜ୍ଜଲ୍ୟମୟ ରୂପକାନ୍ତି

ଶ୍ରବଣେ ଶୁଭିଲା ଡାକିଲେ

ଅନାଦି ପ୍ରଭୁ ଆଜ୍ଞା ଦେଲେ

।।

ବୋଇଲେ ଉଠସିରେ ବାପ

ଦେଖ ଅନାଦି ବ୍ରହ୍ମରୂପ

ଚେତି ଉଠିଲି ତତକ୍ଷଣ

ପାରୁଶେ ବିଜେ ଶୂନ୍ୟବ୍ରହ୍ମ

।।

ଚକ୍ଷୁ ମେଲିଣ ଦେଲିଚାହିଁ

ସମାନ ଗୁରୁଶିଷ୍ୟ ଦୁଇ

କଲି ମୁଁ ଦଣ୍ଡ ଯେ ପ୍ରଣାମ

ଲଭିଲି ପୁଣ୍ୟ ମୁକ୍ତିକାମ

।।

କଲ୍ୟାଣ ବାଞ୍ଛିଲେ ତୁରିତ

ମଥାରେ ମାରିଦେଲେ ହସ୍ତ

 

ମହିମା ଗୋସାଇଁ ଭୀମଭୋଇଙ୍କୁ ଦର୍ଶନ ଦେଲେ, ଦୀକ୍ଷା ଦେଲେ ଓ ଆଶୀର୍ବାଦ ମଧ୍ୟ କଲେ । ସେ ଭୀମଭୋଇଙ୍କୁ ମହିମାଧର୍ମ ସଂପର୍କରେ ସବୁ କଥା ବୁଝାଇ ସେସବୁ ଲିପିବଦ୍ଧ କରିବାପାଇଁ ଆଜ୍ଞା ଦେଇ ‘କବିପଣ’ ପ୍ରଦାନ କଲେ ।

 

ଭୀମଭୋଇ ଇତିପୂର୍ବରୁ ଏତେ ଦୁଃଖ କଷ୍ଟ ସହ୍ୟକରି ମଧ୍ୟ ‘ଲୋକକବି’ର ଖ୍ୟାତି ଅର୍ଜନ କରିଥିଲେ । ସେ ଆଶୁକବି ଥିଲେ । ପଶ୍ଚିମ ଓଡିଶାର ଜନପ୍ରିୟ ଡାଲ୍‌ଖାଇ, ରସରକେଲି, ଜାଇଫୁଲ, ସଜନୀ, ବଉଲୀ, ହଳିଆଗୀତ ଆଦି ରଚନାରେ ତାଙ୍କର ପାରଦର୍ଶିତା ଥିଲା । କେବଳ ସେତିକି ନୁହେଁ, ଭୀମଭୋଇ ଜଣେ ଗାୟକ, ବାଦ୍ୟକାର ଓ ନର୍ତ୍ତକ ମଧ୍ୟ ଥିଲେ । ତାଙ୍କଦ୍ୱାରା ରଚିତ ରସରକେଲି, ଜାଇଫୁଲ, ହଳିଆ ଗୀତରୁ କେତୋଟି ଭୀମଭୋଇ ଗ୍ରନ୍ଥାବଳୀର ଚଉତିଶାରେ ସ୍ଥାନ ପାଇଛି । ଏଥିରେ ମହିମା ଧର୍ମର ପ୍ରସଙ୍ଗ ନଥାଇ ରାଧାକୃଷ୍ଣ ରାସଲୀଳା ବିଷୟ ବର୍ଣ୍ଣିତ ହୋଇଛି । ଏଥିରୁ ଭୀମଭୋଇଙ୍କ କବିସୁଲଭ ରସିକ ପ୍ରାଣର ପରିଚୟ ମିଳିଥାଏ ।

 

ମହିମା ଗୋସାଇଁ ଭୀମଭୋଇଙ୍କୁ ବୁଝାଇ କହିଲେ, ଅନ୍ୟ କିଛି ନଲେଖି କେବଳ ମହିମା ଧର୍ମର ଗ୍ରନ୍ଥ, ଭଜନ, ଜଣାଣ ଆଦି ରଚନା କଲେ କବି ଯଶ ଲାଭହେବ ।

 

ଭୀମଭୋଇ ଏତେକାଳଯାଏ ଅବହେଳିତ, ନିର୍ଯ୍ୟାତିତ ଜୀବନଯାପନ କରୁଥିଲେ । ମହିମା ଗୋସାଇଁ ତାଙ୍କୁ ଓ ତାଙ୍କର ପ୍ରତିଭାକୁ ସ୍ୱୀକୃତି ପ୍ରଦାନ କରି ତାଙ୍କ ଜୀବନ-କାବ୍ୟର ସମ୍ପୂର୍ଣ୍ଣ ନୁତନ ଅଧ୍ୟାୟଟିଏ ଯୋଡ଼ିଦେଲେ । ଭୀମଭୋଇ ଆଉ ଏକ ବ୍ୟକ୍ତିତ୍ୱ, ଆଉ ଏକ ଜୀବନ ଲାଭକଲେ ।

 

ଏହା ଥିଲା ୧୮୬୬ ମସିହାର କଥା । ସେତେବେଳେ ଭୀମଭୋଇଙ୍କୁ ଷୋହଳ ବର୍ଷ ବୟସ ହୋଇଥିଲା ।

 

ଦ୍ୱିତୀୟ ପର୍ଯ୍ୟାୟ :

ଭୀମଭୋଇ ୧୮୫୦ ମସିହାରୁ ୧୮୬୬ ମସିହା ପର୍ଯ୍ୟନ୍ତ ଯେଉଁ ଅବହେଳିତ ଜୀବନ ଯାପନ କରିଥିଲେ ତାହା ତାଙ୍କ ଜୀବନର ପ୍ରଥମ ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

 

ଜୀବନର ପ୍ରଥମ ପର୍ଯ୍ୟାୟରେ ଆମେ ଭୀମଭୋଇଙ୍କୁ ଆଶୁ ଲୋକକବି ରୂପେ ଦେଖିବାକୁ ପାଇଥାଉଁ ।

 

ମହିମା ଗୋସାଇଁଙ୍କ ସଙ୍ଗରେ ୧୮୬୬ ମସିହାରେ କଙ୍କଣପଡ଼ା (ପୂର୍ବତନ ରେଢ଼ାଖୋଲ ରାଜ୍ୟ) ଗ୍ରାମରେ ସାକ୍ଷାତ ହେବା ପରେ ଭୀମଭୋଇଙ୍କ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା-। ଏହାର ସମୟ ସୀମା ୧୮୬୬ ମସିହା ଠାରୁ ୧୮୭୬ ମସିହା ପର୍ଯ୍ୟନ୍ତ ବିସ୍ତୃତ । ଏହି ଦଶବର୍ଷ ସମୟସୀମା ମଧ୍ୟରେ ସେ ମହିମା ଗୋସାଇଁଙ୍କ ସଂସ୍ପର୍ଶରେ ଆସିଥିଲେ, ମହିମାଧର୍ମ ଗ୍ରହଣ କରି ମହିମାଧର୍ମ ସମ୍ପର୍କୀୟ ଭଜନ, ଜଣାଣ, ସ୍ତୁତି ଓ ବିଭିନ୍ନ ଗ୍ରନ୍ଥମାନ ରଚନା କରିଥିଲେ ।

 

ସେତେବେଳେ ମହିମା ଧର୍ମରେ ଦୀକ୍ଷିତ କୌଣସି କବି ବା ଲେଖକ ନଥିଲେ । ମହିମା ଗୋସାଇଁ ଓ ଏ ଧର୍ମର ପ୍ରଥମ ଶିଷ୍ୟ ଜଗନ୍ନାଥ ଦାସ ଓରଫ ଗୋବିନ୍ଦ ବାବା ନିଜେ କିଛି ଲେଖି ଯାଇଥିବା ଜଣାଯାଏ ନାହିଁ । ଭୀମଭୋଇ ଏ ଧର୍ମର ଆଦିକବି ଓ ଆଦ୍ୟ ପ୍ରବକ୍ତା ଭାବରେ ଖ୍ୟାତ । ଭୀମଭୋଇ ନଥିଲେ ମହିମାଧର୍ମର ସ୍ୱରୂପ ବୁଝିବା କଷ୍ଟକର ହୋଇଥାନ୍ତା ।

 

ଭୀମଭୋଇ ଷୋହଳ ବର୍ଷ ବୟସରେ ଅର୍ଥାତ୍‌୧୮୬୬ ମସିହାରେ ମହିମାଧର୍ମର ଦୀକ୍ଷା ନେଇ, ମହିମାଗୋସାଇଁଙ୍କ ଆଦେଶରେ ଏ ଧର୍ମ ସମ୍ପର୍କରେ ଲେଖିବା ଆରମ୍ଭ କରିଦେଇଥିଲେ । ‘ଆଦିଅନ୍ତଗୀତା’ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟର ରଚନାବଳୀ ମଧ୍ୟରେ ଅନ୍ୟତମ । ଏଥିରେ ଲେଖିଛନ୍ତି-

 

‘‘ଜନମ କାଳରୁ ମୂର୍ଖ ମୁଁ ହୋଇଥିଲି

ଷୋଳ ବରଷକେ କବି ମୁଁ କୃତ୍ୟକଲି

ବେଦଶାସ୍ତ୍ର ବୋଲି କିଛି ମୁଁ ଜାଣେନାହିଁ

ଗୁରୁ ହୃଦପଦ୍ମେ ବସି ଯେ ଦେଲେ କହି ।’’

‘‘ଶ୍ରୀଗୁରୁ କୃପାରୁ ମୋର ଗୋ କବିପଣ

ବାଳେକ ବୟସ ବୁଦ୍ଧି ମୋ ନାହିଁ ଜ୍ଞନ ।

ଗୁରୁ ଆଜ୍ଞାରେ କରିଛି ମୁଁ କବିକୃତ

ମୁହିଁ କିସ କହିବାକୁ ଯେ ସାମରଥ ।’’

 

ଏହା ବିନୀତ ଭକ୍ତ ଭୀମଭୋଇଙ୍କ ସ୍ୱୀକାରୋକ୍ତି । ପ୍ରକୃତରେ ସେ ମହିମା ଧର୍ମ ବିଷୟରେ ଷୋହଳ ବର୍ଷଯାଏ ଅବହିତ ନଥିଲେ । ଗୁରୁଙ୍କ ଦୟାରୁ ସବୁ ଜାଣିଲେ ଓ ସବୁ ବୁଝିଲେ-। ତାଙ୍କରି ଆଜ୍ଞାରେ ଅବଶେଷରେ ରାଶି ରାଶି ଗ୍ରନ୍ଥ ରଚନା କରିବାରେ ସକ୍ଷମ ହେଲେ । କେବଳ ମହିମା ଗୋସାଇଁ କି ମହିମାଧର୍ମାବଲମ୍ବୀ ନୁହନ୍ତି, ସାରା ଜଗତ ତାଙ୍କର ଲେଖା ପଢ଼ି ବିମୁଗ୍‌ଧ ହେଲେ । ସେ ବିଶ୍ୱର ସର୍ବଶ୍ରେଷ୍ଠ ଆଦିବାସୀ କବିର ମାନ୍ୟତା ଲାଭ କଲେ । ଏହା ସାମାନ୍ୟ ବିଷୟ ନୁହେଁ । ତେଣୁ ଭୀମଭୋଇଙ୍କୁ ଊନବିଂଶ ଶତାଦ୍ଦୀର, ମହିମା ଧର୍ମର ଓ ଓଡ଼ିଆ ଭାଷା ସାହିତ୍ୟର ‘ବିସ୍ମୟ’ ରୂପେ ଗ୍ରହଣ କରାଯାଇଥାଏ ।

 

ଭୀମଭୋଇ ସର୍ବପ୍ରଥମେ ଭଜନ ରଚନା କରିଥିଲେ । ଏ ଭଚନ ଭୀମଭୋଇଙ୍କଦ୍ୱାରା ଖୁଣ୍ଟୁଣୀ ମହିମା ଉତ୍ସବରେ ମହିମା ଗୋସାଇଁଙ୍କ ଆଗରେ ଗାନ କରାଯାଇଥିଲା । ମହିମା ଧର୍ମଗ୍ରନ୍ଥମାନଙ୍କରୁ ଜଣାଯାଏ ଯେ, କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟିଣୀ ଗ୍ରାମରେ ୧୮୬୫-୬୬ ମସିହାରେ ମହିମା ଗୋସାଇଁ ମହିମା-ଉତ୍ସବ ବାଲ୍ୟଲୀଳା ଅନୁଷ୍ଠିତ କରାଇଥିଲେ । ଭଜନର ନାମ ଥିଲା-

 

ବନ୍ଦନା ପାଦପଦ୍ମକୁ, ଧ୍ୟାୟି ଅରୂପା ନନ୍ଦଙ୍କୁ,

ଧ୍ୟାୟି ସ୍ୱାମୀ ପୟରକୁ । ଘୋଷା । ଇତ୍ୟାଦି ।

 

ଭୀମଭୋଇ ଏକକାଳୀନ, ଏକାରାଗରେ ଚାରୋଟି ଲେଖାଏ ଭଜନ ରଚନା କରିଥିବା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି-

 

‘‘ଏକାରାଗେ ବାନ୍ଧିଲି ମୁଁ ଦିଯୋଡ଼ା ଗୀତ

ଭଣେ ଭୀମଅର୍କ୍ଷିତ ଗୁରୁ ମୋ ସାମରଥ । (ଭଜନମାଳା)

 

‘ବନ୍ଦନା ପାଦପଦ୍ମକୁ’ ଶୀର୍ଷକର ଅନ୍ୟ ତିନୋଟି ଭଜନ ହେଉଛି, ‘ବିଚାର କରିଛି ଲୟେ,’ ‘ବୋଲାଅ ଅତିଥି ବେଶ’ ଓ ‘ଯେତେକ ଭକ୍ତ ତୁମ୍ଭରି’ । ଏହି ଭଜନମାନ ଶୁଣି ମହିମା ଗୋସାଇଁ ପ୍ରୀତ ହୋଇ ଭୀମଭୋଇଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଭୀମଭୋଇ ଥିଲେ ମହିମା ଗୋସାଇଁଙ୍କର ପରମ ଶ୍ରଦ୍ଧେୟ ଭକ୍ତ । ପରିଚୟ ହୀନ, ଦୀନ ଭୀମ ମହିମା ଗୋସାଇଁଙ୍କର ପ୍ରଶଂସା ଶୁଣି ଆପ୍ୟାୟିତ ହୋଇ ଆଜୀବନ ମହିମାଧର୍ମ ସମ୍ବନ୍ଧୀୟ ରଚନାରେ ନିଜକୁ ନିମଗ୍ନ କରି ରଖିଥିଲେ । ମହିମା ଧର୍ମର ପ୍ରଚାର ଓ ପ୍ରସାର ହେଲା ତାଙ୍କ ଜୀବନର ଚରମ ଓ ପରମ ଲକ୍ଷ୍ୟ ।

 

୧୮୬୬ ମସିହାଠାରୁ ୧୮୭୬ ମସିହା ପର୍ଯ୍ୟନ୍ତ ଭୀମଭୋଇ ପୂର୍ବତନ ରେଢ଼ାଖୋଲ ରାଜ୍ୟ ଓ ଏ ରାଜ୍ୟର ଆଖପାଖ ଅଞ୍ଚଳରେହିଁ କଟାଇଥିଲେ । ତାଙ୍କର କୌଣସି ସ୍ଥାୟୀ ଆଶ୍ରମ ନଥିଲା । ମହିମା ଧର୍ମର ଏହି ପ୍ରଚାର ଉଦ୍ଦେଶ୍ୟରେ ସେ ଘୂରି ବୁଲୁଥିଲେ । ଏହି ସମୟସୀମା ମଧ୍ୟରେ ସେ ମହିମା ଗୋସାଇଁ, ମହିମାଧର୍ମ, ମହିମାଧର୍ମର ନୀତିନିୟମ, ମହିମାଧର୍ମ ଦର୍ଶନ, ବ୍ରହ୍ମଧର୍ମ ଆଦି ବିଷୟରେ ଚର୍ଚ୍ଚା କରିଥିବା ତାଙ୍କ ରଚନାବଳୀରୁ ଜଣାଯାଏ ।

 

ସେତେବେଳେ ମହିମା ଧର୍ମର ବ୍ୟାପକ ପ୍ରଚାର ଘଟି ନଥିଲା । ଲୋକେ ମହିମାଧର୍ମ ଓ ଏହାର ପ୍ରଚାରକମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ମହିମାଧର୍ମ ନୀତି ନିୟମରେ ହିନ୍ଦୁ ଦେବଦେବୀ, ମନ୍ଦିର, ତୋରଣ, ଯାଗଯଜ୍ଞ, ବ୍ରାହ୍ମଣ ପୁରୋହିତ ଆଦି ନିଷିଦ୍ଧ ଥିଲା । ମହିମାଧର୍ମ ପ୍ରଚାରକମାନଙ୍କୁ ଦେଖିଲେ ଲୋକେ ଗାଳିମନ୍ଦ କରୁଥିଲେ । ରେଢ଼ାଖୋଲ ରାଜ୍ୟର ତତ୍କାଳୀନ ରାଜା ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରୁଥିଲେ । ତେଣୁ ଭୀମଭୋଇଙ୍କୁ ରାଜା ଓ ରାଜକର୍ମଚାରୀମାନଙ୍କ କୋପ ଦୃଷ୍ଟିରେ ପଡ଼ିବାକୁ ହୋଇଥିଲା । ଏହି ସମୟର ଅବସ୍ଥା ବର୍ଣ୍ଣନା କରି ଭୀମଭୋଇ ସ୍ତୁତି ଚିନ୍ତାମଣିରେ ଲେଖିଛନ୍ତି-

 

ସ୍ଥିତବସ୍ତି ନାହିଁ ପ୍ରଚରିବି କାହିଁ ସଙ୍ଗସାଥୀ ସଖା ନାହିଁ ।

ତଳକୁ ଶିର ଉପରକୁ ପଚାର ମଧ୍ୟେ ମାରୁଛି ଭୁଲାଇ । ୨୨ -୧୦

ଶୂନ୍ୟକୁ ଅନାଇ ରହିଅଛି ମୁହିଁ କି ରୂପେ ଧରିବି ଦେହୀ

କେଉଁ ଡାଳ ଧରି ପାରି ହୋଇଯିବି ହାତଗୋଡ଼ ପାଉନାହିଁ । ୨୨-୧୧

 

ଏହିପରି ଭାବରେ ଦଶବର୍ଷ ଅତିବାହିତ ହେବାକୁ ଲାଗିଲା । ଇତ୍ୟବସରରେ ଭୀମଭୋଇ ମହିମା ଗୋସାଇଁଙ୍କଦ୍ୱାରା ଆୟୋଜିତ ଧୂନିଘରକୁ ଯିବା ସମୟରେ ମଢ଼ି (କାମାକ୍ଷାନଗର) ଗ୍ରାମର ସାଧୁ ଭୀମଦାସଙ୍କ ଭଉଣୀ ଅନ୍ନପୂର୍ଣ୍ଣାଙ୍କ ପ୍ରେମରେ ପଡ଼ିଲେ । ମହିମା ଗୋସାଇଁଙ୍କ କାନକୁ ଏ କଥା ଗଲା । ସେ ଭୀମଭୋଇଙ୍କୁ ଧୂନିଘରକୁ ଆସିବାକୁ ତଥା ସିଦ୍ଧବାନା ଦେବାକୁ ବାରଣ କରିଦେଲେ । କହିଲେ, ଅନ୍ନପୂର୍ଣ୍ଣାଙ୍କୁ ଗ୍ରହଣ କରି ଭକ୍ତ ଭାବରେ ଓ କବି ଭାବରେ ରହ । ଧୂନିଘରକୁ ଆସିବ ନାହିଁ-

 

ଭୀମଭୋଇ ଗୁରୁଦେବ ମହିମା ଗୋସାଇଁଙ୍କ ଆଦେଶ ପାଳନ କଲେ । ଭୀମଭୋଇଙ୍କ ଜୀବନର ତୃତୀୟ ପର୍ଯ୍ୟାୟ (ଅନ୍ତିମ ପର୍ଯ୍ୟାୟ):

 

ମହିମା ଗୋସାଇଁ ୧୮୭୬ ମସିହାରେ ଦେହତ୍ୟାଗ କଲେ । ତାଙ୍କୁ ଯୋରନ୍ଦା ଗ୍ରାମର ଉପକଣ୍ଠରେ ସମାଧି ଦିଆଗଲା ।

 

ମହିମା ଗୋସାଇଁଙ୍କ ଦେହତ୍ୟାଗ ପରେ ମହିମା ଧର୍ମରେ ସଂକଟ ଦେଖାଦେଲା । ମନେହେଲା, ମହିମାଧର୍ମ ଲୋପ ପାଇଯିବ ।

 

ଏତେ ବଡ଼ ଧର୍ମକୁ ବଞ୍ଚାଇ ରଖିବାପାଇଁ ଭୀମଭୋଇ ବ୍ୟାକୁଳ ହୋଇ ଉଠିଲେ । ସେ ମହିମା ଧର୍ମର ପ୍ରଚଳିତ କଠୋର ନୀତି ନିୟମକୁ ଲଂଘନ କରି, ଗୃହସ୍ଥାଶ୍ରମରେ ଥାଇ ମଧ୍ୟ ନିଜେ ଭକ୍ତମାନଙ୍କୁ ଦୀକ୍ଷା ଦେଲେ । କେବଳ ସେତିକି ନୁହେଁ, ନାରୀମାନଙ୍କୁ ପୁରୁଷମାନଙ୍କର ଅଧିକାର ଦେଲେ ଓ ସେମାନଙ୍କୁ ଆଶ୍ରମରେ ରଖିବା ବ୍ୟବସ୍ଥା କଲେ । ପତ୍ନୀ ଅନ୍ନପୂର୍ଣ୍ଣା ମହିଳାମାନଙ୍କୁ ଦୀକ୍ଷା ଦେବାର ଅଧିକାର ଲାଭ କଲେ । ଫଳରେ ଯୋରନ୍ଦା ଗୋଷ୍ଠୀର ସାଧୁ ସନ୍ନ୍ୟାସୀମାନେ ଭୀମଭୋଇଙ୍କ ଖଲିଆପାଲି ଆଶ୍ରମକୁ ବାସନ୍ଦ କଲେ । କିନ୍ତୁ ଆଶ୍ୱାସନାର ବିଷୟ ଏହି ଯେ, ଓଡ଼ିଶାର ପୂର୍ବାଞ୍ଚଳରେ ମହିମାଧର୍ମ ଲୋପ ପାଇବା ଅବସ୍ଥାରେ ଥିଲାବେଳେ ପଶ୍ଚିମ ଓଡ଼ିଶାର ଆଶ୍ରମ ଏ ଧର୍ମକୁ ଖାଲି ବଞ୍ଚାଇ ରଖିଥିଲା ନୁହେଁ, ଏ ଧର୍ମକୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବିସ୍ତାରିତ କରି ପାରିଥିଲା ।

 

ଭୀମଭୋଇ ଭାବୁଥିଲେ, ମହିମାଗୋସାଇଁ ସ୍ୱୟଂ ପରମବ୍ରହ୍ମ, ତାଙ୍କର ମୃତ୍ୟୁ ନାହିଁ । ମହିମା ଗୋସାଇଁଙ୍କ ଦେହତ୍ୟାଗ ବାର୍ତ୍ତାପାଇ ସେ ବ୍ୟଥିତ ହୋଇ ଲେଖିଲେ-

 

‘‘ମରିଗଲେ ବୋଲୁଛନ୍ତି, କିରୂପେ ରହିଛି ପୃଥ୍ୱୀ

କଦାଚିତରେ ପରତେ ନ ଯାଉଛି ମନ ହେ ।’’ (ଭଜନ)

‘‘ଅଲେଖ ବୋଇଲେ ମୋତେ, ରୋଦନ ମାଡ଼ୁଛି ଚିତ୍ତେ

ଶୋକ ସନ୍ତାପରେ ପୋଡ଼ୁଅଛି ଜୀବନ ।’’

‘‘ଅବିଶ୍ୱାସୀ ହେଲେ ଯହୁଁ, ଅପମାନେ ମହାବାହୁ

ତେଜି ହୋଇ ଯାଇଥିଲେ ସେ ବାହାର ହେ ।’’

 

ମହିମା ଗୋସାଇଁଙ୍କ ତିରୋଧାନ ବାର୍ତ୍ତା ପାଇ ଭୀମଭୋଇ ୧୮୭୬ ମସିହାରେ କେବଳ ଥରେ ମାତ୍ର ଯୋରନ୍ଦା ଯାତ୍ରା କରିଥିଲେ । ଏହାପରେ ବା ପୂର୍ବରୁ ସେ କେବେହେଲେ ଯୋରନ୍ଦା ଯାତ୍ରା କରି ନଥିଲେ ।

 

ଯୋରନ୍ଦାରେ ପହଞ୍ଚି ଭୀମଭୋଇ ଦେଖିଲେ, ବଳ୍‌କଳଧାରୀ ଓ କୌପୀନଧାରୀ ମହିମା ସାଧୁ ସମାଜ ମଧ୍ୟରେ ପଦପଦବୀ ଓ ପ୍ରତିଷ୍ଠା ପାଇଁ ଭୟଙ୍କର ସଂଘର୍ଷ ଚାଲିଛି । ଭୀମ ସେମାନଙ୍କୁ ବାଦବିବାଦ ଭୁଲି ଏକାଠି ହୋଇ ମହିମା ଗୋସାଇଁ ଓ ମହିମା ଧର୍ମର ମହତ୍ତ୍ୱ ପ୍ରତିଷ୍ଠା ପାଇଁ ଆକୁଳ ନିବେଦନ କରି କହିଲେ-

 

‘‘ବଣା ନୁହହେ, କର ବିଚାରଣ, ହେତୁ ଚେତା ହୁଅ ହେ ।

ଏଡ଼େ ବଡ଼ ଧର୍ମ କର୍ମ, ହୋଇ ଯାଉଛି ଅଧର୍ମ

ହୃଦରେ ବିବେକ କରି ବୁଝିନିଅ ।

କିମ୍ପା ଅଜ୍ଞାନ ହେଉଛ, ସତ୍ୟକୁ ମିଥ୍ୟା ମଣୁଛ

ଶୂନ୍ୟବାସୀ ପରା ଧରିଥିଲେ ଦେହ

ସେବା ଭକ୍ତି କରିଥିଲ, ମନରୁ ପାଶୋରି ଦେଲ

ଭଲମନ୍ଦ ଦୁଇ ଏହୁ ନ ତୁଟେ ସଂଶୟ ହେ ।

ବଡ଼ ପ୍ରଭୁଙ୍କୁ ଭଜିଛ, ସାନବୁଦ୍ଧି କରୁଅଛ

ବଡ଼ ବୁଦ୍ଧି ବିବେକ ସମ୍ଭାଳି ଏବେ ରହ ।’’ (ଭଜନ)

‘‘ଶ୍ରୀଗୁରୁ ବଚନ ମାନି, ଛାମୁ ଆଜ୍ଞା ଶିରେ ଘେନି

ଏକ ମନ ହୋଇ ଚାଲ ଧର୍ମ ପଥରେ

ଧର ସଦଗୁରୁ ପାଦ, ମନରୁ ସଂଶୟ ଛେଦ

କପଟ ଛାଡ଼ି ଅନ୍ତରେ ।’’ (ଭଜନ)

 

କିନ୍ତୁ ମହିମା ଧର୍ମର ସାଧୁ ସନ୍ନ୍ୟାସୀମାନେ ଭୀମଭୋଇଙ୍କୁ ମାନିଲେ ନାହିଁ । ସେମାନେ ଭୀମଭୋଇଙ୍କୁ ନିଜ ନିଜ ପକ୍ଷରେ ସାମିଲ ହୋଇ ଅନ୍ୟ ପକ୍ଷ ବିରୁଦ୍ଧରେ ଲଢ଼ିବାକୁ କହିଲେ । ଭୀମଭୋଇ ଦେଖିଲେ, ଉଭୟ ଦଳକୁ ଏକାଠି କରିହେବ ନାହିଁ । ସେ ନିଜେହିଁ ଏ ଧର୍ମକୁ ରକ୍ଷା କରିବେ । ମହିମା ଧର୍ମ ରକ୍ଷାର ସବୁ ଦାୟିତ୍ୱ ନିଜେ ବହନ କରି, ଅନ୍ୟ ଏକ ଭୀମ ଭୋଇ, ଅନ୍ୟ ଏକ ସଂକଳ୍ପ ନେଇ ସେ ନିଜର ଜନ୍ମମାଟି ସୋନପୁର ରାଜ୍ୟକୁ ଫେରି ଆସିଲେ । ଭଜନରେ ସେ ଲେଖିଛନ୍ତି-

 

ଘିଞ୍ଚି ନେଉଛନ୍ତି ବଳେଧରି, ଘେରି ଅଚନ୍ତି ଚଉପହରୀ

ଘେନି ମୋ ବିନତି ପରୀକ୍ଷା ନଦେଲେ,

ଘାଣ୍ଟି ପକାଇବେ ନିଶ୍ଚେ ମାରି ହେ ମହିମା ।

ଚଳୁନାହିଁ ମୋ ଚରଣ ବେନି, ଚର୍ମ ଦେହେ ପଡ଼ିଛି ବାନ୍ଧେଣି

ଚାଲିଆସି ପ୍ରଭୁ ଝଟତିରେ ବୁଝ, ଚିଦାନନ୍ଦ ଅବ୍ୟକତ ମଣିହେ ମହିମା,

ଛଟପଟ ହେଲାଣି ଜୀବନ, ଛାଟିପିଟି ଦେବାରୁ କଷଣ

କ୍ଷମାନନ୍ଦ ପ୍ରଭୁ ପ୍ରତ୍ୟକ୍ଷରେ ଦେଖ, ଛାଡ଼ୁଅଛି ମୋ ପିଣ୍ଡୁ ପରାଣ

ହେ ମହିମା ।

ଜଗି ବସି ଅଛନ୍ତି ନିର୍ବନ୍ଧେ, ରଜ୍ଜୁ ଲାଗିଅଛି ମୋର କନ୍ଧେ,

ଜଗତ କରତା ଯୋଗୀବେଶ ଧରି, ଜାଣି ବିଜୟ କର ବ୍ରହ୍ମାଣ୍ଡେ ।

ହେ ମହିମା ।

ଠେଙ୍ଗା ଧରିଛନ୍ତି ଜଗିରହି, ଠିଆ ମଝିଦାଣ୍ଡରେ କରାଇ

ଠିକେ ଭଣେ ଭୀମ, ଠାକୁରଙ୍କ ବିନୁ, ବର୍ତ୍ତିବାକୁ ବୁଦ୍ଧି ଦିଶୁନାହିଁ

ହେ ମହିମା....

 

ମହିମା ଗୋସାଇଁ ପ୍ରତ୍ୟକ୍ଷରେ ଆସି ଧର୍ମ ପରୀକ୍ଷା ଦେଲେ ନାହିଁ ସତ, ଅଚାନକ ଭାବରେ ଠିକ୍‌ ଏହି ସମୟରେ ରାଜା ନୀଳାଧରଙ୍କ ଆକସ୍ମିକ ଭାବରେ ସର୍ପ ଦଂଶନରେ ମୃତ୍ୟୁ ହେଲା । ତାଙ୍କ ଅନ୍ତେ ତାଙ୍କ ପୁତ୍ର ପ୍ରତାପରୁଦ୍ର ରାଜା ହେଲେ । ସେ ଜଣେ ଧର୍ମପ୍ରାଣ ଓ ପ୍ରଜାପାଳକ ରାଜା ଥିଲେ । ସେ ଭୀମଭୋଇଙ୍କୁ କାରାଦଣ୍ଡରୁ ମୁକ୍ତିଦେଲେ ଓ ଖଲିଆପାଲି ଆଶ୍ରମରେ ରହି ତାଙ୍କୁ ଧର୍ମପ୍ରଚାର କରିବାପାଇଁ ଅନୁମତି ଦେଲେ । ଭୀମଭୋଇ ଆସନ୍ନ ମୃତ୍ୟୁ ମୁଖରୁ ଉଦ୍ଧାର ପାଇ ଲେଖିଲେ-

 

‘‘ଅଲେଖ ପୁରୁଷ ସାହା ନୋହିଥିଲେ ଦିଅନ୍ତେ ଆମ୍ଭଙ୍କୁ ମାରି

ବିପତ୍ତିଠାରୁ ବଞ୍ଚାଇ ରଖିଛନ୍ତି, ଶୂନ୍ୟବାନା ଢାଙ୍କି କରି । ସ୍ତୁତି ୬୫/୧

ଡୁବାଇ ଦେବାକୁ ପାଞ୍ଚିଛନ୍ତି ସର୍ବେ କେତେଥର ଏହିପରି । ୬୫/୨

ସତ୍ୟ ଧର୍ମ ବଳେ ବଞ୍ଚିଅଛୁ ଆମ୍ଭେ ଦେହବହି ଏ ସଂସାରେ ।’’

 

ଏହାପରେ ଖଲିଆପାଲି ଆଶ୍ରମର ଶ୍ରୀବୃଦ୍ଧି ଘଟିଲା । ଧନଜନ ଗୋପଲକ୍ଷ୍ମୀ ଭରା ଖଲିଆପାଲି ଆଶ୍ରମ ପ୍ରତିଷ୍ଠା ଲାଭ କଲା । ଭୀମଭୋଇଙ୍କ ଶିଷ୍ୟମାନଙ୍କ ସଂଖ୍ୟା ବହୁଗୁଣିତ ହେଲା-। ଭୀମଭୋଇ ଲେଖିଲେ-

 

ଶୁଣ ସୁଜ୍ଞଜନେ ଅପୂର୍ବ କାହାଣୀ, କହୁଅଛି ମୁହିଁ ଯେତେ

ଭୂତ ଭବିଷ୍ୟ ବର୍ତ୍ତମାନ ନଜାଣି, ଦୋଷ ଲଗାଉଛ ମୋତେ ।

ଧନ ଦାରା ସୁତ ପାଇ ଆନନ୍ଦ ଏ ମୋର କପାଳରେ ଥିଲା

ପୂର୍ବ କମାଣିର ଫଳ ଭୁଞ୍ଜୁଅଛି କାହାର ବା କିସ ଗଲା ?

ସତ୍ୟ ଧର୍ମ ସିନା ଅରଜି ଥିବାରୁ ତତ୍ତ୍ୱରେ ପାଇଲି ମୁହିଁ

ଆମ୍ଭ ନିଧି ଆମ୍ଭ ହସ୍ତକୁ ଆସିଲା ଏଥିରେ ସଂଶୟ ନାହିଁ । ଇତ୍ୟାଦି

(ସ୍ତୁତି ଚିନ୍ତାମଣି : ୬୩ ବୋଲି)

 

ସୋନପୁର ରାଜ୍ୟର ପାଣିଶିଆଲି, ଭୁର୍‌ଷାପାଲି, ଗୁଲୁଣ୍ଡା ଆଦି ଗ୍ରାମରେ ଆଶ୍ରମ ସ୍ଥାପନ କରି କିଛି କିଛି ଦିନ ଅବସ୍ଥାନ କଲାପରେ ଅବଶେଷରେ ସେ ଲଛିପୁର ଗ୍ରାମ ନିକଟସ୍ଥ ଖଲିଆପାଲି ଗ୍ରାମରେ ସପରିବାର ଅନୁଗତ ଶିଷ୍ୟମାନଙ୍କ ଗହଣରେ ରହି ମହିମା ଧର୍ମର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ମହିମା ଧର୍ମର ସର୍ବଶ୍ରେଷ୍ଠ ଗ୍ରନ୍ଥ ‘ସ୍ତୁତିଚିନ୍ତାମଣି’ ସମେତ ବହୁ ଭଜନ, ଜଣାଣ, ଚଉତିଶା ଓ ଅନ୍ୟାନ୍ୟ ଗ୍ରନ୍ଥମାନ ପ୍ରଣୟନ କରିଥିଲେ ।

 

ଖଲିଆପାଲି ଆଶ୍ରମରେ ସେ ୧୮୭୬-୭୭ ମସିହାଠାରୁ ଆରମ୍ଭ କରି ଜୀବନର ଅନ୍ତିମକାଳ ପର୍ଯ୍ୟନ୍ତ, ଅର୍ଥାତ୍‌୧୮୯୫ ମସିହା ଶିବ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ଏହି ସମୟରେ ଗୁରୁ ମହିମା ଗୋସାଇଁ ନଥିଲେ । ଭୀମଭୋଇ ତାଙ୍କ ଶିଷ୍ୟ ହରିପଣ୍ଡା, ବାସୁଦେବ ପଣ୍ଡା, ଧର୍ମାନନ୍ଦ ଓ ମାର୍କଣ୍ଡ ଏହି ଚାରିଜଣ ପଣ୍ଡିତ ତଥା ଲେଖକମାନଙ୍କ ଗହଣରେ ଧର୍ମଚର୍ଚ୍ଚା ଓ ଧର୍ମଗ୍ରନ୍ଥମାନ ରଚନା କରି ଜୀବନ ଅତିବାହିତ କରିଥିଲେ ।

 

ଭୀମଭୋଇ ମହିମା ଧର୍ମରେ କେତେକ ଉଦାରନୀତି ନିୟମ ଖଞ୍ଜି ଏହାର ପ୍ରଚାର ଓ ପ୍ରସାର ଘଟାଇଥିବାରୁ ତାଙ୍କୁ ଉଦାର ପନ୍ଥୀ କୁହାଯାଏ । ସେ ତାଙ୍କର ନୂତନ ଆଦର୍ଶ ଉପସ୍ଥାପନ କରି ସ୍ତୁତିଚିନ୍ତାମଣିରେ ଘୋଷଣା କଲେ-

 

ଯୋଗ ଭୋଗ ଦୁହେଁ ସମାନ ଅଟନ୍ତି, କାହାର ପକ୍ଷରେ ଯିବ ?

ବିଷ ଅମୃତ ବେନି ଭାଗ କରିଛି, କେବଣ ଭାଗକୁ ନେବ ?

ସାଧୁ ସୁଜ୍ଞଜନ ନ୍ୟାୟ କର ତୁମେ ବେନି ପକ୍ଷକୁ ବିଚାରି ।

ବେନି ଭାଗଯାକ ଏକଠାବେ ଅଛି, ଯାହା ଗୁଣ ଯେଉଁପରି । ୮୦/୧୮-୧୯

X            X                  X

ଗୃହଧର୍ମ ମାର୍ଗେ ଭଜି ଯେ ପାରିବ କହିବା ତହିଁର ବାଟ

ବିହିତ ଧର୍ମେ ଥାଇ ଭଜି ପାରିଲେ, ମୁକତି ଅତି ନିକଟ । ୮୫-୧

 

ଭୀମଭୋଇ ଖଲିଆପାଲି ଆଶ୍ରମରେ ଅବସ୍ଥାନ କରୁଥିଲା ବେଳେ ଗୃହସ୍ଥାଶ୍ରମରେ ଥାଇ ମହିମା ଧର୍ମର ଦୀକ୍ଷା ଦେଉଥିବାରୁ ଜନସାଧାରଣଙ୍କଦ୍ୱାରା ଓ ମହିମା ଧର୍ମୀ ଅନ୍ୟ ଗୋଷ୍ଠୀର ସାଧୁମାନଙ୍କଦ୍ୱାରା ନିନ୍ଦିତ ହୋଇଥିଲେ । ଏହି କର୍ମ ଯୋଗୁ ସୋନପୁରର ତତ୍କାଳୀନ ରାଜା ନୀଳାଧର ସିଂହଦେବ ତାଙ୍କୁ କାରାଦଣ୍ଡ ଦେଇଥିଲେ ଓ ଅଗ୍ନିରେ ପଶି ଧର୍ମ ପରୀକ୍ଷା ଦେବାକୁ ଆଦେଶ ଦେଇଥିଲେ । ଏହା ୧୮୯୧ ମସିହାର ଘଟଣା । ଭୀମଭୋଇ ବିକଳ ହୋଇ ସ୍ତୁତି ଚିନ୍ତାମଣି ତଥା ଭଜନ ଚଉତିଶାରେ ତାଙ୍କ ବନ୍ଦୀ ଜୀବନର ମର୍ମନ୍ତୁଦ ଘଟଣା ବର୍ଣ୍ଣନା କରିଅଛନ୍ତି ।

 

ଭୀମଭୋଇ ଓ ଭୀମଭୋଇଙ୍କ ମହିମା ଆଶ୍ରମ (ଖଲିଆପାଲି) ର ପ୍ରତିଷ୍ଠା ଦେଖି ଜନସାଧାରଣଙ୍କ କଥା ଦୂରେ ଥାଉ, ଯୋରନ୍ଦା ଗୋଷ୍ଠୀର ସାଧୁମାନେ ଭୀମଭୋଇଙ୍କୁ ନିନ୍ଦା ଅପବାଦରେ ପୋତି ପକାଇଲେ । ସେ ଗୃହସ୍ଥାଶ୍ରମରେ ଥାଇ ମଧ୍ୟ ମହିମା ଧର୍ମର ନୀତି ନିୟମ ଲଂଘନ କରି ଦୀକ୍ଷା ଦେଉଥିବାରୁ ଜନସାଧାରଣ କହିଲେ-

‘‘ଭୀମଭୋଇ କନ୍ଧ-ଆଖି ଥାଉ ଥାଉ ଅନ୍ଧ ।’’

 

କେବଳ ସେତିକି ନୁହେଁ, ତାଙ୍କର ଜୀବିତାବସ୍ଥାରେ ଦଳେ ଆଦିବାସୀ ଶ୍ରେଣୀର ଲୋକ ଜଗନ୍ନାଥ ମନ୍ଦିର ଭିତରକୁ ଧସେଇ ପଶିବାରୁ ମହାଗଣ୍ଡଗୋଳ ଉପୁଜିଥିଲା । ପଣ୍ଡା, ସେବକ ଓ ପ୍ରହରୀମାନେ ସେମାନଙ୍କ ସହିତ ରକ୍ତାକ୍ତ ସଂଘର୍ଷ କରିଥିଲେ ଓ ମନ୍ଦିର ଭିତରେ ଜଣକର ମୃତ୍ୟୁ ଘଟିଥିଲା । ଅଦାଲତ ଏହି ଲୋକଙ୍କୁ ହାଜତରେ ପୂରାଇ ଥିଲେ ଓ ତିନିମାସ ଲେଖାଏଁ ଜେଲଦଣ୍ଡ ଦେଇଥିଲେ । ଲୋକେ ଅଯଥାରେ ଭୀମଭୋଇଙ୍କୁ ଏଥିରେ ସଂଶ୍ଳିଷ୍ଟ କଲେ । କିନ୍ତୁ ସରକାରୀ କାଗଜ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଦଶାରାମ ନାମକ ଜଣେ ବ୍ୟକ୍ତି ଏହାର ନେତୃତ୍ୱ ଗ୍ରହଣ କରିଥିଲା । ଭୀମଭୋଇଙ୍କ ନାମଗନ୍ଧ ଏଥିରେ ନାହିଁ ।

 

ସେହିପରି ଚକ୍ଷୁଷ୍ମାନ ଭୀମଭୋଇଙ୍କୁ ଅନ୍ଧ କନ୍ଧ କହି ଅପବାଦ ଦିଆଗଲା । କିନ୍ତୁ ଭୀମଙ୍କ ରଚନାବଳୀରେ ଏହାର ଉଲ୍ଲେଖ ନାହିଁ କି ସେ ଅନ୍ଧ ଥିବାର ଆଭାସ ସୁଦ୍ଧା ମିଳେ ନାହିଁ । ଯିଏ ଚାରିବର୍ଷ ବୟସରେ ଯୋଗୀପୁତ୍ରଙ୍କୁ ସ୍ୱଚକ୍ଷୁରେ (ପ୍ରତ୍ୟକ୍ଷେ) ଦେଖିଥିଲା, ଚଉଦବର୍ଷ ଯାଏ ଗାଈ ଚରାଇ, ମଜୁରି କରି ପେଟ ପୋଷୁଥିଲା ସେ ଅନ୍ଧହେବା ସମ୍ଭବ କି ?

 

ସେହିପରି ତାଙ୍କୁ ପାଠ ପଢ଼ି ନଥିବା ମୂର୍ଖ, ଅଶିକ୍ଷିତ ବୋଲି କହି ନିନ୍ଦା ଦିଆଯାଇଥାଏ । କିନ୍ତୁ ସେ ଯେ ପାଠ ପଢ଼ିଥିଲେ ଓ ବହୁଶାସ୍ତ୍ର ଅଧ୍ୟୟନ କରିଥିଲେ ନିମ୍ନଲିଖିତ ପଙ୍‌କ୍ତି ତାର ପ୍ରମାଣ ଦିଏ । -

 

‘‘ଜନନୀ ଉଦର ଗୋପ ମଧୁପୁର ପାସୋର ନଯାଏ ମନୁ

ମାତୃଗର୍ଭ ଗଢ଼େ ପାଠ ପଢ଼ିଥିଲି ଟିକେ ଟିକେ ଅଛି ହେତୁ ।

ସ୍ତୁ.ଚି. ୨୨/୧୯

 

ଗୀତା ସାରସ୍ୱତ କରି ପଦ ଅର୍ଥ ଭୀମ ଅରକ୍ଷିତ ଭଣି

ଏ ଶାହାସ୍ତ୍ର ଆଦ୍ୟ ବିଭୁତି ବୃତ୍ତାନ୍ତ ନାମ ସ୍ତୁତି ଚିନ୍ତାମଣି । ସ୍ତୁ.ଚି. ୯/୨୦

ପଢ଼ା ଶାସ୍ତ୍ର ଗୀତ ଶ୍ଳୋକ ଅପ୍ରମିତ, ନ ଶୁଣିଥିଲି ମୁଁ ବେଦେ

ଅଲେଖ ମହିମା ଦ୍ୱି ଅକ୍ଷର ପାଦ ଏବେ ହୋଇଅଛି ଉଦେ । ୨୩/୧୧

 

ପୁଣି - ‘‘ଲେଖନୀ ପତର ଧରି ନିରନ୍ତର କେତେ ମୁଁ କରିବି ପୋଥା ।’’ ଇତ୍ୟାଦି

 

ଏମିତି ହଜାର ହଜାର ଉଦାହରଣ ଭୀମଭୋଇ ରଚନାବଳୀରେ ରହିଛି । ଭୀମଭୋଇଙ୍କୁ ତାଙ୍କ ପ୍ରତିଭା ପାଇଁ ସମ୍ମାନ ନଦେଇ ତାଙ୍କୁ ଅନ୍ଧକନ୍ଧ କହି ଅନ୍ଧତ୍ୱକୁ ସମ୍ମାନ ଦେବା ଉଚିତ ହେବ ନାହିଁ । ଭୀମଭୋଇ ବାସ୍ତବରେ ଚକ୍ଷୂଷ୍ମାନ, ଜ୍ଞାନୀ ସନ୍ଥକବି ଥିଲେ ।

 

N-1/121, ଭୁବନେଶ୍ୱର-୧୫

 

***

 

ଯୋଗସିଦ୍ଧ ସନ୍ଥକବି ଭୀମଭୋଇ ଅନ୍ଧ ନଥିଲେ

ଶ୍ରୀ ବ୍ରଜମୋହନ ଦାନୀ

 

ସତ୍ୟ ମହିମା ଧର୍ମର ପ୍ରତିଷ୍ଠାତା, ପ୍ରଣେତା ଓ ପ୍ରବକ୍ତା ଭାବରେ ମହିମା ସ୍ୱାମୀ ସମଗ୍ର ବିଶ୍ୱରେ ପରିଚିତ । ତାଙ୍କ ପଟ୍ଟଶିଷ୍ୟ ଏହି ଧର୍ମର ପ୍ରଥମ ମହିମା ସ୍ୱାମୀ ସମଗ୍ର ବିଶ୍ୱରେ ପରିଚିତ । ତାଙ୍କ ପଟ୍ଟଶିଷ୍ୟ ଏହି ଧର୍ମର ପ୍ରଥମ କବି ଭୀମକର୍ମା, ଯୋଗଜନ୍ମା ମହାତ୍ମା ଭୀମଭୋଇ କବି ତଥା ଧର୍ମପ୍ରଚାରକ ଭାବରେ ବିଶ୍ୱରେ ବେଶ ସୁଖ୍ୟାତି ଲାଭ କରିଛନ୍ତି । ମୂଳଧର୍ମ ନୀତିର କିଛିଟା ପରିବର୍ତ୍ତନ ଆଣି ଗୁରୁଭାଇଙ୍କ ଠାରୁ ଭର୍ସିତ ଓ ନିନ୍ଦିତ ହୋଇଛନ୍ତି । ତାଙ୍କ ପ୍ରଚାରିତ ଧର୍ମ ମାନବବାଦୀ ସତ୍ୟ ମହିମା ଧର୍ମ । କୁମ୍ଭିପଟୁଆ ଧର୍ମର ରକ୍ଷଣଶୀଳ ମତବାଦରୁ ସାମାନ୍ୟ ଅଲଗା । ଧର୍ମରେ ପରିବର୍ତ୍ତନ ଆଣି ନିନ୍ଦା ଓ ଅପବାଦକୁ ମୁଣ୍ଡପାତି ସହିଛନ୍ତି । ତାଙ୍କରି ଉପରେ ସାହିତ୍ୟ ରଥୀମାନେ ଗବେଷଣା କରୁଛନ୍ତି କିନ୍ତୁ ଥଳ ପାଉନାହାନ୍ତି । କେହି କନ୍ଧ ତ କେହି ଅନ୍ଧ ଭାବରେ, କେହି କ୍ରୋଧି ତ କେହି ବାଉଳା ଭାବରେ ତାଙ୍କୁ ଦେଖିଛନ୍ତି । ବିଶ୍ୱର ସମସ୍ତ ଦୁଃଖ ଆପଣେଇ ନେଇ ମାନବର କଲ୍ୟାଣ ପାଇଁ ବିଶ୍ୱଚେତନା ଓ ମାନବବାଦର ସ୍ୱର ଯାହାଙ୍କ କବିତାରେ ରହିଛି ସେଇ ସନ୍ଥକବି, ଅବତାର ପୁରୁଷ, ଯୋଗସିଦ୍ଧ ଓ ବ୍ରହ୍ମଜ୍ଞାନୀ ସେଇମାନଙ୍କୁ ମଧ୍ୟ ଶ୍ରଦ୍ଧା କରନ୍ତି ।

 

ମହାତ୍ମା ଭୀମଭୋଇଙ୍କ ସମସ୍ତ ଜୀବନ କାହାଣୀ ରହସ୍ୟାବୃତ । ଭୀମଭୋଇ ସ୍ୱରଚିତ କାବ୍ୟକବିତା ଓ ତାଙ୍କ ନିଟକରେ ଥିବା ଭକ୍ତମାନଙ୍କଦ୍ୱାରା ରଚିତ କାବ୍ୟ କବିତା ହିଁ ସେହି ରହସ୍ୟ ଭେଦର ଆଧାର ହୋଇପାରେ । ତାଙ୍କ ଜନ୍ମ ବୃତ୍ତାନ୍ତ ଅଲୌକିକ ଘଟଣା ସହିତ ସଂପୃକ୍ତ । ଭକ୍ତମାନେ ଅଯୋନି ସମ୍ଭୁତ କୁହାଥିବା ସ୍ଥଳେ ସେ ନିଜକୁ ରକ୍ତମାଂସ ଦେହଧାରୀ ପ୍ରକୃତିର ଜନ୍ମ ଓ ମୃତ୍ୟୁର ରହସ୍ୟ ଘେର ମଧ୍ୟରେ ଉବୁଡୁବୁ ହେଉଥିବା ମଣିଷଟାଏ ଭାବରେ ପରିଚୟ କରାଇଛନ୍ତି ।

 

ଏକ ଖଣ୍ଡ ହାଡ଼, ବୁନ୍ଦାଏ ରୁଧିର ଫୁଟେ ମାଉଁଶ ଜାଣଇ

ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନପାରୁଛି ମୁହିଁ ।

 

ଭକ୍ତ ରାହାସବିହାରୀ ଦାସ ତାଙ୍କଠି ଦେବତ୍ୱ ଆରୋପ କରି ଶ୍ରୀଗୁରୁ ମାହାତ୍ମାରେ-

 

‘‘ନୀରବ ପଲ୍ଲବ ଉପରେ ଦୁର୍ଲଭ ପୁରୁଷ ଶୂନ୍ୟରୁ ଆସି

କରିଛି ଶୟନ ଦିଶଇ ଶୋଭନ ଯାଜ୍ଜଲ୍ୟ ରୂପ ପ୍ରକାଶି ।’’

 

ଏପରି ବର୍ଣ୍ଣନା କରିଛନ୍ତି । ସ୍ୱୟଂ ଭୀମଭୋଇ ସ୍ୱଗୁରୁ ମହିମା ସ୍ୱାମୀଙ୍କୁ ମଧ୍ୟ ଅନନ୍ତ ଈଶ୍ୱର କ୍ଷୀର ସିନ୍ଧୁ ବିଷ୍ଣୁ ଭାବରେ ଚିତ୍ରିତ କରିଛନ୍ତି ।

 

‘‘ପିତାମାତା ନାହିଁ ଅଯୋନି ସମ୍ଭୁତ

ନାହିଁ ରଜ ବୀର୍ଯ୍ୟ ଗନ୍ଧ

କେ ଗଢ଼ିନାହିଁ ଆପେ ଗଢ଼ି ହୋଇଛି

ଅରୂପ ଅନାଦି କନ୍ଧ

କ୍ଷୀର ସିନ୍ଧୁ ବାସୀ ଅନନ୍ତ ଈଶ୍ୱର

ହୋଇଛନ୍ତି ଅବତାର ।’’

 

ଯୁଗେ ଯୁଗେ ଭାରତୀୟ ଧର୍ମଧାରଣାରେ ଶିଷ୍ୟ ଗୁରୁଙ୍କୁ ଦେବତ୍ୱ ଆରୋପ କରିବା ଦୃଷ୍ଟାନ୍ତ ବିରଳ ନୁହେଁ ।

 

କବିଙ୍କ ଜନ୍ମିତସ୍ଥାନ ନେଇ ଟଣା ଓଟରା, ଭିଡାଭିଡି କିଛି କମ୍‌ ନୁହେଁ । କେହି ତାଙ୍କୁ ରେଢ଼ାଖୋଲ ଅନ୍ତର୍ଗତ ଗ୍ରାମଡ଼ିହ, କାଙ୍କଣପଡ଼ା, ଢେଙ୍କାନାଳର ଯୋରନ୍ଦା, ବଲାଙ୍ଗୀର ଜିଲ୍ଲାର ପାଇକସର ଗ୍ରାମରେ ଜନ୍ମ ହୋଇଥିବା ଦର୍ଶାଇଥାନ୍ତି । ସୋନପୁର ବୀରମହାରାଜପୁର ଅଞ୍ଚଳର ଜଟେସିଂଘା (କତ୍‌କାଳୀନ ରେଢ଼ାଖୋଲ) ଅଞ୍ଚଳର ଗ୍ରାମରୁ ହିଁ ବାଳକ ଭୀମଭୋଇଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଜନାର୍ଦ୍ଦନ ଭୋଇ ପ୍ରାପ୍ତ ହୋଇଥିଲେ । ହୁଏତ ଭୀମଭୋଇ ସେହି ଗ୍ରାମର ହୋଇଥାଇ ପାରନ୍ତି ବା ସନ୍ନିକଟସ୍ଥ ସେହି ଅଞ୍ଚଳର କୌଣସି ଗ୍ରାମର ତାହା ନିର୍ଦ୍ଦିଷ୍ଟ ଭାବରେ କହିବା କଷ୍ଟକର, କିନ୍ତୁ ଅନ୍ୟତ୍ର ତାଙ୍କ ଜନ୍ମ କଦାପି ହୋଇ ନପାରେ । ସେହିପରି ତାଙ୍କ ପିତୃତ୍ୱ ଉପରେ ଅନେକ ପ୍ରଶ୍ନବାଚୀ । ଜନାର୍ଦ୍ଦନ ଭୋଇ ପୁତ୍ର ଭାବରେ ଲାଳନ ପାଳନ କରିଥିଲେ, ଏହା ଧ୍ରୁବ ସତ୍ୟ, କିନ୍ତୁ ପ୍ରକୃତ ଜନ୍ମିତ ପିତା କିଏ, ସେ କେଉଁ ଜାତିର ଥିଲେ ତାହା ଜଣାପଡ଼ି ନାହିଁ ।

 

ଭୀମଭୋଇଙ୍କ ପରମ ଭକ୍ତ, ସଖା ସହୋଦର ହରିପଣ୍ଡାଙ୍କ ସ୍ୱରଚିତ ‘ଗୁରୁଗୀତା’ରେ ଭୀମଭୋଇଙ୍କ ରୂପକାନ୍ତିର ବର୍ଣ୍ଣନା ରହିଛି । ହରିପଣ୍ଡା ଭୀମଭୋଇଙ୍କୁ ‘‘ଦ୍ୱିନେତ୍ରଂ ଦ୍ୱିଭୁଜଂ ଗୁରୁ’’ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏପରି ଲେଖିଛନ୍ତି –

 

‘‘ବିଶାଳ ନୟନ ଦ୍ୱୟାମ୍ୱୁକ ତଡିତ୍‌ ପ୍ରଭାମଣ୍ଡଳଂ

କର୍ପୋରୋଧବଳ ଗୁରୁ ଶୁକ୍ଳ ବର୍ଣ୍ଣ ଯଥା ।’’

 

ଭୀମଭୋଇଙ୍କ ଦେହର ବର୍ଣ୍ଣ କୃଷ୍ଣବର୍ଣ୍ଣ ବା କଳା ନଥିଲା । କର୍ପୂର ପରି ଧଳା ତାଙ୍କ ଦେହର ରଙ୍ଗ ଥିଲା । ବଡ ବଡ ଆଖି ଥାଇ ସୁନ୍ଦର ଚେହେରାଟାଏ ତାଙ୍କର ଥିବାର ଉପର ବର୍ଣ୍ଣନାରୁ ଜଣାଯାଏ । ଏହା ବାହାରେ ହରିପଣ୍ଡାଙ୍କୁ ପୁଣି ଭକ୍ତ ରାହାସ ବିହାରୀ ଦାସ ଗୁରୁ ମହାତ୍ମାରେ ଭୀମଭୋଇଙ୍କ ବର୍ଣ୍ଣନା ପ୍ରସଙ୍ଗରେ ବଡ଼ ବଡ଼ ଆଖି ମେଘବର୍ଣ୍ଣ କାନ୍ତି ଦେଖି ନାମ ଦେଲେ ଭୀମ ବୋଲି ଲେଖିଛନ୍ତି । କର୍ପୂର ପରି ଧଳା ସହିତ ମେଘବର୍ଣ୍ଣର ସାମଞ୍ଜସ୍ୟ ରହୁନାହିଁ, ତଥାପି ଆଖି ଦୁଇଟି ଖୁବ୍‌ ବଡ଼ ବଡ଼ ଓ ମୁହଁର ଗଠନ ଖୁବ୍‌ ସୁନ୍ଦର । ତାଙ୍କୁ ଅନ୍ଧ କହିବା ସମୀଚୀନ ନୁହେଁ । ଅନ୍ୟତ୍ର ନିଜେ ଭୀମଭୋଇ ଲେଖିଛନ୍ତି –

 

‘‘ବେନି ଭୁଜରେ, ପ୍ରତକ୍ଷେ ଦେଖିଅଛି ଥିଲା ଶଙ୍ଖଚକ୍ର ଚିହ୍ନ’’ ଆଦିରୁ ସେ ଅନ୍ଧ ନଥିବା ସ୍ପଷ୍ଟ । ଐତିହାସିକ ଡଃ ବିଭୂତିଭୂଷଣ ମିଶ୍ର, ଡଃ ଉଦ୍ଧନ ନାଏକ ଅନ୍ୟ ପ୍ରମାଣ ସବୁ ଦର୍ଶାଇ ଯେଉଁ ସତ୍ୟତା ଆଣିଛନ୍ତି ଗୁରୁ ଗୀତାରୁ ଏହା ଆହୁରି ସୁଦୃଢ଼ ହୋଇଛି । ସେ ଆଦୌ ଅନ୍ଧ ନଥିଲେ ବା କନ୍ଧ ଜାତି ମଧ୍ୟ ନୁହନ୍ତି ।

 

ଭୀମଭୋଇଙ୍କ ଜୀବନୀ ସହିତ ଅନେକ ଅଲୌକିକ ଘଟଣା ଅବତାରଣା କରାଯାଏ । ଏ ଆଇସ୍‌ମେନ ମହିମାଧର୍ମ ସମ୍ୱନ୍ଧରେ ଲେଖିବାକୁ ଯାଇ, a rather trantric trend developed in Khaliapali ବୋଲି ଦର୍ଶାଇଛନ୍ତି । ଭୀମଭୋଇ ତାନ୍ତ୍ରିକ ନଥିଲେ ବା ଖଲିଆପାଲି ତନ୍ତ୍ର ବିଦ୍ୟାର ଲେସମାତ୍ର ପ୍ରଭାବ ନଥିଲା । ତାଙ୍କ ଆଶୀର୍ବାଦରୁ ଦୁରାରୋଗ୍ୟ ରୋଗ ଆରୋଗ୍ୟ ହେଉଥିଲା । ବନ୍ଧ୍ୟା ପୁତ୍ର ପାଉଥିଲା, ତାଙ୍କ ଅଭିଶାପରେ ରାଜପ୍ରାସାଦରେ ନିଆଁ ଲାଗିଯାଉଥିଲା ।

 

ମହାରାଜା ନୀଳାଦ୍ରି ସିଂହ ମହାତ୍ମା ଭୀମଭୋଇଙ୍କୁ ଅଗ୍ନି ପରୀକ୍ଷା ପାଇଁ କହିବାରୁ ସର୍ପ ଦର୍ଶନରେ ମରିବାକୁ ପଡ଼ିଥିଲା । ଗ୍ରନ୍ଥାବଳୀରେ ମଧ୍ୟ ମହାତ୍ମା ସମୟ ସମୟରେ ସ୍ତ୍ରୀ ବେଶ ଧାରଣ କରୁଥିବା ଓ ନିଜକୁ ରାଧାରାଣୀଙ୍କ ଅବତାର ବୋଲି ସ୍ୱୀକାର କରୁଥିବା ପ୍ରସଙ୍ଗ ଲିଖିତ । ଏସବୁ ଦୃଷ୍ଟିରୁ ତାଙ୍କଠାରେ ତନ୍ତ୍ର ବିଦ୍ୟାର ଅବତାରଣା କରାଯାଇଛି । ସେ ବ୍ରହ୍ମବିଦ୍ୟା ବଳରେ ଯୋଗ ମାଧ୍ୟମରେ ସିଦ୍ଧିଲାଭ କରାଯାଇ ଅସମ୍ଭବକୁ ସମ୍ଭବ କରାଯାଇ ପାରୁଥିବା ବିଷୟ କହୁଥିଲେ । ଏହିସବୁ ଅଲୌକିକ ପ୍ରତିଭା ଯଦି ତନ୍ତ୍ର ବିଦ୍ୟାର ଆଧାର ତେବେ ଦିବ୍ୟଦ୍ରଷ୍ଟା ପୂଣ୍ୟଶ୍ଳୋକ, ଦେବାତ୍ମା ପୁରୁଷ ଯଶୋବନ୍ତ, ଅନନ୍ତ, ଅଚ୍ୟୁତ, ବଳରାମ ଓ ଜଗନ୍ନାଥ ଦାସ ଆଦି ପଞ୍ଚସଖାମାନେ ସମସ୍ତେ କ’ଣ ତାନ୍ତ୍ରିକ ଥିଲେ ?

 

ଯୋଗସିଦ୍ଧ ଭୀମଭୋଇ :

ମହାତ୍ମା ଭୀମଭୋଇ କବିତା ମାଧ୍ୟମରେ ଶୂନ୍ୟ ଉପାସନା ଓ ଶୂନ୍ୟସାଧନକୁ ନେଇ ମହତ୍‌ ଦାର୍ଶନିକ ଚିନ୍ତାଧାରାର ଅବତାରଣା କରିବା ସହିତ ଶରୀରକୁ ସାଧନାର ମାର୍ଗ ରୂପେ ଗ୍ରହଣ କରିଛନ୍ତି । ଶରୀର ତତ୍ତ୍ୱ, ଧ୍ୟାନ, ଧାରଣା, ସମାଧି ଆଦି ଯୋଗର କ୍ରିୟା ସହିତ ଅଷ୍ଟାଙ୍ଗ ଯୋଗ କର୍ମଯୋଗ, ମୁକ୍ତି ଆଦି ବିଷୟ ଉପରେ ଗୁରୁତ୍ୱ ଆରୋପ କରି ସାଧନାର ପଥକୁ ନିର୍ମଳ ଓ ତ୍ରୁଟିମୁକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି ।

 

‘‘ହିରଣ୍ୟଗର୍ଭ ଯୋଗସ୍ୟ ବକ୍ତା ନାନ୍ୟ ପୁରାତନଃ’’ ହିରଣ୍ୟଗର୍ଭ କୌଣସି ଭୌତିକ ମଣିଷର ନାମ ନୁହେଁ । ସେ ସକଳ ଭୂତର କର୍ତ୍ତା । ଯୋଗର ବକ୍ତା । ଶୂନ୍ୟରୂପୀ ପରଂବ୍ରହ୍ମ । ଅଲେଖ, ଅରୁପ, ଅଦୃଶ୍ୟ, ନିର୍କିକଳ୍ପ, ନିରଞ୍ଜନ ଓ ସତ୍ୟବ୍ରହ୍ମ । ଏଇଠୁଁ ପଞ୍ଚଭୂତର ଉତ୍ପତ୍ତି ଓ ବିଲୟ ହୁଏ । ଭୀମଭୋଇ ତାଙ୍କୁ ପରମ ଗୁରୁ ଭାବରେ ଗ୍ରହଣ କରି ଧ୍ୟାନ, ଆତ୍ମସଂଯମ, ଏକାକ୍ଷର ଜପ, ତପ, ମନ୍ତ୍ର ମୁକ୍ତିର ପାଥେୟ ରୂପେ ଦର୍ଶାଇଛନ୍ତି । ଇନ୍ଦ୍ରିୟ ସମୂହକୁ ମନ ସହିତ ହୃଦୟରେ ପ୍ରବେଶ କରାଇ ଓଁକାର ରୂପୀ ନୌକା ଆରୋହଣ କରି ଭୟ ଉତ୍ପନ୍ନକାରୀ ସକଳ ସ୍ରୋତକୁ ଅତିକ୍ରମ କରାଯାଇ ପାରେ । ପ୍ରକୃତିରୁ ଉତ୍ପନ୍ନ ତିନିଗୁଣ ସତ୍ତ୍ୱ, ରଜ, ତମ ଆତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖିଥାଏ । ଗୁଣମାନଙ୍କର ପ୍ରକୃତ ରୂପ ଦୃଷ୍ଟିଗୋଚର ହୁଏ ନାହିଁ । ‘‘ଗୁଣାନୀ ପରମଂ ରୂପଂ ନ ଦୃଷ୍ଟି ପଥମୃଚ୍ଛତି’’ । ରଜ୍ଜୁ ସର୍ପ ନୂହେଁ, ଆକାଶ ନୀଳ ନୁହେଁ, କିନ୍ତୁ ରଜ୍ଜୁଠାରୁ ସମୟବିଶେଷରେ ଆମେ ସର୍ପତ୍ୱ ଆରୋପ କରିଥାଉଁ । ପ୍ରକୃତିର ଉଦ୍ଭବ ସମସ୍ତ ବସ୍ତୁ ମାୟା, କେବଳ ପରଂବ୍ରହ୍ମ, ଶୂନ୍ୟ ବ୍ରହ୍ମ ନିଶ୍ଚିତ । ତାକୁ ପାଥେୟ କରି ଯୋଗ ସାଧନା ମାଧ୍ୟମରେ ନିର୍ବାଣ ବା ମୁକ୍ତିଲାଭ କରାଯାଇପାରେ-। ଭୀମଭୋଇଙ୍କ ଆଦି ଅନନ୍ତ ଗୀତା, ଜୀବ ଓ ପରମ, ପିଣ୍ଡ ଓ ବ୍ରହ୍ମାଣ୍ଡ ତତ୍ତ୍ୱ ଉପରେ ଆଧାରିତ । ମୋକ୍ଷପ୍ରାପ୍ତି ନିମିତ୍ତ ଯୋଗଶାସ୍ତ୍ରରେ ନିର୍ଦ୍ଧାରିତ ପନ୍ଥାକୁ ଗ୍ରହଣ କରିବା ପାଇଁ ଭୀମଭୋଇ ବେଦାନ୍ତ ସାର ‘‘ଗୁପ୍ତଗୀତା’’ ‘‘ଅମର କୋଷ ଗୀତା’’ ଆଦି ଗ୍ରନ୍ଥମାନଙ୍କରେ ବର୍ଣ୍ଣନା କରିଛନ୍ତି । ଚରିତ୍ର ଶୁଦ୍ଧି ଓ ସଂଯମ ଅଧିକ ଶ୍ରେୟ ଭାବରେ ଦର୍ଶାଇ ଅଛନ୍ତି । ସମାଜ ତଥା ସମାଜ ବ୍ୟବସ୍ଥାକୁ ତୃଟିମୁକ୍ତ କରିବା ପାଇଁ ତାଙ୍କର ରଚନାବଳୀ ଅଭିପ୍ରେତ । ସୌରାଚାର ଓ ଯୌନ ବିକାରଗ୍ରସ୍ତ ଲୋକାଚାରରୁ ନିବୃତ୍ତ କରିବାପାଇଁ ଉଦ୍ୟମ କରିଛନ୍ତି ।

 

ମଣିଷକୁ ଏକ ଅବିନଶ୍ୱର ପ୍ରତିବିମ୍ୱ ଭାବରେ ଗ୍ରହଣ କରିଛନ୍ତି । ସମସ୍ତ ଆରାଧନାସ୍ଥଳୀ ମଣିଷ ଏହି ପିଣ୍ଡ ମଧ୍ୟରେ ଗଙ୍ଗା, ଯମୁନା, ସରସ୍ୱତୀ ଆଦି ପ୍ରବାହିତ । ‘‘ତ୍ରିବେଣୀ ଘାଟ ଏ ଭୂଲତା, ଇଙ୍ଗଳା ଭାଗୀରଥ ନାମ, ପିଙ୍ଗଳା ଯମୁନା ଉପାମ, ତହିଁ ଦୁଆରେ ମହାମାୟୀ, ଘାଟ ଯଗିଛି ବସି ତହିଁ ।’’ ଆଦିର ବର୍ଣ୍ଣନା ଯୋଗଶାସ୍ତ୍ରରେ ତାଙ୍କର ଗଭୀର ପ୍ରବେଶ ଥିବାର ସୁଚନା ଦିଏ । ଅମର କୋଷ ଗୀତାରେ ଯୋଗତତ୍ତ୍ୱକୁ ସନ୍ନିବେଶିତ କରି ପାତଞ୍ଜଳି ଯୋଗଶାସ୍ତ୍ରର ଜଟିଳତତ୍ତ୍ୱକୁ ସରଳ ଭାଷାରେ ଉପଦେଶ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ସଦାଚାର ଅନୁଶୀଳନରେ ବ୍ରତୀ ହେବାପାଇଁ ଭୀମଭୋଇ କହିଛନ୍ତି ।

 

ମଣିଷ ଶରୀରରେ ଅସଂଖ୍ୟ ପ୍ରାଣବାହୀ ନାଡ଼ୀ ପ୍ରବାହିତ । ଏମାନଙ୍କ ମଧ୍ୟରେ ସୁଷ୍ମନା, ଇଡ଼ା ଓ ପିଙ୍ଗଳା ତିନୋଟି ପ୍ରଧାନ । ସୁଷ୍ମନାକୁ ସରସ୍ୱତୀ, ଇଡ଼ାକୁ ଗଙ୍ଗା ଓ ପିଙ୍ଗଳାକୁ ଯମୁନା କୁହାଯାଏ । ଏମାନଙ୍କ ଶରୀର ମଧ୍ୟରେ ମିଳନ ଓ ପୂନର୍ମିଳନକୁ ମୁକ୍ତ ତ୍ରିବେଣୀ ଓ ଯୁକ୍ତ ତ୍ରିବେଣୀ ଭାବରେ ଆଖ୍ୟାୟିତ କରାଯାଇଛି । ପ୍ରାଣାୟାମ ଯୋଗର ଏକାନ୍ତ ସାଧନ ଭାବରେ ଦର୍ଶାଇ ମୁକ୍ତିର ପଥ ସୁଗମ କରିବା ପାଇଁ ବିରାଟ ଗୀତାରେ-

 

‘‘ବ୍ରହ୍ମାଣ୍ଡ ଯେତେ ବିଧି ମତ, ପିଣ୍ଡରେ ଅଛନ୍ତି ସମସ୍ତ

ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ତୋ ଆଗେ କହିଦେଲି ତତ୍ତ୍ୱ ।’’

ଅନ୍ୟତ୍ର ତରିବାକୁ ଥିଲେ ଆଶ, ନିର୍ବେଦ ଧାମରେ ପଶ

ସଦଜ୍ଞାନ ମୁକ୍ତି ପଥ ଗୁରୁଦ୍ୱାରେ ପରଚ ହୋଇ ପାରିଲେ ଅଣାକାରେ

ନିଶ୍ଚୟ ପାଇବ ଭେଟ ଅମନ ପୁରେ ।’’

 

ଏମିତି ଅନେକ ଉଦ୍ଧୃତି ମିଳିବ । ଜୀବନର ଅନ୍ତିମ ମୁହୁର୍ତ୍ତରେ ଯୋଗାସନରେ ଥାଇ ୧୮୯୫ ପବିତ୍ର ଶିବ ଚତୁର୍ଦ୍ଦଶୀ ଦିନ ଇହଧାମ ତ୍ୟାଗ କରିଥିଲେ ।

 

‘‘ଯୋଗାସନେ ବସି ଗୁରୁ ଶୂନ୍ୟକୁ ଅନାଇ

ପିଣ୍ଡରୁ ପ୍ରାଣ ତେଜିଲେ ଅଲେଖଙ୍କୁ ଚାହିଁ ।’’

 

ମହାତ୍ମାଙ୍କ ସମ୍ବନ୍ଧରେ ଚର୍ଚ୍ଚା ହେଉ, ତର୍କ ବିତର୍କ ହେଉ, କିନ୍ତୁ ନାକାରାତ୍ମକ ଶବ୍ଦ ବ୍ୟବହାର କରି କବିଙ୍କ ଯଶଗାନ ଯେତେ କଲେ ମଧ୍ୟ ଉପଯୁକ୍ତ ସମ୍ମାନ ପ୍ରଦର୍ଶନରେ ହେଳା କରାଗଲା ବୋଲି ବିବେଚନା କରାଯାଏ । ଏଥିରୁ ସୁଧୀବୃନ୍ଦ କ୍ଷାନ୍ତ ହେବା ପାଇଁ ଆଜିର ଏ ପବିତ୍ର ଦିବସରେ ବିନମ୍ର ନିବେଦନ ।

 

 

ସୋନପୁର

ଜି : ସୁବର୍ଣ୍ଣପୁର

 

***

 

Unknown

ଭୀମଭୋଇଙ୍କ ନିର୍ଗୁଣ ସାଧନା

ଶ୍ରୀ ନିରାକାର ମହାଳିକ

 

ବିଶ୍ୱ ଧର୍ମଧାରାରେ ସନାତନ ଧର୍ମ, କେଉଁ ଅନାଦିକାଳରୁ ଭାରତୀୟ ସମାଜ, ସାହିତ୍ୟ ଓ ସଂସ୍କୃତିକୁ ପ୍ରଭାବିତ କରି ଆସିଛି । ଏହି ଧର୍ମଧାରାରେ ବୌଦ୍ଧ. ଜୈନ. ବୈଷ୍ଣବ, ଶୈବ, ଶାକ୍ତ ଓ ଗାଣପତ୍ୟ ପ୍ରଭୃତି ଧର୍ମସଂପ୍ରଦାୟଗୁଡ଼ିକ ପ୍ରମୁଖ ସ୍ଥାନ ଅଧିକାର କରିଛନ୍ତି । ଏମାନଙ୍କ ପରି ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆଉ ଏକ ନୂତନଧର୍ମ ଏହି ଓଡ଼ିଶା ମାଟିରେ ଜନ୍ମଲାଭ କରିଛି- ତାହା ହେଉଛି ‘ମହିମାଧର୍ମ’ । ମହିମା ଗୋସାଇଁ ହେଉଛନ୍ତି ଏହି ଧର୍ମର ଆଦି ପ୍ରବର୍ତ୍ତକ ।

 

ଏହା ଏକ ସର୍ବବାଦୀ ସମ୍ମତ ମତ ଯେ ୧୮୨୬ ମସିହାରେ ମହିମା ଗୋସାଇଁଙ୍କର ଆବିର୍ଭାବ ଓଡ଼ିଶାରେ ହୋଇଥିଲା । ତାଙ୍କର ଏହି ଆବିର୍ଭାବ ସମୟଠାରୁ ମହିମାବ୍ଦ ପ୍ରଚଳିତ ହୋଇଆସୁଛି । ସେ ଥିଲେ ମହାନ୍‌ ଯୁଗପୁରୁଷ ଯୋଗେଶ୍ୱର ସ୍ୱାମୀ । ତାଙ୍କର ପ୍ରଥମ ଶିଷ୍ୟ ହେଉଛନ୍ତି ଗୋବିନ୍ଦ ଦାସ । ସେ ତାଙ୍କ ସହିତ ଭୀମଭୋଇଙ୍କ ଜନ୍ମସ୍ଥଳୀ ରେଢ଼ାଖୋଲର କଙ୍କଣପଡ଼ା ଯାଇ ତାଙ୍କୁ ମହିମାଧର୍ମରେ ଦୀକ୍ଷିତ କରିଥିଲେ ।

 

ଭୀମଭୋଇ ନିଜର ପିରଚୟ ପ୍ରସଙ୍ଗରେ କହିଛନ୍ତି ଯେ, ସେ ଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ‘ଧନେଶ୍ୱର ଭୋଇ’ । ମାତାଙ୍କ ନାମ ବିଷୟରେ କୌଣସି ସଠିକ୍‌ ତଥ୍ୟ ନଥିଲେ ମଧ୍ୟ ଲୋକମୁଖରେ ତାଙ୍କ ମାତାଙ୍କ ନାମ ‘ଗୁରୁବାରୀ’ ବୋଲି ଜଣାଯାଏ । ପିଲାଟି ଦିନରୁ ସେ ତାଙ୍କର ପିତାଙ୍କୁ ହରାଇ ଉତ୍କଟ ଦାରିଦ୍ର୍ୟ ଭିତରେ ଗତି କରୁଥିଲେ । ଜୀବନ ଧାରଣପାଇଁ ତାଙ୍କୁ ଭିକ୍ଷା କରିବାଠାରୁ ଆରମ୍ଭ କରି ଗାଈ ଚରାଇବା ପର୍ଯ୍ୟନ୍ତ ବିଭିନ୍ନ ବୃତ୍ତିର ଆଶ୍ରୟ ନେବାକୁ ପଡୁଥିଲା । ଏହିପରି ଦୁଃଖ କଷ୍ଟରେ ତାଙ୍କର ବାଲ୍ୟ ଓ କିଶୋର ଜୀବନ ଅତିବାହିତ ହେଲା । ସେ ଏହି ସମୟରେ ନିଜର ସଂସ୍କାର ବଳରେ ଗୀତ କବିତା ଆଦି ରଚନା କରୁଥିଲେ । ଡାଲଖାଇ, ହଳିଆ ଗୀତ, ରସରକେଲି, ବଉଳି, ଜାଇଫୁଲ ପ୍ରଭୃତି ରୋମାଞ୍ଚକର ସଙ୍ଗୀତ ତାଙ୍କର ଆଦ୍ୟ ରଚନା ।

 

ସେତେବେଳକୁ ତାଙ୍କର ବୟସ ଷୋହଳ ବର୍ଷ । ଏଇଠାରୁ ତାଙ୍କ ଜୀବନ ଏକ ନୂତନ ମୋଡ଼ନେଲା । ତାଙ୍କୁ ମିଲିଗଲା ଏକ ଆଲୋକର ପଥ । ଯୋଗପୁରୁଷ ମହିମା ଗୋସାଇଁ ସାରସ୍ୱତ ସାଧନା ପାଇଁ ତାଙ୍କୁ ଜ୍ଞାନ ଚକ୍ଷୁ ପ୍ରଦାନ କଲେ । ଏଇ କିଶୋର ଅବସ୍ଥାରେ ଭୀମଭୋଇଙ୍କର ଆଧ୍ୟାତ୍ମିକ ଜୀବନର ଅଭ୍ୟୁଦୟ ହେଲା । ସେ ସେଇ ଦିନଠାରୁ ମହିମାଧର୍ମର ପ୍ରଚାର ପାଇଁ ସ୍ତୁତି, ଭଜନ, ଚଉତିଶା ପ୍ରଭୃତି ନାନା ଭକ୍ତିମୂଳକ ରଚନା ଲେଖିଯାଇଛନ୍ତି । ପୂର୍ବରୁ ମହିମା ଧର୍ମ ସଂକ୍ରାନ୍ତରେ ସେପରି କୌଣସି ଭକ୍ତି ରସାଣିତ ଲେଖା ନଥିଲା । ସନ୍ଥକବି ଭୀମଭୋଇ ହେଉଛନ୍ତି ମହିମା ସାହିତ୍ୟର ଆଦି ପ୍ରବର୍ତ୍ତକ । ସେ ଅନେକଗୁଡ଼ିଏ ମହିମାଧର୍ମ ସମ୍ବନ୍ଧୀୟ ଧର୍ମପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ ପ୍ରାୟ ୨୩ ଖଣ୍ଡ ତାଳପତ୍ର ପୋଥିରୁ ପୁସ୍ତକ ଆକାରରେ ପ୍ରକାଶିତ ହେଲାଣି । ଆଉରି ଅନେକ ଅପ୍ରକାଶିତ ତାଳପତ୍ର ପୋଥି ଅଛି । ତାଙ୍କର ପ୍ରଥମ ଆଧ୍ୟାତ୍ମିକ ପୁସ୍ତକ ହିସାବରେ ‘ଆଦିଅନ୍ତ ଗୀତା’କୁ ଗ୍ରହଣ କରାଯାଏ ।

 

ଭୀମଭୋଇ ମହିମାଧର୍ମ ବା ଅଲେଖ ଧର୍ମ ବିଷୟରେ କହିଛନ୍ତି ‘ଅଲେଖ’ ହେଉଛନ୍ତି ଅଦ୍ୱିତୀୟ ପରଂବ୍ରହ୍ମ । ଏହି ଅଲେଖ ପରଂବ୍ରହ୍ମଙ୍କର ଶରଣ, ଭଜନ ଓ ଦର୍ଶନ ହେଉଛି ମହିମାଧର୍ମର ମୂଳପିଣ୍ଡ । ‘ଅଲେଖ’ ଶବ୍ଦର ଅନ୍ୟଅର୍ଥ ହେଉଛି ଅକ୍ଷୟ, ଅବ୍ୟୟ, ଅନାଦି, ଅଣାକାର ଓ ମହାଶୂନ୍ୟ । ଏହି ଶୂନ୍ୟହିଁ ପରଂବ୍ରହ୍ମ ।

 

‘‘ହୃଦ ପଦ୍ମରେ ପ୍ରକୃତି ବିଚାର ଆଉ ନ ଭାବୁ ଏ ମନ ।

ଗଳାରେ ବସନ ବାନ୍ଧି ଜଣାଉଛି ହେ ଅଲେଖ ମହାଶୂନ୍ୟ ।’’

(୭୪/୧୭/ସ୍ତୁତି ଚିନ୍ତାମଣି)

 

ସେହି ମହାଶୂନ୍ୟ ଅଲେଖ ପରଂବ୍ରହ୍ମ ସ୍ୱ ମହିମାରେ ମହିମାନ୍ୱିତ । ଭୀମଭୋଇ ସେଇ ଶୂନ୍ୟପୁରୁଷ ମହିମା ମହାପ୍ରଭୁଙ୍କ ପାଦପଦ୍ମର ପରାକାଷ୍ଠା ପ୍ରକାଶ କରିବାକୁ ଯାଇ କହିଛନ୍ତି –

 

‘‘ଗମ୍ୟ ନାହିଁ ଚାରିଧର୍ମ ଜ୍ୟୋତି ଜ୍ୱାଳା ଉର୍ମ ଧୂର୍ମ

ବ୍ରହ୍ମା ବିଷ୍ଣୁ ଶିବ ବଣା ଏମନ୍ତ ସେ ଯେଉଁ ପାଦ ।’’

(ଭଜନମାଳା)

 

ସେ ଜ୍ଞାନଚକ୍ଷୁ ଲାଭକରି ସେହି ପରମ ପୁରୁଷ ଯୋଗେଶ୍ୱର ମହିମାସ୍ୱାମୀଙ୍କ ପାଦପଦ୍ମଙ୍କୁ ପ୍ରଥମେ ଧ୍ୟାନ କରିଛନ୍ତି- ‘‘ଧ୍ୟାୟିଗୁରୁ ପୟରକୁ, ବନ୍ଦେ ଅଲେଖ ସ୍ୱାମୀଙ୍କୁ, ବନ୍ଦନା ପାଦପଦ୍ମକୁ ।’’

(ଭଜନମାଳା)

 

ସେ ପରମପାଦ ଲାଭ କରିବାକୁ ହେଲେ ପରଂବ୍ରହ୍ମଙ୍କ ଠାରେ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରି ନିର୍ମଳ ନିଷ୍ପାପ ଜୀବନ ଯାପନ କରିବାକୁ ପଡ଼ିଥାଏ । ଏହା ହେଉଛି ମହିମାଧର୍ମର ମୂଳଭିତ୍ତି । ଭୀମଭୋଇ ମହିମା ସ୍ୱାମୀଙ୍କୁ ପିଣ୍ଡପ୍ରାଣ ସମର୍ପଣ କରିବାକୁ ଯାଇ କହିଛନ୍ତି –

 

‘‘ବଚନକୁ ଜଗି ପାଦପଦ୍ମ ସେବି

ସେବା ଭକ୍ତି ଦାନ ଦେବି

ପିଣ୍ଡପ୍ରାଣ ମୋର ସମର୍ପଣ କରି

ନିଜ ଅଙ୍ଗେ ଲୀନ ହେବି ।’’ (୧୪-୨୨ ସ୍ତୁ:ଚି:)

 

ଜୀବନର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ଅଲେଖ ସ୍ୱାମୀଙ୍କଠାରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବାକୁ ସେ ଜିଜର ବିଭିନ୍ନ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି –

 

‘‘ସମର୍ପି ଦେଲି ପାଇଲି ସର୍ବ

ବୁଝ ନବୁଝ ସ୍ୱାମୀ ଗୁରୁଦେବ ।’’

 

ଭୀମଭୋଇ ଏଠାରେ କେବଳ ନିଷ୍କାମ ଭାବରେ ନିଜକୁ ସମର୍ପଣ କରିବାକୁ କହିଛନ୍ତି । ତାଙ୍କ ମତରେ ଅଲେଖଧର୍ମ ହେଉଛି ନିଷ୍କାମ ଧର୍ମ ଓ ନିର୍ବେଦ କର୍ମ ।

 

‘‘ସିଦ୍ଧ ବ୍ରହ୍ମବାଣୀ କମ୍ପୁଛି ଧରଣୀ ଚିନ୍ତିଲେ ଖଣ୍ଡୁଛି ପାପ ।

ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ବାନା ଉଡ଼ୁଛି ଅଲେଖ ।’’

(୩-୧୮ । ସ୍ତୁ.ଚି)

 

‘‘ଆକାଶ ମଣ୍ଡଳୁ ପଦ ଉତୁରାଇ ରବିତଳେ ଯେହୁ ଦେଲା ।

ବ୍ରହ୍ମଜ୍ଞାନ ବୀଜ ନିର୍ବେଦରୁ ଆଣି ବ୍ରହ୍ମାଣ୍ଡ ଯାକ ବୁଣିଲା ।’’

(୬୫-୧୫-ସ୍ତୁ : ଚି)

 

ଏଥିରେ ନିର୍ବେଦ କର୍ମ ବା ନିଷ୍କାମ କର୍ମର ଫଳ ସ୍ୱରୁପ ଅଲେଖ ପୁରୁଷଙ୍କ ପାଦପଦ୍ମ ପ୍ରାପ୍ତିହିଁ ଭକ୍ତର ଏକମାତ୍ର କାମନା ।

 

‘‘ଶୂନ୍ୟ ଶୂନ୍ୟ ମହାଶୂନ୍ୟହିଁ ସେହି ନିର୍ବେଦ ପୁରୁଷ ।

‘‘ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ବିଶ୍ରାମ ନାମ ଅଟଇ ନିର୍ବେଦ ।’’

(୪୯-୧-ସ୍ତୁ : ଚି)

 

ଏହି ଶୂନ୍ୟମଣ୍ଡଳରୁ ସେଇ ନିର୍ବେଦ ପୁରୁଷଙ୍କଠାରୁ ଭୀମଭୋଇ ସମସ୍ତ କବିତ୍ୱର ପଦ, ବ୍ରହ୍ମଜ୍ଞାନର ବୀଜମନ୍ତ୍ର ଆହରଣ କରିଛନ୍ତି ବୋଲି କହିଛନ୍ତି । ରବିକର ସଦୃଶ ଏହି ବ୍ରହ୍ମଜ୍ଞାନ ବିଶ୍ୱବ୍ରହ୍ମାଣ୍ଡରେ ଜଗତର ହିତସାଧନ ପାଇଁ ପ୍ରକାଶିତ ହୋଇଛି । ଏହି ବ୍ରହ୍ମଜ୍ଞାନକୁ ଭୀମଭୋଇ ନିର୍ଗୁଣ ବୋଲି କହିଛନ୍ତି –

 

‘‘ନିର୍ଗୁଣ ଯେ ବ୍ରହ୍ମଜ୍ଞାନ ଏବେ ସ୍ୱଦେହରେ ଚିହ୍ନ

ନାଗାନ୍ତି ଯୋଗାନ୍ତି ସିଦ୍ଧାନ୍ତ ମୁନି ।୫।

ପିଣ୍ଡ ପ୍ରାଣ ତାରି ନେବେ ବାଞ୍ଛା ପୂର୍ଣ୍ଣ କରାଇବେ

ଅଶେଷ ବ୍ରହ୍ମାଣ୍ଡ ସ୍ୱାମୀ ମୁକୁଟମଣି’’ ।୬।

(ଭଜନମାଳା)

 

ଏହି ନିର୍ଗୁଣ ବ୍ରହ୍ମଙ୍କୁ ନାଗାନ୍ତି, ଯୋଗାନ୍ତି, ବେଦାନ୍ତି ମୁନିମାନେ ସ୍ୱଦେହରେ ଚିହ୍ନିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ପୁଣି ଭାବରେ ଆସିଥାନ୍ତି । ମିଥ୍ୟାଚାରଠାରୁ ଦୂରରେ ରହିଥାନ୍ତି, ସତ୍ୟରେ ସର୍ବଦା ବିଦ୍ୟମାନ କିନ୍ତୁ ନିଷ୍କାମ ନିର୍ଗୁଣରେ ଧରାଦିଅନ୍ତି ।

 

ଭାବକୁ ଆସନ୍ତି ଚାଲି ପୁଣି ପଛେ ଦ୍ୟନ୍ତି ଛଳି

ସତ୍ୟ ଥିଲେ ଥାନ୍ତି ଗୋ ଅସତ୍ୟେ ନଥାନ୍ତି ।

ଭଣେ ଭୀମ ଅରକ୍ଷିତ ଧ୍ୟାୟି ଗୁରୁ ପାଦ ଗତ

ନିଷ୍କାମ ନିର୍ଗୁଣେ ଧରାଦିଅନ୍ତି ଗୋ । ୬।

(ଉଜନମାଳା)

 

ଭୀମଭୋଇ ନିଷ୍କାମ ନିର୍ଗୁଣ ଭାବରେ ରହିଲେ ଯାଇ ମୁକ୍ତିପଦ ପାଇବ ବୋଲି କହିଛନ୍ତି । ନିଷ୍କାମ ନିର୍ଗୁଣ ଭାବ, ସତ୍ୟ, ସେବା ଓ ଭକ୍ତିରେ ଜୀବ ବୁଡ଼ି ନଯିବା ପର୍ଯ୍ୟନ୍ତ ସମ୍ଭବ ନୁହେଁ ।

 

‘‘ସତ୍ୟଧର୍ମ ବୋଲିବାର ଯେଉଁ ନାମ

ବ୍ରହ୍ମ ଶକତିରୁ ହୁଅଇ ଜନମ

ନୋହେ ମିଥ୍ୟାପଦ ସାକ୍ଷାତେ ସେ ପାଦ

ନିଷ୍କାମ ନିର୍ଗୁଣ ଜୀବ ମୁକ୍ତିପଦ

ସେବା ଭକତିରେ ଚେତା ସୁମର ।୫।

(ଭଜନମାଳା)

 

ମହିମାଧର୍ମର ଶୂନ୍ୟବାଦ ପ୍ରସଙ୍ଗରେ ଯେତେ କଳ୍ପନା, ଜଳ୍ପନା ଓ ଆଲୋଚନା କଲେ ମଧ୍ୟ ସନ୍ଥକବି ସେ ସମସ୍ତ କଳ୍ପନାର ଊର୍ଦ୍ଧ୍ୱରେ ତାଙ୍କ ଚିନ୍ତାଧାରାକୁ ସ୍ଥାନ ଦେଇଛନ୍ତି । ସେ ଦର୍ଶାଇଛନ୍ତି, ରୂପରେଖ ନାହିଁ ଯାର ସେ ଅଲେଖ ପୁରୁଷଙ୍କୁ ମୁଖର ଭାଷାରେ ପ୍ରକାଶ କରାଯାଇ ପାରିବ ନାହିଁ । ସେ ଶରୀର ମଧ୍ୟରେ ଶୂନ୍ୟ ଶୂନ୍ୟ ମହାଶୂନ୍ୟର ସ୍ଥାନ ନିରୂପଣ କରିବାକୁ ଯାଇ ଯୋଗର ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି । ମହିମାଧର୍ମର ପ୍ରାତଃ ଓ ସାୟଂକାଳୀନ ଶରଣ ଓ ଧାରଣାଯୋଗ ପର୍ଯ୍ୟାୟଭୁକ୍ତ ହେଲେ ମଧ୍ୟ ଏହା ବ୍ରହ୍ମସୂତ୍ରବାଦୀ ପତଞ୍ଜଳିଙ୍କ ଯୋଗଦର୍ଶନ ନୁହେଁ । ‘ଯୋଗ’ ଶବ୍ଦର ବ୍ୟାଖ୍ୟାକରି ପତଞ୍ଜଳି କହିଛନ୍ତି ‘ଯୋଗଶ୍ଚିତ୍ତ ବୃତ୍ତି ନିରୋଧଃ’ । ଚିତ୍ତ ବୃତ୍ତିର ନିରୋଧକୁ ‘ଯୋଗ’ କୁହାଯାଏ । ମହିମାଧର୍ମରେ ଚିତ୍ତବୃତ୍ତିର ନିରୋଧ ଥିଲେ ମଧ୍ୟ ଶରଣ ଓ ଧାରଣା ଧର୍ମାଚରଣ ବିଧିର ଅନ୍ତର୍ଗତ ।

 

ସନ୍ଥ ଭୀମଭୋଇଙ୍କ ରଚନାବଳୀରୁ ନିମ୍ନ ପଂକ୍ତିଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ, ତା ଭିତରେ କ୍ରିୟାଯୋଗର ସ୍ୱର ନିହିତ ଅଛି ।

 

(୧)

‘‘ନିର୍ବେଦ ପୁରୁଷ ବେଦ ନ ଲାଗଇ ନ ପଶେ ଶବଦ ଭେଦ

 

ଅଖଣ୍ଡ ବ୍ରହ୍ମସେ ଖଣ୍ଡ ଖଣ୍ଡ ନୁହେଁ ନାହିଁ ତାର ବିନ୍ଦୁନାଦ ।’’ ୮୭-୫ ସ୍ତୁ:ଚି

 

 

(୨)

‘‘ଯେହ୍ନେ ଜଳଧାର ସେହି ପରକାର ଯନ୍ତ୍ରରେ ସୂତ୍ରକୁ ଧରି

 

ଚିଆଁଇ ଚୈତନ୍ୟ ଜୀବ ପରମକୁ ଭେଟାଭେଟି କର ହରି ’’ ୧୫-୧୨ ସ୍ତୁ : ଚି

 

 

(୩)

ବ୍ରହ୍ମ ଯେଉଁଠାରେ ଅଛି ନିଗମ ଭୁବନ

 

ଅନ୍ଧାର ଉଜ୍ଜ୍ୱଳ ନୋହେ ନାହିଁ ରାତ୍ରି ଦିନ ।

 

ନିଶବଦ ମନ୍ଦିର ସେ ନାହିଁ ଶବ୍ଦ ଭେଦ

 

ରଜବୀର୍ଯ୍ୟ ନ ଲାଗଇ ନାହିଁ ବିନ୍ଦୁନାଦ ।’’

(୧-୪୩-୪୪) (ବ୍ରହ୍ମନିରୂପଣ ଗୀତା)

 

 

 

ଅଖଣ୍ଡ ବ୍ରହ୍ମହିଁ ନିର୍ବେଦ ପୁରୁଷ । ତାଙ୍କର ବିହାରସ୍ଥଳୀ ହେଉଛି ନିଗମ ଭୁବନ । ସେଠାରେ ଆଲୋକ ନାହିଁ କି ଅନ୍ଧକାର ନାହିଁ । ସେ ସ୍ଥାନକୁ କୌଣସି ଶବ୍ଦ ପ୍ରବେଶ କରିପାରେ ନାହିଁ । ସେଠାରେ ହୁଏ ଜୀବ ଓ ପରମଙ୍କର ନିତ୍ୟ ମିଳନ । ଏହା ହେଉଛି ଶରୀର ଭେଦର କଥା-କ୍ରିୟାଯୋଗୀମାନେ କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତକରି ଷଡ଼ଚକ୍ର-(ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ ଓ ଆଜ୍ଞାଚକ୍ର) ଅତିକ୍ରମ କରି ସହସ୍ରାରେ ପହଞ୍ଚିବାର ଉପଲବ୍‌ଧ ଜ୍ଞାନ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଯୋଗଦର୍ଶନରେ କୁଣ୍ଡଳିନୀ ଶକ୍ତିକୁ ଇଡ଼ା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ୀରେ ସହସ୍ରା ପର୍ଯ୍ୟନ୍ତ ନେବା ବିଷୟରେ କୁହାଯାଇଛି । ଭୀମଭୋଇ ଏହି ଗହନ ତତ୍ତ୍ୱକୁ ସରଳ ଭାଷାରେ, ଗାଁ ଗହଳରେ, ନିରକ୍ଷର ଲୋକମାନଙ୍କ ପାଖରେ ପରିବେଷଣ କରିଛନ୍ତି । ତାଙ୍କ ମତରେ ତାଳୁରନ୍ଧ୍ର ହେଉଛି, ନିଶବ୍ଦଭୁବନ’ ଏବଂ ନିର୍ବେଦର ରାଜ୍ୟ ।

 

(୧)

‘‘ନିଶବ୍ଦ ଭୁବନ ଦୀକ୍ଷାଧର୍ମ ଏହି ନିର୍ବେଦର ଚରାଚର

 

ଅଲେଖ ମହିମା ବୋଲନ୍ତି ଯାହାକୁ ଅରୂପ ତାଙ୍କ ଶରୀର ।’

(୮୬-୧୨ ସ୍ତୁ : ଚି)

 

 

(୨)

‘ତାଳୁକା ଦୁଆର ଶିଖେ ଅଟେ ତାର ବାସ

 

ବ୍ରହ୍ମରନ୍ଧ୍ର ଶିଖେଛନ୍ତି ଅଲେଖ ପୁରୁଷ ।।

 

ଶିଶୁରନ୍ଧ୍ରେ ରନ୍ଧ୍ରବାଟ ଅଛି ସେ ଠାବକୁ

 

ଆସିବା ଯିବା ହେଉଛି ସକଳ ସ୍ଥାନକୁ ।’’ (୧।୪୧-୪୨)

 

(ବ୍ରହ୍ମ ନିରୂପଣଗୀତା)

 

 

(୩)

‘‘ତାଳୁକା ଦୁଆର ଶିଖେ ଅଲେଖ ପୁର

 

ଅଖଣ୍ଡିତ ପୂର୍ଣ୍ଣବ୍ରହ୍ମ ବିଜେ ସେଠାର

 

X      X      X

 

ଅବନା ଅଣାକ୍ଷର ଅନାମେ କରେ ଠଣା

 

କହେ ଭୀମ ଅର୍କ୍ଷିତ କି ରୂପକୁ ବର୍ଣ୍ଣିମା

 

ସେ ଯେ ମହାଶୂନ୍ୟ ପୁରୁଷ ଅନାଦି ।୬। ’’

(ବୃହତ୍‌ ଭଜନମାଳା ପୃ-୧୫୩)

 

ଭୀମଭୋଇଙ୍କର ଏହା କଳ୍ପନାର ଏ ଅନବଦ୍ୟ ରୂପକଳ୍ପ । ସେ ତାଙ୍କର ଅନ୍ୟ ଏକ ଭଜନରେ ଅଲେଖ ପୁରୁଷଙ୍କୁ ଅନାହତ ବିହାରୀ ବୋଲି କହିଛନ୍ତି-

 

ଅନାହତ ବିହାରୀ

ଆବୋରିଛି କାୟେ ଜଳକୁମ୍ଭ ପ୍ରାୟେ

ଭିତରେ ବାହାରେ ପୂରି ।। ଘୋଷା ।।

X      X      X

ଚନ୍ଦ୍ରମଧ୍ୟେ ବ୍ରହ୍ମ କରିଛି ଆଶ୍ରମ ଜଳରେ ପାଷାଣ ପରି

ଗଙ୍ଗା ଯମୁନା ସରସ୍ୱତୀ ବହୁଛି ବଙ୍କୁନାଳ ଶିଖେ ଝରି ।।୨।।

X      X      X

କହେ ଭୀମଭୋଇ କୃପା ଯେବେ ହେବ

ଭବସିନ୍ଧୁ ଯିବି ତରି ।।୫।।

(ବୃହତ୍‌ ଭଜନମାଳା ପୃ-୧୪୩)

 

ଭୀମଭୋଇ ଏଠାରେ ଯୋଗର ଅନାହତ ଚକ୍ର ବିଷୟହିଁ ବର୍ଣ୍ଣନା କରିଛନ୍ତି । ଅନାହତ ଚକ୍ର ହେଉଛି ହୃଦୟ ନିକଟସ୍ଥ ସ୍ଥାନ । ପତଞ୍ଜଳି କହିଛନ୍ତି, ଏହି ସ୍ଥାନରୁ ଉତ୍ପନ୍ନ ହେଉଥିବା ଧ୍ୱନି ହିଁ ସଦାଶିବ ଏବଂ ତ୍ରିଗୁଣମୟୀ ଓଁ କାର ।

 

‘‘ଶବ୍ଦ ବ୍ରହ୍ମେତି ତଂ ପ୍ରାହ ସାକ୍ଷାଦ୍ଦେବ ସଦାଶିବଃ ।

ଅନାହତେ ଷୁ ଚକ୍ରେଷୁ ସ ଶବ୍ଦଃ ପରିକୀର୍ତ୍ତ୍ୟତେ ।’’ (ପତଞ୍ଜଳି)

 

ସାଧକ ଯେତେବେଳେ ଅନାହତ ଚକ୍ର ତାପରେ ବିଶୁଦ୍ଧ ଚକ୍ର ଅତିକ୍ରମ କରି ଅଜ୍ଞା ଚକ୍ରରେ ଧ୍ୟାନ ଦିଏ, ସେତେବେଳେ ସେ ଯୁକ୍ତ ତ୍ରିବେଣୀରେ ପହଞ୍ଚିପାରେ । ଜ୍ଞାନ ସଂକଳନୀ ତନ୍ତ୍ରରେ ଅଛି-

 

‘‘ଇଡ଼ା ଭାଗୀରଥୀ ଗଙ୍ଗା ପିଙ୍ଗଳା ଯମୁନା ନଦୀ

ତୟୋର୍ମଧ୍ୟଗତା ନାଡ଼ୀ ସୁଷୁମ୍‌ଣାଖ୍ୟା ସରସ୍ୱତୀ

ତ୍ରିବେଣୀ ସଂଗମୋ ଯତ୍ର ତୀର୍ଥରାଜ ସ ଉଚ୍ୟତେ

ତତ୍ରସ୍ନାନଂ ପ୍ରକୁର୍ବୀତ ସର୍ବପାପୈଃ ପ୍ରମୁଚ୍ୟତେ ।।’’

 

ଭୀମଭୋଇ ତାଙ୍କ ଭଜନରେ ଗଙ୍ଗା, ଯମୁନା ଓ ସରସ୍ୱତୀ ବହୁଛି ବୋଲି ଯେ କହିଛନ୍ତି, ତାହାହିଁ ହେଉଛି ଇଡ଼ା ପିଙ୍ଗଳା ଓ ସୁଷୁମ୍ନା ନାଡ଼ୀର କଥା । ଏ ଉଭୟ ସ୍ୱର ମଧ୍ୟରେ ବିଶେଷ କିଛି ପ୍ରଭେଦ ନାହିଁ ।

 

ଭୀମଭୋଇଙ୍କ ପୂର୍ବରୁ ‘ପଞ୍ଚସଖା’ ସାହିତ୍ୟରେ ଅନୁରୂପ ବର୍ଣ୍ଣନା ଦେଖାଯାଏ । ପଞ୍ଚସଖାଙ୍କ ମଧ୍ୟରୁ ଶିଶୁଅନନ୍ତ ଦାସ ତାଙ୍କ ରଚିତ ‘ହେତୁ ଉଦୟ ଭାଗବତ’ରେ ଏ ପ୍ରକାର ପରିକଳ୍ପନା କରିଛନ୍ତି ।

 

ଗଙ୍ଗା ଯମୁନା ଏହୁ ଜାଣ

ସରସ୍ୱତୀ କାଳନ୍ଦୀ ନାମ

।।

ଇଅଁଳା ପିଙ୍ଗଳା ବୋଲାଇ

ସୁଶୁମୁନା ଯେ ବିଧି ଏହି

।।’’

 

ଯଶୋବନ୍ତ ଦାସ ଶରୀର ମଧ୍ୟସ୍ଥ ବାସ୍ତରୀ ନାଡ଼ୀ ମଧ୍ୟରୁ ଦଶନାଡ଼ୀକୁ ଶ୍ରେଷ୍ଠ ବୋଲି କହିଛନ୍ତି । ତା ମଧ୍ୟରେ ଇଡ଼ା, ପିଙ୍ଗଳା, ସିଷୁମ୍ନା ସର୍ବଶ୍ରେଷ୍ଠ ବୋଲି ତାଙ୍କ ରଚିତ ଶିବ-ସ୍ୱରୋଦୟ ଗ୍ରନ୍ଥରେ ପ୍ରଦର୍ଶିତ ହୋଇଛି ।

 

‘‘ବାସ୍ତରୀ ନାଡ଼ିରୁ ଦଶନାଡ଼ି ଶ୍ରେଷ୍ଠ

ଦଶନାଡ଼ି ମଧ୍ୟେ ତିନି ଅଟଇ ଗରିଷ୍ଠ ।୪୫।

ଇଅଁଳା ପିଅଁଳା ସିଷୁମୁନା ଏହି ତିନି

ଏବେ ଯେ କହିବା ଦଶନାଡ଼ି ଭେଦଘେନି ।୪୬।

 

ଅଚ୍ୟୁତାନନ୍ଦ ଦାସଙ୍କ ନିତ୍ୟ ରାହାସରେ ସେ କହିଛନ୍ତି-

‘‘ରାଧା ଚୁମ୍ବୁଛନ୍ତି କୃଷ୍ଣ ଚରଣ; ସୁଧା ବହୁଅଛି ସେଠାରୁ ପୁଣ ।।

ତିନିଧାର ହୋଇ ବହୁଛି ତହିଁ; ସେହି ଜଳେ ସ୍ନାନ କରିବା ଯାଇଁ ।।

ସଖିଗୋ ଗଙ୍ଗା ଯମୁନାଧାର; ହୃଦ ପଦ୍ମ ବନରୁ ସେ ବାହାର ।।’’

 

ଭୀମଭୋଇ ତାଙ୍କ ଭଜନରେ ‘ଗଙ୍ଗା ଯମୁନା ସରସ୍ୱତୀ ବହୁଛି ବଙ୍କୁନାଳ ଶିଖେ ଝରି’ କହିଲା ପରି ଅଚ୍ୟୁତାନନ୍ଦ ଦାସ ମଧ୍ୟ ତାଙ୍କର ‘ଆରେ ମନ ମୋର’ ନାମକ ଭଜନରେ ଅନୁରୂପ କଥା କହିଛନ୍ତି ।

 

ଧୂନି ଚାରିପାଖେ ଜ୍ୟୋତିଘର

ଧବଳ ଚିତାକୁ ଲୟକର

X      X      X

ତ୍ରିକୂଟ ତ୍ରିବେଣୀ ତିନିଧାର

ବହନ୍ତା ନଦୀକୁ ତୁଲେ କର

ବଙ୍କୁ ନାଳ ପାଣି ଟେକନ୍ତ ଉଜାଣି

ଉଡ଼ିଯିବ ତୋର ହଂସାଘର ।।

 

ଭୀମଭୋଇଙ୍କର ସାରସ୍ୱତ କୃତିରେ ପଞ୍ଚସଖା ତଥା ପୂର୍ବସୁରୀମାନଙ୍କର ପ୍ରଭାବ ଯେ ନିବିଡ଼ ଭାବରେ ପଡ଼ିଛି ତାହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । କିନ୍ତୁ ଏହା ତାଙ୍କର ଅନ୍ଧାନୁକରଣ ନୁହେଁ । ଏହା ଏକ ସମର୍ପିତ ଭକ୍ତର ସ୍ୱକୀୟ ଭାବାବେଗ ଓ ଭକ୍ତିରସାପ୍ଳୁତଭାବନାର ନିଗୂଢ଼ତମ ପରିପ୍ରକାଶ ।

 

 

ଏନ-୧/୮୨, ନୂଆପଲ୍ଲୀ,

ଭୁବନେଶ୍ୱର-୭୫୧୦୧୫

 

***

 

ଭୀମଭୋଇଙ୍କ ଧର୍ମବୋଧ

ଡକ୍‌ଟର ବିଭୂତିଭୂଷଣ ମିଶ୍ର

 

ମହିମା ଗୋସାଇଁ ମହିମା ଧର୍ମର ସଂସ୍ଥାପକ । ଭୀମଭୋଇ ମହିମା ଧର୍ମର ପ୍ରଚାରକ ଓ ଆଦିକବି । ସେ ଦିବ୍ୟଦ୍ରଷ୍ଟା । ଜଣେ ସନ୍ଥ ତଥା ତତ୍ତ୍ୱବିତ୍‌ ଭାବରେ ସୁବିଦିତ । ତାଙ୍କର କାବ୍ୟ ଓ କବିତାଗୁଡ଼ିକ ତତ୍ତ୍ୱଗର୍ଭିତ ଓ ସରଳ ଭାବୋଚ୍ଛ୍ୱାସରେ ମୁଖରିତ । ଅନେକ ସମାଲୋଚକ ମହିମା ଧର୍ମକୁ ବୁଦ୍ଧଧର୍ମ ବା ଜୈନଧର୍ମର ରୂପାନ୍ତର ବୋଲି ମତ ପ୍ରକାଶ କରିଥାନ୍ତି । (୧) ସେମାନଙ୍କ ମଧ୍ୟକେ ପ୍ରାଚ୍ୟ ବିଦ୍ୟା ମହାର୍ଣ୍ଣବ ନଗେନ୍ଦ୍ରନାଥ ବସୁ ଓ ପ୍ରତ୍ନତତ୍ତ୍ୱବିତ୍‌ ବିଜୟଚନ୍ଦ୍ର ମଜୁମଦାର ଅନ୍ୟତମ । କେତେକ ପଣ୍ଡିତ ମହିମା ଧର୍ମକୁ ହିନ୍ଦୁଧର୍ମ ଓ ଅନେକ ଅଧୁନାତନ ସନାତନ ଧର୍ମ ବୋଲି ଗ୍ରହଣ କରିଛନ୍ତି । ଅବଶ୍ୟ କେତେକ ଦୃଷ୍ଟିକୋଣରୁ ମହିମା ଧର୍ମକୁ ଆଧୁନିକ ବୈଷ୍ଣବ ଧର୍ମ ବୋଲି ଗ୍ରହଣ କରାଯାଇ ପାରେ । ଏସବୁର ଆଲୋଚନା ଉକ୍ତ ପ୍ରବନ୍ଧର ପରିସରଭୁକ୍ତ ନୁହେଁ । ମହିମା ଧର୍ମର ସୃଷ୍ଟି ଓ ପ୍ରଚାରରେ ଭୀମଭୋଇଙ୍କ ଯେଉଁ ଆହ୍ୱାନ ଗର୍ଭିତ ଥିଲା ତାହାର ସମ୍ୟକ ଆଲୋଚନା ଏଠାରେ ପ୍ରତିପାଦିତ ।

 

ମହିମା ଧର୍ମରେ ତତ୍ତ୍ୱଠାରୁ ଧର୍ମ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଅଲେଖ ତତ୍ତ୍ୱ ଉପରେ ଏହି ଧର୍ମ ଆଧାରିତ । ଉକ୍ତ ତତ୍ତ୍ୱ ପରିବେଷଣ କରିବାରେ ସାରଳା ଓ ପଞ୍ଚସଖା ସାହିତ୍ୟ ଶତଜିହ୍ୱା ତତ୍ତ୍ୱର ମୌଳିକତା ଅପେକ୍ଷା ମହିମା ଧର୍ମର ରୀତିନୀତି, ଆଚାର ଓ ବିଚାର ବିଶେଷ ମୌଳିକ । ମହିମା ଧର୍ମ କେତେକ ବେଦନାସିକ୍ତ ଧର୍ମକାଙ୍ଗାଳଙ୍କ ପ୍ରତିକ୍ରିୟାର ଅନ୍ତଃସ୍ୱର । ପତିତପାବନ ଓ ଦୀନବନ୍ଧୂ ରୂପୀ ଜଗନ୍ନାଥଙ୍କ ବିରୁଦ୍ଧରେ ଅଗଣିତ ଦୀନ ଓ ପତିତଙ୍କ ବିପ୍ଲବର ବହିଃପ୍ରକାଶ ମାତ୍ର । ସନାତନ ଧର୍ମର ସିଂହଦ୍ୱାର ସମ୍ମୂଖରେ ଏହା ଏକ ବିକଳ୍ପ ସାମାଜିକ ବ୍ୟବସ୍ଥା । (୨) ମହିମା ଧର୍ମର ସନ୍ଥ ପ୍ରଚାରକ ଭୀମଭୋଇ ତତ୍ତ୍ୱକୁ ଧର୍ମର ସଂକୀର୍ଣ୍ଣ ଗଣ୍ଡିରୁ ମୁକ୍ତକରି ନିର୍ମାଣ କରିଥିଲେ ଏକ ନୂତନ ଧାର୍ମିକ ସମାଜର ଅଟ୍ଟାଳିକା । ଧର୍ମକୁ ଗୂଢ଼ତତ୍ତ୍ୱରୁ ସାମାନ୍ୟ ଦୂରରେ ରଖି, ମହିମା ଧର୍ମ, ଆଶ୍ରିତମାନଙ୍କ ପାଇଁ ଗଠନ କରେ ଏକ ଅଭିନବ ସମାଜ । ତେଣୁ ଭୀମଭୋଇ ସନାତନ ଧର୍ମର ନିରାକାର ପୁରୁଷଙ୍କୁ ଅପୂର୍ଣ୍ଣ ଦେଖି ଆରମ୍ଭ କରନ୍ତି ନିର୍ବେଦ ସାଧନା । (୩)

 

ଅପୌରୁଷେୟ ବେଦ ଯଦି ପୁରୁଷ ବ୍ୟାପାରରେ ପରିଣତ ହୁଏ, ଭୀମ କହନ୍ତି ନିର୍ବେଦ ସାଧନାହିଁ ଏକମାତ୍ର ପନ୍ଥା । ସେଥିପାଇଁ ତାଙ୍କର କରୁଣସିକ୍ତ ଆର୍ତ୍ତକଣ୍ଠରୁ ନିର୍ଗତ ହୋଇଥିଲା –

 

ଜୟତୁ ଅନନ୍ତ ଅରୂପ

ନାମ ଶ୍ରୀ ଅଜପା ଅଲେଖ

।।

ଜୟତୁ ଅଜନ୍ମା ସଂପୂର୍ଣ୍ଣ

ନାମ ତୋ ଅବର୍ଣ୍ଣ ଅଚିହ୍ନ

।।’’

ତୁହି ଅନାଦି ଦିବ୍ୟ ଜ୍ୟୋତି

ଶୂନ୍ୟ ରୂପରେ ତୋର ସ୍ଥିତି

।।’’

(ନିର୍ବେଦ ସାଧନ-୧ମ ଅଧ୍ୟାୟ)

 

ଭୀମ ଭୋଇଙ୍କ ମତରେ ସତ୍ୟ ସୀମାତୀତ । ତେଣୁ ଧର୍ମ ମଧ୍ୟ ସୀମାତୀତ । ଗୋଟିଏ ମୁକ୍ତ ସମାଜରେ ହିଁ ବାସ୍ତବ ଧର୍ମର ପରିପ୍ରକାଶ ହୋଇଥାଏ । ସନାତନ ଧର୍ମର ପରମ୍ପରାରେ ଶ୍ରୀଜଗନ୍ନାଥ ଅନାଦି ପୁରୁଷଙ୍କ ପରମ ଶିଷ୍ୟ । ଉକ୍ତ ପରମ୍ପରାକୁ ଅତୁଟ ରଖି, ଭୀମଭୋଇ ରଚନା କରନ୍ତି ତାଙ୍କର କାବ୍ୟ । କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମୁକ୍ତ କରି ଭୀମ ଅଲେଖ ସ୍ୱାମୀଙ୍କ ପାଖକୁ ପ୍ରେରଣ କରନ୍ତି ।

 

ମୁଁ ଯହୁଁ ହେଲି ଅବତାର

ତେଜିଲା ସେ ନୀଳକନ୍ଦର

।।

ଷାଠିଏ ପଉଟି ଭୋଗକୁ

ଛାଡ଼ି ଆସିଛି ମୋ ପାଖକୁ

।।

ଏକାନ୍ତେ ମୋ ପାଖରେ ଚିତ୍ତ

ରଖିଛି ପୁରୀ ଜଗନ୍ନାଥ

।।

 

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସ୍ୱୟଂ ଜଗନ୍ନାଥ ଏକ ମୂର୍ତ୍ତି ବିଗ୍ରହରେ ସଙ୍କୁଚିତ ହୋଇ ରହିଲେ । ସେ ଏକ ସଂକୀର୍ଣ୍ଣ ସଂପ୍ରଦାୟର ଦେବତା ହେଲେ । ଦେବଙ୍କ କଦାକାର ରୂପ ବିଗ୍ରହକୁ ଖ୍ରୀଷ୍ଟିୟାନ୍‌ମାନେ ରାକ୍ଷସ ରୂପରେ ପରିପ୍ରକାଶ କଲେ । (୪) ଅନେକାଂଶରେ ଧର୍ମରେ ଗ୍ଲାନିଭାବ ପରିଦୃଷ୍ଟ ହେଲା । କାଳକ୍ରମେ ସାମାଜିକ ମୂଲ୍ୟବୋଧମାନଙ୍କର ପରିସର ମଧ୍ୟ ସଙ୍କୁଚିତ ହେଲା । ଏକଦା ଜଗନ୍ନାଥ ଚେତନା ମଧ୍ୟରେ ଏକ ମହାନ୍‌ ନୈର୍ବ୍ୟକ୍ତିକ ଚେତନା ସଂଗୁପ୍ତ ରହିଥିଲା-। କ୍ରମଶଃ ସେହି ଚେତନାରେ ଆଚାର ବିଚାର, ରୀତି ଓ ନୀତି ମାଧ୍ୟମରେ ବହୁତ ସଂକୀର୍ଣ୍ଣତା ପ୍ରବେଶ କଲା । ଜଗନ୍ନାଥ ଚେତନାର ମୁକ୍ତ ସାମାଜିକ ବ୍ୟବସ୍ଥା, କୁସଂସ୍କାରାଚ୍ଛନ୍ନ ହେବାକୁ ବେଶୀ ସମୟ ଲାଗିଲା ନାହିଁ । ବ୍ରାହ୍ମଣ୍ୟ ଧର୍ମର ଆଧିପତ୍ୟରେ ଜଗନ୍ନାଥ ସଙ୍କୁଚିତ ହେଲେ । ନୂତନ ଧର୍ମର ପଥ ପ୍ରଦର୍ଶନ ପାଇଁ ଭୀମଭୋଇ ରଚନା କଲେ –

 

‘‘ବନ୍ଦଇ ଓଁକାର ଶବଦ । ସେ ଶୂନ୍ୟ ବ୍ରହ୍ମ ମୁକ୍ତିପଦ ।।’’

 

ଭୀମ ପରମ୍ପରାକୁ ଯଥେଷ୍ଟ ସମ୍ମାନ ଦେଲେ । ତେଣୁ ବେଦକୁ ପ୍ରତ୍ୟାଖ୍ୟାନ କରିବାକୁ ସେ କହିନାହାନ୍ତି । ସେ ସ୍ୱୀକାର କରନ୍ତି-ଜଗନ୍ନାଥ ସର୍ବଧର୍ମର ସମନ୍ୱୟ । କିନ୍ତୁ ଭୀମ ନିଜ ଯୁକ୍ତି ବା ଧର୍ମବୋଧକୁ ବଳିଷ୍ଠ କରିବାପାଇଁ କୌଣସି ଧର୍ମର ଆଶ୍ରୟ ନେଇ ନାହାନ୍ତି । ନିବିଷ୍ଟ ରହିଛନ୍ତି ସ୍ୱୀୟ ଅଲେଖ ଚେତନାରେ । ବ୍ରହ୍ମ ନିରୂପଣ ଗୀତା ୧୪ ଅଧ୍ୟାୟରେ ସେ ଗାନ କରିଛନ୍ତି -

 

‘‘ବେଦେଥାଇଁ ନିର୍ବେଦକୁ ଧ୍ୟାନ ତୁ କରିବୁ

ବେଦାନ୍ତ ହୁଡ଼ିଲେ ଅରୂପରେ ଲୀନ ହେବୁ

ଦେହ ଧରିଅଛୁ ଅଦେହକୁ କର ଆଶା

ତେବେ ତୁ ପାଇବୁ ବାବୁ ନିଶବଦ ବସା ।’’

 

ବେଦର ନିର୍ଯ୍ୟାସ ସର୍ବଦା ଅନୁସରଣୀୟ । ଭୀମଙ୍କ ଭାଷାରେ-

‘‘ଚାରି ବେଦରୁ ସାର ବାଛି

ଶିଷ୍ୟର କଲ୍ୟାଣକୁ ଇଚ୍ଛି

।।

ଯତନେ ପଢ଼ି ଏକାକ୍ଷର

ଶିଷ୍ୟକୁ ବସାଇ ପାଖର

।।

 

ଧର୍ମ ନିର୍ବେଦ ଅର୍ଥାତ୍‌ ନିଥାର, ଶାନ୍ତ, ନୀରବ ଓ ଅସୀମ । ବେଦ ଅଧ୍ୟୟନ ଆବଶ୍ୟକ ନ ହେଲେ ନିର୍ବେଦ ଇଲାକାକୁ ଗମନ କରି ହେବ ନାହିଁ । ‘‘ଯେତେ ଦେଖୁଛୁ ବେଦଲୀଳା । ତା’ ମଧ୍ୟେ ନିର୍ବେଦର ଖେଳା ।’’ ନିର୍ବେଦ ସାଧନା ପାଇଁ ଦୁଇଟି ବିଶିଷ୍ଟ ପନ୍ଥା ନିର୍ଣ୍ଣିତ ହୋଇଅଛି । ସଦ୍‌ଗୁରୁ ଶରଣ ଓ ମୁକ୍ତ ସାମାଜିକ ବ୍ୟବସ୍ଥାରେ ଗଭୀର ଆସ୍ଥା ସ୍ଥାପନ । ମୁକ୍ତ ସମାଜ ଅଧ୍ୟାତ୍ମଚେତନା ଭିତ୍ତିକ ଆଜିର ସମାଜବାଦ, ମୈତ୍ରୀବାଦ ଓ ସାମ୍ୟବାଦର ପରିପୋଷକ ନୁହେଁ । ଏହା ସର୍ବବାଦର ଊର୍ଦ୍ଧ୍ୱରେ । ଜଗତର ଅଭିବୃଦ୍ଧି ସାଧନା ଏହାର କାମ୍ୟ । ଏହି ସମାଜର କୌଣସି ବନ୍ଧନ ନାହିଁ । ଉକ୍ତ ସମାଜ ପୁରୁଷର-

 

‘‘ଶାନ୍ତି ରହିଛି ବାମ କରେ

ଦୟା ରହିଛି ଡାହାଣରେ

।।

କ୍ଷମା ରହିଛି ପୃଷ୍ଠ ଭାଗେ

ଶୀଳ ରହିଛି ହୃଦରାଗେ

।।

ଧର୍ମ ରହିଲା ଶ୍ରୀମୁଖରେ

ସୁପ୍ରୀତି ରହିଛି ମନରେ

।।

 

କହିବା ଅନାବଶ୍ୟକ, ଭୀମଭୋଇଙ୍କ ବହୁତ ପୂର୍ବରୁ ଅଲେଖ ଉପାସନାର ଏକ ବଳିଷ୍ଠ ପରମ୍ପରା ଗୀତା ସାହିତ୍ୟ ମାଧ୍ୟମରେ ପ୍ରତିଷ୍ଠା ଲାଭ କରିଥିଲା । କିନ୍ତୁ ସାଧାରଣ ଜନମାନସକୁ ଏହା ଆକୃଷ୍ଟ କରିପାରି ନଥିଲା । ତେଣୁ ଭୀମଭୋଇ ସ୍ୱୀୟ ମହିମା ଧର୍ମରେ ତତ୍ତ୍ୱ ଓ ଧର୍ମଧାରାକୁ ଗୌଣକରି ଏକ ମୁକ୍ତ ସମାଜର ପ୍ରତିଷ୍ଠା ପାଇଁ ବଦ୍ଧପରିକର ହୋଇଥିଲେ । ଏ ସମାଜ କୌଣସି ସମ୍ପ୍ରଦାୟ ବା ଧର୍ମଗୋଷ୍ଠୀର କରାୟତ୍ତ ନଥିଲା । ତାଙ୍କର ଲକ୍ଷ୍ୟ ସମାଜକୁ କୁସଂସ୍କାର ମୁକ୍ତ କରି ସମଗ୍ର ମାନବ ଜାତିକୁ ଶୂନ୍ୟ ଭୂମିରେ ଅବତୀର୍ଣ୍ଣ କରାଇବା । ଏ ସମାଜ ହେବ ଶୃଙ୍ଖଳ ଓ ଛନ୍ଦମୟ-ସଜୀବ ଓ ଚଳଚଞ୍ଚଳ । ଆବଶ୍ୟକ ହେଲେ ଏହି ‘ସମାଜ-ମାନବ’ ନିଜକୁ ନର୍କଗାମୀ କରି ଜଗତକୁ ଉଦ୍ଧାର କରିବା ନିମିତ୍ତ ସତତ ବ୍ରତୀ । ତେଣୁ ଭୀମ ଉପଦେଶ ଦେଉଥିଲେ-

 

‘‘ଦକ୍ଷ ହୋଇଲେ ନିର୍ବେଦରେ

ଭିକ୍ଷା କରିବୁ ସର୍ବଘରେ

।।

ଏକାନ୍ତେ ହୃଦେ ରଖି ଚିତ୍ତ

ସାମାନ୍ୟ ମଣିବୁ ଜଗତ

।।

ସଂସାରେ ନାହିଁ ପରାପର

ଅନାଦିମୟ ନିର୍ବିକାର

।।

ରହିଛି ସର୍ବଠାରେ ପୂରି

ଅଣଛିକାର ମତ ଧରି

।।

 

ସାଧାରଣ ଭାବରେ କହିଲେ ଭୀମଭୋଇ ପ୍ରତିମା ପୂଜାର ସଂପୂର୍ଣ୍ଣ ବିରୋଧ କରୁଥିଲେ (୫) ସେଥିପାଇଁ ସେ ଲେଖିଛନ୍ତି-

 

‘‘ଅଚେତାରେ ସିନା ଜନ ପ୍ରାଣୀମାନେ କରୁଛନ୍ତି ଦେବପୁଜା

ପାଦେ ପଡ଼ି ରକ୍ଷାକର ବୋଲୁଛନ୍ତି ଦେବୁ କ୍ଷୀରି ପୁରୀ ଖଞ୍ଜା ।

ଯେହୁ ଗଢ଼ିଛି ଆପଣା ପିଣ୍ଡ ପ୍ରାଣ ତାକୁ ସମର୍ପଣ ନାହିଁ ।

ଦାରୁ ପ୍ରତିମା ମୂର୍ତ୍ତିକି ବୋଲୁଛନ୍ତି ପ୍ରାଣକୁ ବଞ୍ଚାଅ ତୁହି ।

 

ଭୀମଭୋଇ ନିଜକୁ ଅନାଦି ଠାକୁର ଓ ଆଦିଶକ୍ତି ନାରୀଙ୍କର ସନ୍ତାନ ଭାବରେ ସ୍ୱୀକାର କରିଛନ୍ତି ।

 

‘‘ପିତା ଅଟନ୍ତି ମୋ ଅନାଦି ଠାକୁର ମାତା ଆଦିଶକ୍ତି ନାରୀ

ଦୂତୀ ଯୁଗଳରୁ ଜନମ ଲଭିଛି କବିକୃତ୍ୟ କଳାଧରି ।

 

ଭୀମଙ୍କ ମତରେ ସ୍ୱୟଂ ବ୍ରହ୍ମ, ଭକ୍ତି ଭାବରେ ତୁଷ୍ଟ ହୋଇ ରାମକୃଷ୍ଣାଦି ରୂପ ଧାରଣ କରିଛନ୍ତି । କବି ସର୍ବାନ୍ତଃକରଣରେ ବ୍ରହ୍ମବାଦୀ । ନିର୍ଗୁଣ ବ୍ରହ୍ମର ଅଙ୍ଗସଙ୍ଗ ପାଇଁ ସେ ପ୍ରକାଶ କରିଛନ୍ତି ପ୍ରାଣର ଐକାନ୍ତିକ ବ୍ୟାକୁଳତା । (ଆଦିଅନ୍ତ ଗୀତା ୧୨ଶ ଅଧ୍ୟାୟ) । ସନାତନ ଧର୍ମ ପରି ବ୍ରହ୍ମ ଅଙ୍ଗ ପ୍ରାପ୍ତି ନିମିତ୍ତ ସେ ସାଧୁ ସଙ୍ଗକୁ ସୋପାନ ରୂପେ ଗ୍ରହଣ କରିଛନ୍ତି । ଅବୋଧ ସନ୍ତାନ ଭଳି ସେ ବିଶ୍ୱପିତାର ଚରଣ ତଳେ ଲୋଟି ଯାଇଛନ୍ତି । ଅନ୍ତରର ଆର୍ତ୍ତବେଦନା ଓ ବ୍ୟାକୁଳତାର ଆଲୋଡ଼ନରେ ଆତ୍ମହରା ହୋଇଛନ୍ତି । ତାଙ୍କ ମତରେ କାମନା ସବୁ ପରିହାର କରି ନିର୍ମଳ ଚିତ୍ତରେ ଇନ୍ଦ୍ରିୟମାନଙ୍କଦ୍ୱାରା ଭଗବତ ସେବାର ନାମ ଭକ୍ତି । କବି ଆଭ୍ୟନ୍ତରୀଣ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ବ୍ରହ୍ମ ନିରୂପଣ ଗୀତାରେ ଏସବୁ ବିସ୍ତୃତ ଭାବରେ ବର୍ଣ୍ଣିତ । ଭୀମଭୋଇ ଜ୍ଞାନକୁ ଭକ୍ତ ଜୀବନର ସର୍ବୋଚ୍ଚ ଆସନ ଦେଇଛନ୍ତି । ନିଜ ପ୍ରାଣରେ ଦେଖି ପାରିଛନ୍ତି ଅଖିଳ ବ୍ରହ୍ମାଣ୍ଡର ପ୍ରତିଫଳନ । ତେଣୁ ଆତ୍ମସମର୍ପଣ କରିଛନ୍ତି ଜ୍ଞାନମାର୍ଗର ପଥିକ ହୋଇ । ଜ୍ଞାନ ଓ ଭକ୍ତି ପରସ୍ପର ପରିପୂରକ । ବଳରାମ ଦାସଙ୍କ ପରି ଭୀମ ଅତି ସରଳ ଭାଷାରେ ଭଗବାନକୁ ନିର୍ଦ୍ଦୟ ଭାବରେ ତିରସ୍କାର କରିଛନ୍ତି । ଏହା ତାଙ୍କର ଭକ୍ତ ସୁଲଭ ଅଭିମାନ । କିନ୍ତୁ ପରବର୍ତ୍ତୀ ଦାମ୍ଭିକତା ତାଙ୍କର ବିଶେଷ ଗୁଣ । ବେଦାନ୍ତର ବ୍ରହ୍ମବାଦ ଓ ବୌଦ୍ଧଧର୍ମର ମାନବିକତା ତାଙ୍କ ଜୀବନକୁ ରସାପ୍ଳୁତ କରିଅଛି (ସ୍ତୁତି ଚିନ୍ତାମଣି ୩୪ ବୋଲି) । ଏଠାରେ ଦେଖିବାକୁ ମିଳେ ତାଙ୍କର ଦରଦୀ ପ୍ରାଣର ଅସରନ୍ତି ବ୍ୟାକୁଳତା । କବି ସତ୍ୟର ଅକ୍ଳାନ୍ତ ସନ୍ଧାନୀ । ତାଙ୍କ ଧର୍ମ ସତ୍ୟ ମହିମା ଧର୍ମ । ସେ ଗାନ କରିଛନ୍ତି –

 

‘‘ସତ୍ୟରେ ମରିବି ସତ୍ୟରେ ତରିବି ଏହି ଜ୍ଞାନ ମୋତେ ହେଉ ।

(ସ୍ତୁତି ଚିନ୍ତାମଣି ୩୪ ବୋଲି)

 

ଭୀମଙ୍କର ଚିନ୍ତା ଓ ଚେତନା ସମାଜଧର୍ମୀ । ତେଣୁ ସାମାଜିକ ବ୍ୟକ୍ତିମାନଙ୍କ ଭିତରେ ଦେଖାଦେଇଥିବା ଦ୍ୱେଷ, ପରଶ୍ରୀକାତରତା ଓ ଭେଦଭାବ ତାଙ୍କ ମନରେ କ୍ଷୋଭ ଜାତ କରିଥିଲା । ସମାଜର ମାୟା, ମୋହ ଓ ମିଥ୍ୟା ତାଙ୍କୁ ବିଚଳିତ କରିଥିଲା । ତତ୍‌କାଳୀନ ପୃଥିବୀକୁ ଧ୍ୱଂସ କରି ଏକ ନୂତନ ପୃଥିବୀ ଗଢ଼ିବା ଥିଲା ତାଙ୍କର ମହତ ଲକ୍ଷ୍ୟ । କିନ୍ତୁ ତାଙ୍କର କ୍ଷୋଭ-ଗୁରୁଙ୍କ ଆଦେଶ ଏଥିପାଇଁ ନଥିଲା ।

 

‘‘ଏକା ଦିବସରେ କ୍ଷଣିକ ଭିତରେ ଦ୍ୟନ୍ତି ପୃଥ୍ୱୀ ଲେଉଟାଇ

ଦନ୍ତ କାମୁଡ଼ି କିସ ବୁଦ୍ଧି କରିବି ଶ୍ରୀଗୁରୁଙ୍କ ଆଜ୍ଞା ନାହିଁ ।’’

 

କହିବା ଛଳରେ ସେ ଧର୍ମ ମାଧ୍ୟମରେ ଏକ ବିପ୍ଳବର ସୂଚନା ଦେଇଛନ୍ତି ଓ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି-ଗୁରୁଙ୍କ ଆଦେଶ ହେଲେ-

 

‘‘ଧର୍ମକୁ ଲଘିଂ ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।’’

 

ସତ୍ୟ ମହିମା ଧର୍ମ ସମସାମୟିକ ସମାଜରେ ବିଦ୍ୟମାନ ଥିବା ପ୍ରତିକ୍ରିୟାଶୀଳ ଧର୍ମଧାରାର ବିରୁଦ୍ଧରେ ବିପ୍ଳବର ସୂତ୍ରପାତ କରିଥିଲା । ଭୀମ ଥିଲେ ସେହି ବିପ୍ଳବର କର୍ଣ୍ଣଧାର । ନିମ୍ନଗାମୀ ଜଗନ୍ନାଥଧର୍ମ ବିରୁଦ୍ଧରେ ଖ୍ରୀଷ୍ଟଧର୍ମ ଖଡ଼୍‌ଗୋତ୍ତୋଳନ କରିଥିଲା । ଅଲେଖ ପରମ୍ପରାର କୀର୍ତ୍ତିଧ୍ୱଜାକୁ ଭୀମଭୋଇ ସଂରକ୍ଷିତ କରି ଖ୍ରୀଷ୍ଟିୟାନମାନଙ୍କ ସମାଜସେବା ଚେତନାକୁ ନିଜସ୍ୱ ସମ୍ବଳ ଭାବରେ ଗ୍ରହଣ ପୂର୍ବକ ସଂଗ୍ରାମ କରିଥିଲେ । ସମାଜର ଦଳିତ, ନିଷ୍ପେଷିତ ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକମାନଙ୍କୁ ଖ୍ରୀଷ୍ଟଧର୍ମର ଅଙ୍କୁଶରୁ ମୁକ୍ତ କରିଥିଲେ । (୬) କିନ୍ତୁ ଲକ୍ଷ୍ୟ କରିବା କଥା-ସନାତନ ଧର୍ମର ଉପାସନା ବିରୁଦ୍ଧରେ ବିପ୍ଳବର ସ୍ୱର ଉତ୍ତୋଳନ କଲେ ମଧ୍ୟ ଜଗନ୍ନାଥ ଆରାଧନାର ବହୁବିଧ ସୁନୀତିକୁ ସେ ମହିମା ଆଶ୍ରମରେ ପୁନଃ ରୋପଣ କରି ଦାରୁବ୍ରହ୍ମ ପୂଜାର ଏକ ଅପୂର୍ବ ବିକଳ୍ପ ଗୁରୁପୂଜା ବା ଅଲେଖ ଆରାଧନା ନାମରେ ସ୍ୱୀୟ ମୁକ୍ତ ସମାଜକୁ ପ୍ରଦାନ କରି ପାରିଥିଲେ । ଅବଶ୍ୟ ବାହ୍ୟ ଭାବରେ ସେ ତୁଳସୀ, ବର ଓ ଅଶ୍ୱତ୍‌ଥ ବୃକ୍ଷର ପୂଜା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏଥିରେ କିନ୍ତୁ ତାଙ୍କର ଆନ୍ତରିକତା ନଥିଲା । ଖଲିଆପାଲି ଆଶ୍ରମକୁ ଶ୍ରୀକ୍ଷେତ୍ରର ଏକ ବିକଳ୍ପ ରୂପରେ ସ୍ଥାପନ କରି ସେ ଗୁରୁଗମ୍ଭୀର ସ୍ୱରରେ ଗାନ କରିଥିଲେ-

 

‘‘ଶ୍ରୀପୁରୁଷୋତ୍ତମ କପିଳାସ ଧାମ ତହୁଁ ଉଠିଲାଣି ଧର୍ମ

ତୀର୍ଥମାନ ସବୁ ଭ୍ରଷ୍ଟ ହୋଇଲେଣି କାହିଁରେ ନାହିଁନା ବ୍ରହ୍ମ ।’’

 

ଭୀମଙ୍କ ମତରେ ମହିମା ଧର୍ମରେ ଜାତି, ବର୍ଣ୍ଣ ଓ କର୍ମ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । (୭)

 

‘‘ଛତିଶ କୁଳ ଯେ ବାବନ ପାଟକ ଜାତି ବୋଲାଯାଏ ନାହିଁ

ବ୍ୟାଧ ହୋଇ ଯେବେ ଜୀବମରା ବୃତ୍ତି ଜୀବ ବଧୁ ଥାଉ ପଛେ ।

ଧୀବର ହୋଇଣ ମୀନ ମାରୁ ପଛେ ମହିମାକୁ ଥାଉ ଧ୍ୟାୟି ।’’

 

ଆଦି ଭକ୍ତିମାନଙ୍କରେ ତାଙ୍କର ମହତବାଣୀ ସୁପ୍ରକାଶିତ । ବିଶ୍ୱନାଥ ବାବାଙ୍କ ଭାଷାରେ କହିଲେ –

 

‘‘ବ୍ରହ୍ମ ଭକତିରେ ନାହିଁ ଜାତିର କଳ୍ପନା

ଉଚ୍ଚନୀଚ ଭେଦ ଗର୍ବ ନକର ଭାବନା ।’’

 

ସମ୍ୟକ ଭାବରେ କହିଲେ ମହିମା ଧର୍ମର ଅନୁଭିକ୍ଷା ଜାତିଭେଦ ବିରୁଦ୍ଧରେ ଏକ ତୁମୂଳ ପ୍ରତିବାଦ । ଅଲେଖ ଶୂନ୍ୟ, ନିର୍ଗୁଣ, ଓ ନିରଞ୍ଜନ କଳ୍ପନାକୁ ଭୀମଭୋଇ ବେଶ ସରଳ ଭାବରେ ଉପସ୍ଥାପନ କରିଛନ୍ତି । କେତେକ ସ୍ଥଳରେ ସେ ବ୍ରହ୍ମକୁ ଈଶ୍ୱର ବୋଲି ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ସେହି ଈଶ୍ୱର ଅପୌରୁଷେୟ । ଅଜପାସୂତ୍ର ମାଧ୍ୟମରେ ଅଲେଖଙ୍କୁ ଅନୁଭବ କରିବାପାଇଁ ଗୁରୁକୃପା ଓ ସ୍ୱୀୟ ସାଧନା ଆବଶ୍ୟକ । ପନ୍ଥା-ସତ୍‌କର୍ମ, ସତ୍‌ଚିନ୍ତନ ଓ ସତ୍‌ସଙ୍ଗ । ଗୁରୁ ସର୍ବାଗ୍ରେ ପୂଜ୍ୟ । ସେ ନୈସର୍ଗିକ ଶକ୍ତିର ଅଧିକାରୀ । କିନ୍ତୁ ଗୁରୁ ପାରମ୍ପରିକ ଋଷି ବା ସନ୍ନ୍ୟାସୀ ନୁହନ୍ତି । ସେ ସ୍ୱୟଂ ଅଲେଖ । ନୂତନ ଧାର୍ମିକ ସମାଜର ପ୍ରବକ୍ତା ମାତ୍ର । ଧର୍ମାନୁରାଗୀ ଆଶ୍ରିତ ଏକ ଜୀବନଧାରା ଓ ଶୃଙ୍ଖଳାରେ ଆବଦ୍ଧ ହେବାକୁ ପ୍ରତିଶ୍ରୁତିବଦ୍ଧ । ବାଚିକ ଓ ମାନସିକ ଶରଣ, ପ୍ରାତଃ ଓ ସାୟଂ କାଳରେ ଶୂନ୍ୟ ଦର୍ଶନ ଆଦି ବହୁବିଧ ଶୃଙ୍ଖଳାର ବିଧାନ ଏଠାରେ ଲକ୍ଷ୍ୟଣୀୟ । ଭୀମଭୋଇଙ୍କ ମହିମା ଆଶ୍ରମ ଏକ ବୈପ୍ଳବିକ କଳ୍ପନା । ଏହା ଅଣାକ୍ଷର ଚେତନା ଉଦ୍ଦୀପିତ କରିବାପାଇଁ ଉଦ୍ଦିଷ୍ଟ । କିନ୍ତୁ ଆଶ୍ରମରେ ନିରକ୍ଷରମାନଙ୍କୁ ସାକ୍ଷର କରିବା କାର୍ଯ୍ୟକ୍ରମ ନିଶ୍ଚୟ ଅଭିନନ୍ଦନୀୟ । ଧର୍ମ ଓ ଅକ୍ଷର ଶିକ୍ଷା ପରସ୍ପର ପରିପୂରକ ଓ ସଂଲଗ୍ନ । ଭୀମଭୋଇଙ୍କ ଧର୍ମଧାରାରେ ଏହା ଏକ ଅଭିନବ କଳ୍ପନା ।

 

ଏକ ପକ୍ଷରେ ବିଦେଶୀ ପ୍ରଭାବିତ ବ୍ରାହ୍ମଧର୍ମ ଓ ଅନ୍ୟ ପକ୍ଷରେ ବିଦେଶୀ ପରିପୁଷ୍ଟିତ ଖୀରସ୍ତାନମାନଙ୍କ କବଳରୁ ସରଳ ଧର୍ମବିଶ୍ୱାସୀମାନଙ୍କୁ ରକ୍ଷା କରିବା ପାଇଁ ଭୀମଭୋଇ ଥିଲେ ଜଣେ ଜାଗ୍ରତ ପ୍ରହରୀ । ଶତ ଶତ ସରଳ ପ୍ରାଣ ପାଇଁ ଏକ ଅମିଶ୍ରିତ ନିର୍ମଳ ଧର୍ମଧାରାର ଅମୃତମୟ ଉତ୍ସ ପ୍ରଦାନ ପୂର୍ବକ ସେ ମହିମା ଉପାସନାକୁ ସର୍ବଜନବୋଧ୍ୟ କରିପାରି ଥିଲେ ।

 

ବୁଦ୍ଧ କହିଥିଲେ ଜୀବନ ଦୁଃଖମୟ । କିନ୍ତୁ ବୁଦ୍ଧଙ୍କ ପରି ଭୀମ ନୈରାଶ୍ୟର ଚେତନା ଦେଇ ନାହାନ୍ତି । ବରଂ ବୌଦ୍ଧିକ ନିର୍ବାଣ ଅପେକ୍ଷା ସେ ଚିରନ୍ତନ ଶାନ୍ତି ଓ ଆନନ୍ଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ମହାଯାନ ବୌଦ୍ଧଧର୍ମର ଶୂନ୍ୟ ପୁରୁଷ, ସନାତନ ଧର୍ମର ପରଂବ୍ରହ୍ମ ବା ଈଶ୍ୱର-ପୁରୁଷ ଭୀମଙ୍କ ମତରେ ଅଲେଖ, ନିରାକାର ଓ ନିର୍ଗୁଣ । ଭୀମଭୋଇ ବେଦାନ୍ତର ବାସ୍ତବତାକୁ ଶୂନ୍ୟ ରୂପରେ ଗ୍ରହଣ କରିଛନ୍ତି । ଶଙ୍କରଙ୍କ ଅଦ୍ୱୈତ, ମାଧବଙ୍କ ଦ୍ୱୈତବାଦ ଓ ରାମାନୁଜଙ୍କ ବିଶିଷ୍ଟ ଦ୍ୱୈତବାଦ ତାଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଛି । (୮) ଧର୍ମତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ତାଙ୍କ ଧର୍ମ ଏକ ଗରିଷ୍ଠ ସାଧାରଣ ଗୁଣୀତକ । ଭୀମଭୋଇ ଶୂନ୍ୟ ମନ୍ଦିର, ସମାଧିମନ୍ଦିର ଓ ଧୂନିମନ୍ଦିର ଆଦି ନିର୍ମାଣ କରିଥିଲେ । ମନ୍ଦିର ସବୁ ଶିଳ୍ପକଳା ଦୃଷ୍ଟିରୁ ହିନ୍ଦୁଧର୍ମୀ । ଶୂନ୍ୟମନ୍ଦିର ଉପରେ ଏକ ସପ୍ତଫେଣୀନାଗର ସ୍ଥାପନ ଶିଳ୍ପକଳା ଓ ଧର୍ମତତ୍ତ୍ୱ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ସପ୍ତଫେଣୀ ନାଗ ବାସୁକୀଙ୍କ ଅନ୍ୟରୂପ । ବାସୁକୀ କ୍ଷୀର ସମୁଦ୍ରରେ ବିଷ୍ଣୁଙ୍କୁ ଧାରଣ କରିଥାନ୍ତି । ଭୀମ ମହିମାସ୍ୱାମୀଙ୍କୁ ଭକ୍ତ ବିଷ୍ଣୁଙ୍କ ଅବତାର ଭାବରେ ଗ୍ରହଣ କରିଛନ୍ତି ଓ ବିପଦ ସାଗରରୁ ମୁକ୍ତ କରିବାପାଇଁ ପ୍ରାର୍ଥନା କରିଛନ୍ତି । (୯) କବିତାର ଭାବୋଚ୍ଛ୍ୱାସରେ ସେ ମହିମାସ୍ୱାମୀଙ୍କୁ କୃଷ୍ଣ ଓ ଜଗନ୍ନାଥ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । (୧୦) କିନ୍ତୁ ହଠାତ୍‌ ତାଙ୍କର ଭାବାନ୍ତର ସୃଷ୍ଟି ହୋଇଛି । କଳ୍ପନା କରିଛନ୍ତି-ଅଲେଖଙ୍କ ଆଦେଶରେ ଜନ୍ମ ଓ ମୃତ୍ୟୁବରଣ କରିଥିବା ଶତଶତ ବିଷ୍ଣୁ ପରେ ପୁଣି ପ୍ରକାଶ କରିଛନ୍ତି, ଅନନ୍ତଙ୍କୁ ବିଷ୍ଣୁଙ୍କର ଶୂନ୍ୟରୂପ ଭାବରେ । (୧୧) ସେ ଅନନ୍ତ କିନ୍ତୁ ସ୍ଥୂଳଶୂନ୍ୟରେ ଲୁକ୍‌କାୟିତ । ଅନନ୍ତ ବାସୁକୀ ତେଣୁ ମହିମା ସନ୍ନ୍ୟାସୀମାନଙ୍କର ପରମପୂଜ୍ୟ । ଜଗନ୍ନାଥ ପରଂପରା ସହିତ ଏକ ସାଲିସ୍‌ ବା ସମାଧାନର ଅଭିନୟ ଦେଖାଇ ଭୀମ ସ୍ୱୀୟ ମହିମାଧର୍ମକୁ ସର୍ବୋଚ୍ଚ ଆସନ ପ୍ରଦାନ କରିବାକୁ ସମର୍ଥ ହୋଇଛନ୍ତି । ତାଙ୍କ ମତରେ କଳିଯୁଗରେ ସତ୍ୟ ମହିମା ଧର୍ମର ପଟାନ୍ତର ନାହିଁ ।

 

ଧର୍ମକୁ ସଜୀବ କରି ରଖିବାପାଇଁ କେତେକ ନୀତି ଓ ନିୟମ ଅତ୍ୟାବଶ୍ୟକ । ତତ୍ତ୍ୱର ଅତ୍ୟଧିକ ଆଲୋଚନା ଧର୍ମକୁ ବିବାଦୀୟ କରିଥାଏ । ସେଥିପାଇଁ ଆଶ୍ରିତମାନଙ୍କୁ ଭୀମଭୋଇ ଧର୍ମରକ୍ଷା ନିମିତ୍ତ ନିମ୍ନୋକ୍ତ ଉପଦେଶ ଦେଇଛନ୍ତି । ଯଥା-ଅହିଂସାପାଳନ ଅଲେଖସ୍ମରଣ, ଜାତିନିବାରଣ, ସାମ୍ୟଉପାସନା, ଜଗତକୁ ମହିମାଙ୍କର ପ୍ରକାଶ ଭାବରେ ଗ୍ରହଣ, ଅବତାରବାଦର ବିରୁଦ୍ଧାଚରଣ, ଗୈରିକ ବସନ ପରିଧାନ, ଦିବାକାଳେ ଖାଦ୍ୟ ଗ୍ରହଣ, ଅନ୍ନଭିକ୍ଷା, ଚାଟଶାଳୀରେ ରାତ୍ରିଯାପନ, ଦଳିତର ସେବା, ପାରିବାରିକ ବ୍ରହ୍ମଚର୍ଯ୍ୟ, ଆଶ୍ରମରେ ପ୍ରଭାତ ଏବଂ ସାୟଂ ଭୋଜନ ଇତ୍ୟାଦି । ଭୀମଭୋଇ ମହିମାଧର୍ମର ଗୃହସ୍ଥ ପନ୍ଥାର ଜଣେ ଆଦର୍ଶ ଓ ବିପ୍ଳବୀ ପୁରୁଷ ।

 

ପାଦଟୀକା ଓ ଗ୍ରନ୍ଥସୂଚୀ

୧.

Modern Buddhism and its followers in Orissa. P.-172 By N. N. Basu, Edited Neelakantha Sastri Calcutta-1911.

୨.

The Cult of Jagannath and regional Tradition in Orissa-Ed Eschmann. A. Harman Kulke and G. C. Tripathy-Mahima Dharma, P-205.

୩.

Mahima Dharma "O" Darshana-Ed Daitari Panda-1972, Koraput D. A. V. College-Essay K. B. Tripathy, P.-12

୪.

Bucharon's letters, Ganjam, 23 June 1806. India office Library Calcutta Missionary papers.

୫.

ଅଲେଖ ପରମବ୍ରହ୍ମ ଦର୍ଶନ-ବିଶ୍ୱନାଥବାବା, ପୃ : ୫୫୬

୬.

ଓଡ଼ିଶାର ମହିମାଧର୍ମ-ଚିତ୍ତରଞ୍ଜନ ଦାସ, ପୃ : ୨୯୮ । ଶାନ୍ତିନିକେତନ, ବିଶ୍ୱଭାରତୀ ୧୯୫୨

୭.

ପୂର୍ବସୂଚିତ- Daitari Panda, Ed Essay Mukherjee page 32.

୮.

Fundamentals of Indian Philosophy-Vedanta, P.107 By-P. Nageshwar Rao-A Text Book.

୯.

ସ୍ତୁତି ଚିନ୍ତାମଣି-ପଦ ୧୬/୨, ୧୬/୪, ୧୬-୫- ଭୀମଭୋଇ

୧୦.

ତତ୍ରୈବ-ପଦ ୨୯-୧୨, ୨୯-୧୨ ଓ ୧୩

୧୧.

ତତ୍ରୈବ-ଅଧ୍ୟାୟ-୮୦

 

 

ବିଶେଷ୍ଟ ଦ୍ରଷ୍ଟବ୍ୟ

୧.

Rise and Growth of Mahima Cult in Orissa in Nineteenth century- M.phil Thesis-Sri B.B Mishra (self) Available in sambalpur University, Central Library. Reference Section-unpublished.

 

୨.

Modern religious Movements in Orissa in Nineteenth century- Dr B. B. Mishra, Thesis for Doctor of Philosophy- Available in Sambalpur university central Library Reference section-unpublished.

 

 

ଅଧ୍ୟକ୍ଷ, ରାମପୁର ମହାବିଦ୍ୟାଳୟ

ରାମପୁର, ଜି ବଲାଙ୍ଗୀର

 

***

 

ଚଉତିଶା ମଧୁଚକ୍ରରେ ଭୀମ ଜୀବନୀ ଓ ଧର୍ମ

ଡକ୍‌ଟର ଶ୍ରୀମତୀ ରେଣୁ ମିଶ୍ର

 

‘ଚଉତିଶା ମଧୁଚକ୍ର’ ସନ୍ଥକବି ଭୀମଭୋଇଙ୍କ ଅପର ଏକ ଅବଦାନ । କବିଙ୍କ ବିରଚିତ ଚଉତିଶାଗୁଡ଼ିକ ମଧ୍ୟରୁ ଏଥିରେ କେତେକ ଚଉତିଶା ଗ୍ରଥିତ ହୋଇ ରହିଛି । ମଧୁପରି ପୂରିତ ଚଉତିଶାଗୁଡ଼ିକ ଏକତ୍ର ‘ଚଉତିଶା ମଧୂଚକ୍ର’ ନାମରେ ନାମିତ । ଭୀମଭୋଇ ଗ୍ରନ୍ଥାବଳୀର ଶେଷରେ ଏହା ଗୁମ୍ଫିତ ହୋଇଛି ।

 

ଏହି ଚଉତିଶାଗୁଡ଼ିକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଏସବୁ ତିନୋଟି ପର୍ଯ୍ୟାୟରେ ରଚିତ । କେତେକ ଚଉତିଶାରେ ଲୋକଗୀତ ଲକ୍ଷଣ ସୁସ୍ପଷ୍ଟ । ଏଗୁଡ଼ିକ ରସରକେଲି, ଜାଇଫୁଲ ଓ ମାଇଲାଜଡ଼ ଆବୃତ୍ତିରେ ରଚିତ । ରାଧାକୃଷ୍ଣଙ୍କ ପ୍ରେମବର୍ଣ୍ଣନା ମାଧ୍ୟମରେ ଏଠାରେ କବିଙ୍କ ଯୁବ ସୁଲଭ ଉନ୍ମାଦନା ପ୍ରକାଶିତ ହୋଇଥାଏ । ମହିମାଧର୍ମ ଗ୍ରହଣ କରିବା ପୂର୍ବରୁ ଭୀମଭୋଇ ନିଶ୍ଚୟ ବୈଷ୍ଣବଧର୍ମ ସାହିତ୍ୟ ପଠନ ଓ ଶ୍ରବଣ କରିଥିଲେ । ପାଳିତ ପିତା ଜନାର୍ଦ୍ଦନ ଭୋଇଙ୍କ ସହିତ ସେ ଭାଗବତ ଟୁଙ୍ଗୀରେ ଅନେକ ସନ୍ଧ୍ୟା ଅତିବାହିତ କରିଥିଲେ । ଏହି ଟୁଙ୍ଗୀଗୁଡ଼ିକରେ ସହଜ ସୁଲଭ ବୌଷ୍ଣବ କବିତାର ଆବୃତ୍ତି ହେଉଥିଲା । ଭୀମଭୋଇ ଭଗବତ୍‌ ଶକ୍ତିରେ କବିତ୍ୱ ଲାଭ କରିଥିବା ଏକ ସାଧାରଣ କଥନ । ଭୀମଙ୍କ ଭାଷାରେ କହିଲେ-‘‘ଗୁରୁ ହୃଦ ପଦ୍ମେ ବସି ଯେ ଦେଲେ କହି ।’’ ସେ କହନ୍ତି ‘‘ଷୋଳ ବରଷକେ କବି ମୁଁ କୃତ୍ୟ କଲି ।’’ ବାଲ୍ୟ କାଳରେ ସେ ମୁକୁନ୍ଦଦାସଙ୍କୁ ଦର୍ଶନ କରିଥିଲେ । ତାଙ୍କ ହସ୍ତରେ ଶଙ୍ଖଚକ୍ର ଚିହ୍ନ ଥିବାର ସେ ଦେଖିଥିଲେ । ମୁକୁନ୍ଦଦାସ ଜଣେ ଆଚାରୀ ବୈଷ୍ଣବ ଥିବାର ପ୍ରମାଣ ମିଳେ । ତାଙ୍କୁ ମହିମା ସ୍ୱାମୀ ଭାବରେ ଗ୍ରହଣ କରାଯାଏ । ସେ ୧୮୬୬ ଖ୍ରୀ. ଅ:ରୁ ୧୮୦୨ ଖ୍ରୀ:ଅ ପର୍ଯ୍ୟନ୍ତ ରେଢ଼ାଖୋଲ ଅଞ୍ଚଳରେ ଧର୍ମ ପ୍ରଚାର କରିଥିଲେ । ଭୀମଭୋଇ ମହିମା ସ୍ୱାମୀଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଜନମନକୁ ଧର୍ମାଭିମୁଖୀ କରିବା ପାଇଁ ସେ ବୈଷ୍ଣବଧର୍ମୀ ରାଧାକୃଷ୍ଣ ପ୍ରେମମୂଳକ ଅନେକ ଚଉତିଶା ତାଙ୍କ କବିତ୍ୱର ଆଦ୍ୟ ଉନ୍ମେଷକାଳରେ ରଚନା କରିଥିଲେ । ସେଗୁଡ଼ିକ ଉକ୍ତ ଆଲୋଚନାର କଳେବରଭୁକ୍ତ ।

 

‘ଚଉତିଶା ମଧୁଚକ୍ର’ରେ ରସ ଯାଚାଲିଯା ଓ ଜାଇଫୁଲ ଆବୃତ୍ତି ମୂଳକ ଚଉତିଶା ଅନ୍ତର୍ଭୁକ୍ତ-। ସେଗୁଡ଼ିକ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା ସମ୍ୱଳିତ । ଚଉତିଶାମାନଙ୍କରେ କାମଭାବର ପରିପ୍ରକାଶ ରହିଛି । ନାଗର ନାଗରୀଙ୍କ ସମ୍ଭୋଗ କାଳୀନ ଆନନ୍ଦ ଏଠାରେ ପ୍ରକାଶିତ ।’’ ଏହି ଚଉତିଶାରେ କବି ଭୀମଭୋଇଙ୍କ ପ୍ରକୃତ କବିତ୍ୱ ସାକାରରୂପ ଧାରଣ କରିଛି । ଏଇଠି ଆମର ପରିଚୟ ହୁଏ ଯୌବନମତ୍ତ, ଜାଗତିକ ପ୍ରେମ ଜର୍ଜରିତ, ରସୋଚ୍ଛଳ ଭୀମଭୋଇଙ୍କ ସଙ୍ଗରେ । ଏଇଠି ମହିମାଧର୍ମର କୌଣସି ବାଧାବନ୍ଧନ ନାହିଁ । ରାଧାକୃଷ୍ଣଙ୍କୁ ଜାଗତିକ ପରିବେଶ ଭିତରକୁ ଟାଣିଆଣି କବି ସେମାନଙ୍କ ମାଧ୍ୟମରେ ନିଜର ରକ୍ତମାଂସର ଇଚ୍ଛାକୁ ଅତି ଉଲଗ୍ନ ଭାବରେ ପରିବେଷଣ କରିଛନ୍ତି ।’’ ଏପରିକି କବି ଚଉଷଠୀ ବନ୍ଧ, ଜାନୁ ଯଉବନ ଇତ୍ୟାଦି ଉଲ୍ଲେଖ କରିଛନ୍ତି-

 

‘‘ଜାନୁ ଯଉବନ ମୁଁ ସାଜିଥିଲି ଯତ୍ନକରି

ଏ ଯୁବାବୟସ ମୋର ଫୁଲ ସଙ୍ଗେ ସରି

 

ଯୌବନ ଦେହକୁ ମୋର ନାଗର କେତେଥିବି ଧରି ରସ ଯା ଚାଲିଯାରେ । ସେହିପରି ଜାଇଫୁଲ ଆବୃତ୍ତିରେ ବିରଚିତ କିସ ମୁଁ...ଭୀମକନ୍ଧ ଚଉତିଶାରେ ଯୌବନର ଉନ୍ନାଦନାରେ ରାଧିକା ଦୂତୀଙ୍କୁ କୃଷ୍ଣଙ୍କ ସହିତ ମିଳନ କରାଇବାପାଇଁ ଆକୁଳ ନିବେଦନ କରିଛନ୍ତି । କାମଭାବ ଚରିତାର୍ଥ କରିବାପାଇଁ ରାଧିକା ଦୂତୀ ଆଗରେ ଶାରୀରିକ ଅବସ୍ଥା ଓ ମାନସିକ ପ୍ରତିକ୍ରିୟାର ଉଦ୍‌ଘାଟନ କରିଛନ୍ତି । କବିଙ୍କ ଲେଖନୀରୁ ନିଃସୃତ ହୋଇଛି-

 

‘‘ଅନୁକ୍ଷଣେ ଥିବି ସଙ୍ଗେ, ଭାବ ହେଉଥିବି ତାହାରି ଅଙ୍ଗେ

କାଇଫୁଲ । ବସାଇବି ଜାନୁଜଙ୍ଘେ ।

ତୈଳ ମୁଁ ଲଗାଇଦେବି । ରଜୁରେ ଭିଡ଼ି ପଲଙ୍କେ ଶୋଇବି

ଜାଇଫୁଲ । ପ୍ରେମରସ ଚୁମ୍ୱାଇବି ।

ଥନ ଦୁଇଦେବି ପାତି । ବସି ଜାନୁ ଜଙ୍ଘେ ରାତି ପାହାନ୍ତି

ଜାଇଫୁଲ । ଚଉଷଠୀବନ୍ଧେ ପ୍ରୀତି ।

 

ଏଠାରେ କବିଙ୍କର ଯୌବନ ସୁଲଭ ଉନ୍ନାଦନା ପରିପ୍ରକାଶିତ । ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା ଛଳରେ କବି ପ୍ରେମୋନ୍ନତ୍ତ ଯୁବକ ଯୁବତୀମାନଙ୍କର ସମ୍ଭୋଗାଭିଳାଷୀ ମନର ଅନ୍ତରତମ ପ୍ରଦେଶର ବାର୍ତ୍ତା ଉପସ୍ଥାପନ କରିଛନ୍ତି ।

 

ପ୍ରଥମ ପର୍ଯ୍ୟାୟର ଚଉତିଶାମାନଙ୍କରେ ମହିମା ଧର୍ମର ଇନ୍ଦ୍ରିୟ ସଂଯମ ଓ ଯୋଗବାର୍ତ୍ତା ରହିନାହିଁ । ଏ ସମୟରେ ଭୀମଭୋଇ ନିଶ୍ଚୟ ମହିମାଧର୍ମରେ ଦୀକ୍ଷିତ ହୋଇ ନଥିଲେ । ଏହି ଚଉତିଶାଗୁଡ଼ିକ ପଶ୍ଚିମ ଓଡ଼ିଶାର ଦଣ୍ଡ ଯାତ୍ରାରେ ଅଦ୍ୟାବଧି ଗାନ କରା ହୋଇଥାଏ । ଭୀମଭୋଇ ମହିମାଧର୍ମ ଦୀକ୍ଷା ଗ୍ରହଣ କରିବା ପରେ ଗୁରୁଙ୍କ ଉତ୍ସାହ ଓ ପ୍ରେରଣା ଲାଭକରି ସ୍ୱୀୟ ସୃଜନୀ ଶକ୍ତିକୁ ବହୁଗୁଣିତ କରିଥିଲେ । ଏହି ସୃଷ୍ଟିକାରୀ ଶକ୍ତିର ସ୍ଫୁରଣ ଲକ୍ଷ୍ୟକରି ମହିମା ସ୍ୱାମୀ ତାଙ୍କର କବି ଶକ୍ତିକୁ ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିନିଯୋଗ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ-। ସେଥିପାଇଁ ଭୀମଭୋଇ ଲେଖିଛନ୍ତି-

 

‘‘କବି ପସରା ମୋତେ ଶିରେ ବୁହାଇଦେଲେ

ଅତିଥିରୂପେ ସ୍ୱାମୀ ବ୍ରହ୍ମାଣ୍ଡରେ ବୁଲିଲେ ।’’ ଭଜନମାଳା

 

ଧର୍ମଦୀକ୍ଷା ଗ୍ରହଣ କରିବାପରେ କବି ଅଲେଖ ତତ୍ତ୍ୱ ଲେଖିବା ଆରମ୍ଭ କରିଛନ୍ତି ।

 

ଚଉତିଶାର ଦ୍ୱିତୀୟ ପର୍ଯ୍ୟାୟରେ ସେ ଅଲେଖତତ୍ତ୍ୱ ସରଳ ଭାଷାରେ ଉପସ୍ଥାପନ କରିବା ନିମିତ୍ତ ଉଦ୍ୟମଶୀଳ ହୋଇଛନ୍ତି । ଦୃଷ୍ଟିଭଙ୍ଗୀରେ ସ୍ପଷ୍ଟତା ଜଣାପଡ଼େ ନାହିଁ । ବୈଷ୍ଣବ ଧର୍ମର ପ୍ରଭାବ ଅନେକତ୍ର ପରିଲକ୍ଷିତ ହୁଏ । ତେଣୁ ଅଲେଖଙ୍କ ସହ ସେ ବୈଷ୍ଣବଧର୍ମର ବହୁବିଧ ଦେବତାଙ୍କ ସହ ସମତା-ରୋପଣ କରିଛନ୍ତି । କେତେବେଳେ ସେ ତାଙ୍କୁ କ୍ଷୀରସିନ୍ଧୁବାସୀ ଓ କେତେବେଳେ ନାରାୟଣ ସ୍ୱାମୀ ରୂପରେ ପରିକଳ୍ପନା କରିଛନ୍ତି ।

 

ତୃତୀୟ ପର୍ଯ୍ୟାୟରେ କବିଙ୍କ ଅଲେଖ ପରିକଳ୍ପନା ସୁସ୍ପଷ୍ଟ । ଶତଶତ ରାମ, ଶତଶତ ବିଷ୍ଣୁ ଓ ଶତଶତ କୃଷ୍ଣ କାଳକ୍ରମେ ଅବତାର ଗ୍ରହଣ କରି ମାନବ ରୂପରେ ଧରାଧାମରେ ଅବତୀର୍ଣ୍ଣ ହୋଇ ଇହଲୀଳା ସମ୍ୱରଣ କରିଛନ୍ତି । ଏସବୁ ନିରାକାର, ନିରଞ୍ଜନ ଓ ଅଲେଖଙ୍କ ନିର୍ଦ୍ଦେଶରେ ଘଟୁଅଛି । ତେଣୁ ପ୍ରଭୁ ଅଲେଖ ଅବତାର ନୁହନ୍ତି । ସନାତନ ଧର୍ମର ଅବତାରୀ ପୁରୁଷଠାରେ ସେ ସମ୍ପୂର୍ଣ୍ଣ ପୃଥକ୍‌ । ଅଲେଖଙ୍କ ବଡ଼ିମା ଓ ମହିମା ପ୍ରଦର୍ଶନ କରିବା ନିମିତ୍ତ ଭୀମ ତାଙ୍କୁ ଏକ ଅପୌରୁଷେୟ ଏବଂ ଅନିର୍ବଚନୀୟ ସ୍ତରକୁ ଉତ୍ତୀର୍ଣ୍ଣ କରିଛନ୍ତି । ଏହା ସମସ୍ତ ଶକ୍ତିର ମୂଳଉତ୍ସ ଏବଂ ସବୁଶକ୍ତି ଅଲେଖ ମହିମାରେ ପରିଚାଜିତ । ତୃତୀୟ ପର୍ଯ୍ୟାୟର ଚଉତିଶା ପୁଞ୍ଜରେ ସେ ଅଲେଖ ଶକ୍ତିର ପରାକାଷ୍ଠା ଓ ମହାଶୂନ୍ୟର ନାନାବିଧ ତତ୍ତ୍ୱ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି । କିନ୍ତୁ ସେ ପରମ୍ପରା ପରିହାର କରିନାହାନ୍ତି । ନୂତନତା ପ୍ରଦର୍ଶାଇବା ଉଦ୍ଦେଶ୍ୟରେ ରଚନା କରିଛନ୍ତି ଓଲଟ ଚଉତିଶା । ସମସାମୟିକ ମହିମା ସନ୍ନ୍ୟାସୀ ଶ୍ୟାମଘନ ଭୀମଙ୍କ ପରି ଓଲଟ ଚଉତିଶା ମାଧ୍ୟମରେ ଅଲେଖ ଲୀଳା ବର୍ଣ୍ଣନା କରିଛନ୍ତି । ଶ୍ୟାମଘନ ଅବଶ୍ୟ ଭୀମଭୋଇଙ୍କଠାରୁ ବୟୋଜ୍ୟେଷ୍ଠ । ସେ ଥିଲେ ପରମ ବୈଷ୍ଣବ । କିନ୍ତୁ ପରିଣତ ବୟସରେ ସେ ମହିମାଧର୍ମାବଲମ୍ୱୀ ହୋଇଥିଲେ ଓ ରଚନା କରିଥିଲେ ଅଲେଖଲୀଳା ।

 

ଚଉତିଶାରେ ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଅକ୍ଷର କ୍ରମାନ୍ୱୟରେ ପ୍ରତ୍ୟେକ ଚରଣର ଆଦ୍ୟରେ ରହିଥାଏ । ଭୀମଭୋଇ ଏତାଦୃଶ ରୀତିରେ ଅନେକ ଚଉତିଶା ରଚନା କରିଥିଲେ । ଓଲଟ ଚଉତିଶାରେ ‘କ୍ଷ’ ଠାରୁ ‘କ’ ଅନୁକ୍ରମରେ ପ୍ରତ୍ୟେକ ପଦର ଆଦ୍ୟ ଅକ୍ଷର ରହିଥାଏ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉତିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଯଥା :-କଳସା ଚଉତିଶା ଓ କୋଇଲି ଚଉତିଶା ଇତ୍ୟାଦି । ଚଇତିଶା ଗୁଡ଼ିକ ଅନେକ ପ୍ରକାର ଭାବ ଆଧାରିତ-ଯଥା :-ସନ୍ଦେଶ, ମିଳନ ବା ବିରହ ସ୍ୱଭାବୋକ୍ତି, ସ୍ତୁତି, ଅଳଙ୍କାର, ବ୍ରହ୍ମଜ୍ଞାନ ପ୍ରକ୍ଷାଳନ, ବୈରାଗ୍ୟ, ଶୋକ, ଉପଦେଶ, ଭକ୍ତି ଇତ୍ୟାଦି । ସନ୍ଥକବି ଭୀମଭୋଇଙ୍କ ଚଉତିଶାଗୁଡ଼ିକ ପ୍ରଧାନତଃ ଭକ୍ତି ମୂଳକ । ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ ୨୪ଗୋଟି ଚଉତିଶା ଗ୍ରଥିତ ପୁସ୍ତକର ନାମ ଚଉତିଶା ମଧୁଚକ୍ର । ଶ୍ରୀ ବୀରକିଶୋର ଦାସଙ୍କ ସଂକଳିତ ଗ୍ରନ୍ଥାବଳୀରେ ୪୦ଟି ଚଉତିଶା ପ୍ରକାଶିତ ହୋଇଛି । ଚଉତିଶା ଗୁଡ଼ିକରେ ଭୀମଙ୍କ ଜୀବନୀ ଓ ଧର୍ମ ପ୍ରତିଫଳିତ ହୋଇଛି । ପ୍ରଥମ ଚଉତିଶାରେ କବି ଉଲ୍ଲେଖ କରିଛନ୍ତି –

 

‘‘ତିନି ତ୍ରୈଲୋକ୍ୟ କରତା

ତାଳପତ୍ରେ ଲେଖୁଅଛି ବୁଝିବ ବାରତା ।’’

 

ଏଥିରୁ ଜଣାପଡ଼େ ଯେ କବି ତାଳପତ୍ରରେ ଲେଖିବାପାଇଁ ସମର୍ଥ ଥିଲେ । ଏଥିରୁ ସେ ଅନ୍ଧ ନଥିବା ସୁସ୍ପଷ୍ଟ । ସେ ନିଜକୁ କେତେବେଳେ ଦାସ ଓ କେତେକ ସ୍ଥଳରେ ଅରକ୍ଷିତ ଭାବରେ ପରିଚିତ କରିଛନ୍ତି । ସେ ଥିଲେ ଜାତିରେ ନିକୃଷ୍ଟ ମନ୍ଦ କନ୍ଧ ।

 

ତତ୍‌କାଳୀନ ସମାଜରେ ମହିମାଧର୍ମୀମାନେ ଅତି ଦୟନୀୟ ପରିସ୍ଥିତିରେ କାଳାତିପାତ କରୁଥିଲେ । ଉଚ୍ଚଶ୍ରେଣୀର ଲୋକମାନେ ତାଙ୍କୁ ରହିବାପାଇଁ ସ୍ଥାନ ଦେଉନଥିଲେ, ବହୁତ ଅତ୍ୟାଚାର କରୁଥିଲେ, ଛାଟରେ ପିଟୁଥିଲେ । ଡକାଇତମାନେ ଭୀମଙ୍କୁ ବାନ୍ଧି ନେଇଥିଲେ । ଅରକ୍ଷିତ ଭୀମ ଦାଣ୍ଡରେ ପଡ଼ି ରହିଥିଲେ । ସେତେବେଳେ ମହିମା ସନ୍ନ୍ୟାସୀଗଣ ହୀନମାନ ହେଉଥିଲେ । ସେମାନେ ବାଧ୍ୟହୋଇ ବନଗ୍ରାମରେ ପରିଭ୍ରମଣ କରୁଥିଲେ । କିଞ୍ଚିତ ବିଶ୍ରାମ ସେମାନଙ୍କର ନଥିଲା । ଦୁଷ୍ଟମାନେ ସେମାନଙ୍କୁ ଘେରି ଘଉଡ଼ି ଦେଉଥିଲେ । ଦାତା ଦେଇଥିବା ଅନ୍ନ ଭୁଞ୍ଜିଲା ବେଳକୁ ସେଥିରେ ଧୂଳି ପକାଇ ଦେଉଥିଲେ । ହୃଦୟରେ ଅହଂକାର ରଖି ସର୍ବଦା ଲୋକମାନେ ତାଙ୍କୁ ନିନ୍ଦା ଓ ଘୃଣା କରୁଥିଲେ । ଅଲେଖତତ୍ତ୍ୱ ବର୍ଣ୍ଣନା କରିବା ଯଦିଓ କବିଙ୍କର ଏକମାତ୍ର ଉଦ୍ଦେଶ୍ୟ ତଥାପି ଅନେକତ୍ର ନିଜ ଜୀବନର ଦୁଃଖ ନିର୍ଯ୍ୟାତନା ଓ ନିଷ୍ପେଷନା ସ୍ଫୁରିତ ହୋଇଛି । ଏହା ଯେ କୌଣସି ସାଧକର ଜୀବନରେ ଅତି ସ୍ୱାଭାବିକ ।

 

ପଶ୍ଚିମ ଓଡ଼ିଶାର ଅନେକ ରାଜା ଓ ଜମିଦାର ତାଙ୍କୁ ପ୍ରଥମେ ସନ୍ଦେହ ଚକ୍ଷୁରେ ଦେଖିଥିଲେ । ବ୍ରାହ୍ମଣମାନଙ୍କ କୁଦୃଷ୍ଟିର ସେ ଶରବ୍ୟ ହୋଇଥିଲେ । କୁଚକ୍ରୀମାନଙ୍କର ପ୍ରରୋଚନାରେ ପଡ଼ି ରାଜନ୍ୟମଣ୍ଡଳୀ ତାଙ୍କର ଧର୍ମ ପରୀକ୍ଷା କରିଥିଲେ । କିନ୍ତୁ ନିରଞ୍ଜନାଶ୍ରୟୀ ଭୀମଭୋଇ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

 

କବି ଅଲେଖ ଭଜନ କରୁଥିଲେ ମଧ୍ୟ ପାରମ୍ପରିକ ଦେବତାଙ୍କୁ ଗ୍ରହଣ କରିଛନ୍ତି । ସେ ହରିହର ବ୍ରହ୍ମା ଦଶଦିଗପାଳଙ୍କୁ ସାକ୍ଷୀ ରଖିଛନ୍ତି । ଅଲେଖଙ୍କ ସ୍ୱରୂପ ବର୍ଣ୍ଣନାରେ କବିଙ୍କ ଲେଖନୀ ଚଳଚଞ୍ଚଳ ହୋଇ ଉଠିଛି । ଅଲେଖ ଖମ୍ୱ ପ୍ରାୟ ବିରାଜିତ । ତାଙ୍କର କ୍ଷୟ ବୃଦ୍ଧିନାହିଁ । ସେ ଚାରି ଯୁଗରେ ସତ, କ୍ଷମାସାଗର ପୁରୁଷ । କବି ଭଜନ କରିଛନ୍ତି ଶୂନ୍ୟ ପ୍ରଭୁଙ୍କୁ, ବିନୀତ ନିବେଦନ କରିଛନ୍ତି ଶ୍ରୀମୁଖର ଆଜ୍ଞା ନିମିତ୍ତ । ସେ ନିମଗ୍ନ ହୋଇଛନ୍ତି ଆକୁଳ ପ୍ରାର୍ଥନାରେ । କବି ଉଲ୍ଲେଖ କରିଛନ୍ତି-

 

‘‘ଚନ୍ଦ୍ର କିରଣ ପରାୟ ଯାର ପଦ୍ମ ପାଦ

ଚକ୍ରବାନା ଥାଉଁ ଥାଉଁ ପଡ଼ୁଛି ପ୍ରମାଦ ।’’

 

ନିଶି ଦିବସରେ ସେ ତାଙ୍କୁ ସ୍ମରଣ କରୁଥିଲେ । ସେ ପ୍ରଭୁଙ୍କ ବିହୁନରେ ନିଜକୁ ନିଃସହାୟ ଭାବୁଥିଲେ । ତାଙ୍କ ପ୍ରଭୁ ଦଇବ କରତା, ଦରିଦ୍ର ପ୍ରାଣୀଙ୍କ ଧନ, ଦୁଃଖୀର ଜୀବନ, ଦୟାବନ୍ତ, ଦୁରାକଷ୍ଟର ତ୍ରାତା । ସେ ଶୂନ୍ୟପୁରୁଷ, ସର୍ବଘଟରେ ତାଙ୍କର ଆସ୍ଥାନ । ସେ ଅନ୍ତର୍ଯ୍ୟାମୀ, ଚିଦାନନ୍ଦ ପ୍ରଭୁ, ପୂର୍ଣ୍ଣାନନ୍ଦ, ପୂର୍ଣ୍ଣବ୍ରହ୍ମରୂପୀ, ଦୀନବନ୍ଧୁ, ପରମପୁରୁଷ, ସତ୍ୟଧର୍ମ ପ୍ରତିଷ୍ଠାପକ, ବିଶ୍ୱବ୍ୟାପକ ।

 

କବିଙ୍କ ବୈଷ୍ଣବଧର୍ମୀ ଆଭିମୁଖ୍ୟ ଅନେକତ୍ର ପରିଲକ୍ଷିତ ହୋଇଥାଏ । କବି ଉଲ୍ଲେଖ କରିଛନ୍ତି-

 

‘‘ଉଦେ ହୋଇଅଛି ଧର୍ମରକ୍ଷା ଅର୍ଥେ ସ୍ୱୟଂ ବୁଦ୍ଧ ବଇଷ୍ଣବ ।’’

‘‘ବ୍ରହ୍ମାଣ୍ଡ କରତା ବିଜେ ଆପଣ

ବୈଷ୍ଣବ ମୂରତି ରୂପ ଯେ ।’’

 

ପୁନଶ୍ଚ ଯେଉଁଦିନଠାରୁ କଳିର ଦଶ ସହସ୍ର ବର୍ଷ ପୂର୍ଣ୍ଣ ହେଲା, ସେହିଦିନଠାରୁ ଜଗନ୍ନାଥ କ୍ଷେତ୍ରରେ ବୁଦ୍ଧ ଶରୀର ବହନ କରି ଅଲେଖ ପ୍ରବେଶ କଲେ । ଜଗନ୍ନାଥ ତାହା ଜାଣି ଅଲେଖଙ୍କ ଚରଣ ସେବା କଲେ । ଜଗନ୍ନାଥଙ୍କ ସ୍ଥିତି ଓ ଉଚ୍ଚମାନ କବି ସ୍ୱୀକାର କରନ୍ତି ନାହିଁ ।

 

ଅଲେଖ ମହାଶୂନ୍ୟ ଶିଖର ଉପରେ ଏକାକୀ ଉପବସନ କରନ୍ତି । ସେ ହିଁ ସବୁଠାରୁ ବଡ଼-। ଲୟଦ୍ୱାରା ହିଁ ସେ ଦୃଶ୍ୟମାନ ହୁଅନ୍ତି । ହରିହର ବ୍ରହ୍ମା, ଧରଣୀ, ଅନନ୍ତ ତାଙ୍କ ଆଦେଶ ପ୍ରତୀକ୍ଷାରେ ରହିଛନ୍ତି । ସେମାନେ ଅଲେଖଙ୍କ ସାକ୍ଷାତ ପାଇଲେ ନାହିଁ । ସେହି ପ୍ରଭୁ ଭକତବୃନ୍ଦଙ୍କ ସହ କଳକୀ ଅବତାର ଗ୍ରହଣ କରିବେ । କବି ଉଲ୍ଲେଖ କରିଛନ୍ତି –

 

ବୀର କଳକି ରୂପ ହେବେ

ବୁଦ୍ଧ ସମାଧି ଉଠାଇବେ

।।

ମହିମା ଉଠିବେ ସାକ୍ଷାତେ

ମାନିବେ ତ୍ରିପୁର ଜଗତେ

।।

 

ତାଙ୍କ ଭକ୍ତିର ମାର୍ଗରେ ବୈଷ୍ଣବ ଧର୍ମର ଭକ୍ତିମାର୍ଗର ସାମ୍ୟ ବିଦ୍ୟମାନ । ଯୋଗ, ଭଜନ, ନାମଗାନ, ସ୍ମରଣ ଇତ୍ୟାଦି ଉଭୟ ଧର୍ମରେ ପରିଲକ୍ଷିତ ହୋଇଥାଏ ।

 

କବି ଭକ୍ତ ଲକ୍ଷଣ ବର୍ଣ୍ଣନା କରିଛନ୍ତି-

 

‘‘ଭକତ ଲକ୍ଷଣ ଅଟଇ ନିର୍ଗୁଣ କାହାକୁ ଅନ୍ତର ନାହିଁ

ଭାଇବନ୍ଧୁ ପ୍ରାଏ ସମାନରେ ଚାହିଁ ଏକ ଆତ୍ମା ମଣୁଥାଇରେ

ଭଜୁଥାଇ ମୋ ନାମ । ଭାବେ ମୋ ପାଦେ ପଶେ ଶରଣ ।’’

 

ସେହିପରି ମୁକ୍ତି କଳ୍ପନାରେ କବି ଉଲ୍ଲେଖ କରିଛନ୍ତି –

 

ବୈକୁଣ୍ଠ ଭୁବନେ ବସିବ । ବ୍ରହ୍ମ ଅଙ୍ଗରେ ଲୀନ ହେବ ।

 

ଏଠାରେ ବୈଷ୍ଣବ ଧର୍ମର ସାଯୁଜ୍ୟ ମୁକ୍ତି ସାମ୍ୟ ପରିଲକ୍ଷିତ ହୋଇଥାଏ । ଭୀମଭୋଇଙ୍କ ମହିମାଧର୍ମ ସ୍ତ୍ରୀ, ପୁରୁଷ, ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ପୁନଶ୍ଚ କବିଙ୍କ ମତରେ-ଯାହାର କୌଣସି ବାଛ ବିଚାର ନାହିଁ, ଯେ ଧର୍ମ ଦାଣ୍ଡରେ ଭିକ୍ଷା ଖାଆନ୍ତି ଏବଂ ଯାହାର କିଛି ବାରଣ ନାହିଁ, ଯେ ଗ୍ରାମ ବାହାରେ ବିଶ୍ରାମ କରନ୍ତି, ସେ ହେଉଛନ୍ତି ବ୍ରହ୍ମଜ୍ଞାନୀ ।

 

ଚଉତିଶାଗୁଡ଼ିକର ଭାଷା ସରଳ, ସୁବୋଧ୍ୟ । କେତେକ ସ୍ଥଳରେ ପଶ୍ଚିମାଞ୍ଚଳରେ ବ୍ୟବହୃତ ଶବ୍ଦଭ ପ୍ରୟୋଗ ରହିଛି । ଯଥା-ଖେଦୁଛନ୍ତି, ଟେଢ଼ା ବଚନ, ଝୁରିମରିବା, ଝିମ ମାରିବା ଇତ୍ୟାଦି । ସ୍ୱୀୟ ରଚନାବଳୀକୁ ଅଳଙ୍କାର ବିମଣ୍ଡିତ କରିବାପାଇଁ କବି କୌଣସି ପ୍ରଚେଷ୍ଟା କରି ନାହାନ୍ତି । କିନ୍ତୁ ସ୍ୱାଭାବିକ ଭାବରେ ଅନେକତ୍ର ଉପମାଦି ଅଳଙ୍କାରର ପ୍ରୟୋଗ ଦୃଷ୍ଟିଗୋଚର ହୋଇଥାଏ । ଅଲେଖଙ୍କ ରୂପ ବର୍ଣ୍ଣନାରେ କବିଙ୍କ ଗଭୀର ଜ୍ଞାନର ପରିଚୟ ମିଳିଥାଏ ।

 

ପର୍ଯ୍ୟାୟକ୍ରମେ ଚଉତିଶାଗୁଡ଼ିକ ପ୍ରେମମୂଳକ, ଧାର୍ମିକ ଏବଂ ତାତ୍ତ୍ୱିକ । ତେଣୁ ଭୀମଭୋଇଙ୍କ ଚଉତିଶାଗୁଡ଼ିକ କି ବିଦଗ୍‌ଧ, କି ଦାର୍ଶନିକ, କି ଧାର୍ମିକ, ଗ୍ରାମବାସୀ, ସହରୀ, ସନ୍ନ୍ୟାସୀ, ଯୁବା, ବୃଦ୍ଧ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ବାସ୍ତବିକ ତାଙ୍କ ଭାଷାରେ କହିଲେ-‘‘ସେ କବି କୁଳଚାନ୍ଦ ।’’

 

ସହାୟକ ଗ୍ରନ୍ଥସୂଚୀ :

୧-

ମହିମା ଧର୍ମରେ କବି ଭୀମଭୋଇଙ୍କ ଭୂମିକା-ଶ୍ରୀ ଭାଗୀରଥୀ ନେପାକ ।

୨-

ସନ୍ଥକବି ଭୀମଭୋଇ-ଡଃ କାହ୍ନୁଚରଣ ମିଶ୍ର ।

୩-

Religious movements in Orissa in Nineteenth Century-Dr. B. B Mishra. Ph D. Thesis.

୪-

ଭୀମଭୋଇ ଗ୍ରନ୍ଥାବଳୀ-ଶ୍ରୀ ବୀରକିଶୋର ଦାସ ।

୫-

ଓଡ଼ିଶାର ମହିମାଧର୍ମ-ଶ୍ରୀ ଚିତ୍ତରଞ୍ଜନ ଦାସ, ଶାନ୍ତିନିକେତନ, ବିଶ୍ୱଭାରତୀ, ୧୯୫୨ ।

୬-

Studies in Medieval Religion and literature of Orissa-ବିଶ୍ୱଭାରତୀ Mahima Dharma.

୭-

ଭକ୍ତକବି ଭୀମଭୋଇ-ସର୍ବେଶ୍ୱର ଦାସ ।

୮-.

ଭୀମଭୋଇ-ସୀତାକାନ୍ତ ମହାପାତ୍ର-ସାହିତ୍ୟ ଏକାଡେମୀ New Delhi-1983.

 

 

ମୁଖ୍ୟ-ସ୍ନାତକୋତ୍ତର ଓଡ଼ିଆ ବିଭାଗ

ମହିଳା ମହାବିଦ୍ୟାଳୟ,

ସମ୍ୱଲପୁର

***

 

ମହିମା ଧର୍ମରେ ସାଧିକା

ଶ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର

 

ମହିମା ଧର୍ମରେ ସନ୍ନ୍ୟାସିନୀ ହେବା ସମ୍ପୂର୍ଣ୍ଣ ନିଷିଦ୍ଧ । ଯୋରନ୍ଦା ମଠରେ ନାରୀମାନଙ୍କୁ ନ୍ୟୂନ ସ୍ତରରେ ଗ୍ରହଣ କରାଯାଇ ସର୍ବନିମ୍ନ ସ୍ଥାନ ଦିଆଯାଇଥାଏ –

 

ସ୍ତିରୀ ତଇଳକୁ ନିଷେଧ କରିବ ହସ୍ତରେ ଛୁଇଁବ ନାହିଁ ।

କର୍ମଯୋଗରେ ଅକର୍ମ ସେ ବୋଲାଇ ବ୍ରହ୍ମମତ ତୁଟିଯାଇ ।।

(ସ୍ତୁତି ଚିନ୍ତାମଣି ୮୪-୧)

 

କିନ୍ତୁ ଖଲିଆପାଲି ମହିମା ମଠରେ ନାରୀମାନଙ୍କୁ ‘ସାଧିକା’ ଭାବରେ ଗ୍ରହଣ କରାଯାଇଥିବା ନିଶ୍ଚିତ ଭାବରେ ତାତ୍ପର୍ଯ୍ୟପୂର୍ଣ୍ଣ । ଜନ୍ମର ନବମ ଦିବସରୁ ଖଲିଆପାଲିସ୍ଥିତ ମହିମା ଗାଦିକୁ ଆସି ଶ୍ରୀୟାଦେବୀ ଆଜୀବନ ସନ୍ନ୍ୟାସିନୀ ରହି ଗତ ୨୨ ଡିସେମ୍ୱର ୧୯୮୭ରେ ମଠରେ ଦେହତ୍ୟାଗ କଲେ । ଏହାପରେ ମହିମା ମଠରେ ‘ସାଧିକା’ ରହିବାର ପରମ୍ପରାର ଶେଷ ହେଲା ।

 

ଢେଙ୍କାନାଳ ଜିଲ୍ଲାର ମଢ଼ିଗ୍ରାମର ବ୍ରାହ୍ମଣ କନ୍ୟା ଅନ୍ନପୂର୍ଣ୍ଣାଙ୍କୁ ସ୍ୱୟଂ ମହିମା ଗୋସାଇଁ ମହିମା ଦୀକ୍ଷାରେ ଦୀକ୍ଷିତ କରି ବିନିକାର ଗୁଲୁଣ୍ଡାଠାରେ ଭୀମଭୋଇଙ୍କୁ ସାହଚର୍ଯ୍ୟ ଦେବାପାଇଁ ପ୍ରେରଣ କରାଯାଇଥିଲା । ତାହା ପୂର୍ବରୁ ସ୍ୱୟଂ ଭୀମଭୋଇ କୌଣସି ନାରୀ ସାଧିକା ଗ୍ରହଣ କରି ନଥିଲେ କିମ୍ୱା ଦାର ଗ୍ରହଣ କରି ନଥିଲେ । ତେଣୁ ସେ ସ୍ପଷ୍ଟ ଭାବରେ କହି ଦେଇଛନ୍ତି-

ପର ହିଂସକ ପରବାଦ ରମଣୀ ଧନସଧେ ଯେବେ ଅଛି ।

ସତ୍ୟାନନ୍ଦ ସ୍ୱାମୀ ଆହେ ଶୂନ୍ୟ ଚାନ୍ଦ ସଂଶୟ ନରଖ କିଛି ।

(ସ୍ତୁତି ଚିନ୍ତାମଣି ୧୯-୧୦)

 

ପରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ବ୍ୟତୀତ ଅନ୍ୟ ଚାରିଜଣ ମହିଳାଙ୍କୁ ଭୀମଭୋଇ ମହିମା ଦୀକ୍ଷା ଦେଇଥିବା ପ୍ରକାଶ । ସେମାନେ ହେଲେ (୧) । ବଲାଙ୍ଗୀର ନାରାୟଣ ଦାସଙ୍କ ଝିଅ ରୋହିଣୀ, (୨) ଭୂର୍ଷାପାଲି ମୋହନ ଦାସଙ୍କ ଝିଅ ସୁମେଧା, (୩) ସୁବର୍ଣ୍ଣା ଦେବୀ, (୪) ରମିଲା ଈଶ୍ୱର ବାବାଙ୍କ ଝିଅ ସରସ୍ୱତୀ । ଏଥିନେଇ ତାଙ୍କ ବିରୁଦ୍ଧରେ ହେଉଥିବା ଅଭିଯୋଗକୁ ସେ ନିଜେ ଲେଖିଛନ୍ତି –

 

ପର ଝିଅ ବୋହୂ ଭେଳକି ଲଗାଇ ନେଇ କରିଛି ଭାରିଯା ।

ଗୁରୁ ବୋଲାଉଛି ଗୃହ କରିଅଛି ବୋଲୁଛନ୍ତି ରାଜାପ୍ରଜା ।।

(ସ୍ତୁତି ଚିନ୍ତାମଣି ୬୭-୨)

 

ଭୀମଭୋଇଙ୍କ ସ୍ୱଜାତ ପୁତ୍ର କପିଳେଶ୍ୱର ଏବଂ ଝିଅ ଲାବଣ୍ୟବତୀ ସୁମେଧା ସବର୍ଣ୍ଣାଙ୍କ ଗର୍ଭରୁ ଜନ୍ମଲାଭ କରିଥିବା ବିଷୟ ରାହାସବିହାରୀ ଦାସଙ୍କ ପୁସ୍ତକ ‘‘ଶ୍ରୀଗୁରୁ ମହାତ୍ମା’’ରୁ ଜଣାପଡ଼େ-‘‘କପିଳେଶ୍ୱରଙ୍କ ମାତ ଗୁରୁଙ୍କ ତୃତୀୟ ।’’

 

ତେବେ ଦାର ଗ୍ରହଣ, ‘ବ୍ରହ୍ମହାଣ୍ଡି’ର ଅନ୍ନ ଭକ୍ଷଣ ଏବଂ କୌପୀନ ପରିଧାନ ନକରିବା ହେତୁରୁ ଭୀମଭୋଇଙ୍କୁ କଟୁ ସମାଲୋଚନା କରାଯାଇ ମହିମାଗାଦୀ ମନ୍ଦିରକୁ ଯିବାକୁ ନିଷେଧାଜ୍ଞା ଜାରି କରାଯାଇଥିଲା ।

 

ସାଂସାରିକ ଜୀବନଯାପନ କରିବାରେ ମହାତ୍ମା ଭୀମଭୋଇ ନିଜେ ଅନୁତପ୍ତ । ଲେଖନ୍ତି-

 

ଜନମ ଭୂମିରୁ କାଢ଼ିଆଣି ମୋତେ ବଇଷ୍ଣବ ଦୀକ୍ଷା ଦେଲେ ।

ସାଧୁପଣେ ଥାଇ ଗୃହୀ ମୁଁ ହୋଇଲି କରଣ ଏତେକ କଲେ ।।

ମୁହିଁ କି ବିଚାରିଥିଲି ମୋ ମନରେ କରିବି ଭାରିଯା ପୁତ୍ର ।

ଗୁରୁସେବା କରି ନିଷ୍କାମରେ ଥିଲି ପାଇ ବ୍ରହ୍ମଜ୍ଞାନ ମନ୍ତ୍ର ।।

ଜନମ ଧରିତ୍ରୀ ଛାଡ଼ି ପ୍ରାଣୀମାନେ ବଇଷ୍ଣବ ହୋଇଯାନ୍ତି ।

କେଉଁ ବେଦଶାସ୍ତ୍ରେ ଶୁଣା ଅଛି ଏହା ପୁତ୍ର ଭାରିଯା କରନ୍ତି ।।

(ସ୍ତୁତି ଚିନ୍ତାମଣି ୬୪-୨/୪)

 

ତେବେ କ’ଣ ନାରୀ ସାଧିକା ଗ୍ରହଣ କରିବା ଏବଂ ସାଂସାରିକ ଜୀବନଯାପନ କରିବା ଭୀମଭୋଇଙ୍କ ପ୍ରତି ଗୁରୁ ଆଜ୍ଞା ଥିଲା ?

 

ବିଖ୍ୟାତ ଐତିହାସିକ ଆଇସମେନ୍‌ କହନ୍ତି ଯେ, ଭୀମଭୋଇ ଚାରିଜଣ ‘ସଙ୍ଗିନୀ’ (Female companion)ଙ୍କୁ ନେଇ ରହୁଥିଲେ । ତନ୍ମଧ୍ୟରୁ ଦୁଇଜଣ ଆଧ୍ୟାତ୍ମିକ ଏବଂ ଆଉ ଦୁଇଜଣ ସାଂସାରିକ । ମାତା ଅନ୍ନପୂର୍ଣ୍ଣା ମହିମାଧର୍ମୀଙ୍କଦ୍ୱାରା ସାକ୍ଷାତ ଦେବୀ ଭାବରେ ସମ୍ମାନିତ ହେଉଥିଲେ । ଏବେ ମଧ୍ୟ ଭୀମଭୋଇଙ୍କ ପାଦୁକାଦ୍ୱୟ ସହିତ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କ ପାଦୁକାଦ୍ୱୟ ମଧ୍ୟ ସମାଧି ମନ୍ଦିରରେ ପୂଜାପାଏ । ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ପୁସ୍ତକରେ ସୀତାକାନ୍ତ ମହାପାତ୍ର କହନ୍ତି ଯେ ଭୀମଭୋଇ ଖଲିଆପାଲିଠାରେ ରହି କେବଳ ନୀରବ ସାହିତ୍ୟ ସାଧକ ନଥିଲେ,

 

‘‘He sought a synthesis between life of the world and the life of the spirit. Ma Annapurna, his spiritual consoot was a great spiritual force in the Ashram.

 

ଭୀମଭୋଇ କହନ୍ତି-

 

ମାଈ ଅଣ୍ଡିରା ଯେତେଛନ୍ତି ସଂସାରେ ଅନାମରୁ ହେଲେ ଜନ୍ମ ।

ମୁଖରେ ପ୍ରେମ ପୀୟୁଷ ଭାବନାରେ ଯୁଗଳରେ କଲେ କର୍ମ ।।

(ସ୍ତୁତି ଚିନ୍ତାମଣି ୭୯-୧୨)

 

ଗୃହସ୍ଥ ଧର୍ମ ବର୍ଣ୍ଣନା କରି ସେ କହନ୍ତି-

 

ଋତୁ ମତରେ କିଛିହିଁ ଦୋଷ ନାହିଁ ଗୃହଧର୍ମ ବୋଲାଇଲା

ଗୃହ କରିବାର ଉଚିତ ପ୍ରମାଣ ବିହିତ କର୍ମକୁ ଗଲା ।।

ପ୍ରାତରୁ ଗୋମୟ ଶରୀରେ ଲଗାଇ ଜଳେ କରିବ ସ୍ନାହାନ ।

ନିଶିରେ ରଜବୀର୍ଯ୍ୟ ବାଧା ଯେତେକ କଟିବ ସେ ଦୋଷମାନ ।।

ଭାଇଭଗ୍ନୀ ପ୍ରାୟ ଦିନ ନେଉଥିବ ଋତୁମତେ ପତିପତ୍ନୀ ।

ସାଧୁସେବା କରି ଦିନ ବଞ୍ଚୁଥିବ ବୋଲାଇବ ଯତୀ ସତୀ ।।

(ସ୍ତୁତି ଚିନ୍ତାମଣି ୮୫-୧୦।୧୧।୧୩)

 

ତେଣୁ ଭୀମଭୋଇ ନାରୀକୁ ସାଧନାରେ ପୁରୁଷବତ୍‌ ଅଧିକାର ଓ ମାନ୍ୟ ଦେଇଥିବା ଉଲ୍ଲେଖଯୋଗ୍ୟ ।

 

ଏସବୁ ଦୃଷ୍ଟିରୁ ଏଠାରେ କହିବା ଯଥାର୍ଥ ହେବ ଯେ ଯୋରନ୍ଦା ଗାଦି ମନ୍ଦିର ଏବଂ ଖଲିଆପାଲି ମଠ ସତ୍ୟ ମହିମା ଧର୍ମର ଦୁଇଟି ଦିଗ । ଗୋଟିଏ ହେଲା ଡୋର କଉପିନୀଧାରୀ ଅବଧୂତ ସନ୍ନ୍ୟାସୀ ଏବଂ ଅନ୍ୟଟି ହେଲା ଗୃହସ୍ଥ ଭକ୍ତମାନଙ୍କର ମଠ । ସିଦ୍ଧ ଗୋବିନ୍ଦ ବାବା ପ୍ରଭୁଙ୍କ ଠାରୁ ବଳ୍‌କଳ ବାନା ଗ୍ରହଣ କରି ଆଦି ଅବଧୂତ ପରମ ସନ୍ନ୍ୟାସୀ ହୋଇଥିଲେ । ଅନ୍ୟ ପକ୍ଷରେ ଭକ୍ତ ଭୀମଭୋଇ ଗୃହସ୍ଥ ଭକ୍ତରୂପେ ପରିଚିତ । ଭୀମଭୋଇ ଆଦୌ ଡୋର କଉପିନୀ ଗ୍ରହଣ କରି ନଥିବା ଏବଂ ମହିମା ମଠକୁ ଯାଇ ନଥିବା କୁହାଯାଏ ।

 

ତେବେ ଶ୍ରୀୟା ଦେବୀ ତ ଖଲିଆପାଲି ମଠର ଅଧିକାରିଣୀ ହୋଇ ରହି ଆଜୀବନ ସନ୍ନ୍ୟାସ ନେଲେ । ପ୍ରଶ୍ନ ଉଠେ ଗୃହସ୍ଥ ଜୀବନ ଗ୍ରହଣ କଲେ ନାହିଁ କାହିଁକି ? କେତେକ କହନ୍ତି ଯେ ମାତା ଅନ୍ନପୂର୍ଣ୍ଣା ଥିଲେ ଭୀମଭୋଇଙ୍କ ‘ସହଧର୍ମିଣୀ’ । ଅନେକ କହନ୍ତି ସେମାନଙ୍କ ସମ୍ପର୍କ ‘ନୈସର୍ଗିକ’ । ତେବେ ଖଲିଆପାଲି ମହିମା ଗାଦୀରେ ଭୀମଭୋଇଙ୍କର ଅନ୍ୟାନ୍ୟ ସଙ୍ଗିନୀଙ୍କ ବ୍ୟତୀତ କେବଳ ମାତା ଅନ୍ନପୂର୍ଣ୍ଣାଙ୍କ ପାଦୁକା ପୂଜିତ ହେଲା କାହିଁକି ? ପୁଣି ଭୀମଭୋଇଙ୍କର ପୁତ୍ର ଦୁହିତା ଜନ୍ମ ନେବା ଏବଂ ପରବର୍ତ୍ତୀ କାଳରେ ପୁଣି ଶ୍ରୀୟା ଦେବୀଙ୍କର ଆଜୀବନ ସନ୍ନ୍ୟାସ ଆଦି ଅନିୟମିତ ଘଟଣାବଳୀରୁ ସ୍ପଷ୍ଟ ଜଣାଯାଏ ଯେ ଗୁରୁ ମହିମା ଗୋସାଇଁଙ୍କଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କୁ ଶିଷ୍ୟତ୍ୱ ଦେବା ଏବଂ ଭୀମଭୋଇଙ୍କ ନିକଟକୁ ପ୍ରେରଣ କରିବା ଥିଲା ମହିମା ଧର୍ମରେ ଏକ ନୂତନ ପ୍ରୟୋଗ, ଯାହା ଘଟଣାକ୍ରମେ ପରବର୍ତ୍ତୀ କାଳରେ ଭିନ୍ନ ଭିନ୍ନ ରୂପରେ ପ୍ରକାଶ ପାଇଛି । ତାହା କୌଣସି ନିର୍ଦ୍ଦିଷ୍ଟ, ବିଧିବଦ୍ଧ ଏବଂ ନିୟମିତ ରୂପ ନେଇପାରି ନାହିଁ ।

 

 

ସାମ୍ୱାଦିକ, ସମ୍ୱାଦ

ବଲାଙ୍ଗୀର

 

***

 

Unknown

ଭୀମଭୋଇ : ଏନ୍ତୁଡ଼ିଶାଳରୁ ସମାଧିସ୍ଥଳ

ଶ୍ରୀ ଗୋରେଖନାଥ ସାହୁ

 

ମହାତ୍ମା ଭୀମଭୋଇଙ୍କ ଏନ୍ତୁଡ଼ିଶାଳ କେହି ଦେଖି ନାହାନ୍ତି । ତାଙ୍କ ଜନ୍ମ, ଜାତି, ଜାତକ ସଂପର୍କରେ କେହି ଜାଣି ନାହାନ୍ତି । ସେ ସମ୍ପର୍କରେ ଜାଣିବାକୁ ସେ କାହାକୁ ସୁଯୋଗ ମଧ୍ୟ ଦେଇ ନାହାନ୍ତି । କାରଣ ସେ ଥିଲେ ଜଣେ ଦିବ୍ୟସ୍ରଷ୍ଟା, ପରମ ସିଦ୍ଧ ସାଧକ ଯୋଗୀ । ଜଣେ ଯୋଗୀର ଜନ୍ମ, ଜାତି, ଜାତକ ସମ୍ପର୍କରେ ଜାଣିବା ଅନାବଶ୍ୟକ କାରଣ ତାହା ଅନିତ୍ୟ । ଜନ୍ମ, ଜାତି, ଜାତକର ଊର୍ଦ୍ଧ୍ୱରେ ଯୋଗୀର ସ୍ଥାନ । ନିଜ ଜନ୍ମ ସମ୍ପର୍କରେ ଭୀମଭୋଇ କହିବାକୁ ଯାଇ ଗାଇଛନ୍ତି-

 

‘‘ପିତା ଅଟନ୍ତି ମୋ ଅନାଦି ଠାକୁର

ମାତା ଆଦିଶକ୍ତି ନାରୀ

ଦୂତୀ ଯୁଗଳରୁ ଜନମ ଲଭିଛି

କବି କୃତ୍ୟ କଳା ଧରି ।

 

ଭୀମଭୋଇଙ୍କ ଜନ୍ମ ବୃତ୍ତାନ୍ତ ଆଜି ମଧ୍ୟ କୁହେଳିକାମୟ । ଅନ୍ୟ ମହାତ୍ମାଙ୍କ ଭଳି ତାଙ୍କ ଜନ୍ମ ମଧ୍ୟ ଅଲୌକିକ । ଏକଥା ସତ ଯେ ଦନାର ଭୋଇ ଓ ତାଙ୍କ ପତ୍ନୀ ଗୁରୁବାରୀ ଭୀମଭୋଇଙ୍କ ଧର୍ମ ପିତାମାତା ଥିଲେ । ମାତ୍ର ଭୀମଭୋଇ ସେମାନଙ୍କ ଔରସରୁ ଜନ୍ମ ହୋଇ ନଥିଲେ । ଅନେକେ କହନ୍ତି ସେ ଜଣେ ବ୍ରାହ୍ମଣୀର ଔରସରୁ ଜନ୍ମିତ । ତାଙ୍କ ଶିଷ୍ୟମାନେ ଭୀମଭୋଇଙ୍କୁ ଅଯୋନି ସମ୍ଭୁତ ବୋଲି ବର୍ଣ୍ଣନା କରିଛନ୍ତି ।

 

ନିଜ ବାଲ୍ୟାବସ୍ଥା ସଂପର୍କରେ ଭୀମଭୋଇ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି ।

 

‘‘ଜନମ ଦିନରୁ ଦୁଇ ବରଷରୁ

ବସିଲାକ ହେତୁ ବୁଦ୍ଧି,

ପଞ୍ଚୁମନେ ଆସି ଭେଦଗଲା ପଶି

ଜୀବନ ହେଉଛି ଶୋଧି ।’’

 

ସପ୍ତବରଷରୁ ଅଷ୍ଟମ, ନବମ, ଦଶମ ଏଗାର ହେଲା ।

ବାର ବରଷରୁ ବତ୍ସାଙ୍କ ସଙ୍ଗତେ ବନେ ବୁଲି ଦିନଗଲା ।

ବୁଲୁଥାଇ ବନେ ନିତି ପ୍ରତିଦିନେ ବତ୍ସାଙ୍କୁ ସଙ୍ଗତେ ଘେନି

କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଇ ଝରପାଣି ।

ବାରଠାରୁ ତେର ଚଉଦ ବରଷ ବହିଗଲା ଏହି ରୂପେ

ମନ ଜାଣୁଅଛି ଅନ୍ତର ବେଦନା ଦହିର୍ଯ୍ୟ ହୋଇ ସନ୍ତାପେ ।

 

ଭୀମଭୋଇଙ୍କୁ ଅନେକେ ଆଜନ୍ମ ଅନ୍ଧ, ନହେଲେ ଅନ୍ଧାରକଣା କହନ୍ତି । ମାତ୍ର ଦିବାଲୋକ ଭଳି ଏକଥା ସତ୍ୟ ଯେ ଭୀମଭୋଇ ଜନ୍ମରୁ ବା ଜୀବନର କୌଣସି କ୍ଷଣରେ ଅନ୍ଧ ନଥିଲେ । ଏହାର ସେ ଭୁରି ଭୁରି ପ୍ରମାଣ ଦେଇ ଯାଇଛନ୍ତି । କୌଣସି କାରଣରୁ ତାଙ୍କୁ ଉଚ୍ଚ ବା ନୀଚ କରିବା ପାଇଁ ତାଙ୍କୁ ଅନ୍ଧ ବା ଅନ୍ଧାରକଣା କହିବା ସମୀଚୀନ ନୁହେଁ । କାରଣ ସତ୍ୟ ମହିମା ଧର୍ମର ପ୍ରବର୍ତ୍ତକ ସତ୍ୟନିଷ୍ଠ ଭୀମଭୋଇ କଦାଚିତ ମିଥ୍ୟାର ଆଶ୍ରୟ ନେଇ ନପାରନ୍ତି । ସେ ଚକ୍ଷୁଷ୍ମାନ୍‌ ଥିଲେ ବୋଲି ତାଙ୍କର ନିମ୍ନ ରଚନାବଳୀରୁ ସ୍ପଷ୍ଟ ପ୍ରତୀତ ହୁଏ ।

 

‘‘ରୂପଗୁଣ ବର୍ଣ୍ଣ ଜାନୁ ଯଉବନ

ନେତ୍ରେ ଯାହା ଅଛି ଦେଖି

ଶୋଭା ସୁନ୍ଦର ସୁରଙ୍ଗ ଦ୍ରବ୍ୟମାନ

ଯାହା ଦେଖିଅଛି ଆଖି ।

ବେଶ ଭୂଷଣ ବୟସ ଦ୍ରବ୍ୟମାନ

ଭଲମନ୍ଦ ଆଦି ଯେତେ

କଳା ଗୋର ରଙ୍ଗ ପିଙ୍ଗଳ ଶ୍ୟାମଳ

ଦେଖିଅଛି ନେତ୍ର ପଥେ ।

ଏ ପାତକମାନେ ନେତ୍ରେ ଘୋଟି ଅଛି

କୁହୁଡ଼ି ଜାଲ ପରାଏ

ବ୍ରହ୍ମ ଧୂନିରେ ଝସାଇ କ୍ଷମାକର

ଅଣାକାର ବ୍ରହ୍ମମଏ ।

ଜନମ କାଳରୁ ଦେଖିଅଛି ରୂପ

ତହିଁର ଯେତେ ପାତକ

କୁହୁଡ଼ି ଜାଲ ବକଳକୁ ଫିଟାଅ

ଅଣାକାର ଅନର୍ଯାପ ।

ସେହିପରି ମୋର ବେନିନେତ୍ର ପାପ

କୁହୁଡ଼ି ପ୍ରାଏ ଘୋଟିଛି

ଏକ ରୂପ ଏକ ପାଦ ମହାବ୍ରହ୍ମ

କୃପା ହସ୍ତେ ଦିଅ ପୋଛି ।’’

 

ଅନେକ ଅସହିଷ୍ଣୁ ବିରୋଧାଭାସୀ ଆଉ କିଛି ନହେଲେ ତାଙ୍କୁ ଅନ୍ଧାରକଣାର ଆଖ୍ୟା ଦେଇଥାନ୍ତି । ଭୀମଭୋଇ ଜଣେ ସମର୍ପିତ ଭକ୍ତଭାବେ ନିଜର ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅବସ୍ଥା କଥା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି-

 

ଭକୁଆ ପରାଏ ଭୁକି ମରୁଅଛି

ଗଞ୍ଜିହୋଇ ଭବ କୂପେ

ଖଣାରେ ପଡ଼ି ମୁଁ କଣା ହେଉଅଛି

କଣା ମନୁଷ୍ୟର ରୂପେ ।

 

ଏହି ଉକ୍ତିରୁ କଣ ଆମେ ଭୀମଭୋଇଙ୍କୁ ଅନ୍ଧାରକଣାର ଆଖ୍ୟା ଦେବା ? ଯେଉଁମାନେ ତାଙ୍କୁ ସେ ଆଖ୍ୟା ଦିଅନ୍ତି ସତରେ ସେମାନଙ୍କ ପ୍ରତି ମନରେ ଅନୁକମ୍ପା ଜାତହୁଏ । କେତେ ନିର୍ବୋଧ ସେହିମାନେ, ଯେଉଁମାନେ ଭୀମଭୋଇଙ୍କ ତାତ୍ତ୍ୱିକ ଅର୍ଥକୁ କଦର୍ଥ କରନ୍ତି । ଜଣେ ଦିବ୍ୟଦ୍ରଷ୍ଟା ସର୍ବଦା ନିଜକୁ ଅନ୍ଧ କହେ, ଜଣେ ଦିବ୍ୟସ୍ରଷ୍ଟା ସର୍ବଦା ନିଜକୁ କନ୍ଧ ମୂର୍ଖ ବୋଲି ପରିଚୟ ଦିଏ । ଏହା ତାର ବିନମ୍ରତାର ଲକ୍ଷଣ । ସେହି ବିନମ୍ରତାର ସୁଯୋଗ ନେଇ ଅଜ୍ଞାନୀମାନେ ଭୀମଭୋଇଙ୍କୁ ଅନ୍ଧ କନ୍ଧ ମୂର୍ଖ ଆଖ୍ୟା ଦେବା ବିସ୍ମୟକର ।

 

ଭୀମଭୋଇ ନିଜ ଜୀବନ କାଳରେ ଜଣେ ସଂସ୍କାରକ, ବିପ୍ଳବୀ ଭାବେ କୁସଂସ୍କାର, ଅନ୍ଧବିଶ୍ୱାସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ନାରୀ ସ୍ୱାଧୀନତା ତଥା ନାରୀ ଜାତିର ସମ୍ମାନ ବୃଦ୍ଧି ପାଇଁ ସେ ବିପ୍ଳବ କରିଥିଲେ । ଜାତିପ୍ରଥା ତଥା ମୂର୍ତ୍ତିପୂଜା ବିରୁଦ୍ଧରେ ସେ ବଜ୍ରଗମ୍ଭୀର ସ୍ୱର ଉତ୍ତୋଳନ କରିଥିଲେ । ସନ୍ନ୍ୟାସୀ ହୋଇ ସଂସାର ତ୍ୟାଗ କରିବା ଅପେକ୍ଷା ଗୃହସ୍ଥାଶ୍ରମରେ ଥାଇ ସାଧନା କରିବାକୁ ସେ ଅଧିକ ମହତ୍ତ୍ୱ ଦେଇଥିଲେ । ଗୀତା ହେଉଛି ଅନାସକ୍ତ କର୍ମଯୋଗର ଜ୍ଞାନ-। ତେଣୁ ଅନାସକ୍ତ ଭାବ ପାଇଁ ଖାଦ୍ୟ ସକାଶେ ଭିକ୍ଷା ଉପରେ, ବସ୍ତ୍ର ସକାଶେ ଗୈରୀକ ବସ୍ତ୍ର ଉପରେ, ବାସଗୃହପାଇଁ କୁଡ଼ିଆ ଘର, ଛାଇପାଇଁ ତାଳପତ୍ର ଛତା, ଆସନ ମଧ୍ୟରେ ସୂର୍ଯ୍ୟ ନମସ୍କାର, ବ୍ରହ୍ମଚର୍ଯ୍ୟ ରକ୍ଷାପାଇଁ ସୀମିତ ସ୍ତ୍ରୀ ସଂଗ, ଈଶ୍ୱରୋପଲବ୍‌ଧି ପାଇଁ ନିତ୍ୟ ସତ୍‌ସଂଗ, ଉପାସନା, ଭଜନ, କୀର୍ତ୍ତନ ଆଦି ସତ୍ୟ ମହିମାଧର୍ମର ବିଶେଷତ୍ୱ । ଭୀମଭୋଇ କିଛି ନୂଆ କଥା କହି ନାହାନ୍ତି । ବେଦ ଉପନିଷଦ ଗୀତାର ବାଣୀ ତାଙ୍କର କାବ୍ୟିକ ସୃଷ୍ଟିର ଛତ୍ରେ ଛତ୍ରେ ଝଂକୃତ ହୋଇଛି । ମାତ୍ର ବୈଦିକ ଦର୍ଶନକୁ ଆଧାର କରି ସେ ସୃଷ୍ଟି କରିଛନ୍ତି ଏକ ନୂତନ ଧର୍ମ ଯାହା ନିତ୍ୟ ସତ୍ୟ ଉପରେ ପର୍ଯ୍ୟବସିତ । ‘‘ବ୍ରହ୍ମ ସତ୍ୟ ଜଗତ୍‌ମିଥ୍ୟା’ ହେଲେ ମଧ୍ୟ ସେ ବିଶ୍ୱବ୍ରହ୍ମାଣ୍ଡକୁ ବ୍ରହ୍ମମୟ ଦେଖିଥିଲେ । ସେ ଥିଲେ ଦିବ୍ୟ ଦ୍ରଷ୍ଟା, ଦିବ୍ୟ ସ୍ରଷ୍ଟା । ତେଣୁ ଉପାସନା ତଥା ଈଶ୍ୱରୋପଲବ୍‌ଧି ନିକୃଷ୍ଟତମ ପାହାଚ ମୂର୍ତ୍ତିପୂଜାର ସେ ଘୋର ବିରୋଧୀ ଥିଲେ । ଏପରିକି ଜଗନ୍ନାଥ ମନ୍ଦିର ଭାଙ୍ଗିବାପାଇଁ ସେ ଉଦ୍ୟତ ହୋଇଥିଲେ ବୋଲି ଅନେକ ତାଙ୍କୁ ଅପବାଦ ଦେଇଥାନ୍ତି । ମାତ୍ର ତାହା ଯଦିଓ ସତ୍ୟ ହୁଏ ତେବେ ମୂର୍ତ୍ତିପୂଜା ବିରୁଦ୍ଧରେ କେତେ ପ୍ରଖର ଥିଲା ତାଙ୍କ ବିରୋଧ ସେଥିରୁ ଅନୁମାନ କରାଯାଇ ପାରେ । ବିପଥଗାମୀ ସମାଜକୁ ମୋକ୍ଷର ପ୍ରକୃତ ମାର୍ଗ ପ୍ରଦର୍ଶନପାଇଁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ମୂର୍ତ୍ତିପୂଜାକୁ ସେ ଯଦି ରାଜା ରାଜୁଡ଼ା ଅମଳରେ ଚ୍ୟାଲେଞ୍ଜ କରି ପାରିଥିଲେ ତାହା ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ନିଖୁଣ ନିଦର୍ଶନ । ଠିକ୍‌ ସେହିପରି ସେ ତତ୍‌କାଳୀନ ସମାଜର ଏକ ଅଧୋଗତି ଜାତିପ୍ରଥା ବିରୁଦ୍ଧରେ ମୁକ୍ତକଣ୍ଠରେ ପ୍ରବଳ ସ୍ୱର ଉତ୍ତୋଳନ କରିଥିଲେ ଆଉ ଗାଇଥିଲେ-

 

‘‘ଛତିଶ କୁଳ ସେ ବାଉନ ପାଟକ ଜାତି ବୋଲାନାହିଁ ଯାଏ

ପାଣି ଅନ୍ତର ପାଟକ ସିନା, ଏହୁ ସୁପଣ୍ଡିତ କର ନ୍ୟାଏ ।’’

 

ଅପର ପକ୍ଷରେ ପୁରୁଷପ୍ରଧାନ ସେହି ସମାଜରେ ନାରୀଜାତି ପ୍ରତି ଯେଉଁ ଆଚାର ବ୍ୟବହାର ତଥା ଅସମ୍ମାନ ସେହି ଅବସ୍ଥାର ପରିବର୍ତ୍ତନ ପାଇଁ ତଥା ସମାଜରେ ନାରୀକୁ ଉପଯୁକ୍ତ ସମ୍ମାନ ଦେବାପାଇଁ ସେ ଆପ୍ରାଣ ଚେଷ୍ଟା କରିଥିଲେ ଏବଂ ଗାଇଥିଲେ-

 

‘‘ଯେହୁ ଇଚ୍ଛା ସେହୁ ନାମକୁ ଭଜିଲେ

ଏଥି କିଛି ଦୋଷ ନାହିଁ

କି ଅବା ସ୍ତିରୀ ସେ କି ଅବା ପୁରୁଷ

ଯେ ଜନ ପାରିବ ଧ୍ୟାୟି ।

ଆତ୍ମ ଜଗତିରେ ଦୋଷାଦୋଷ ନାହିଁ

ନୀଚ ଉଚ୍ଚ ସବୁ ସମ

ଭଣେ ଭୀମଭୋଇ ଗୁରୁପାଦେ ଧ୍ୟାୟି

ନିର୍ଗୁଣ ଏ ନାମ ବ୍ରହ୍ମ ।’’

 

ତାଙ୍କ ପାଇଁ ଗୁରୁ ଥିଲେ ଶ୍ରେଷ୍ଠ । ଗୁରୁଙ୍କ ଆଦେଶ ହେଲେ ସେ ସୁରାପାନ କରିପାରିବେ ତଥା ବ୍ରାହ୍ମଣୀ ନାରୀ ମଧ୍ୟ ହରଣ କରି ପାରିବେ । ଏତଦ୍ୱାରା ସେ ଗୁରୁବନ୍ଦନା କରିଛନ୍ତି ମାତ୍ର । ଗୁରୁଙ୍କ ପ୍ରତି ଭୀମଭୋଇ କେତେ ଆଶ୍ରିତ ଏଥିରୁ ସ୍ପଷ୍ଟ ଜଣାପଡ଼େ । ଗୁରୁଙ୍କୁ ସେ ସାକ୍ଷାତ୍‌ ପରଂବ୍ରହ୍ମ ବୋଲି ବିଚାର କରୁଥିଲେ ।

 

ଭୀମଭୋଇ ଆଦ୍ୟ ଯୌବନ କାଳରେ ଡାଲଖାଇ, ରସରକେଲି, ଜାଇଫୁଲ, ହଳିଆଗୀତ ଆଦି ଲୋକଗୀତ ରଚନା କରିବା ସଙ୍ଗେ ସଙ୍ଗେ ଅସଂଖ୍ୟ ଛାନ୍ଦ, ଚଉପଦୀ, ଚଉତିଶା, ଭଜନ, ଜଣାଣ ଆଦି ରଚନା କରିଥିଲେ । ଏଥିରୁ ତାଙ୍କର ସ୍ୱଭାବ ସୁଲଭ କବିତ୍ୱର ପରିଚୟ ମିଳେ । ଲୋକଗୀତ ମାଧ୍ୟମରେ ଆଦିରସସିକ୍ତ କବି ଭୀମଭୋଇ ପ୍ରେମିକ କୃଷ୍ଣଙ୍କ ମୁହଁରେ ଗାଇଛନ୍ତି-

 

‘‘ଟାଣୁଅଛି ପଞ୍ଚଶର ଅନଙ୍ଗ ପିଡ଼ୁଛି

ଟଳଟଳ ପିଣ୍ଡୁ ମୋର ଟଳିପଡ଼ୁଅଛି ।

ଟିଆଲୁ ଟାଳିବା ଯାଏ ନାଗରୀ

ଜୀବ ଯାଉଅଛି ଚାଲି ରସ ଯା ଚାଲି ଯାରେ ’’

 

ପୁଣି ରାଧାଙ୍କ ମୁହଁରେ ଗାଇଛନ୍ତି-

‘‘ଢାଙ୍କୁଣୀ ଘୋଡ଼ାଇ ଦେବି

ଯହିଁ କସାଇଲେ ତହିଁ ବସିବି

ଜାଇଫୁଲ ତୁମ୍ଭ ବଚନ ପାଳିବି ।

ଅନୁକ୍ଷଣେ ଥିବି ସଙ୍ଗେ

ଭାବ ହେଉଥିବି ତାହାରି ଅଙ୍ଗେ

ଜାଇଫୁଲ ବସାଇବି ଜାନୁଜଙ୍ଘେ ।

ତୈଳ ମୁଁ ଲଗାଇ ଦେବି

ଭୁଜ ଭିଡ଼ି ପଲଙ୍କେ ଶୋଇବି

ଜାଇଫୁଲ ପ୍ରେମରସ ଚୁମ୍ୱାଇବି ।’’

 

ମାତ୍ର ଯୌବନର ପରବର୍ତ୍ତୀ କାଳରେ ଗୁରୁ ଆଶୀର୍ବାଦ ଓ ଆଜ୍ଞାରେ ଭୀମଭୋଇ ଆଦିରସ ପରିତ୍ୟାଗ କରି ରଚନା କରିଛନ୍ତି ଭକ୍ତି ରସାପ୍ଳୁତ କାବ୍ୟ କବିତା । ନିଜର ଅମର ସାହିତ୍ୟ କୃତି ମାଧ୍ୟମରେ ସେ ପ୍ରଚାର ପ୍ରସାର କରି ଯାଇଛନ୍ତି ସତ୍ୟ ମହିମାଧର୍ମର ନିଗୂଢ଼ ତଥ୍ୟ । ତାଙ୍କର ଅସଂଖ୍ୟ ରଚନାବଳୀ ମଧ୍ୟରେ ‘‘ସ୍ତୁତି ଚିନ୍ତାମଣି’’ ସର୍ବଶ୍ରେଷ୍ଠ । ଏଥିରେ ସନ୍ନିବେଶିତ ଅଛି ତାଙ୍କର ସତ୍ୟନିଷ୍ଠ ଆତ୍ମଜୀବନୀ, ଶାଶ୍ୱତ ସାହିତ୍ୟ, ଆଦର୍ଶ ଜୀବନ-ଦର୍ଶନ ଓ ଧର୍ମଧାରଣାର ନିଗୂଢ଼ ତତ୍ତ୍ୱ । ଏ କଥା ସତ ଯେ ଭୀମଭୋଇ ଏକ କନ୍ଧ ପରିବାରରେ ଲାଳିତ ପାଳିତ ହୋଇଥିଲେ । ସେ ଗାଁ ଚାଟଶାଳୀରେ କୌଣସି ପାଠ ପଢ଼ି ନଥିଲେ । ତଥାପି ସେ ସ୍ୱୀୟ ସାଧନା ଓ ସିଦ୍ଧି ବଳରେ ସୃଷ୍ଟି ର ଶ୍ରେଷ୍ଠତମ ଜ୍ଞାନ ଆହରଣ କରି ବେଦ, ଉପନିଷଦ, ଗୀତା, ଭଗବତ୍‌, ରାମାୟଣ, ମହାଭାରତ ତଥା ସମସାମୟିକ ଧର୍ମପୁସ୍ତକ ସମ୍ପର୍କରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରି ଆଞ୍ଚଳିକ ତଥା କଥିତ ଭାଷା ପ୍ରୟୋଗ କରି ଏକ ଅଭିନବ ଓଡ଼ିଆ ସାହିତ୍ୟର ଉତ୍ତୁଙ୍ଗ ଅଟ୍ଟାଳିକା ନିର୍ମାଣ କରିବାକୁ ସକ୍ଷମ ହୋଇଥିଲେ ।

 

ଭୀମଭୋଇଙ୍କୁ ତାଙ୍କ ସମସାମୟିକ ସାହିତ୍ୟିକମାନଙ୍କ ସହ ତୁଳନା କରାଯାଇ ପାରେନା-। କାରଣ ଭୀମଭୋଇ ଥିଲେ ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର । ତାଙ୍କ ପରି ଶ୍ରେଷ୍ଠ ବ୍ୟକ୍ତିତ୍ୱର, ଶ୍ରେଷ୍ଠ ସୃଷ୍ଟିର ଅଧିକାରୀ ଆଉ କେହି ହୋଇ ପାରିବେ ନାହିଁ । ଭୀମଭୋଇଙ୍କୁ ଭୀମଭୋଇଙ୍କ ସୃଷ୍ଟି, ତାଙ୍କ ସାଧନା, ତାଙ୍କ ସିଦ୍ଧି ଦୃଷ୍ଟିରୁ ହିଁ ବିଚାର କରିବାକୁ ପଡ଼ିବ । କେବଳ ଉପରଠାଉରିଆ ଭାବେ ତାଙ୍କ ରଚିତ କାବ୍ୟ କବିତା ପଢ଼ି ସମାଲୋଚନା ମୂଳକ ଲଘୁ ମନ୍ତବ୍ୟଟିଏ ଦେଇଦେଲେ ତାଙ୍କ ପାଇଁ ଯଥେଷ୍ଟ ନ୍ୟାୟ ହେବ ନାହିଁ ।

 

ଭୀମଭୋଇଙ୍କ ସତ୍ୟ ମହିମାଧର୍ମ ସନାତନ ହିନ୍ଦୁ ଧର୍ମଠାରୁ ଭିନ୍ନ ବା ତାର ପରିପନ୍ଥୀ ନୁହେଁ । ବରଂ ବୈଦିକ ଧର୍ମର ସାରତତ୍ତ୍ୱ ଗ୍ରହଣ କରି ତାର ବିକଳାଙ୍ଗ ରୂପକୁ ବର୍ଜନ କରିବାପାଇଁ ସତ୍ୟ ମହିମାଧର୍ମର ଅବତାରଣା କରାଯାଇଛି । ସତ୍ୟ ମହିମାଧର୍ମ ସଂପର୍କରେ କହିବାକୁ ଯାଇ ଭୀମଭୋଇ ଗାଇଛନ୍ତି –

 

‘‘ଘୋର କଳିଯୁଗେ ଏ ଧର୍ମ ଉଦିତ ଏଠାରୁ ନାହିଁ ନା ବଡ଼

ଅଲେଖ ମହିମା ନାମ ଯେଉଁ ପଦ ଖଣ୍ଡାଇତ ଖଣ୍ଡାଦାଢ଼ ।’’

 

ଈଶ୍ୱର ଉପାସନା ତଥା ଈଶ୍ୱରୋପଲବ୍‌ଧି ରୂପକ ସିଡ଼ିର ଅନେକ ପାହାଚ ଅଛି । ଗୋଟିଏ ଗୋଟିଏ ପାହାଚ ଗୋଟିଏ ଗୋଟିଏ ପଥର ପ୍ରବେଶ ଦ୍ୱାର ହୋଇପାରେ । ‘‘ଯତୋ ମତ ତତୋ ପଥ’’ । ପଥ ଅନେକ ଲକ୍ଷ୍ୟ ଏକ । ଏହି ସ୍ତମ୍ଭରେ ଦେଲେ ମନ ଏହି ସ୍ତମ୍ଭରେ ଭଗବାନ, ସର୍ବଘଟେ ପ୍ରଭୁ ବିଦ୍ୟମାନ, ନରଦେହେ ନାରାୟଣ ତଥା ଅଲେଖ ନିରଞ୍ଜନ ନିରାକାର ପରଂବ୍ରହ୍ମର ଉପାସନା । ଏମାନଙ୍କ ମଧ୍ୟରେ ଅଲେଖ ନିରଞ୍ଜନ ନିରାକାର ପରଂବ୍ରହ୍ମର ଉପାସନା ଶ୍ରେଷ୍ଠ ବୋଲି ବୈଦିକ ମତସମ୍ମତ । ଯୋଗ ମାଧ୍ୟମରେ ସେହି ନିଷ୍କାମ ଉପାସନା ହେଉଛି ମାନବ ଜାତିପାଇଁ ଶ୍ରେଷ୍ଠ କର୍ମ । ସେହି ଶ୍ରେଷ୍ଠ କର୍ମକୁ ଲୋକପ୍ରିୟ କରିବା ପାଇଁ ପ୍ରକାଶର ଶ୍ରେଷ୍ଠ ମାଧ୍ୟମ ହେଉଛି କାବ୍ୟ କବିତା । ସେହି ମାଧ୍ୟମରେ ଭୀମଭୋଇ ଜନ-ମାନସକୁ ଦେଇଛନ୍ତି କର୍ମ, ସାଧନା, ସିଦ୍ଧି ଓ ମୁକ୍ତିର ମାର୍ଗ । ନିଜ ଜୀବଦ୍ଦଶାରେ ସେ ସକଳ ପୁରୁଷାର୍ଥ ଯଥା-ଅର୍ଥ, କାମ, ଧର୍ମରେ ସିଦ୍ଧି ଲାଭ କରି ମୋକ୍ଷପ୍ରାପ୍ତ ହୋଇଥିଲେ । ସେ ସମ୍ପର୍କରେ ବର୍ଣ୍ଣନା କରିବାରୁ ଯାଇ ଭୀମଭୋଇ ଲେଖିଛନ୍ତି –

 

ଧନ ଦାରା ସୁତ ପାଇ ଆନନ୍ଦ

ଏ ମୋର କପାଳରେ ଥିଲ ।

ପୂର୍ବ କମାଣିର ଫଳ ଭୁଞ୍ଜୁ ଅଛି

କାହାର ବା କିସ ଗଲା ?

 

ସତ୍ୟ ଧର୍ମ ସିନା ଅରଜି ଥିବାରୁ

ତତ୍ତ୍ୱରେ ପାଇଲି ମୁହିଁ

ଆମ୍ଭନିଧି ଆମ୍ଭ ହସ୍ତକୁ ଆଇଲା

ଏଥିରେ ସଂଶୟ ନାହିଁ ।

 

ଖଲିଆପାଲିରେ ଭୀମଭୋଇଙ୍କ ସମାଧି ମନ୍ଦିରର ବିଶାଳତା ଓ ଗାମ୍ଭୀର୍ଯ୍ୟରୁ ଭୀମଭୋଇଙ୍କ ଲୋକପ୍ରିୟତା, ତାଙ୍କ ବ୍ୟକ୍ତିତ୍ୱର ଶ୍ରେଷ୍ଠତ୍ୱ କଳନା କରି ହୁଏ । ପୃଥିବୀର ସମାଧି ମନ୍ଦିରମାନଙ୍କ ମଧ୍ୟରେ କାରୁକାର୍ଯ୍ୟ ଓ ବିଶାଳତା ଦୃଷ୍ଟିରୁ ତାଜମହଲ ଶ୍ରେଷ୍ଠ ହୋଇପାରେ ମାତ୍ର ଶାହାଜାହାନ ଓ ମମତାଜମହଲଙ୍କ ସମାଧିପୀଠ ଅପେକ୍ଷା ଖଲିଆପାଲିସ୍ଥିତ ଭୀମଭୋଇ ସ୍ମୃତିମନ୍ଦିର ମଧ୍ୟସ୍ଥିତ ଭୀମଭୋଇ ଓ ଅନ୍ନପୂର୍ଣ୍ଣାଙ୍କ ସମାଧିପୀଠ ଅପେକ୍ଷାକୃତ ଅଧିକ ହୃଦୟସ୍ପର୍ଶୀ, ଅଧିକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ମନୋରମ । ଖଲିଆପାଲି ଭଳି ଏକ ଅଜ୍ଞାତ ପଲ୍ଲୀରେ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ମଳିମୁଣ୍ଡିଆ ଚାଷୀ ମୂଲିଆ ଆଦିବାସୀ ହରିଜନମାନଙ୍କ ଉଦ୍ୟମ ବଳରେ ଏପରି ଏକ ବିଶାଳ ଓ ସୌନ୍ଦର୍ଯ୍ୟମୟ ସ୍ମୃତି ମନ୍ଦିର ଓ ସମାଧିପୀଠ ତତ୍‌କାଳୀନ ବା ପରବର୍ତ୍ତୀ କୌଣସି ଉତ୍କଳୀୟ ବରପୁତ୍ରଙ୍କ ପାଇଁ ନିର୍ମାଣ କରାଯାଇ ନାହିଁ । ଏହି ସ୍ମୃତିମନ୍ଦିର ଓ ସମାଧିପୀଠ ହିଁ ଭୀମଭୋଇଙ୍କ ପ୍ରତି ତତ୍‌କାଳୀନ ସମାଜର ସ୍ନେହ, ଶ୍ରଦ୍ଧା, ଭକ୍ତି, ପ୍ରେମର ଚରମ ନିଦର୍ଶନ ।

 

ଭୀମଭୋଇ ଅବିସମ୍ୱାଦୀଭାବେ ତତ୍‌କାଳୀନ ସମାଜର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଥିଲେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଏହି ସମାଧିପୀଠର ଶ୍ରେଷ୍ଠତ୍ୱ ହିଁ ତାଙ୍କ ଜନ୍ମ, ଜୀବନ ଓ ସୃଷ୍ଟିର ଶ୍ରେଷ୍ଠତ୍ୱ ତଥା ସାର୍ଥକତା ପ୍ରତିପାଦିତ କରୁଛି । ସମାଧି ହେଉଛି ମୃତ୍ୟୁର ପ୍ରତୀକ, ଧର୍ମ ହେଉଛି ମୋକ୍ଷର ପ୍ରତୀକ । ପରଂବ୍ରହ୍ମ ସହିତ ଲୀନ ହୋଇଯିବା ତାଙ୍କ ଜୀବନର ଧ୍ୟେୟ ଥିଲା ଏବଂ ଅନ୍ୟ ଭକ୍ତମାନଙ୍କୁ ସେହି ଧ୍ୟେୟ ଆଡ଼କୁ ଆକୃଷ୍ଟ କରିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା । ତେଣୁ ସେ ଗାଇଥିଲେ –

 

‘‘ଶରଣ ବାଞ୍ଛିତ କାନ୍ଦିକାନ୍ଦି ଭକ୍ତ ଗଡ଼ି ଗଲେଣି ସକଳ

ଦୋଷ ଅପରାଧ କ୍ଷମାକରି ଗୁରୁ ଜାଗ୍ରତରେ ପ୍ରତିପାଳ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’’

 

ଭୀମଭୋଇ ତାଙ୍କ ଜୀବଦ୍ଦଶାରେ ସ୍ୱୀୟ ଲକ୍ଷ୍ୟରେ ପହଞ୍ଚି ପାରିଥିଲେ । ସାଧନା ବଳରେ ନିଜେ ସିଦ୍ଧି ଲାଭ କରିବା ସଙ୍ଗେସଙ୍ଗେ ଅନ୍ୟକୁ ସେହି ମାର୍ଗରେ ପରିଚାଳିତ କରିବା ଦିଗରେ ସଫଳ ହୋଇ ପାରିଥିଲେ । ଭୀମଭୋଇ କନ୍ଧ ନଥିଲେ କି ଅନ୍ଧ ନଥିଲେ । କନ୍ଧ ଅଜ୍ଞାନତାର ସନ୍ତକ । ଅନ୍ଧ ଅନ୍ଧକାରର ସନ୍ତକ । ଅଜ୍ଞାନରୂପୀ ଅନ୍ଧକାରର ସନ୍ତକ ଭୀମଭୋଇ ଯଦି ତତ୍ତ୍ୱଦ୍ରଷ୍ଟା ଭାବେ ଜ୍ଞାନର ଆଲୋକ ମାନବସମାଜକୁ ଦେଖାଇ ଦେଇ ପାରିଲେ ତେବେ ତାଙ୍କଠାରୁ ବଳି ଶ୍ରେଷ୍ଠ ବ୍ୟକ୍ତିତ୍ୱ ଆଉ କିଏ ହୋଇପାରେ ? ଅଶିକ୍ଷିତ, ଅଜ୍ଞାନୀ ଜନସମାଜ ବୁଝିଲାଭଳି ସରଳ ତରଳ ଭାଷାରେ ସେ ଯେଉଁ ସୃଷ୍ଟି ଓ ସ୍ରଷ୍ଟା, ଜୀବ ଓ ଜୀବନ, ସାଧନା ଓ ସିଦ୍ଧି ସମ୍ପର୍କରେ ଗୂଢ଼ତତ୍ତ୍ୱର ପରିଭାଷା ଦେଇଯାଇଛନ୍ତି ତାହା ଚିରନ୍ତନ ସାହିତ୍ୟ, ଜୀବନ, ଧର୍ମ ଓ ମୋକ୍ଷର ଆଧାର ହୋଇ ରହିବ । ତେଣୁ ଭୀମଭୋଇଙ୍କ ସାହିତ୍ୟକୃତି ହେବ ଆଗାମୀ ଯୁଗର ସାହିତ୍ୟ, ତାଙ୍କ ପ୍ରବର୍ତ୍ତିତ ସତ୍ୟ ମହିମା ଧର୍ମ ହେବ ଆଗାମୀଯୁଗର ଧର୍ମ । ତେଣୁ ଭୀମଭୋଇଙ୍କୁ କେବଳ ଜଣେ କବି, ସନ୍ଥକବି, ଯୋଗୀ, ଧର୍ମପ୍ରଚାରକ, ସମାଜ ସଂସ୍କାରକ, ସାଧକ, ବିପ୍ଳବୀ କହିଦେଲେ ଯଥେଷ୍ଟ ହେବ ନାହିଁ । ସେ ଥିଲେ ଏକାଧାରରେ ସେହି ସମସ୍ତ ଗୁଣର ଅଧିକାରୀ, ସମସ୍ତ ବ୍ୟକ୍ତିତ୍ୱର ଅଧିକାରୀ । ତେଣୁ ଭୀମଭୋଇଙ୍କୁ ଅନେକ ଇର୍ଷା କରନ୍ତି । ସେମାନେ ହୋଇପାରନ୍ତି ରାଜା, ସାହୁକାର, ମୂର୍ତ୍ତିପୂଜକ ବା ବିରୋଧୀ ମହିମା ଧର୍ମାବଲମ୍ବୀ । ତାଙ୍କୁ ତାଙ୍କ ଜୀବଦ୍ଦଶାରେ ଉପଯୁକ୍ତ ସ୍ଥାନ, ଉପଯୁକ୍ତ ସମ୍ମାନ ମିଳିନାହିଁ । ବାସ୍ତବରେ ଭୀମଭୋଇ ବିଶ୍ୱ ପରିବାରରେ ଆଦୃତ ହେଲାଭଳି ଜଣେ ବ୍ୟକ୍ତିତ୍ୱ । ତାଙ୍କର ସାହିତ୍ୟ, ତାଙ୍କର ଧର୍ମ, ତାଙ୍କର ସମାଜ ସଂସ୍କାର ତାଙ୍କର, ସାଧନା, ଚିରନ୍ତନ, ଶାଶ୍ୱତ । ତାଙ୍କପରି ଏ ମାଟିରେ ଆଉ ଜଣେ କେହି ଜନ୍ମ ହୋଇନାହାନ୍ତି । ତେଣୁ ସେ ଅତୁଳନୀୟ ତାଙ୍କୁ କୋଟି କୋଟ ନମସ୍କାର ।

 

 

ସଭାପତି

ସୋନପୁର ଜିଲ୍ଲା ସମ୍ୱାଦିକ ସଂଘ

ସୋନପୁର

 

***

 

ବିଶ୍ୱକବି ଭୀମଭୋଇଙ୍କ ଦୃଷ୍ଟି

ଡକ୍‌ଟର ଉଦ୍ଧବଚରଣ ନାୟକ

 

ଭାରତବର୍ଷର ଆତ୍ମଦର୍ଶୀ ସାଧକମାନଙ୍କ ମଧ୍ୟରେ ଓଡ଼ିଶାର ସନ୍ଥ-ସାଧକ ମହାତ୍ମା ଭୀମଭୋଇଙ୍କ ଭୂମିକା ଅତ୍ୟନ୍ତ ଉଲ୍ଲେଖନୀୟ । ଭୀମଭୋଇ ଥିଲେ ଓଡ଼ିଶାର ନିଜସ୍ୱଧର୍ମ ମହିମା-ଧର୍ମର ମୁଖ୍ୟ ପ୍ରଚାରକ-ପ୍ରସାରକ । ତାଙ୍କ ଦୃଷ୍ଟି ସର୍ବଦା ନିକ୍ଷେପିତ ଥିଲା ତତ୍‌କାଳୀନ ସମାଜର ଦଳିତ ନିଷ୍ପେଷିତ, ଅତ୍ୟାଚାରିତ, ନିନ୍ଦିତ ତଥା ଘୃଣିତ ବ୍ୟକ୍ତିମାନଙ୍କ ଉନ୍ନତି ନିମନ୍ତେ । ଏହି ବ୍ୟକ୍ତିମାନେ ବ୍ରାହ୍ମଣ୍ୟଧର୍ମର ପରାଭବରେ ତ୍ରାହି ତ୍ରାହି ଡାକ ଛାଡ଼ୁଥିଲେ । ସମାଜରେ ଉପଯୁକ୍ତ ସ୍ଥାନ ଲାଭ କରିବା ପାଇଁ ଆର୍ତ୍ତନାଦ କରୁଥିଲେ । ଏହି ଲୋକମାନଙ୍କର ସାମଗ୍ରୀକ ଉନ୍ନତି ନିମନ୍ତେ ଭୀମଭୋଇଙ୍କ ପ୍ରାଣ ସର୍ବଦା ଥିଲା ଉଦ୍‌ବେଳିତ । ସେତେବେଳେ ସମାଜ ନାନାବିଧ ଅନ୍ଧବିଶ୍ୱାସ, କୁସଂସ୍କାର, ଜାତିଭେଦ, ବର୍ଣ୍ଣବୈଷମ୍ୟ ଓ ପ୍ରତିମାପୂଜା ଆଦିରେ କବଳିତ ହୋଇ ରହିଥିଲା ।

 

ଅନ୍ଧବିଶ୍ୱାସ କୁସଂସ୍କାର ମାଧ୍ୟମରେ ସମାଜର ତତ୍‌କାଳୀନ ବଡ଼ପଣ୍ଡାମାନେ ନିରୀହ ଜନତାକୁ ଶୋଷଣ କରୁଥିଲେ । ଭୀମଭୋଇ ଏସବୁ ଲକ୍ଷ୍ୟକରି ଧୈର୍ଯ୍ୟଧରି ରହି ପାରିଲେ ନାହିଁ । ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜଗତ ଜନକୁ ଆହ୍ୱାନ କଲେ –

 

‘‘ଜାତି ଖୋଜିଲେ ମୁକ୍ତି ନାହିଁ ।

ମୁକ୍ତି ଖୋଜିଲେ ଜାତି ନାହିଁ ।।

ଏକଶୂନ୍ୟ ବ୍ରହ୍ମଙ୍କଠାରେ ଶରଣ ପଶ ।।’’

X      X      X

 

ପୁଣି ଜାତିଭେଦ ବିରୁଦ୍ଧରେ ବାରମ୍ବାର ସ୍ୱର ଉତ୍ତୋଳନ କରି ଗାଇଲେ –

 

‘‘ଛତିଶକୁଳୀ ଯେ ବାଉନ ପାଟକ,

ଯେ ଅଛସ୍ତିରୀ ପୁରୁଷ, ଉଚ୍ଚନୀଚ ବୋଲି ବାରଣ ନକରି ନାମରେ ଶରଶ ପଶ ।’’

 

ସେ ନିଜ ରଚନାରେ ଭବିଷ୍ୟବାଣୀ ଶୁଣାଇ ଗାଇଛନ୍ତି । ଦିନ ଆସିବ ଜାତି ନିଶ୍ଚୟ ଲୋପ ପାଇବ । ଆମ ମନରେ ଜାତି ଜାତି ବୋଲି ଯେଉଁ ଅହଂକାର ରହିଛି ତାହା ନିଶ୍ଚୟ ଚୂର୍ଣ୍ଣହେବ । ଏଥିରେ ସନ୍ଦେହ ନାହଁ ।

 

‘‘ବଂଶବୁଡ଼ା ହୋଇ ସର୍ବେ ମରିଯିବେ ତାଟି ବାଟି ଦିଆହୋଇ ।

ପାକନ ରନ୍ଧାରେ ସମସ୍ତେ ଭୁଞ୍ଜିବେ ଏକାନ୍ତ ପରାଣ ହୋଇ ।।

ତେତେବେଳେ ଜାତି-ଗୋତ୍ର ରଖିଥିବ କେଉଁ ରାଣ୍ଡପୁଅ ଝିଅ ।

କର୍ମର ଆଚାର ବାଚ୍ଛନ୍ଦ ବିଚାର ବୁଝିବା ଯେ ରହରହ ।।

(ସ୍ତୁତିଚିନ୍ତାମଣି)

 

ଭୀମଭୋଇଙ୍କ ଦୃଷ୍ଟିରେ ସଂସାରରେ ଜାତି କହିଲେ କିଛି ନାହିଁ । ସ୍ତ୍ରୀ ପୁରୁଷ ଦୁଇଟି ଜାତିବୋଲି ସେ ପ୍ରକାଶ କରି ଗାଇଛନ୍ତି

 

‘‘ଛତିଶ କୁଳ ଯେ ବାଉନ ପାଟକ ଜାତି ନାହିଁ ବୋଲାଯାଏ ।

ପାଣି ଅନ୍ତର ପାଟକସିନା ଏହୁ ସୁପଣ୍ଡିତ କର ନ୍ୟାଏ ।।

ସ୍ତ୍ରୀରୀ ପୁରୁଷ ଦୁହିଁକୁ ଚଢ଼ିଅଛି ଯୋଡ଼ିଏ ସ୍ୱରୁପ ଦେଖ ।

ଦ୍ୱିତୀୟ ଜାତିରୁ ତିନିଜାତି ନାହିଁ ସୁଜନେ କର ବିବେକ ।।’’

X            X            X

 

ଭୀମଭୋଇଙ୍କ ଦୃଷ୍ଟିରେ ଭଗବାନ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ।

 

‘‘ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁଦେଲେ ଅନୁସରି ।

ସକଳ ଘଟରେ ପୂରି ସମାନରେ ନୋହେ ସାନବଡ଼ କରି ।।’’

(ସ୍ତୁତିଚିନ୍ତାମଣି)

 

ପୁଣି ଭୀମଭୋଇଙ୍କ ଦୃଷ୍ଟିରେ ପଥର, କାଠ ନିର୍ମିତ ମୂର୍ତ୍ତି ପ୍ରତିମାରେ ଆଦୌ ଭଗବାନ ବିଦ୍ୟମାନ ନାହାନ୍ତି । ମଣିଷ ଅଜ୍ଞାନବଶତଃ ଏହି ମୂର୍ତ୍ତି ଓ ପ୍ରତିମାଙ୍କୁ ପୂଜାକରି ସମୟ ଅତିବାହିତ କରୁଛି । କିନ୍ତୁ ତାର ଶରୀରକୁ କିଏ ଗଠନ କରିଛି ସେ ସର୍ବବ୍ୟାପୀ ଶୂନ୍ୟପୁରୁଷଙ୍କୁ ଚିହ୍ନିନାହିଁ ବା ତାଙ୍କ ପ୍ରତି ତାର ଧ୍ୟାନ ରହୁନାହିଁ –

 

‘‘ଅଚେତରେ ସିନା ଜନପ୍ରାଣୀମାନେ କରୁଛନ୍ତି ଦେବପୂଜା ।

ପାଦେ ପଡ଼ି ରକ୍ଷାକର ବୋଲୁଛନ୍ତି ଦେବୁ ଖୀରୀ ପୁରୀ ଖଜା ।।

ମୂର୍ତ୍ତି ସିନା ସେହି ଜୀବ ଆତ୍ମାନାହିଁ କାହୁଁ ଯାଚି ଦେବବର ।

ବିଷ୍ଣୁ ନଟକୁଟ ମାୟାକୁ ନଜାଣି ଅଜ୍ଞାନରେ ମୂଢ଼ନର ।।

ମନୁଷ୍ୟ ହୋଇ ନିର୍ଜୀବ ସଙ୍ଗେ ଭାବ ଦେଖଟି କେଡ଼େ ଅଜ୍ଞାନ ।

ଶୂନ୍ୟରୁ ଯେହୁ ପିଣ୍ଡପ୍ରାଣ ଗଢ଼ିଲା ନାହିଁ ତାକୁ ଅନୁମାନ ।।’’

(ସ୍ତୁତିଚିନ୍ତାମଣି)

 

ଭୀମଭୋଇଙ୍କ ଦୃଷ୍ଟିରେ ଯେତେ ସବୁ ତୀର୍ଥକ୍ଷେତ୍ର ରହିଛି, ସେସବୁ ସ୍ଥାନରେ କେଉଁଠି ହେଲେ ଧର୍ମ ନାହିଁ । ପ୍ରକୃତରେ ଦେଖିବାକୁ ଗଲେ ଭୀମଭୋଇଙ୍କର ଏହି ମତ ସମ୍ପୂର୍ଣ୍ଣ ଠିକ୍‌ । କାରଣ; ମଣିଷ କର୍ମକ୍ଲାନ୍ତ ଜୀବନରେ ସାଂସାରିକ ଜଞ୍ଜାଳରେ ଆବଦ୍ଧ ରହି ଟିକିଏ ଶାନ୍ତି ପାଇବାପାଇଁ ଧର୍ମ କରିବା ନାଁରେ ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରେ । ହେଲେ ଏହି ତୀର୍ଥକ୍ଷେତ୍ର କ’ଣ ଆଜି ଶାନ୍ତି ଦେଉଛି ନା ଏହି ସ୍ଥାନ ଗୁଡ଼ିକ ଆଜି ଅତ୍ୟାଚାରୀ, ଶୋଷଣକାରୀ, ଠକ, ଅନ୍ଧବିଶ୍ୱାସୀ ଓ କୁସଂସ୍କାରୀମାନଙ୍କର ଆଡ଼୍‌ଡ଼ାସ୍ଥଳୀ ପାଲଟିଛି । ଏଣୁ ତୀର୍ଥକ୍ଷେତ୍ରକୁ ନଯିବାପାଇଁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ଭାଷାରେ –

 

ଗଙ୍ଗା ଗୟା କାଶୀ ପ୍ରୟାଗ ସହିତେ ସେତୁବନ୍ଧ ରାମ ନାଥ ।

ଏ ତୀର୍ଥମାନଙ୍କୁ ଧର୍ମ ଉଠିଲାଣି କାହିଁରେ ନାହିଁନା ସତ୍ୟ ।।

ଗୋଦାବରୀ, ଗଉମତୀ, ବୃନ୍ଦାବନ, ଦ୍ୱାରକା ଯେ ହରଦ୍ୱାର ।

ଏ ତୀର୍ଥମାନ ବିଫଳ ହେଲାଣି ଡୁବିଲାଣି ଧର୍ମଧାରା ।।

ମାନସରୋବର ବଦରିଯେ ନାଥ ବଇତ୍ରଣୀ ଆଦି କରି ।

ଯମୁନା ସରସ୍ୱତୀ ଭ୍ରଷ୍ଟ ହେଲେଣି ଚତୁର୍ଥ ଧାମକୁ ଧରି ।।

ମେଢ଼ମଣ୍ଡପ ଦେଉଳ ଦେବାଳୟ ଜଗତ ଅଟାଳମାନ ।

ଯହିଁରେ ଦେଖିଲେ ସତ୍ୟଧର୍ମ ନାହିଁ ସକଳେ ହେଲେଣି ଶୂନ୍ୟ ।।

(ସ୍ତୁତିଚିନ୍ତାମଣି)

 

ସଂସାରକୁ ଭୀମଭୋଇ ଟିକିନିଖି କରି ଦେଖିଛନ୍ତି । ସେ ଉତ୍ତମ ଭାବରେ ଲକ୍ଷ୍ୟ କରିଛନ୍ତି-। ଆମେ ଯେଉଁସବୁ ସ୍ଥାନକୁ ପୁଣ୍ୟପୀଠ ମନେକରି ଯାଇଛେ, କ୍ଳାନ୍ତ ଅପମୋଦନ ପାଇଁ ସେ ସ୍ଥାନମାନଙ୍କର ପବିତ୍ରତା ନଷ୍ଟ ହୋଇଥିବା ଦୃଷ୍ଟିକୁ ଆସିଛି । ସେଠାକୁ ଗଲେ ମଣିଷକୁ ପ୍ରେମ-ମୈତ୍ରୀ, ଶାନ୍ତି-ସଂହତି ମିଳିବ ନାହିଁ । ଏ କଥା ସେ ଭଲକରି ଜାଣିଥିଲେ । ଏଣୁ କୌଣସି ତୀର୍ଥକ୍ଷେତ୍ରକୁ ନଯିବାପାଇଁ ସେ ଜଗତଜନଙ୍କୁ ଆହ୍ୱାନ କରିଛନ୍ତି । ପ୍ରତିମାପୂଜା ବିବର୍ଜିତ, କାମନା ବାସନା ରହିତ ମହିମାଧର୍ମକୁ ଗ୍ରହଣ କରିବା ପାଇଁ ସମସ୍ତ ଦେହଧାରୀ ବା ପ୍ରାଣୀମାନଙ୍କୁ ସେ ଆହ୍ୱାନ ଜଣାଇଛନ୍ତି –

 

‘‘କର ନିଷ୍କାମ ଭକ୍ତି ସୁଚିତେ ଗୋ,

ଦେହଧାରୀ ଯେତେ ଅଛି ଜଗତେ ଗୋ ।’’

(ଭଜନମାଳା)

 

ଯେଉଁମାନେ ଏହି ଧର୍ମରେ ଆଶ୍ରିତ ହେବେ ସେମାନେ ଯେଉଁ ଜାତିରେ ଜନ୍ମ ହୋଇଥିଲେ ହେଁ ଏହି ଧର୍ମରେ ଗୁରୁଶିଷ୍ୟ ମଧ୍ୟରେ ଜାତିଭେଦ ନାହିଁ, ଏକଥା ସେ ଦୃଢ଼ ଚିତ୍ତରେ କହିଛନ୍ତି –

 

‘‘ଭକତ ମୋହର ଜୀବନ

ଆମେ ନକରୁ ଭିନାଭିନ୍ନ

।।

ଦୁହିଁକ ଜାଣ ଏକ ପ୍ରାଣ

ଭକ୍ତରେ ନକରିବା ରଣ

।।

ହାଡ଼ି ଚଣ୍ଡାଳ ପଛେ ହେଉ

ମୋହର ନାମ ଭଜୁଥାଉ

।।

ତାର ହୃଦରେ ମୋର ବାସ

କରଇ ଜ୍ଞାନ ପରକାଶ

।।

(ନି:ସାଧନ)

 

ପୁଣି ସେ ଦୃଢ଼କଣ୍ଠରେ ଗାଇଛନ୍ତି, ଯେକୌଣସି ଲୋକ ଯେଉଁ କର୍ମରେ ଥାଉନା କାହିଁକି ସମସ୍ତେ ଜାତିବର୍ଣ୍ଣ ନିର୍ବିଶେଷରେ ‘ନାମ’ ବା ‘ଧର୍ମ’କୁ ଧାରଣ କରିବା ନିମନ୍ତେ ଯୋଗ୍ୟ ବିବେଚିତ । ତାଙ୍କ ଦୃଷ୍ଟିରେ ଧର୍ମଧାରଣ ପାଇଁ ସମସ୍ତଙ୍କର ସମାନ ଅଧିକାର ରହିଛି । ଏ ସମ୍ପର୍କରେ ସେ କହନ୍ତି-

 

‘‘ଧୀବର ହୋଇଣ ମୀନମାରୁ ପଛେ ମହିମାକୁ ଥାଉ ଧ୍ୟାୟୀ ।

ତାହାର ବୃତ୍ତି ତାକୁ ଦିଆ ହୋଇଛି କେମନ୍ତେ ଛାଡ଼ିବ ସେହି ।।

ମୋଚି ହୋଇ ଚର୍ମ କାଟୁଥାଉ ପଛେ ନାମରେ ଆଶ୍ରିତ ହେଉ ।

ତାହାର ବୃତ୍ତି ସେ କେମନ୍ତେ ଛାଡ଼ିବ ରୋଜଗାର କରୁଥାଉ ।।

ହାଡ଼ିହୋଇ ପଛେ ଦାଣ୍ଡ ପହଁରଇ ବାଡ଼ିଘରେ ପଛେ ଖଟୁ ।

ଗୁରୁପାଦ ତଳେ ଚିତ୍ତବୃତ୍ତି ରଖି ଦୃଢ଼ ଚିତ୍ତେ ନାମ ରଟୁ ।।

(ସ୍ତୁତିଚିନ୍ତାମଣି)

 

ଭୀମଭୋଇଙ୍କ ଦୃଷ୍ଟିରେ ସଂସାରରେ ନାରୀ-ପୁରୁଷ ଦୁହେଁ ସମାନ । ସବୁଥିରେ ଦୁଇଜଣଙ୍କର ସମାନ ଅଧିକାର ରହିଛି–

 

ଯେସନେକ ଜଳପବନର ଭେଦ ନାହିଁ ।

ପୁରୁଷ ଯେତିକି ଯିବ ନାରୀ ଯିବ ତହିଁ ।।

ଯେସନେ ମାଟି ପଥର ସର୍ଜିଲା ଦଇବ ।

ଏମାନଙ୍କୁ ଭିନ୍ନାଭିନ୍ନ କରିକେ କହିବ ?

 

ଯେସନକ କ୍ଷୁଧା ତୃଷ୍ଣାଛନ୍ତି ବେନିମୂର୍ତ୍ତି ।

ଏକ ପାଖୁଡ଼ା ଗୋଟିକେ ହୃଦେ ଫଳଛନ୍ତି ।।

ସେହି-ରୂପେ ପତି-ପତ୍ନୀ ଏକ ବ୍ରହ୍ମେ ଜାତ ।

ଭିନ୍ନାଭିନ୍ନ ଯେ କରିବ କୁଳଯିବ ହତ ।।

ବ୍ରହ୍ମ ଭଗତିରେ ଆଉ ଭେଦାଭେଦ ନାହିଁ ।

ଯେ ଭେଦ କରିଲେ କୁମ୍ଭୀ ନର୍କରେ ପଡ଼ଇ ।।

ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ ।

ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡ଼-ସାନ ।।’’

X            X            X

(ବ୍ରହ୍ମନିରୂପଣ ଗୀତା)

 

ଆଜି ଜାତୀୟ ମୂଲ୍ୟବୋଧଗୁଡ଼ିକର ବିକାଶ ନିମନ୍ତେ ‘ନାରୀ ପୁରୁଷ ସମାନତା’କୁ ଅଗ୍ରାଧିକାର ଦିଆଯାଇଛି । ଫଳରେ ମାନବ ସମ୍ବଳର ବିକାଶ ସହଜରେ ସାଧିତ ହୋଇପାରିବ । ଏହି କଥା ସନ୍ଥ-ସାଧକ ଭୀମଭୋଇ ଦେଢ଼ଶହ ବର୍ଷ ତଳୁ ପ୍ରଚାର କରିଯାଇଛନ୍ତି । ତାଙ୍କ ପରିପ୍ରଚାରିତ ବାଣୀ ଆଜି ଜାତୀୟ ମୂଲ୍ୟବୋଧ ଭାବରେ ବିବେଚିତ । ଏଣୁ ସେ ଥିଲେ ଦୂରଦୃଷ୍ଟି ସମ୍ପନ୍ନ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ।

 

ଭୀମଭୋଇଙ୍କ ଦୃଷ୍ଟିରେ ସ୍ତ୍ରୀମାନେ ହେଉଛନ୍ତି ‘ରତ୍ନ’-

‘‘ସଭା ଥିଲେ କରି ସାଧୁ ସନ୍ଥ ବରି ନଥିଲେ ଧର୍ମ ବିବେକ ।

ପୁରୁଷ ଥାଇ ସ୍ତିରୀ ରତ୍ନ ନଥିଲେ ଗୃହେ ଥିବାର କି ସୁଖ ?’’

X      X      X

(ସ୍ତୁତି ଚିନ୍ତାମଣି)

 

ଧର୍ମକୁ ଧାରଣ କରି ଧର୍ମ ପଥରେ ପରିଚାଳିତ ହେବା ନିମନ୍ତେ ସେ ‘ସ୍ତ୍ରୀ’ ଜାତିଙ୍କୁ ଆହ୍ୱାନ ଜଣାଇଛନ୍ତି-

 

‘‘ସ୍ତିରୀମାନେ ଆଗେ ଯେ ଅଛ ସଂସାରେ ଘରଦ୍ୱାର ପଛେ କର ।

ପୁତ୍ର ଦୋହିତା ଜନ୍ମାଇଲେ କିହେଲା ତରିବା ପଥକୁ ଧର ।।

ରତି-ରମଣ ସୁରତି ସୁଖଭାବ କରୁଥାଅ ପଛେ ତୁମ୍ଭେ ।

ଅନେକ ବିଷୟା ଲାଗିଥାଉ ପଛେ ବ୍ରହ୍ମ କର୍ମ କର ଦମ୍ଭେ ।।’’

X      X      X

(ସ୍ତୁତି ଚିନ୍ତାମଣି)

 

ତାଙ୍କ ଦୃଷ୍ଟିରେ ଜଗତର ନାଥ ‘ଜଗନ୍ନାଥ’ ଖୁବ୍‌ ଉଚ୍ଚରେ । ସେ କେଉଁଠାରେ ଜଗନ୍ନାଥ ମହାପ୍ରଭୁଙ୍କର ନିନ୍ଦାଗାନ କରି ନାହାନ୍ତି । ତାଙ୍କୁ ପୂଜା କରିବା ପାଇଁ ବାରଣ କରି ନାହାନ୍ତି । ତାଙ୍କ ଦୃଷ୍ଟିରେ ମହିମାସ୍ୱାମୀ ଓ ଶ୍ରୀଜଗନ୍ନାଥ ଏକ । ସ୍ୱରଚିତ ଭଜନରେ ଭୀମଭୋଇ ଗାଇଛନ୍ତି-

 

‘‘ଜଗତ ଭଗତଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ।

ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ।

ସେ ପ୍ରଭୁ କାହିଁ ରହିଲେ, ତେଜିଲେ ତିନି ଦାରୁଙ୍କୁ ।

ମହିମା ଗୋସାଇଁ ଗୁରୁ ସେହି ଅବା ମହାପ୍ରଭୁ,

ତହିଁ କରିଥିଲୁ ଆଶ, ଶୂନ୍ୟ ହେଲେ ଦେଖୁ ଦେଖୁ ।।

X      X      X

 

ପୁଣି ଜଗନ୍ନାଥଙ୍କ ସମ୍ପର୍କରେ ଭୀମଭୋଇ ଲେଖିଛନ୍ତି-

‘‘ବେଦ ବଖାଣିଛି ଶାସ୍ତ୍ରରେ ଲିହିଛି ନିୟତ ପ୍ରମାଣ ସତ ।

ନୀଳାଚଳେ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ ।।

ଅନୁସରି ବହୁଦୂରୁ ଆଶାକରି ହୃଦୟ ପଦ୍ମରେ ଶନ୍ତି ।

ମଉନରେ ବସି ନାମ ବୋଲାଇଲ ଦାରୁ ପ୍ରତିମା ମୂରତି ।।

 

ସ୍ନାହାନ ତର୍ପଣ କରି ଦରଶନ ରୂପ ଦେଖି ହେଲ ଭୋଳା ।

ଚକା ବଇଠିରେ ବିରାଜ କରନ୍ତେ ତେଣୁ ନାମ ଚକାଡ଼ୋଳା ।।

କୋଟି ଅବତାର ନୁହଇ ଗୋଚର ଭେଦ ନାହିଁ ବର୍ଣ୍ଣ ଚିହ୍ନ

ବିବିଧ କଳ୍ପନା ରୂପକୁ ରଞ୍ଚନା ତ୍ରିପଣ୍ଡ କାଳିଆ ନାମ । ।

ଝୀନବାସ ପୁଷ୍ପ ଅଙ୍ଗେ ଶୋଭା ସଞ୍ଚ ବଡ଼ ସିଂହାସନ ବେଶ ।

ରୂପକୁ କୋଟିଏ ସୂର୍ଯ୍ୟ ନୋହେ ସରି ଶ୍ରୀନାମ ବ୍ରହ୍ମ ଅଶେଷ ।।

X      X      X

(ସ୍ତୁତିଚିନ୍ତାମଣି)

 

ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଭୀମଭୋଇ ଅବମାନନା କରି ନାହାନ୍ତି । ବରଂ ସେ ଶ୍ରୀଜଗନ୍ନାଥଙ୍କର ଗୁଣାଗାନ କରିଛନ୍ତି । ସେ ଶ୍ରୀଜଗନ୍ନାଥଙ୍କୁ ‘ନାମ ବ୍ରହ୍ମ ଅଶେଷ’ ଭାବରେ ଆଖ୍ୟାୟିତ କରିଛନ୍ତି । ‘ଭୀମଭୋଇ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ’ ବୋଲି ଅପପ୍ରଚାର କରି ଭୀମଭୋଇଙ୍କ ପରି ଜଣେ ବିଶ୍ୱପ୍ରସିଦ୍ଧ ଓଡ଼ିଆ ସନ୍ଥ-ସାଧକଙ୍କ ନାମରେ କଳଙ୍କ କାଳିମା ବୋଳିବା କେତେଦୂର ସମୀଚୀନ ତାହା ବର୍ତ୍ତମାନର ଜଗତଜନ ବିଚାର କରିବା ବାଞ୍ଛନୀୟ-

 

ସଂସାରରେ ଦେଖା ଦେଇଥିବା ମିଥ୍ୟା-ମାୟା, କପଟତା, ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ କଷଣ ଇତ୍ୟାଦିକୁ ଭୀମଭୋଇ ସହ୍ୟ କରି ନପାରି ସମାଜରେ ପରିବର୍ତ୍ତନ ଆନୟନ ପାଇଁ ଶତଚେଷ୍ଟା କରି ବିଫଳ ହୋଇଛନ୍ତି । ପରିଶେଷରେ ସେ ମନର ସମସ୍ତ ଖେଦକୁ ପ୍ରକାଶ ପୂର୍ବକ ବିପ୍ଳବୀ ହୋଇ ଗାଇଛନ୍ତି -

 

ଛାଡ଼ିଦିଅ ମୋତେ ଗୁରୁଦେବ ସ୍ୱାମୀ ଭରଣା କରିବି ଯୁଗ ।

ନବଖଣ୍ଡ ମହୀ ଥାଳିପ୍ରାୟ ହୋଇ ହେଜିଲେ ମନକୁ ଆସେ ।

ଏ ମୋର ନେତ୍ରକୁ ଛପ୍ନାକୋଟି ଜୀବ ତିରଣ ପରାୟେ ଦିଶେ ।।

ଏକା ଦିବସରେ କ୍ଷଣକ ଭିତରେ ଦ୍ୟନ୍ତି ପୃଥ୍ୱୀ ଲେଉଟାଇ ।

ଦାନ୍ତ କାମୁଡ଼ି କିସ ମୁଁ କରିବି ଶ୍ରୀଗୁରୁଙ୍କ ଆଜ୍ଞା ନାହିଁ ।।’’

(ସ୍ତୁତି ଚିନ୍ତାମଣି)

 

ଭୀମଭୋଇ ବାରମ୍ୱାର ଦୃଷ୍ଟି ନିକ୍ଷେପ କରିଛନ୍ତି ସମାଜକୁ । ତାଙ୍କ ପ୍ରଚାରିତ ମହିମା ଧର୍ମର ଆଦର୍ଶ ଓ ଲକ୍ଷ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନକାରୀ ତଥା ସମାଜରେ ନିଷ୍ପେଷିତ ଲୋକମାନଙ୍କର ବିରୁଦ୍ଧ ଆଚରଣ କରୁଥିବା ଗୋଷ୍ଠୀ ଉପରେ ତାଙ୍କ ଦୃଷ୍ଟି ପ୍ରତିଫଳିତ ହୋଇଛି । ସମାଜରୁ ଜାତିଭେଦ ଉଠାଇ ସମଗ୍ର ସମାଜକୁ ଏକ କରିଦେବା ପାଇଁ ସେ ହୋଇଛନ୍ତି ପ୍ରତିଜ୍ଞାବଦ୍ଧ । ସେ ଭୀଷଣରୁ ଭୀଷଣତର ବିପ୍ଳବୀ ହୋଇ ଉଠିଛନ୍ତି । ଆତ୍ମ ଖୋଲି ଦୃଢ଼ କଣ୍ଠରେ ଗାଇଛନ୍ତି -

 

‘‘ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟକରି ।

ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।।’’

x      x      x      x

(ସ୍ତୁତି ଚିନ୍ତାମଣି)

 

ସଂସାରରେ ଦୁଃଖ ଶୋକ ଭୋଗୁଥିବା ଓ ଅତ୍ୟାଚାରିତ ତଥା ନିଷ୍ପେଷିତ ହେଉଥିବା ଜନତାର ଆତୁର-କାତର, ଶୋଷଣ-କଷଣକୁ ଭୀମଭୋଇ ସହ୍ୟ କରି ପାରି ନାହାନ୍ତି । ସେ ଜଗତଜନଙ୍କ ହିତପାଇଁ ନିଜ ଜୀବନକୁ ଭଗବାନଙ୍କ ପାଖରେ ଉତ୍ସର୍ଗ କରି ଆତ୍ମ ଖୋଲି ଗାଇଛନ୍ତି -

 

‘‘ଏ ପିଣ୍ଡ ବ୍ରହ୍ମାଣ୍ଡ ଅହ୍ମଣିଆ କରି ବ୍ରହ୍ମକୁ ଦେଇଛି ଟେକି ।

ଏକଛତ୍ର ପାଦେ ଘୋଡ଼ାଇ ସମ୍ଭାଳ

ଅମୃତ ଲୋଚନ ଦେଖି ।

ମୋହ ପିଣ୍ଡ ପ୍ରାଣ ଦେଇ ଅସ୍ଥି ଦାନ

ଅଲେଖ ପୁରୁଷ ପାଦେ ।

ଶ୍ରୀଛାମୁରେ ମୁହିଁ ବ୍ରହ୍ମାଣ୍ଡର ପାଇଁ

ଜଣାଣ କରୁଛି ପାଦେ ।।’’

x            x            x

 

ଉପାୟ ନପାଇ ସର୍ବଶେଷରେ ଭୀମଭୋଇ ନିଜ ଜୀବନକୁ ନରକକୁ ନିକ୍ଷେପ କରି ବିଶ୍ୱମାନକୁ ବେଦନାମୁକ୍ତ କରିବା ନିମନ୍ତେ ବିଶ୍ୱସ୍ରଷ୍ଟା ମହିମା ଅଲେଖ ଶୂନ୍ୟପୁରୁଷଙ୍କ ପାଖରେ ହୋଇଥିଲେ ପ୍ରତିଜ୍ଞାବଦ୍ଧ । ତାଙ୍କ ମୁଖରୁ ସ୍ୱତଃ ନିଃସୃତ ହୋଇଥିଲା -

 

‘‘ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ ।

ଦୋଷ ଅପରାଧ କ୍ଷମାକରି ଗୁରୁ ଜାଗ୍ରତରେ ପ୍ରତିପାଳ ।।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।’’

x            x            x

 

ଭୀମଭୋଇଙ୍କର ଏହି ମର୍ମସ୍ପର୍ଶୀ ବାଣୀ ଆଜି ସମଗ୍ର ବିଶ୍ୱମାନସରେ ଚମକ ସୃଷ୍ଟି କରିଛି-। ଓଡ଼ିଶାର ଅନ୍ୟତମ ବରପୁତ୍ର ଡକ୍ଟର ମାୟାଧର ମାନସିଂହ ଭୀମଭୋଇଙ୍କର ଉପରୋକ୍ତ ଶେଷ ପଙ୍‌କ୍ତି ଦ୍ୱୟକୁ ନିମ୍ନ ମତେ ଇଂରାଜି ଭାଷାରେ ଅନୁଦିତ କରି ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗର୍ବଗୌରବ ସନ୍ଥ-ସାଧକ ମହାତ୍ମା ଭୀମଭୋଇଙ୍କୁ ପରିଚିତ କରାଇ ପାରିଛନ୍ତି -

 

‘‘Who indeed can bear to see such misery among the world’s creatures ? Let me stay in hell for ever, if the world thereby be saved. ’’

 

କେନ୍ଦ୍ର ସାହିତ୍ୟ ଏକାଡେମୀ ଚଉଦଟି ଭାରତୀୟ ଭାଷାରୁ ଗୋଟିଏ ଗୋଟିଏ ମାନବୀୟ ମୂଲ୍ୟବୋଧ ଭିତ୍ତିକ ପଙ୍‌କ୍ତି ନିମନ୍ତେ ସମସ୍ତ ରାଜ୍ୟକୁ ଆହ୍ୱାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ତତ୍‌କାଳୀନ ବିଶାରଦମାନେ ଗରିବ, ନିରକ୍ଷର, ଓଡ଼ିଆ କନ୍ଧ କବିର ଉପରୋକ୍ତ ପଙ୍‌କ୍ତି ଦ୍ୱୟକୁ ନିର୍ବାଚିତ କରି ପଠାଇଥିଲେ । ଭୀମଭୋଇଙ୍କର ଏହି ବାଣୀ ସର୍ବଭାରତୀୟ ସ୍ତରରେ ଆଦୃତ ହେଲା । ଭୀମଭୋଇଙ୍କର ଏହି ବାଣୀ ଆଜି ସମଗ୍ର ଉତ୍କଳଭାରତୀଙ୍କର କାବ୍ୟ ବିପଞ୍ଚିର ସ୍ୱର ସାଧନାର ସୁଯୋଗ୍ୟ ପ୍ରତିନିଧି ।

 

ଭୀମଭୋଇଙ୍କର ଚିନ୍ତାଚେତନା ଦର୍ଶନ ଓ ଦୃଷ୍ଟି ସର୍ବଦା ନିକ୍ଷେପିତ ହୋଇଥିଲା ସମାଜର ଉନ୍ନତି ପାଇଁ, ସମାଜରେ ସଢ଼ୁଥିବା ଅଗଣିତ ଲୋକଙ୍କ ପାଇଁ ମାନବ ସମ୍ୱଳର ବିକାଶ ପାଇଁ, ଜାତୀୟ ଚରିତ୍ରର ଗଠନ ପାଇଁ, ଭାରତବର୍ଷର ବିକାଶ ଓ ସମୃଦ୍ଧି ପାଇଁ । ସେ ଥିଲେ ଶ୍ରେଣୀହୀନ ସମାଜ ଗଠନର ସଂଗଠନ । ସମାଜବାଦୀ ଆନ୍ଦୋଳନର ସୂତ୍ରଧର । ମାନବୀୟ ମୂଲ୍ୟବୋଧର ପ୍ରଚାରକ ଆଉ ସଂସ୍କାରକ ।

 

ଭୀମଭୋଇ ସୋନପୁର ଜଟାସିଂହାର ନୁହନ୍ତି । ନୁହନ୍ତି ସେ ଖାଲି ଓଡ଼ିଆ ପୁଅ । ସେ ହେଉଛନ୍ତି ସମଗ୍ର ଉତ୍କଳର, ସମଗ୍ର ଭାରତର ତଥା ସମଗ୍ର ବିଶ୍ୱର ଅମର ସନ୍ତାନ । ସେ କେହି ନୁହନ୍ତି, ସେ ହେଉଛନ୍ତି ‘‘ବିଶ୍ୱକବି ଭୀମଭୋଇ ।’’ ତାଙ୍କ ପାଖରେ ସମସ୍ତେ ପ୍ରଣିପାତ କର ହେ ମୋର ଉତ୍କଳୀୟ ଭାଇ ଓ ଭଉଣୀମାନେ ।

 

 

‘ଦିଗ୍‌ବଳୟ’,

ଇ-୧୨, ୟୁନିଟ-୮

ଭୁବନେଶ୍ୱର-୭୫୧୦୧୨

 

***

 

ସୌରଭ : ଏକ ଅରଣ୍ୟ ପ୍ରସୂନର

ଡକ୍‌ଟର ପବିତ୍ରମୋହନ ନାୟକ

 

Full many a gem of purest ray serene

The dark unfathomed caves of ocean bear.

Full many a flower is born to blush unseen

And waste its sweetness in the desert air.

 

ସେଦିନ ସନ୍ଧ୍ୟାରେ ଷ୍ଟକ୍‌ ପୋଜେସ୍‌ ଗ୍ରାମର ଶ୍ମଶାନରେ ପଦଚାରଣ କରୁ କରୁ ଅଷ୍ଟାଦଶ ଶତାବ୍ଦୀର ଇଂରାଜୀ କବି ଟୋମାସ୍‌ ଗ୍ରେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଭଙ୍ଗା କବର ଉପରେ ସନ୍ଧ୍ୟା ନଇଁ ଆସୁଥିଲା । ଅତୀତର ସ୍ମୃତିଚାରଣ କରୁ କରୁ କବିଙ୍କ ଆଖି ଅଶ୍ରୁ ସଜଳ ହୋଇ ଉଠିଥିଲା । ଏଇ ପଲ୍ଲୀର କେତେ ପ୍ରତିଭା ଲୋକଲୋଚନର ଅଗୋଚରରେ ମଉଳି ଯାଇଥିଲା । କେତେ ମିଲ୍‌ଟନ୍‌ ମୂକ ହୋଇ ଯାଇଥିଲେ । କେତେ ମୁକ୍ତା ସମୁଦ୍ରର ଅତଳ ପଙ୍କିଳ ଗହ୍ୱରରେ ଅନ୍ତର୍ହିତ ହୋଇଯାଇଥିଲା । କେତେ ଫୁଲ ଫୁଟି ମରୁଭୂମିର ସୌକତରେ ଝରି ପଡ଼ିଥିଲା ।

 

ଭୀମଭୋଇ ଥିଲେ ସେହିପରି କବିଟିଏ । ଓଡ଼ିଶାର ପଶ୍ଚିମାଞ୍ଚଳ ଅଗନାଅଗନି ବନସ୍ତ ଭିତରେ ଏ କବି ଜନ୍ମନେଇ ସୂର୍ଯ୍ୟାସ୍ତର ଅନ୍ଧକାରରେ ଲୁଚି ଯାଇଥିଲା । ଅନ୍ଧାରର ଜୀବଟିଏ ଥିଲା ସିନା କିନ୍ତୁ ତା’ ଭିତରେ ସୂର୍ଯ୍ୟଟିଏ ଜଳୁଥିଲା । ଅଧ୍ୟାପକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ, ଓଡ଼ିଶାର ଧର୍ମ ଆନ୍ଦୋଳନରେ ମହିମା ଧର୍ମର ଯାହା ଭୂମିକା ଥାଉନା କାହିଁକି, ଭୀମଭୋଇ ହିଁ ଓଡ଼ିଆ ସାହିତ୍ୟକୁ ଏ ଧର୍ମର ଶ୍ରେଷ୍ଠ ଅବଦାନ (ଓଡ଼ିଶାରେ ମହିମା ଧର୍ମ ୬୮) । ଭୀମଭାଇଙ୍କ କବିତ୍ୱର ପୃଷ୍ଠଭୂମିରେ ମହିମା ସ୍ୱାମୀଙ୍କର ଯେ ପ୍ରଚ୍ଛନ୍ନ ପ୍ରେରଣା ଥିଲା ‘ଆଦିଅନ୍ତ ଗୀତା’ର ଅଷ୍ଟମ ଅଧ୍ୟାୟରେ ତାହା କବି ସ୍ୱୀକାର କରିଛନ୍ତି ( ଭୀମଭୋଇ ଗ୍ରନ୍ଥାବଳୀ ୧୬୪ ) । ସାରଳା ଦାସଙ୍କ କବିଜୀବନରେ ଝଙ୍କଡ଼ର ସାରଳା ଯାହା ଥିଲେ, ଭୀମଭୋଇଙ୍କ ସ୍ରଷ୍ଟାମାନସରେ ମହିମା ସ୍ୱାମୀ ସେହି ସ୍ଥାନ ଅଧିକାର କରିଥିଲେ । ତେଣୁ ମହିମାଙ୍କ ମହାପ୍ରୟାଣରେ ଭକ୍ତ ଭୀମଭୋଇଙ୍କ କବିପ୍ରାଣ ହାହାକାର କରିଛି । କବିତ୍ୱର ଭିତ୍ତିଭୂମି ଦୋହଲି ଯାଇଛି ।

 

ମଥାରେ ଶ୍ରୀହସ୍ତ ମାରି କେ କହିବ କଥା

କାହାକୁ ବୋଲିବେ ଭକ୍ତେ ବ୍ରହ୍ମାଣ୍ଡ କରତା

ସେହି ପ୍ରଭ୍ମ ଗଲେ କାହିଁ, ଅନ୍ଧାର ଦିଶୁଛି ମୋତେ ନବଖଣ୍ଡ ମହୀ।

ପ୍ରତ୍ୟକ୍ଷରେ ଦେଖିଥିଲୁ ନୟନ ପୂରାଇ

ଏବେ କାହିଁ ଛାଡ଼ିଗଲେ ଢାଙ୍କୁଣୀ ଘୋଡ଼ାଇ

ସ୍ଥାନମାନ ଅସୁନ୍ଦର, ମନ୍ଦିରକୁ ଚାହିଁ ନେତ୍ରୁ ବହୁଅଛି ନୀର।

ମହିମା ଗୋସାଇଁ ବୋଲି ପଡ଼ୁଥିଲା ହୁରି

କିଛି ନ କହିଲ ସ୍ୱାମୀ, ପଳାଇଲ ଛାଡ଼ି

କାରେ କରିବୁ ଗୁହାରି, ହୃଦେ ଦୟା ନାହିଁ, ଦିନ ବଞ୍ଚିବୁ କିପରି ?

ସମୁଦ୍ର ପରାଏ ଆଶା କରିଥିଲୁ ଆମ୍ଭେ

ଥରୁଅଛି ପିଣ୍ଡପ୍ରାଣ ନ ରହୁଛି ଦମ୍ଭେ

କେହୁ ପ୍ରବୋଧ କରିବ, କାହାକୁ ବୋଲିବୁ ଆମ୍ଭେ ସ୍ୱାମୀ ଗୁରୁଦେବ ?

ଚାମର ଛତ୍ର ତରାସ କେହୁ ଲାଗି ହେବ ?

ଖଞ୍ଜଣି ଗିନି ମନ୍ଦିରା କା ଆଗେ ବାଜିବ ?

କେହୁ ଲଗାଇବ ଲୀଳା ? ସବୁକଥାଯାକ ସ୍ୱାମୀ ଜଳେ ଭାସିଗଲା।

କାହା ଘେନି ବଚନ ମୁଁ କରିବି ସିଦ୍ଧାନ୍ତ ?

କାହା ଆଜ୍ଞା ଘେନି ମୁଁ କରିବି କବିକୃତ୍ୟ ?

କାହା ଦର୍ଶନେ ମୁଁ ଯିବି, କାହାକୁ ବନ୍ଦନା କରି ଉଜନା ବାନ୍ଧିବି ?

ବିପତ୍ତି ପଡ଼ିଲେ ମନେ ଭାଳୁଥାଇ ବସି

କେହୁ ଦରଶନ ଦେବ ଶୟନରେ ଆସି

କେହୁ ଉଠାଇବ ମୋତେ,କହିଲେ ଏ ସଂସାରରେ କେ ଯିବ ପରତେ ?

ନୟନରୁ ନୀର ଝରଝର ବହୁଅଛି

ପିଣ୍ଡ ପରାଣକୁ ଆଶା ନାହିଁ ମୋର କିଛି

ଲିଭିଗଲା ଦୀପାବଳି, ବନେ ବଣା ହେଲାପରି ପଡ଼ୁଛି ବୋବାଳି।

ଅନ୍ଧାର ହେଲାଣି ତିନି ଭୁବନ ଜଗତ

ସୋହତି ଭିତରେ ଭାସୁ ଅଛନ୍ତି ସମସ୍ତ

ବିଜେକର ସ୍ୱାମୀ ଜାଣି, ଶୁଖିଲା ବୃକ୍ଷରେ ବେଗେ ସିଞ୍ଚିଦିଅ ପାଣି।

 

ମହିମାଙ୍କ ତିରୋଧାନରେ ଭକ୍ତର ସଂସାର ହୁଏତ ଶୁଖି ଯାଇଥିବ, କିନ୍ତୁ ଭୀମଭୋଇଙ୍କ ସୃଷ୍ଟିର ସ୍ରୋତ ବହିଚାଲିଥିଲା । ମହିମା ସ୍ୱାମୀଙ୍କ ଆଶୀର୍ବାଦ ଯଦି ଭୀମଭୋଇଙ୍କ କବିତ୍ୱର ଉତ୍ସ,ତେବେ ହୁଏତ ମହିମା ଧର୍ମରେ ଦୀକ୍ଷିତ ହେବା ପୂର୍ବରୁ ସେ ରସରକେଲି, ଜାଇଫୁଲ ଆଦି ଆଦିରସାଶ୍ରିତ କବିତା ରଚନା କରି ନଥାନ୍ତେ କିମ୍ୱା ମହିମା ସ୍ୱାମୀ ଚାଲିଗଲା ପରେ ସେଇ ‘ହିପୋତ୍ରିନ୍‌’ ଆପେ ଆପେ ଶୁଖିଯାଇଥାନ୍ତା, କବିତାର ଝରଣା ମରିଯାଇଥାନ୍ତା ମହିମା ସ୍ୱାମୀଙ୍କ ମୃତ୍ୟୁର ମରୁଭୂମି ତୀରେ ତୀରେ।

 

କେତେବେଳେ ଗୁରୁଙ୍କ କରୁଣାରୁ ଆଉ କେତେବେଳେ ପୂର୍ବଜନ୍ମର ତପସ୍ୟା ଫଳରୁ କବିଟିଏ ହେଲେ ବୋଲି ଭୀମଭୋଇ ଲେଖିଛନ୍ତି । ସେ ଯାହାହେଉ ତାଙ୍କ କବିତା କୌଣସି ବୌଦ୍ଧିକ କସରତ୍‌ର ଫଳ ନୁହେଁ କିମ୍ୱା ତାହା କେବଳ ମହିମାଧର୍ମର ପ୍ରଚାର ପାଇଁ ଲେଖାଯାଇ ନଥିଲା। ଧର୍ମ ପ୍ରଚାର ଉବ୍ଦେଶ୍ୟରେ ସେ କବିତା ଆରମ୍ଭ ହୋଇଥିଲେ ହେଁ ତାହା କେତେବେଳେ ଭୀମଭୋଇଙ୍କ କରୁଣ ଜୀବନର ସଙ୍ଗୀତରେ ଅନୁରଣିତ ହୋଇଛି ତ ଆଉ କେତେବେଳେ ତରୁଣ ମନର ଉଷ୍ଣରକ୍ତ ପ୍ରବାହରେ ରଙ୍ଗୀନ୍‌ ହୋଇଉଠିଛି। ଆସିଛି କବି କିଟ୍‌ସ୍‌ଙ୍କ କବିତା ଭଳି, ଗଛର ପତ୍ର ଭଳି, ସେଲୀଙ୍କ କଳ୍ପନାର ସ୍ୱଚ୍ଛନ୍ଦ ବିଳାସ ଭଳି, ବାଇରନ୍‌ ହୃଦୟର ଲାଭାଭଳି । ବାଇରନ କହିଥିଲେ- I am like the tiger, if I miss my first spring, I go grumbling into the jungle । କବି ବାଘଟିଏ । ଯଦି ପ୍ରଥମେ ଉଲ୍ଲମ୍ଫନରେ ଶିକାର ଖସିଗଲା, ତେବେ ହୁଂକାର ଛାଡ଼ି ସେ ଜଙ୍ଗଲ ଭିତରକୁ ଚାଲିଯାଏ । ଭୀମଭୋଇ କିନ୍ତୁ ଫେଲ ମାରିବାର କବି ନଥିଲେ । ଗୁରୁଦୀକ୍ଷା ଦେଲାବେଳେ ହେଉ ଅବା ରାଜା ଦଣ୍ଡ ଦେଲାବେଳେ ହେଉ ଅଥବା ପିଲାମାନେ ବାଟ ଓଗାଳି ଗୀତଟିଏ ପାଇଁ ନେହୁରା ହେଲାବେଳେ ହେଉ କବିତା ତାଙ୍କ ହୃଦୟରୁ ବନଝରଣା ଭଳି ଝରି ଆସୁଥିଲା । ଓ୍ୱାର୍ଡ଼ସ୍‌ଓ୍ୱାର୍ଥ୍‌ଙ୍କ ମତରେ କବିତା ହୃଦୟର ଅନ୍ତର୍ନିହିତ ଭାବାବେଗର ସହଜସିଦ୍ଧ, ସ୍ୱତଃସ୍ଫୁର୍ତ୍ତ ସ୍ଫୁରଣ (Spontaneous overflow of powerful feeling)। କିନ୍ତୁ ଗୋଟିଏ ମାତ୍ର କବିତାକୁ ଛାଡ଼ି ଦେଲେ ବାକି ସମସ୍ତ କବିତା ସେ ଲେଖିଥିଲେ ଅତୀତ ଅନୁଭୂତିକୁ ଭିତ୍ତିକରି (emotions recollected in tranquility)। ଭୀମଭୋଇ କିନ୍ତୁ କେଉଁଠି ଅଟକି ନାହାନ୍ତି । ଅପେକ୍ଷା କରିନାହାନ୍ତି ଏକ ସୁବର୍ଣ୍ଣ ମୁହୂର୍ତ୍ତକୁ ଯେତେବେଳେ କବିତା ହୃଦୟର ରୁଦ୍ଧଦ୍ୱାର ଠେଲି ଅଜାଡ଼ି ପଡ଼ିବ । ବେଳଉବେଳରେ, ସକାଳ ସନ୍ଧ୍ୟାରେ, ସବୁ ସମୟରେ କବିତା ବୋଲିବା ତାଙ୍କର ଏକ ପୁରାତନ ଅଭ୍ୟାସ । ଖାଲି ଖଞ୍ଜଣି ବାଜିବାର ଅଛି । ବାଜିଲେ, ବାହାରିଲା ସେ କବିତାର ସ୍ରୋତ । ସେ ସ୍ରୋତ ଅବାରିତ । ଶ୍ରାବଣର ବାରିଧାରା ଭଳି ବନ୍ୟାରେ ମହାନଦୀ ଭଳି ସେ କବିତା ଆସେ ବାଡ଼ବନ୍ଧ ଭାଙ୍ଗି । କବିଙ୍କ ଭାଷାରେ, ବରଷାଋତୁରେ ମହାନଦୀ ପ୍ରାୟେ ପଦଅର୍ଥ ବଢି ଆସୁ ହୃଦୟକୁ ନିମଜ୍ମିତ କରି । ଅରବିନ୍ଦଙ୍କ କବିତା ଭଳି, ରାମକୃଷ୍ଣ ପରମହଂସଙ୍କ କାହାଣୀ ଭଳି, ବିବେକାନନ୍ଦଙ୍କ ଭାଷଣ ଭଳି, ସୂର ଦାସଙ୍କ ଭଜନ ଭଳି ଭୀମଭୋଇଙ୍କ କବିତାର ଦୁର୍ବାର ସ୍ରୋତ ବହିଆସେ ।

 

ଲବ୍‌ଧପ୍ରତିଷ୍ଠ ବଙ୍ଗୀୟ ଲେଖକ ନୀରଦ ଚୌଧୁରୀ ଥରେ କହିଥିଲେ,ଭାରତୀୟ ଖାଦ୍ୟଖାଇ ଇଲ ଇଂରାଜି ଲେଖିବା ଅସମ୍ଭବ । ଭାରତୀୟ ଖାଦ୍ୟ ଖାଇ କିନ୍ତୁ ଭୀମଭୋଇ ଭଲ ଓଡ଼ିଆ କବିତା ଲେଖୁଥିଲେ । ବାସି ତୋରାଣି ପିଇ ଖଞ୍ଜଣି ଧରି ଭଜନ ବୋଲୁଥିଲେ । ଚାରିକଡ଼େ ଚାରିଜଣ ଲେଖନୀକାର, ହରିପଣ୍ଡା, ବସୁପଣ୍ଡା, ମାର୍କଣ୍ଡ ଓ ଧର୍ମାନନ୍ଦ । ସେମାନେ ଲେଖି ଲେଖି ଥକିଗଲେ ଆଉ ଚାରିଜଣ – ଜୟରାମ, ମୋହନ, ମୁରଲୀ ଓ ଆନନ୍ଦ ଆଗେଇ ଆସୁଥିଲେ:

 

ଗଣ୍ଡାଏ ଯୁଗକୁ ଗଣ୍ଡାଏ ଗଣ୍ଡାଏ ଭଜନା ତିଆର କରି

ସନ୍ଥଜନ ଦୁଷ୍ଟ ସମସ୍ତେ ତରନ୍ତୁ ହୃଦୟ ପଦ୍ମେ ବିଚାରି।

ବୃତ୍ତିକେ ଚାରିଗୋଟି ଲେଖେ ଭଜନା ଉତୁରାଇ କରି ଭାଗ

ଘେନ ଘେନ ବୋଲି ସକଳ ଜନଙ୍କୁ ବାଣ୍ଟିଦେଇ ଚାରିଦିଗ (୭୪୦)।

 

ସତ୍ୟ, ତ୍ରେତୟା, ଦ୍ୱାପର, କଳି ଚାରିଯୁଗ ପାଇଁ ଚାରିଜଣ ଲେଖନକାର । ଏହା ଥରକେ ଚାରିଚାରିଟା ଭଜନ ଡାକିବେ । ଜଣେ ଲେଖିପାରିବ ନାହିଁ । କବିତାର ସେ ଅବାରିତ ସ୍ରୋତରେ ଭାସିଯିବ । ଏହିଭଳି ଭାବରେ ଅନର୍ଗଳ ଯେଉଁ କବିତାର ସୃଷ୍ଟି, ତା’ରି ହିସାବ ରଖିଛି କିଏ ? ଥରେ ଡାକିଦେଲେ ଆଉଥରେ ଦେଖିବାର, ସଂଶୋଧନ କରିବାର ଅବକାଶ ନଥାଏ, ସାଙ୍ଗେ ସାଙ୍ଗେ ଏହା ମହିମା ସ୍ୱାମୀଙ୍କ ପାଖକୁ ଯୋରନ୍ଦାକୁ ପଠାଯାଏ । ତାପରେ ଯାଇ ତାହା ସର୍ବସାଧାରଣଙ୍କ ପାଖରେ ପହଞ୍ଚେ । ଭୀମଭୋଇଙ୍କ ସମଗ୍ର ସାହିତ୍ୟ ଏହିପରି ସୃଷ୍ଟି ହୋଇଥିଲା । ସ୍ତୁତି- ଚିନ୍ତାମଣି, ବ୍ରହ୍ମନିରୂପଣ ଗୀତା, ନିର୍ବେଦ ସାଧନା, ଶ୍ରୂତିନିଷେଧ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ବ୍ରହ୍ମଚାଳକ, ଭଜନମାଳା, ଚଉତିଶା ମଧୂଚକ୍ର, ମନୁସଭାମଣ୍ଡଳ, ‘‘ମହିମା ବିନୋଦ’’, ‘‘କଳି ଭାଗବତ’’, ‘‘ବ୍ରହ୍ମସଂଯୁକ୍ତ ଗୀତା’’ ଆଦି କାବ୍ୟକବିତା ସୃଷ୍ଟି ହୋଇଥିଲା ।

 

ସ୍ତୁତି ଚିନ୍ତାମଣି ଭୀମଭୋଇଙ୍କ ଶ୍ରେଷ୍ଠ ସୃଷ୍ଟି । କବିଙ୍କ ଜୀବନ, ଧର୍ମ ଦର୍ଶନର ନିଖୁଣ ନିର୍ଯ୍ୟାସ । ଦୁଇ ହଜାର ଧାଡ଼ିରେ ଶହେଟି ‘ବୋଲି’ ରେ ଲିଖିତ ସ୍ତୁତି ଚିନ୍ତାମଣିରେ କବି କେତେବେଳେ ଅତୀତ ନିଃସଙ୍ଗ, ନିରିମାଖି ଜୀବନର ସ୍ମୃତି ଚାରଣ କରିଛି ତ କେତେବେଳେ ମହିମା ସ୍ୱାମୀଙ୍କଠାରେ ତା ଅଟଳ ବିଶ୍ୱାସ ଅଜାଡ଼ି ଦେଇଛି।

 

ଥରଥର ହେଉଅଛି ଗୁରୁଦେବ, ଧରଧର ଶ୍ରୀହସ୍ତରେ

ହରହର ମୋର କୋଟିଜନ୍ମ ପାପ, ହର ଅଭୟ ପଞ୍ଜରେ (୭୨୬)।

 

କେତେବେଳେ ଅଳ୍ପ ଆୟୁଷିଆ, ହାଡ଼ଖିଆ ସମାଲୋଚକକୁ ନିନ୍ଦା କରିଛି ତ ଆଉ କେତେବେଳେ ମହିମାଙ୍କୁ ନିର୍ଘାତ ଗାଳିଦେଇଛି । ପରେ ପରେ ଭୁଲ୍‌ ବୁଝିପାରି ଅନୁତାପ କରିଛି । ଲୁହରେ ଛାତି ଭିଜାଇଛି । କାନ୍ଦି କାନ୍ଦି ଅନୁନୟ କରିଛି : ହେ ଅଣାକାର, ଏ ଅନ୍ଧାରରେ ମୋତେ ପଥ ଦେଖାଅ । ଯେଉଁଭଳି ସେଦିନ ଝଡ଼ରାତିରେ ଜାହାଜ ଉବୁଟୁବୁ ହେଲାବେଳେ କବି କାର୍ଡ଼ିନାଲ୍‌ ନିଉମେନ ଊର୍ଦ୍ଧ୍ୱବାହୁ ହୋଇ ଗାଇ ଉଠିଥିଲେ :

 

Lead kindly light, lead Thou me on!

The night is dark, and I am far from home,

Lead Thou me on!

 

‘ସ୍ତୁତିଚିନ୍ତାମଣି’ ଆରମ୍ଭ ହୋଇଛି ବିଦଗ୍‌ଧ ଯନ୍ତ୍ରଣାର ମର୍ମନ୍ତୁଦ ସଂଗୀତରେ, ଲୁହର ବନ୍ୟାରେ, ଗାଳିଗୁଲଜରେ, ଅଭିଯୋଗରେ, ଅପମାନରେ, ଅଭିମାନରେ, ଅସଷ୍ଣୁହିତାରେ । ଆଉ ଶେଷ ହୋଇଛି ଝଡ଼ ବହିଯିବାପର ପ୍ରଶାନ୍ତିରେ, ଜୀବନକୁ ସ୍ୱୀକାର କରିବାରେ, ନିରାକାର, ନିରଞ୍ଜନର ପାଦତଳେ ଆତ୍ମସମର୍ପଣରେ ।

 

ଦ୍ୱାରକା ଦାସ, ଅରକ୍ଷିତ ଦାସ, ଚନ୍ଦ୍ରମଣି ଦାସଙ୍କ ଭଳି ଗୁରୁଶିଷ୍ୟଙ୍କ କଥୋପକଥନ ଛଳରେ ଲିଖିତ ବ୍ରହ୍ମ ନିରୂପଣ ଗୀତାରେ ଭୀମଭୋଇଙ୍କ ଅଲେଖ ଧର୍ମ-ଦର୍ଶନ ପ୍ରତିଫଳିତ ହୋଇଛି-। ମହାନିତ୍ୟ ମହାଶୂନ୍ୟରୁ ପାଠକର ନିକଟକୁ ଓହ୍ଲାଇ ଆସିଛି । ବିଚିତ୍ର ଏ ମହାନିତ୍ୟ ଯେଉଁଠି ପାଣି ନାହିଁକି ପବନ ନାହିଁ । ଆଲୁଅ ନାହିଁକି ଅନ୍ଧାର ନାହିଁ । ଶବ୍ଦ ନାହିଁ କି ରଙ୍ଗ ନାହିଁ । ଏ ମହାନିତ୍ୟରେ ଯେଉଁ ବ୍ରହ୍ମ ବିରାଜମାନ ସେ ଦୃଶ୍ୟ ଓ ଅଦୃଶ୍ୟ, ଜ୍ଞାନୀ ଓ ଅଜ୍ଞାନୀ, ବିବାହିତ ଓ ଅବିବାହିତ, ଉତ୍‌ଫୁଲ ଓ ବିଷର୍ଣ୍ଣ, ଦେହୀ ଓ ଅଦେହୀ, ଗମ୍ୟ ଓ ଅଗମ୍ୟ:

 

ଆପେ ସେବା ଘେନୁଥାଇ ଆପେ ସେବା କରେ।

      ଆପଣେ ଅଚିନ୍ତା ହୋଇ ଆପେ ଭୟ କରେ ।

ଆପେ ଶିଷ୍ୟ ହୋଇଥାଇ ଆପଣେ ଶ୍ରୀଗୁରୁ ।

      ଆପେ ତରୁତୃଣ ହୋଏ ଆପେ ଗିରି ମେରୁ ।

ଆପେ ସାଆନ୍ତ ପଣରେ ଆପଣେ ସେବକ ।

      ଆପେ ପତାକ ପଣ୍ଡିତ ଆପଣେ ମୂରୁଖ ।

ଆପେ ବୋଲେ ନାହିଁ, ନାହିଁ, ଆପେ ବୋଲେ ।

      ହଇ, ଆପଣେ ଅଦେହରୂପ ଆପେ ହୋଏ ଦେହୀ ।

ଆପଣେ ବନ୍ଧନ କରେ ଆପେ ବନ୍ଦୀ ହୋଏ ।

      ଆପଣେ ବହଇ ଭାର ଆପଣେ ନବହେ । (୨୩୭-୩୮)

 

କବି ଶେଷରେ ପାଠକକୁ ବେଦରୁ ନିର୍ବେଦକୁ, ସଂସାରରୁ ସନ୍ନ୍ୟାସକୁ ବାଟ କଢ଼ାଇଛି ।

 

ବାଇବେଲ୍‌ର ବୁକ୍ ଅନ୍ ଯୋନ୍‍ରେ ଭକ୍ତ ଯୋନ୍‌ଙ୍କୁ ଈଶ୍ୱର ନିଜ ଗାରିମା, ମହିମା ପ୍ରଦର୍ଶନ କରିଛନ୍ତି । କହିଛନ୍ତି : ଦେଖ, ସୀମାହୀନ ଆକାଶକୁ, ଉତ୍ତୁଙ୍ଗ ପର୍ବତକୁ, ଅଥଳ ସମୁଦ୍ରକୁ, ଏସବୁରି ସୃଷ୍ଟିକର୍ତ୍ତା ମୁଁ । ସେ ବିଶ୍ୱରୂପ ଦେଖି ଯୋନ୍ ସଂକୁଚିତ ହୋଇଯାଇଛି । ନତଜାନୁ ହୋଇ ଈଶ୍ୱରଙ୍କ ବିରାଟତା ଆଗରେ ନିଊନ ହୋଇଯାଇଛି । କିନ୍ତୁ ଭୀମଭୋଇଙ୍କ ନିର୍ବେଦସାଧନରେ ବ୍ରହ୍ମ ହୋଇଯାଇଛି ମହତୋର୍ମହୀୟାନ୍ । ଅଗୋ ର୍ଅଣୀୟାନ୍ । ସେ ଚନ୍ଦ୍ର, ସେ ସୂର୍ଯ୍ୟ, ସେ ଅଗ୍ନି, ସେ ବରୁଣ, ସେ ପୁରୁଷ, ସେ ପ୍ରକୃତି, ସେ ସତ୍ୟ, ସେ ଅସତ୍ୟ । ସେ ତପୀ, ସେ ପାପୀ, ସେ ଗୁରୁ, ସେ ଶିଷ୍ୟ :

 

ରୂପେ ବୋଲାଉ ସ୍ତିରୀ ଅଙ୍ଗ

ପୁରୁଷ ରୂପେ କରୁ ସଙ୍ଗ

।।

କରତା ରୂପେ ଦେଉ କରି

ହରତା ରୂପେ ନେଉ ହରି

।।

ମାତା ରୂପରେ କରୁ ଜନ୍ମ

ଭାରିଯା ରୂପେ କରୁ କର୍ମ

।।

ଏ ସର୍ବ ପ୍ରକୃତିର ହେତୁ

ଆମ୍ଭେଟି ଅଟୁ ଜନ୍ମମୃତ୍ୟୁ (୮୯)

।।

 

ଗୋବିନ୍ଦ ବାବା ଓ ମହିମା ସ୍ୱାମୀଙ୍କ କଥୋପକଥନ ଛଳରେ ଲିଖିତ ଏ କାବ୍ୟ ଗୋବିନ୍ଦ ବାବାଙ୍କ ଦୀକ୍ଷାଗ୍ରହଣ ଓ ସୃଷ୍ଟି ପ୍ରକରଣର କାହାଣୀ କହିଛି ।

 

ଶ୍ରୁତିନିଷେଧ ଗୀତା ନିର୍ବେଦ ସାଧନର ସଂପ୍ରସାରଣ ମାତ୍ର । ଗୋବିନ୍ଦ ବାବା ଓ ମହିମା ସ୍ୱାମୀଙ୍କ କଥୋପକଥନର ପୁନରାବର୍ତ୍ତନ । ଏଇଠି କିନ୍ତୁ କବି ତଳକୁ ଓହ୍ଲାଇ ଆସିଛି, ମହାନିତ୍ୟର ପାହାଚ ତଳକୁ । ହିନ୍ଦୁଧର୍ମର ପର୍ବପର୍ବାଣି, ସାମାଜିକ-ଧାର୍ମିକ ପରଂପରା ପ୍ରତି କଟାକ୍ଷ କରିଛି । ପ୍ରତିମା ପୂଜା, ନିର୍ମାଲ୍ୟ, ଏକାଦଶୀ ବ୍ରତ, ତୁଳସୀ ମାଳା ବିରୋଧରେ ଯୁଦ୍ଧ ଘୋଷଣା କରିଛି :

 

ତା ପତ୍ରପୁଷ୍ପକୁ ଛିଣ୍ଡାଇ

ଛାଗଳ ମେଷ ପ୍ରାୟେ ଖାଇ

।।

ଛାଗଳ ଯେହ୍ନେ ଚରେ ପତ୍ର

ଅଙ୍ଗ ତା କଲେ ଛିନ୍ନଛତ୍ର

।।

ବିଷ୍ଣୁ ପରାଏ ସେବା କଲେ

ତା ହସ୍ତ ଗୋଡ଼ ଛିଣ୍ଡାଇଲେ

।।

ଭକ୍ଷିଲେ ତୁଣ୍ଡରେ ପୂରାଇ

ଚୁମ୍ବିଲେ ଦନ୍ତରେ ଲଗାଇ । (୨୧)

।।

 

କହିଛି, ଦଶାଙ୍ଗ ଯୋଗହିଁ ଦଶମୀ । ଏକାକ୍ଷର ହିଁ ଏକାଦଶୀ । ବିଷ୍ଣୁ ବ୍ରହ୍ମା, ରାମକୃଷ୍ଣ ପାଚିଲା ବରପତ୍ର ଭଳି ଝଡ଼ିଗଲେଣି । ଜଗନ୍ନାଥ କାଠର ପ୍ରତିମା ସାଜିଲେଣି । ସେ ଯେବେ ଜଗନ୍ନାଥ ହୋନ୍ତା, ଠାବକେ କିପାଇଁ ରହନ୍ତା ? ତୋ ଦେହ ତେତିଶି କୋଟି ଦେବତାର ଘର । ତାକୁ ଚିହ୍ନ । ତୋ ନାଭିରେ ବ୍ରହ୍ମା, ହୃଦୟରେ ଜଗନ୍ନାଥ, କଣ୍ଠରେ ଶିବଙ୍କୁ ଦେଖ । ଏହିଭଳି ଭାବରେ ଜୀବନକୁ ଅନ୍ତର୍ମୁଖୀ କରି ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱ ମାଧ୍ୟମରେ କବି ଭୀମଭୋଇ ହିନ୍ଦୁଧର୍ମର ସଂକୀର୍ଣ୍ଣତା ଭିତରୁ ପାଠକର ମନକୁ ଟାଣିଆଣିଛନ୍ତି । ଶ୍ରୁତିନିଷେଧ ଗୀତା ମହିଧାଧର୍ମର ପ୍ରଚାର ଗ୍ରନ୍ଥ । ମହିମା ଧର୍ମଦର୍ଶନର ଏକ ଆବେଗପୂର୍ଣ୍ଣ ଆଲେଖ୍ୟ । କବି କହିଛି-

 

ଏ ଘଟେ ଜଗନ୍ନାଥ ଅଛି

ପ୍ରତିମା ମିଛରେ ପୂଜୁଛି

।।

ମୂର୍ତ୍ତି ପ୍ରତିମା ଶୁଷ୍କ କାଷ୍ଠ

ସେ ପୁଣି ନେବ କି ବୈକୁଣ୍ଠ ?

।।

ମିଥ୍ୟାରେ ଭୁଲିମରେ ପ୍ରାଣୀ

ଘଟ ପ୍ରତିମାକୁ ନ ଚିହ୍ନି

।।

(୧୦-୧୧)

 

ଜୀବ-ପରମ କଥୋପକଥନ ଛଳରେ ଆଦିଅନ୍ତ ଗୀତା, ଶ୍ରୁତିନିଷେଧ ଗୀତାର ସେଇ ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱ ବଖାଣିଛି । ଆଦିଅନ୍ତଗୀତା, ଅଷ୍ଟକ ବିହାରୀ ଗୀତା, ଶ୍ରୁତି ନିଷେଧ ଗୀତା ଓ ନିର୍ବେଦ ସାଧନ ଭୀମଭୋଇଙ୍କ କବିଜୀବନର ଆଦ୍ୟସୃଷ୍ଟି । ରେଢ଼ାଖୋଲରେ ଥିଲାବେଳେ ଏସବୁ ହୁଏତ ରଚନା କରିଥିଲେ । ବ୍ରହ୍ମଚାଳକ ବି ବୋଧେ ଏହି ସମୟର । ଏ କାବ୍ୟରେ କବି ଯଜ୍ଞୋପବୀତଧାରୀ ଏକ ବ୍ରାହ୍ମଣକୁ ତୁହାକୁତୁହା ପ୍ରଶ୍ନ ପଚାରିଛି । ପରମ୍ପରାର ପଲ୍ୱଳବଦ୍ଧ ବ୍ରାହ୍ମଣ୍ୟଧର୍ମକୁ ଆହ୍ୱାନ ଜଣାଇଛି ।

 

ଅଷ୍ଟକ ବିହାରୀ ଗୀତାରେ କବି ଏକ ଧୂମଧୂସର ଭବିଷ୍ୟତର କଳ୍ପନା କରିଛି । ପ୍ରଳୟ ଆସିବ, ନିଆଁ ଜଳିବ, ବଢ଼ିପାଣି ପାହାଡ଼କୁ ଭସାଇନେବ, ଉଲ୍‌କା ପଡ଼ିବ, ଯୋଗିନୀ, କାନ୍ତାନୀମାନେ ରକ୍ତମୁଖା ହୋଇ ଘରଘର ବୁଲିବେ, ପୃଥିବୀରେ କଳାକନା ବୁଲିବ । ପଦ୍ମକଳ୍ପ କାବ୍ୟରେ କବିଙ୍କ ସେଇ ଭବିଷ୍ୟତ ବାଣୀ ଝଂକାର ତୋଳିଛି । ଯବନ ଯିବ, ଭାରତ ସ୍ୱାଧୀନ ହେବ-। ମଦନମୋହନ ମାଲବ୍ୟ, ନେହେରୁ ଓ ଗାନ୍ଧି ଏ ମୁକ୍ତିଯୁଦ୍ଧର ନେତୃତ୍ୱ ନେବେ । ଏଇଠି ପ୍ରଶ୍ନ ଉଠେ, ଭାରତୀୟ ଜାତୀୟ କଂଗ୍ରେସର ଜନ୍ମବର୍ଷରେ ଯେଉଁ କବିର ମୃତ୍ୟୁ, ସେ ପୁଣି ଏମାନଙ୍କ ନାମ ଜାଣିଲା କେମିତି ? ପୁଣି କିଛି ସର୍ଗଶେଷରେ ଭୀମଭୋଇଙ୍କ ନାମ ନାହିଁ କାହିଁକି ? ତେଣୁ ପଦ୍ମକଳ୍ପ ପରବର୍ତ୍ତୀ ସମୟର ପ୍ରକ୍ଷିପ୍ତ କାବ୍ୟ ହୋଇଥିବା ସମ୍ଭବ ।

 

ଭୀମଭୋଇଙ୍କ ଭଜନମାଳା ପ୍ରାୟ ୩୧୨ଟି ଭଜନର ସମାହାର । ଏଇଠି କବି ଅଲେଖ, ଅରୂପ, ଅନାମ, ଅଣାକାରର ଗୁଣଗାନ କରିଛି । କେତେବେଳେ ସେ ସର୍ବଶକ୍ତିମାନ୍ ରୂପରେ ଉଭା ହୋଇଛି, ଯା’ରି ଇଙ୍ଗିତରେ ପବନ ବହୁଛି, ନିଆଁ ଜଳୁଛି, ସୂର୍ଯ୍ୟଚନ୍ଦ୍ର, ଗ୍ରହନକ୍ଷତ୍ର ଆତଯାତ ହେଉଛନ୍ତି । କେତେବେଳେ ସେ ‘ଅକଳଣା ବାରାନିଧି’ ସାଜି ବ୍ରହ୍ମା ବିଷ୍ଣୁ, ମୁନିଋଷିଙ୍କୁ ଅଗମ୍ୟ ହୋଇଯାଇଛି । ଆଉ କେତେବେଳେ ହୋଇଯାଇଛି ଏକ ନାମହୀନ ଅପୌରୁଷେୟ ଶକ୍ତି, ନାହିଁ ହସ୍ତପଦ ଯା’ରି । କେତେବେଳେ ସେ ଶୂନ୍ୟ ରୂପରେ ଘାସ ଆଉ ଫୁଲ ଭିତରେ ଫୁଟି ଉଠିଛି ତ ଆଉ କେତେବେଳେ ପ୍ରଦୀପ ଭଳି କପିଳାସ ଶିଖରରେ ଜଳି ଉଠିଛି । ମହାନିତ୍ୟର ପଶ୍ଚିମରେ ଅନନ୍ତ, ଦକ୍ଷିଣରେ ଜଗନ୍ନାଥ, ଉତ୍ତରରେ ରାମ ଓ ପୂର୍ବରେ କୃଷ୍ଣ ଜଗିଛନ୍ତି । କର୍ମକାଣ୍ଡର ଇଟାରେ ତିଆରି ଏ ମହାନିତ୍ୟ ଭୁବନ । ପୁଣ୍ୟର ମାଟିରେ ଲିପା, ଯଜ୍ଞଭସ୍ମରେ ଧୂଆଁ ହୋଇଛି ଆଉ ଧର୍ମର ଛାଞ୍ଚୁଣିରେ ଝଡ଼ା ଯାଇଛି ଏ ଅନାହତ ପୁର । ରାମକୃଷ୍ଣ ଜାଉଁଳି କବାଟରେ କିଳାଯାଇଛି । ଦ୍ୱାଦଶ ଅବତାର ଚିତ୍ରରେ ସଜା ଯାଇଛି ଏ ଅଭୟମଣ୍ଡଳ । ଚାରିଦିଗର ସ୍ତମ୍ଭ ଉପରେ ପ୍ରତିଷ୍ଠିତ ହୋଇଛି । ଘୂର୍ଣ୍ଣାୟମାନ ମାଳମାଳ ବ୍ରହ୍ମାଣ୍ଡ ଛଣରେ ଛାଏଣି ହୋଇ ଠିଆ ହୋଇଛି ସାତସମୁଦ୍ର, ଚଉଦବ୍ରହ୍ମାଣ୍ଡ ଉପରେ ଏ ଅବନା ମନ୍ଦିର । ସେଇଠି ଅଛନ୍ତି ମହିମା, ବୁଦ୍ଧ, ଆଦିବୃନ୍ଦାବନର କୃଷ୍ଣ ଯାହାଙ୍କୁ ସ୍ୱର୍ଗର ଦେବତା, ପାତାଳର ନାଗ, ପୃଥିବୀର ସ୍ତ୍ରୀପୁରୁଷ, କୀଟପତଙ୍ଗ, ପତର ପଥର ସବୁ ଅନେଇ ରହିଛନ୍ତି । ଏକ ଅପ୍ରକାଶିତ ଭଜନରେ କବି କହିଛନ୍ତି : ତା କରୁଣା ଊଣା ହୋଇଗଲେ ପ୍ରଳୟ ମାଡ଼ିଆସିବ । ପୂର୍ବଦିଗ ପଶ୍ଚିମକୁ ଆଉ ଦକ୍ଷିଣ ଉତ୍ତର ଦିଗକୁ ଚାଲିଯିବ । ସବୁ ଓଲଟପାଲଟ ହୋଇଯିବ । ସମୁଦ୍ର ଫୁଲି ଉଠିବ । ସୂର୍ଯ୍ୟ ଅସ୍ତ ହୋଇଯିବ । ଜଗନ୍ନାଥଙ୍କ ବିଗ୍ରହ ବଙ୍ଗୋପସାଗରରେ ନିମଜ୍ଜିତ ହେବ । ମହିମା କଳ୍‌କୀ ଅବତାର ହେବେ । ପାଦ ତାଙ୍କ ପାତାଳକୁ ଆଉ ମଥା ଅନ୍ତରୀକ୍ଷକୁ ଚାଲିଯିବ ।

 

ପ୍ରାୟ ଅଣଚାଶଟି ଭଜନରେ କବି ମହିମାଙ୍କୁ ଡାକିଛି । କହିଛି, ପ୍ରଭୁ, ମୋତେ ଏ ବଢ଼ିପାଣିରୁ ଟେକିଧର । ଭାସିଯାଉଛି, ଅରକ୍ଷ ମୁଁ । ମହିମା, ତୁମ ଜଟାଜୁଟ ଫିଙ୍ଗିଦିଅ । ସ୍ୱରୂପ ପ୍ରକାଶ କର । ସିଂହାସନରେ ବସି ଏ ପୃଥିବୀ ପାଳନ କର । ତୁଣ୍ଡରେ ତିରଣଧରି କାକୁତିମିନତି କରିଛି । ତଥାପି ତା ଦୁଃଖ ଯାଇନି । ତେଣୁ ଖଡ଼୍‌ଗହସ୍ତ ହୋଇ କହିଛି, ବାନା ବୁଜିଦିଅ । ଚାଲିଯାଅ-। କହିଛି, ସ୍ୱାମୀ ନ୍ୟାୟ କେବେ ଶୁଣାଇବ ? ଭକ୍ତ ଗଡ଼ିଗଲେଣି, ଆଉ ତୁମେ ନିଶ୍ଚିନ୍ତରେ ବସି ନିଶ ମୋଡ଼ୁଛ ! ଭକ୍ତମାନଙ୍କୁ ସ୍ୱସ୍ଥାନରୁ ଟାଣିଆଣି ତଳେ ଲୋଟାଉଛ, ଆଉ ନିଜେ ଲୁଚୁଛ ! କିଏ କହିଲା ତୁମକୁ ଏ ପୃଥିବୀକୁ ଆସିବାକୁ ? ଭକ୍ତକୁ ଯଦି ରକ୍ଷା କରିପାରିବ ନାହିଁ, ଚାଲିଯାଅ ।

 

ସ୍ୱାମୀ ହେ ମାରୁଅଛ ଭକ୍ତ କୁଳକୁ ।

ବୁଝାମଣା ହେବ ପ୍ରଭୁ ଆଉ କେତେ ବେଳକୁ ?

ଭଗତ ମହତ ସାରି କି ଅର୍ଜିବ ଯଶକୁ ।

ପ୍ରଭୁ ପଣେ ବସି ମିଛେ ମୋଡ଼ୁଅଛ ନିଶକୁ ।

 

ହଟପଟ ନଟକୂଟ ଲଗାଇଛ ଦାସକୁ ।

ଉଚ୍ଚସ୍ଥାନୁ ଆଣିକରି ବସାଉଛ ନୀଚକୁ ।

କେ ତୁମ୍ଭଙ୍କୁ ଆଜ୍ଞାଦେଲା ଆସ ବୋଲି ମର୍ତ୍ତ୍ୟକୁ ।

ସଂସାର ଭୟରେ କିମ୍ପା ଲୁଚୁଅଛ ପଛକୁ ?

 

ଜାଣିକି ନଥିଲ, ପ୍ରଭୁ, ଜଗତେ ପ୍ରପଞ୍ଚକୁ ।

କଉତୁକ ମଣିଛ କି ପୃଥ୍ୱୀ ଜମ୍ବୁଦ୍ୱୀପକୁ ?

ନିଶ୍ଚେ ବୁଡ଼ାଇବି ତୁମ୍ଭ ନାମ ବ୍ରହ୍ମ ଧର୍ମକୁ ।

ସମ୍ଭାଳି ନୋହିଲେ ମୋର ଯେ ଦିଶିବ ମନକୁ ।

ନିଅର୍ଥେ ଗଂଜିମାରୁଛ ଜନ ପ୍ରାଣୀମାନଙ୍କୁ ।

କହେ ଭୀମ ଅରକ୍ଷିତ ଯାଅ ନିଜ ଧାମକୁ ।

 

ବଳରାମଦାସ କାଳିଆକୁ ଗାଳି ଦେଲାଭଳି ଭୀମହୋଇ ମହିମାଙ୍କୁ ଗାଳି କରିଛନ୍ତି । କିନ୍ତୁ ତାପରେ ଯେତେବେଳେ ଦେଖିଛନ୍ତି ସଂସାର ଉଜୁଡ଼ି ଯାଉଛି, ହାତଯୋଡ଼ି ମିନତି କରିଛନ୍ତି : କ୍ଷମାକର, ଏ ନରକିନ୍ନର, ତରୁତୃଣ, କୀଟପତଙ୍ଗ, ଗ୍ରହନକ୍ଷତ୍ରଙ୍କୁ କ୍ଷମାକର । ବୃକ୍ଷ କେମିତି ବେଦ ଜାଣିବ ? ପଥର କିପରି ବ୍ରହ୍ମକୁ ଚିହ୍ନିବ ? କ୍ଷମାଦିଅ । ଏ ବଢ଼ିରୁ ସମସ୍ତଙ୍କୁ ଟେକିଧର । ସେମାନେ ପରା ତୁମରି ! ଏକ ଅପ୍ରକାଶିତ କବିତାରେ ଭୀମଭୋଇ କହିଛନ୍ତି : ତୁମ ଆଜ୍ଞାରେ ଯଦି ସମୁଦ୍ରକୁଳ ଲଂଘୁନାହିଁ, ପୃଥିବୀ ଟଳିପଡ଼ୁ ନାହିଁ, ମୋ ପାପ କିପରି ତୁମ ଅମାନିଆ ହେବ, ପ୍ରଭୁ ? ତାପରେ ପାପକୁ କହିଛନ୍ତି : ଚାଲିଯା, ମୋ ମସ୍ତକରୁ, ନଖରୁ, ମାଂସପେଶୀରୁ, ଚମଡ଼ାରୁ, କେଶରୁ ଓହ୍ଲାଇଯା । ଆଉ ମୋ ଦେହ ସୁନାଭଳି ଝଟକିଉଠୁ । ଜହ୍ନ ଭଳି ଉଜଳିଉଠୁ । ନିଆଁ ଭଳି ଦାଉ ଦାଉ କରୁ । ନବନୀତ ଭଳି କୋମଳ ହୋଇ ଯାଉ । ତାପରେ କଳା ରାତ୍ରି ଅପସରି ଯାଇଛି । ମହାନିତ୍ୟ ପ୍ରାଙ୍ଗଣରେ ଦେବଦେବୀ, ମୁନିୠଷି, ଚାରିଯୁଗ, ଛପନକୋଟି ଜୀବ ଅପେକ୍ଷା କରିଛନ୍ତି ମହିମାଙ୍କ ଆଗମନକୁ । କବି କହିଛି, ପ୍ରଭୁ, ପାପୀମାନେ ବି ଆସିଛନ୍ତି । ତାଙ୍କୁ କ୍ଷମା କରିଦିଅ । ଆସ, ଧଳାହାତୀ ଉପରେ ଧଳାଛତି ତଳେ ବସିଆସ । ପ୍ରଦୀପ ଜଳୁଛି । ସ୍ୱର୍ଣ୍ଣକୁମ୍ଭ ବସିଛି । ଆମ୍ବତୋରଣ ଦିଆହୋଇଛି । ଆଗମନ କର !

 

ଏସବୁକୁ କିନ୍ତୁ ଟପିଯାଇଛି ଭୀମଭୋଇଙ୍କ ଚଉତିଶା ମଧୁଚକ୍ର । ଲୁହରେ ତିନ୍ତିଯାଇଛି ସ୍ତୁତି ଚିନ୍ତାମଣି ଭଳି । ଜୀବନର କଣ୍ଟାରେ ଫୋଡ଼ିହୋଇ, ଲହୁଲୁହାଣ ହୋଇ କବି କହିଛି : ମଲିଣି, ମହିମା ! ରାଜା ବ୍ରାହ୍ମଣମାନେ ବେଢ଼ିଛନ୍ତି । ଚୋର ଚାଣ୍ଡାଳ ବୋଲି ଗାଳି ଦେଉଛନ୍ତି । ତୁମେ ଛାତ ଭଳି ଠିଆହୋଇଛ । ଜହ୍ନ ଭଳି ଆଲୋକ ଦେଉଛ । ତୁମେ ମୋ’ରି ପ୍ରଭୁ, କିନ୍ତୁ ମୁଁ ତୁମରି ନୁହେଁ । ତାପରେ ପୃଥିବୀ ଯେତେବେଳେ ଫାଟିଯାଉଛି, କବି ବିନତି କରିଛି : ଏକୋଇଶ ପୁର ଡୁବି ଯାଉଛି-। କାଳବୈଶାଖୀ ଝଡ଼ରେ ମୁଠାଏ ଶୁଖିଲା ପତ୍ରପରି ଉଡ଼ିଯାଉଛି । ସମୁଦ୍ର ଫୁଲି ଉଠୁଛି । ପୃଥିବୀ ଟଳି ପଡ଼ୁଛି । ଆସ, ପ୍ରଭୁ, ଆମ ପାପସବୁ ଧୋଇଦିଅ । ସ୍ୱାମୀ, ଡରୁଛ ? ତୁମ ସୃଷ୍ଟିକୁ ଡରୁଛ ? ତେବେ ଚାଲିଯାଅ, ଲୋକେ ତୁମ ପାରିଲାପଣିଆ ଦେଖନ୍ତୁ ।

 

ଭୀମଭୋଇଙ୍କ ଭଜନ ଦୁର୍ବଳର ଅନୁନୟ ନୁହେଁ । ଅସହାୟର ଅଶ୍ରୁଳ ନିବେଦନ ନୁହେଁ । ଏକ ଅକୁତୋଭୟ ଆତ୍ମାର ଆହ୍ୱାନ । ଏକ ଚଉତିଶାରେ କବି ମହିମାଙ୍କୁ ଉପହାସ କରିଛି । କହିଛି: ଆଗରେ ଅନ୍ନବ୍ୟଞ୍ଜନ ଥୋଇଦେଇ କହୁଛ, ଖା’ନା । ପାହାଡ଼ ଶିଖରେ ଥାପିଦେଇ କହୁଛ, ସାବଧାନ ! ଦେହକୁ ରକ୍ତମାଂସରେ ଗଢ଼ିଦେଇ କହୁଛ, ମୃତ୍ୟୁକୁ ଜଗିଥିବୁ ! ସ୍ରୋତକୁ ଠେଲିଦେଇ କହୁଛ, ଆହା, ଭାସିଗଲୁ !

 

କିସ ଜଣାଇବି, ପ୍ରଭୁ, ଶ୍ରୀଛାମୁରେ, କରିଅଛି ଯେତେ କର୍ମମାନ

କଳିଯୁଗେ ମୋତେ ଜନମ କରାଇ, କରତା ପୁରୁଷ କି ନଜାଣ ?

କାମକ୍ରୋଧରେ ହେ, ଗଢ଼ି ରଜବୀର୍ଯ୍ୟ ପିଣ୍ଡଗୋଟା

କପୋଳରେ ମୋର ଲେଖିଦେଇକରି କିମ୍ପାଇ କରୁଛ ହଟହଟା ?

କ୍ଷୀରନୀର ଫଳମୂଳ ଆଣି ପ୍ରଭୁ, ଭିଆଇ ଥୋଇଛ ଏ ଜଗତେ

କ୍ଷୂଧାତୃଷା କଲେ ନଖାଇବି ଯେବେ କେମନ୍ତ ବର୍ତ୍ତିବି କହ ମୋତେ ?

ଖଞ୍ଜା କରାଇ ହେ, କାହିଁକି ଏମାନ ଅରଜିଲ

ଖାଇବୁ ଯେବେ ଖରାପ ହେବୁ ବୋଲି ଫେରିଯେବେ ସ୍ୱାମୀ ନାସ୍ତିକଲ ।

ଗିରିରୁ ଆଣିଲ, ଗର୍ଭେ ସ୍ଥିତିଦେଲ, ଗଢ଼ିଲ ଆପେ ଆପଣ ବସି

ଗାତମୁହଁ ବାଟେ, ଝିଙ୍କିଆଣି ମୋତେ, ପଶ୍ଚ୍ୟାନ୍ତେ ବୋଲୁଛ ହେଲୁ ଦୋଷୀ

ଜ୍ଞାନ କରିଛ ହେ, ଚାରିଯୁଗେ ରଜବୀର୍ଯ୍ୟ ମେଳେ

ଗେରସ୍ତ ଭାରିଜା ଯୁକ୍ତ କରିଦେଇ, ନାସ୍ତି କରୁଅଛ ଏତେବେଳେ ।

ଘରର ଭିତରେ ଘାଣ୍ଟି ଘାଣ୍ଟି କରି ମାୟାରେ ପିଣ୍ଡବ୍ରହ୍ମାଣ୍ଡ ଭରି

ଘୋଡ଼ଣୀ ଭିତରେ ଜୀବକୁ ଥୋଇଣ ପରମକୁ ଅଛ ସଙ୍ଗକରି

ଘୋଟି ରହିଛ ହେ, ସ୍ୱର୍ଗ ମର୍ତ୍ତ୍ୟ ତିନି ତ୍ରଇଲୋକ

ଘେନିଆଣି ଘୋର ବନରେ ପକାଇ ଏବେ ବୋଲୁଅଛ ଦେଖ ଦେଖ ।

ଅନନ୍ତ ଗର୍ଭରେ, ଅନ୍ଧାର ମାୟାରେ ବଣା କରୁଅଛ ଏ ଜୀବକୁ

ଆଣି ଯୋନିଜାଲ ଟାଣେ ବେଢ଼ି ବସି ଧୀବର ହୋଇଛ ଦେଖୁ ଦେଖୁ ।

ଅଧାପନ୍ତରା ହେ, କରିଗଲ ମୋତେ ଅଧାବାଟେ

ଅଧିକରେ ମୋତେ ଗାଳି ଦେଉଅଛ, ଗଡ଼ିଗଲୁ ବୋଲି ନଟକୂଟେ ।

ଯୋନିରେ ଜନମ କରିଛ ଜୀବକୁ, ଯୁଗଳେ ମିଶାଇ ତେତେବେଳେ

ଯୁକ୍ତ ନୁହବୋଲି, ବତାଉଛ ମୋତେ, ପହଁରାଇ ଆଣି ଭବଜଳେ ।

ଯମ ଦୁଆର ଯେ, ଯିବୁନାହିଁ ବାବୁ କଦାଚିତେ

ଜଳକ୍ଷୀର ପ୍ରାୟେ ମିଶାଇ ଦେଇଣ, ବିରୋଧ କରୁଛ ବାହ୍ୟମତେ ।

ଝାବଡ଼ାରେ ନିର୍ଭା କରିଛ ଶରୀର, ଝିଞ୍ଜିରି ଲାଗିଛି ସର୍ବଠାରେ

ଝୁମ୍ପାପ୍ରାୟକରି ପଚିଶ ପ୍ରକୃତି, ଲମ୍ବାଇ ଆଣିଛ ସର୍ବାଙ୍ଗରେ

ଝାଡ଼ ଭିତରେ ଯେ, ପଶିଗଲା ବୋଲୁଅଛ ମୋତେ

ଝାଡ଼ର ଭିତରେ ପକାଇ ଦେଇଣ ସେରନ୍ତା ପଣେ କହୁଛ କେତେ ।

ଟେକି ଟେକିକରି ମାତୃଗର୍ଭ ଗତୁ ଉଙ୍କୁରାଇ ଆଣି ଠିଆବେଳୁ

ଟେକି କଚଡ଼ାଇ ଦେଇକରି ମୋତେ, ବୋଲୁଅଛ ମନ୍ଦକର୍ମ କଲୁ ।

ଟେକା ପରାୟେ ଯେ, ବିଲର ଭିତରେ ଦେଇ ମାଡ଼ି

ଟାଣ ସୋହତିରେ ଫିଙ୍ଗିଦେଇ ମୋତେ ବୋଲୁଅଛ ଭବେ ଗଲୁ ବୁଡ଼ି ।

ତ୍ରିଗୁଣରେ ଜାତ କରିଛ ଶରୀର ତିନିପୁର ମଧ୍ୟେ ଦେଇ ଛାଡ଼ି

ତତ୍ତ୍ୱପଦ ଗୋଟି ଗୁପତେ ଲୁଚାଇ ବୋଲୁଛ ଅମଡ଼ା ଗଲୁ ମାଡ଼ି

ସ୍ତୀରୀ ସଙ୍ଗମ ଯେ, ନ କରିବୁ ବାବୁ କଦାଚିତେ

ତପତ ଅନଳ ଦେହକୁ ତଇଳ କରାଉଛ ସ୍ୱାମୀ ଅନୁବ୍ରତେ ।

ଦରିଆ ଭିତରୁ ମୀନ ପ୍ରାୟକରି ଦଉଡ଼ି ଲଗାଇ ଝିଙ୍କିଆଣି

ଦଇବ କରତା ଅଟ ହେ ଆପଣ, କପାଳେ ଲେଖିଲ ଲାଭହାନି ।

ଦ୍ରୋହୀ ହେଉଛ ଯେ, ଏଥିରେ କି ଦୋଷ ଅଛି ମୋର

ଦୁଇପାଦେ ମୋତେ ଉବୁରାଇ ଆଣି ବୋଲୁଅଛ ଏକପାଦେ ଧର ।

ନରଦେହେ ସ୍ୱାମୀ ଜାତ କରିଅଛ ନବଖଣ୍ଡ ମେଦିନୀରେ ମୋତେ

ନାରୀ ପୁରୁଷଙ୍କ ସଙ୍ଗତେ ବସିଲେ ବୋଲୁଅଛ ନଛୁଇଁବି ତୋତେ ।

ନିନ୍ଦା ହେଉଛି ଯେ, ଅଲେଖ ମହିମା ଧରମକୁ

ନାରୀ ପୁରୁଷରେ ବ୍ରହ୍ମାଣ୍ଡ ରଚିଲ ଲଜ୍ଜ୍ୟା କି ନୋହୁଛି ଶ୍ରୀଛାମୁକୁ ?

ପ୍ରକୃତି ରଚନା କରିଅଛ ଆଣି ପାଣିପବନକୁ କରି ଠୁଳ

ପିତା ହୋଇକରି ପୁତ୍ରର ବେଦନା ନଜାଣୁଛ କି ଅନାଦିମୂଳ

ପାପ କରୁଛ ଯେ, ବୋଲୁଛ ଦୁଲ୍ଲଭ ଦେହ ପାଇ

ପ୍ରେମ ପସରାକୁ ଯୋଗାଡ଼ି ମୋ ଅଙ୍ଗେ ଆଦ୍ୟରୁ ତ ଦେଇଅଛ ଥୋଇ ।

ଶୂନ୍ୟ ମଣ୍ଡଳରୁ, ଶବଦ ବ୍ରହ୍ମରୁ ସୂତ୍ରରେ ଆଣିଛ ମୂତ୍ରଦ୍ୱାରେ

ଶୋଇବୁ ନାହିଁ ସ୍ତିରୀ ସଙ୍ଗେ ବୋଲୁଛ ଜଳିଯିବୁ ତାଙ୍କ ନିଃଶ୍ୱାସରେ

ଶାଖାସୋଦର ଯେ, ବିଶ୍ୱାସ କରିଛ ନିରନ୍ତର

କୁମ୍ଭତଳେ କୁମ୍ଭୀ ନରକକୁ ଥୋଇ ବୋଲୁଅଛ ତାକୁ ହେତୁକର ।

ସରୋବର ବାଟେ ଆଣିଅଛ ମୋତେ ଶୋଣିତ ବହୁଛି ଝରଝର

ସର୍ବାଙ୍ଗରେ ତିନ୍ତି ଯାଉଛି ଶରୀର, ବଢ଼ି ଯାଉଛି କମଳଶିର

ସବୁ ନାଶିଲ ଯେ, ପଳାଉଛ ଏବେ ନ ବିଚାରି

ସଙ୍ଗମୁ ବିପଦ ଖଞ୍ଜି ଦେଇକରି, ବୋଲୁଅଛ ହୁଅ ବ୍ରହ୍ମଚାରୀ । (୮୦୫-୯)

 

ଏକ ଅପ୍ରକାଶିତ ଚଉତିଶାରେ କବି ଦେଖିଛି, କଳିଯୁଗ ସମଗ୍ର ବିଶ୍ୱକୁ ଝୁଡ଼ିରେ ଭରି ତା ପାଟିରେ ପୁରାଉଛି । ପ୍ରଭୁ, ପ୍ରଭୁ ପାଟିକରିଛି କବି, ତା ତଣ୍ଟିଟି ଚିପିଦିଅ । ଭୀମଭୋଇ କାହିଁ । ବିଂଶ ଶତାବ୍ଦୀର ପଣ୍ଡିତ ପାଶ୍ଚାତ୍ୟ କବି ଏଲିଅଟ୍ କାହିଁ । କିନ୍ତୁ କଳିଯୁଗ ଏଲିଅଟ୍‌ଙ୍କ ‘‘ପ୍ରିଲ୍ୟୁଡ଼୍‌ସ୍’’ କବିତାର ସେଇ ବାୟାଣୀ ବୁଢ଼ୀର କଥା ମନେପକାଇ ଦିଏ-

 

The worlds revolve

Like ancient women, gathering fuel in vacant lots.

 

ଥରେ ଢେଙ୍କାନାଳ ରାଜା ମନ୍ତବ୍ୟ ଦେଲେ, ଭୀମଭୋଇ କି କବିତା ଲେଖୁଛି ହୋ ? ଯେ ପଢ଼ିବ ସାଙ୍ଗେ ସାଙ୍ଗେ ବୁଝିଯିବ । ଦେଖ, କବି ସମ୍ରାଟ ଭଞ୍ଜଙ୍କ କାବ୍ୟ ‘ନାରକେଳ ଫଳମ୍ବୁବତ୍’ । ନଡ଼ିଆ ଫଟାଇଲେ ଯାଇଟି ପାଣି ବାହାରିବ । କା’ର ଦାନ୍ତ ଏତେ ଟାଣ ଯେ ନଡ଼ିଆ ଭାଙ୍ଗିବ ? କବି ଭିତରେ ଭଞ୍ଜେ ! ଆଉ ଭୀମଭୋଇ ତାଙ୍କ ଆଗରେ କିଏ ସେ ? ଏ କଥା ଭୀମଭୋଇଙ୍କ କାନରେ ବାଜିଲା । ମହିମାଙ୍କୁ ସ୍ମରଣ କରି ଆରମ୍ଭ କଲେ ମନୁସଭାମଣ୍ଡଳ । ଢେଙ୍କାନାଳ ଦରବାରର ସବୁ ପଣ୍ଡିତ ଏହାର ଅର୍ଥଅର୍ଥାନ୍ତର କରିପାରିଲେ ନାହିଁ । ମୁଣ୍ଡ ବାଡ଼େଇହେଲେ ସିନା, ହେଲେ କାବ୍ୟର ଥଲକୂଳ ପାଇଲେ ନାହିଁ । ଶେଷରେ ଯୋରନ୍ଦାରୁ କାଲୁବାବା ଆସିଲେ । ଚିଲମ ଟାଣିଲେ । ଦରବାର ଧୂଆଁରେ ଭରିଗଲା । ଆଖି ନାଲ୍ ଦିଶିଲା । ଏକ ଅପୂର୍ବ, ବିଚିତ୍ର ଆଲୋକରେ ମୁହଁ ତାଙ୍କ ଉଜଳି ଉଠିଲା । ତାପରେ ଅନର୍ଗଳ ଅର୍ଥ କରିଚାଲିଲେ । ସଭାସଦ ସ୍ତବ୍‌ଧ ହେଲେ । ଆଜି କିନ୍ତୁ କାଲୁବାବା ନାହାନ୍ତି କି ତାଙ୍କ ତର୍ଜମା କେଉଁଠି ଲିପିବଦ୍ଧ ହୋଇନାହିଁ । ଏ କାବ୍ୟର ପାଣ୍ଡୁଲିପିଟି ଧରି ସେଦିନ ଧର୍ମଗ୍ରନ୍ଥ ଷ୍ଟୋରସ୍‌କୁ ଯାଇଥିଲି । ଆଶା କରିଥିଲି ବହିଟି ଛପାହେବ । ଭୀମଭୋଇଙ୍କ ସମ୍ମାନ ବଢ଼ିବ । କିନ୍ତୁ ହେଲାନାହିଁ । ବ୍ୟବସାୟୀର ଦୁନିଆରେ ପାଣ୍ଡୁଲିପିଟି ପ୍ରବେଶ କରିପାରିଲା ନାହିଁ । ବହିଟି କିଏ ବୁଝିବ ଯେ ଛପାହେବ ? କିନ୍ତୁ ୧୯୯୪ ମସିହାରେ ଭୁବନେଶ୍ୱରରେ ଏ ପୁସ୍ତକଟି ପ୍ରକାଶିତ ହେଲା । ବିଚିତ୍ର ଏ କାବ୍ୟ । ସଂସ୍କୃତ ନୁହେଁ କି ଓଡ଼ିଆ ନୁହେଁ । ଅକ୍ଷର କିନ୍ତୁ ଓଡ଼ିଆ । ହେଲେ କାବ୍ୟଟି ପୂରାପୁରି ଦୁଷ୍ପ୍ରବେଶ୍ୟ । ଅନ୍ୟାନ୍ୟ କାବ୍ୟକବିତା ଭଳି ଭୀମଭୋଇଙ୍କୁ ଏଇଠି ଖୋଜିଲେ ମିଳିବେ ନାହିଁ । ବ୍ୟକ୍ତିଗତ ଅନୁଶୋଚନା, ଜୀବନର କଟୁତିକ୍ତ କଷାୟ ଅନୁଭୂତି । ପଲ୍ୱଳବଦ୍ଧ ସମାଜ ବିରୋଧରେ ସଂଗ୍ରାମ-ଏସବୁ କିଛି ଏଇଠି ନାହିଁ । ପୋଇ ଓ ଚୋଖି ରାଗରେ ଲିଖିତ ଏ କାବ୍ୟ ମହିମାଧର୍ମର ନିଗୂଢ଼ ଦର୍ଶନରେ ଭରିରହିଛି । ଅପେକ୍ଷା କରିଛି କେଉଁ ଏକ କାଲୁବାବାଙ୍କୁ ।

 

‘ମନୁସଭା ମଣ୍ଡଳ’ ଓଡ଼ିଆ ଓ ସଂସ୍କୃତ ମିଶାମିଶି ଏକ ବିଚିତ୍ର ଭାଷାରେ ଲେଖା ହୋଇଥିଲା ବେଳେ, ଭୀମଭୋଇଙ୍କ ଅପ୍ରକାଶିତ ‘‘ମହିମା ବିନୋଦ’’ କାବ୍ୟ ଚାରିଟି ଭାଗରେ ବଙ୍ଗଳା ଓ ଓଡ଼ିଆ ମିଶାମିଶି ଭାଷାରେ ଲେଖାଯାଇଛି । ପ୍ରଥମ ଖଣ୍ଡରେ ସୃଷ୍ଟି ତତ୍ତ୍ୱ, ଦ୍ୱିତୀୟରେ ମହିମା ସ୍ୱାମୀଙ୍କ ଆବିର୍ଭାବ, ହିମାଳୟରୁ ଫେରିବା ପଥରେ ବଦ୍ରିନାରାୟଣ, ହରିଦ୍ୱାର, କାଶୀ, ଶବରୀନାରାୟଣ, ଦ୍ୱାରକା, ଦଣ୍ଡକାରଣ୍ୟ, କନକବତୀ ପାଟଣା (ସୁବର୍ଣ୍ଣପୁର) ଆଦି ରାଜ୍ୟ ଦେଇ କପିଳାସ ପର୍ଯ୍ୟନ୍ତ ମହିମା ସ୍ୱାମୀଙ୍କ ଭ୍ରମଣ ବୃତ୍ତାନ୍ତ ଏଇଠି ଲିପିବଦ୍ଧ । ତୃତୀୟ ଖଣ୍ଡରେ ନିସର୍ଗ ସୁନ୍ଦର କପିଳାସ ପର୍ବତର ବର୍ଣ୍ଣନା, ତା’ରି ଗଛଲତା, ପଶୁପକ୍ଷୀର ନିଖୁଣ ଚିତ୍ର ଭୀମଭୋଇଙ୍କ ସ୍ୱତନ୍ତ୍ର ସୃଷ୍ଟି । କବିତା ଏତେ ସରଳ ହୋଇପାରେ, ମନକୁ ମୁଗ୍‌ଧ ବିହ୍ୱଳ କରିପାରେ, ତାହା କେବଳ ‘‘ମହିମା ବିନୋଦ’’ର ସହୃଦୟ ପାଠକହିଁ ଅନୁଭବ କରିପାରିବ । ତୃତୀୟ ଖଣ୍ଡରେ ଗୋବିନ୍ଦ ବାବାଙ୍କ ଦୀକ୍ଷା ଗ୍ରହଣ ଓ ଚତୁର୍ଥରେ ମାଳବିହାରପୁର ମହିମାମେଳା, ସ୍ୱାମୀଙ୍କ ଅନ୍ତିମ ଜୀବନ ଓ ଯୋରନ୍ଦାରେ ସମାଧି ସ୍ଥାନିତ ହୋଇଛି । ଏ ବିରାଟ ଅପ୍ରକାଶିତ ଗ୍ରନ୍ଥ ମହିମା ସ୍ୱାମୀଙ୍କ ଆଧ୍ୟାତ୍ମିକ ଜୀବନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ଥାନକାଳ ପାତ୍ରର ଏକ ପ୍ରକାରର ବାରମ୍ବାର ବର୍ଣ୍ଣନା ଯଦିଓ କାବ୍ୟଟିର କଳେବର ବୃଦ୍ଧି କରିଛି, ତଥାପି ଏହାର ସରଳ ତରଳ କାନ୍ତକୋମଳ ପଦାବଳୀ ପାଠକର ମନକୁ ଛୁଇଁ ଛୁଇଁ ଯାଇଛି ଶେଷ ପର୍ଯ୍ୟନ୍ତ ।

 

ଅଧ୍ୟାପକ ଚିତ୍ତରଞ୍ଜନ ଦାସ ‘ଓଡ଼ିଶାରେ ମହିମା ଧର୍ମ’ ପୁସ୍ତକରେ ଲେଖିଛନ୍ତି, ଭୀମଭୋଇ ପ୍ରଥମେ ଭକ୍ତ, ତାପରେ କବି, ପ୍ରଥମେ ଦ୍ରଷ୍ଟା, ତାପରେ ସ୍ରଷ୍ଟା ସାଜିଛନ୍ତି । କିନ୍ତୁ ଏହା ଗ୍ରହଣୀୟ ନୁହେଁ । ପ୍ରାୟ ଦେଢ଼ ଶହ ବର୍ଷ ପୂର୍ବେ ସମାଲୋଚକ ଆର୍‌ନୋଲ୍ଡ଼ କବି ଓ୍ୱାର୍ଡ଼ସ୍ ଓ୍ୱାର୍ଥଙ୍କ କବିତା ଉପରେ ଏହିଭଳି ମନ୍ତବ୍ୟ ଦେଇଥିଲେ । କବିମାନସରେ କବିତ୍ୱ ଓ ଦାର୍ଶନିକତା ଯୁଗପତ୍ ମିଶି ରହିଥାଏ । ଭୀମଭୋଇଙ୍କ କବିତାରେ ତାହାହିଁ ହୋଇଛି । ତେବେ ଭୀମଭୋଇ ଯେତେବେଳେ ମହିମା ଧର୍ମଦର୍ଶନରୁ ଟିକିଏ ଦୂରେଇ ଯାଇ ନିଜ ଦୁଃଖ ଦରଦର ବୁକୁଫଟା କାହାଣୀ ଶୁଣାଇଛନ୍ତି, ସେତେବେଳେ ତାଙ୍କ କବିତା ମର୍ମସ୍ପର୍ଶୀ, ସର୍ବସ୍ପର୍ଶୀ ହୋଇ ଉଠିଛି । ଏଇଠି ତାଙ୍କ କବିତ୍ୱର ବିଶେଷତ୍ୱ । ରୀତିଯୁଗର ଆଳଙ୍କାରିକତା, ରାଜାରାଣୀଙ୍କ ପ୍ରଣୟ-ବିରହର ବଳୟ ଭିତରୁ ଖସିଆସି ଭୀମଭୋଇଙ୍କ କାବ୍ୟକବିତା ସୃଷ୍ଟି କରିଥିଲା ସରଳତାର, ସମ୍ବେଦନଶୀଳତାର, ଗଭୀର ମାନବବାଦର, ସ୍ୱତଃସ୍ଫୁର୍ତ୍ତ ଭାବପ୍ରବଣତାର ପରମ୍ପରା । ଅଷ୍ଟାଦଶ ଶତାବ୍ଦୀର କବି ପୋପ୍ ଓ ଡ୍ରାଇଡ଼େନଙ୍କ କୃତ୍ରିମ ପ୍ରକାଶଭଙ୍ଗୀ, ପାରମ୍ପରିକ ଭାଷାଶୈଳୀ ବିରୋଧରେ ସଂଗ୍ରାମ ଘୋଷଣା କରି କବି ଓ୍ୱାର୍ଡ଼ସ୍‌ଓ୍ୱାର୍ଥ ଇଂରାଜି କବିତାରେ ଯେଉଁ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲେ, ଓ୍ୱାର୍ଡ଼ସ୍‌ଓ୍ୱାର୍ଥଙ୍କ ମୃତ୍ୟୁବର୍ଷରେ ଜନ୍ମହୋଇ ଭୀମଭୋଇ ତାହାହିଁ ପ୍ରବର୍ତ୍ତନ କରିଥିଲେ ଓଡ଼ିଆ ସାହିତ୍ୟରେ । ତେଣୁ ଓଡ଼ିଆ ସାହିତ୍ୟରେ ନବଯୁଗର ପ୍ରବର୍ତ୍ତକ ‘ଉତ୍କଳ-କମଳା-ବିଳାସ ଦୀର୍ଘିକା, ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା’ର କବି ରାଧାନାଥ ନୁହନ୍ତି, ସ୍ତୁତିଚିନ୍ତାମଣିର କବି ଭୀମଭାଇ ।

 

ବୌଦ୍ଧଧର୍ମ : ଲୋକଭାଷା ପାଲିରେ ଆତ୍ମପ୍ରକାଶ କରିଥିଲା । ଭୀମଭୋଇ ବୁଝିଥିଲେ ଧର୍ମପ୍ରଚାର ପାଇଁ ଜନତାର ଭାଷା ଦରକାର । ଯେଉଁ ଭାଷା ଜଙ୍ଗଲର ଆଦିବାସୀମାନେ ପଢ଼ିବେ, ବୁଝିବେ, ସେଇ ଭାଷାରେ ସେ କବିତା ଲେଖି ସମାଜ ସଂସ୍କାର କରିବେ, ରାଜାକୁ ଗାଳିଦେବେ, ଜାତିପ୍ରଥା ବିରୋଧରେ ରଣହୁଂକାର ଦେବେ, ପ୍ରତିମା ପୂଜା ବନ୍ଦ କରିଦେବେ । ଜନଜାଗରଣର ବାଟ ଫିଟାଇ ଦେବେ । ଏହି ସମୟରେ ବ୍ରାହ୍ମଣ୍ୟଧର୍ମର ଝଣ୍ଡା ଯେତେବେଳେ ଫରଫର ଉଡ଼ୁଥିଲା, ସର୍ବମୟ ରାଜଶକ୍ତିର ଦୌରାତ୍ମ୍ୟରେ ଜନଜୀବନ ଥରହର ହେଉଥିଲା, ସେତେବେଳେ ଏ ଆଦିବାସୀ କବି ମସୀର ଅସି ଧରି ରାଜଦାଣ୍ଡକୁ ଓହ୍ଲାଇ ଆସି ପ୍ରଚଣ୍ଡ ରାଜନ୍ୟ ଓ ବ୍ରାହ୍ମଣ୍ୟଧର୍ମର ମୁକାବିଲା କରିଥିଲା । କହିଲା, ମୁଁ ସାହୁର ଖାତକ କି ରଜାର ପ୍ରଜା ନୁହେଁ । ଆଖାଶାଖା ନାହିଁ, ସାଙ୍ଗସାଥୀ ନାହିଁ, ଆଗରେ ପଛରେ ପଡ଼ିବାକୁ କେହି ନାହିଁ । ତଥାପି ଚାଲିଛି ଦୁଃସାହସିକ କବି ସତ୍ୟର, ନିର୍ବାଣର କଣ୍ଟକିତ ପଥରେ-ଏକାକୀ । ଏଇଠି ମଧୁସୂଦନଙ୍କ ଦେବାବତରଣର ସ୍ୱର୍ଣ୍ଣସ୍ୱପ୍ନ ନାହିଁ । ଜୀବନ୍ତମରଣରେ ତ୍ରାହି ତ୍ରାହି ଡାକି ଚିଲିକାର ପ୍ରଶାନ୍ତ ପଶ୍ଚିମ ତୀରକୁ ପଳାୟନର ପଥ ଖୋଜୁଥିବା ରାଧାନାଥଙ୍କ ପ୍ରଚେଷ୍ଟା ନାହିଁ । ଅଛି ହାତରେ ଖଡ଼୍‌ଗ ଧରି, କୁସଂସ୍କାରଗ୍ରସ୍ତ, ପୁରାତନ ସମାଜକୁ ଛିନ୍‌ଛତର କରି ସତ୍ୟଯୁଗର ବାଟ ପରିଷ୍କାର କରିବାର ଦୁର୍ବାର ସଂଗ୍ରାମୀ ଅଭୀପ୍‌ସା । ସର୍ବେଶ୍ୱର ଦାସଙ୍କ ଭାଷାରେ, ଭୀମଭୋଇ ଥିଲେ ଆଜନ୍ମ ଯୋଦ୍ଧା । ଗାଳି ଶୁଣିଶୁଣି, ମାଡ଼ ଖାଇଖାଇ, ଜୀବନର ସବୁ ସ୍ତରରେ ବେଇଜ୍ଜତ୍ ହୋଇ ଛାତି ତାଙ୍କର ପଥର ହୋଇ ଯାଇଥିଲା । ସମାଜର ନୈତିକ ଅଧଃପତନରେ ସେ ନୀରବରେ କାପୁରୁଷର ଅଶ୍ରୁପାତ କରି ନଥିଲେ । ମହିମାଧର୍ମର ଜୟଗାନ କରି ଆଖିବୁଜି ଧ୍ୟାନସ୍ଥ ହୋଇ ନଥିଲେ । ମହାନଦୀର ପାଣିଛୁଇଁ ପ୍ରତିଜ୍ଞା କରିଥିଲେ ବ୍ରାହ୍ମଣୀ ସ୍ତ୍ରୀ ବାହାହେବେ । ଜାତିପ୍ରଥା ଲୋପ କରିଦେବେ । ପ୍ରତିମା ପୂଜାର ମୂଳୋତ୍ପାଟନ କରିବେ । ପୃଥିବୀରୁ ଅଜ୍ଞାନର, ଅସତ୍ୟର, ଅସହିଷ୍ଣୁତାର, ଅସମତାର ଅନ୍ଧକାର ଦୂର କରିଦେବେ ।

 

ନିଷ୍କାମ ଭକ୍ତିରେ ବିଶ୍ୱାସ କରୁଥିବା କବିମନରେ ଏ ଧ୍ୱଂସର ବହ୍ନିଦେଖି କବି ବିନୋଦଚନ୍ଦ୍ର ନାୟକ ପ୍ରଶ୍ନ କରିଛନ୍ତି : ଅହିଂସା, ସତ୍ୟରେ ପ୍ରତିଷ୍ଠିତ ସନ୍ଥ କବିଙ୍କ କବିଙ୍କ ହୃଦୟରେ ଏ ଅଗ୍ନି ଜଳିଲା କିମିତି ? କିନ୍ତୁ ଏ ରୋଷର ଅନ୍ତରାଳରେ, ସମଗ୍ର ମାନବଜାତି ପ୍ରତି ତାଙ୍କର କି ଗଭୀର ମମତା ଥିଲା; ଦଳିତ, ଲାଞ୍ଛିତ, ଉପେକ୍ଷିତର ଜୀବନ ସାଥିରେ ନିଜକୁ ଏକାକାର କରିଦେବାର କି ବ୍ୟାକୁଳତା ଥିଲା:

 

ଶରଣ ବାଞ୍ଛିତ କାନ୍ଦିକାନ୍ଦି ଭକ୍ତ ଗଡ଼ିଗଲେଣି ସକଳ

ଦୋଷ ଅପରାଧ କ୍ଷମାକରି ଗୁରୁ ଜାଗ୍ରତରେ ପ୍ରତିପାଳ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।

ଏକଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ

ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ।

ଏକା ଖଡ଼ଗରେ ଦଶପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ

ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ (୬୭୬-୭)

 

ସପ୍ତଦଶ ଶତାବ୍ଦୀର ଆଧ୍ୟାତ୍ମିକ କବି ଜନ୍‍ ଡନ୍‌ଙ୍କ ଭଳି ପ୍ରତ୍ୟେକ ମୃତ୍ୟୁ ତାଙ୍କ ଖିନ୍ନ କରିଦେଉଥିଲା, କାରଣ ସେ ଥିଲେ ସମଗ୍ର ମାନବଜାତିର ସଂବେଦନଶୀଳ ପ୍ରତିନିଧି :

 

ଏକୋଇଶ ପୁର ଚଉଦ ଭୁବନ ଯେଉଁଠାରେ ଯେହୁଛନ୍ତି

ସବୁଘଟେ ପ୍ରଭୁ ହେତୁ ଚେତା ଦିଅ ଉଠୁ ଅଲେଖ ଭଗତି ।

ଉଡ଼ାଖାନି ବୁଡ଼ାଖାନି ଚଳଖାନି ଅଚଳଖାନି ଏ ଯେତେ

ଜଣ ଜଣ କରି ଉଠାଅ ଏହାଙ୍କୁ ଚେତା ହୁଅନ୍ତୁ ସମସ୍ତେ ।

ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ

ଏଣୁକରି ସିନା ପ୍ରଭୁ ଶ୍ରୀଛାମୁକୁ ନିତି ଜଣାଣ କରଇ ।

ବ୍ରହ୍ମାଣ୍ଡ ନିମନ୍ତେ କରଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ

କହେ ଭୀମଭୋଇ ଅଷ୍ଟଶତ ପଦ ନେତ୍ରୁ ଲୁହ ପୋଛି କାନ୍ଦେ (୬୯୬)

 

ଅବଲୋକିତେଶ୍ୱର କହିଥିଲେ ଜରାବ୍ୟାଧିସଂତପ୍ତ ସଂସାର ଯଦି ମୁକ୍ତ ନହୁଏ, ମୋ ମୁକ୍ତିର ଅର୍ଥ କ’ଣ ? ତେବେ ଆଦିବାସୀ ପରିବାରର ଅଭାବ ଅନାଟନରେ ବଢ଼ି, ସମାଜର ଖଣ୍ଡାଦାଢ଼ରେ ଚାଲି ଭୀମଭୋଇଙ୍କ ଭଳି କିଏ ଏପରି କହିପାରିବ ? ଇଂରେଜ କବି ସେଲୀ ପଶ୍ଚିମାପବନକୁ କହିଛି, ପବନରେ, ଏ ରାତ୍ରି ଦିନେ ଅପସରି ଯିବ ! ସକାଳ ଆସିବ ! ବସନ୍ତର ସବୁଜ ସ୍ପର୍ଶରେ ଫୁଲ ଫୁଟିବ । ସେଲୀଙ୍କ ଭଳି ଭୀମଭୋଇ ପାଠଶାଠ ପଢ଼ି ନଥିଲେ । ତଥାପି ଅଯତ୍ନବର୍ଦ୍ଧିତ ଏ ଆଦିବାସୀର ଝୁମ୍ପୁଡ଼ିରେ ବିଶ୍ୱଚେତନାର ଦିହୁଡ଼ି ଜଳିଲା କିମିତି, ନିଷ୍ପେଷିତ ଏ କନ୍ଧକବିର ହୃଦୟ ବିଶ୍ୱଜୀବନର ମହାପ୍ରାଣତାରେ ସ୍ପନ୍ଦିତ ହେଲା କିପରି ଭାବିଲେ ଆଶ୍ଚର୍ଯ୍ୟ ଲାଗେ-। ଉପନିଷଦର କବି ଭଳି ଅନ୍ଧାରରେ ଭୀମଭୋଇ ଖୋଜୁଥିଲେ ଆଲୋକର ପଥ ।

 

ଭୀମଭୋଇ ମହିମା ଧର୍ମର ପ୍ରଚାରକ କବି ଥିଲେ ସତ, କିନ୍ତୁ ତାଙ୍କ କବିତାରେ ସଂପ୍ରାଦୟିକତାର ଛାଇ ପଡ଼ି ନଥିଲା । ଏକ ଅନାଗତ ପୃଥିବୀର ଆଲୁଅରେ ସେ ସାହିତ୍ୟ ଉଜଳି ଉଠିଥିଲା । ଆତ୍ମାର ସଂଗୀତରେ ସେ କବିତା ଅନୁରଣିତ ହୋଇଥିଲା । ଯନ୍ତ୍ରଣାର ନିର୍ମମ ଆଘାତରେ ସେ ବୀଣାର ତାର ଥରି ଉଠିଥିଲା ।

 

ସମାଜବାଦର ଉଦ୍‌ଘୋଷଣର ବହୁ ପୂର୍ବରୁ ଭୀମଭୋଇ ଥିଲେ ଏକ ଉଗ୍ର ସାମ୍ୟବାଦୀ କବି । ପ୍ରତିମା ପୂଜାରେ ଉତ୍‌କ୍ଷିପ୍ତ ହୋଇ ସେ ପ୍ରଶ୍ନ କରିଥିଲେ, ପିଠାପଣା, ଖୀରିପୁରୀ ଦେଇ ଯେଉଁ ଠାକୁରକୁ ପୂଜା କରୁଛ, ସେ ପରା ଏକ ଆତ୍ମାହୀନ ପ୍ରତିମା, ତୁମକୁ କିପରି ରକ୍ଷାକରିବ ? ତୁମ କାମନା କିପରି ପୂରଣ କରିବ ? ଯେ ତୁମକୁ ସର୍ଜନା କରିଛି ତାକୁ ଡାକ । ଜୀଅନ୍ତା ମଣିଷ ତୁମେ, ଏ ମୃତ ପୁତ୍ତଳିକାକୁ ପୂଜା କରନାହିଁ । ଶୂନ୍ୟବ୍ରହ୍ମର ଉପାସନା କର । ଏ ପୃଥିବୀ, ଏ ପାଣି, ଏ ପବନ କିଛି ନଥିଲା । ନୀରବ ଜଗତକୁ କେବଳ ସେଇ ମହାଶୂନ୍ୟ ବେଢ଼ି ରହିଥିଲା । ଏ ସୂର୍ଯ୍ୟ ନଥିଲା, ଚନ୍ଦ୍ର ନଥିଲା, ଗ୍ରହନକ୍ଷତ୍ର କିଛି ନଥିଲା । ଦିନରାତି, ପୃଥିବୀ, ପାତାଳ, ସ୍ୱର୍ଗନରକ, ବ୍ରହ୍ମାବିଷ୍ଣୁ କେହି ନଥିଲେ । ଏ ତେତିଶ କୋଟି ଦେବତା ନଥିଲେ । ଶବ୍ଦ ବି ନଥିଲା । ପଞ୍ଚଭୂତ ନଥିଲା । ତେଣୁ ଶୁଣ କି ଭଳି ଏ ଜୀବଜଗତ ସୃଷ୍ଟି ହେଲା, ଶୁଣ ।

 

ହେ ପାଠକ, ତୁମେ ଭୀମଭୋଇଙ୍କ ଭଜନ ଶୁଣିଛ ? ଖଞ୍ଜଣିର ଆଓ୍ୱାଜ୍ ଭିତରେ ଆତ୍ମାର ସେ ପ୍ରତିଧ୍ୱନି ଶୁଣିଛ ? ଓଡ଼ିଶାର ପଲ୍ଲୀରେ ପଲ୍ଲୀରେ ରାତ୍ରିର ଅନ୍ଧକାର ଯେତେବେଳେ ବୋଳି ହୋଇଯାଏ, ସେଇ ନିଥର ନୈଶ ନୀରବତା ଭେଦକରି ଭୀମଭୋଇଙ୍କ ଭଜନ ଏ ମାଟିରୁ ଆତ୍ମାକୁ ଅଲଗା କରିଦିଏ । ଉଠାଇ ନିଏ କେଉଁ ଅଜଣା ରାଇଜକୁ ଯେଉଁଠି ସେ ଶୂନ୍ୟବ୍ରହ୍ମ-

 

ତୋଳିଛି ମନ୍ଦିର ନାହିଁ ଖୁମ୍ବ ପାଟି । ଛାଉଣୀ କରିଛି ଚୂନକୁ ନ ଛାଟି ।

ଦିଶୁଛି ଶୁକଳ ଅତି ପରିମଳ ସ୍ୱରୂପ ଧବଳମୟେ ହେ ।

ଲାଗିଛି କବାଟ ନଥାଇ କିଳିଣୀ । ରଜୁ ନାହିଁ ତହିଁ ପଡ଼ିଛି ବାନ୍ଧେଣୀ

କାନ୍ଥ ଦେଇଅଛି ଚିହ୍ନା ନ ଯାଉଛି ଇଟା କି ପଥର ନୁହେଁ ।

ଧୂନି ଲଗାଇଛି କୁଣ୍ଡକୁ ନଖୋଳି । କାଠ ପୋଡ଼ୁଅଛି ପାଉଁଶ ନପଡ଼ି

ଉଠୁଛି ହୁତାଶ ବ୍ରହ୍ମତେଜ ଝାସ ନ ଦିଶଇ ଧୂମମୟେ ହେ ।

ଦେଉଛି ଆହୁତି ନ ଥାଇଣ ଘୃତ । ଶାସ୍ତ୍ର ପଢ଼ିନାହିଁ କହୁଅଛି ଅର୍ଥ ।

ବଢ଼ାଉଛି ଜ୍ଞାନ ନଭେଦି ସଂପୂର୍ଣ୍ଣ ଧରିବାକୁ ନାହିଁ କେହି ହେ ।

ଉଇଁଛି ଅରୁଣ ନୁହଇ ଦିବସ । ଚନ୍ଦ୍ର ପ୍ରକାଶିଛି ନଥାଇ ତରାସ

ଅନ୍ଧକାର ରାତ୍ର ନାହିଁ ସନ୍ଧ୍ୟା ପ୍ରାତଃ ଅନ୍ଧାର ଉଜ୍ଜ୍ୱଳ ନୋହେ ହେ ।

ଦିଗ ବିଜେ ନାହିଁ ପଡ଼ିଛି ପାଏଡ଼ା । ସୁଆର ନଥାଇ କଷୁଅଛି ଘୋଡ଼ା

କୋରଡ଼ା ନଥାଇ ପିଟୁଛି ତୁହାଇ ଭୀମ ଅରକ୍ଷିତ କହେ ହେ (୫୨-୩) ।

 

ବୀରକିଶୋର ଦାସ ମହିମାଧର୍ମ ଓ ଦିବ୍ୟଦ୍ରଷ୍ଟା ଭୀମଭୋଇ ପୁସ୍ତକରେ ଲେଖିଛନ୍ତି ଭୀମଭୋଇଙ୍କ ସାହିତ୍ୟିକ ପ୍ରତିଭା ଥିଲା ଅନନ୍ୟସାଧାରଣ । କିନ୍ତୁ ତାଙ୍କ କବିତା ସାଧାରଣ ଜୀବନକୁ ନେଇ ଗଢ଼ି ଉଠିଥିଲା । ଗାଉଁଲୀ ପରିବେଶରେ, ଗଡ଼ଜାତର କନ୍ଧପଲ୍ଲୀର ଅନାବୃତ, ମୁକ୍ତ ପ୍ରକୃତି କୋଳରେ ସେ କବିତା ଜୀବନ୍ୟାସ ପାଇଥିଲା । ନଈବଢ଼ିରେ ନାଉରିଆ, ଜଙ୍ଗଲରେ ବାଘ, ଗାଈ ଓ ବାଛୁରୀ, ବଳଦ ଓ ନଙ୍ଗଳ, ତାଟିଘେରା ମାଟିକୁଡ଼ିଆ, ଖେତଖମା, ଛୁଞ୍ଚି ଓ ତାଳପତ୍ର, ହାତୁଡ଼ି ଓ ଟାଙ୍ଗିଆ, ଛଣଛପର, ରାଜାର ଗୁପ୍ତଚର, ସାହୁ ଓ ଖାତକ, ବରକନ୍ୟା, ଯାଉଁଳି କବାଟ, ଚଉଭୁଜୀ, ଖତଗଦା, କାଖର କଳସୀ, ଗାଧୁଆ ଘାଟର ପଥର, ଜଳନ୍ତା କୋଇଲା, ସୋରିଷଫୁଲ, କଦଳୀକାନ୍ଦି ଭଳି ଆଦିବାସୀ ରମଣୀର ଖୋସା-ଏସବୁ ଗାଉଁଲୀ ଚିତ୍ରକଳ୍ପ ଭୀମଭୋଇଙ୍କ କବିତାକୁ ନିସର୍ଗ ସୁନ୍ଦର କରି ତୋଳିଛି । ମାଟିର ମହକରେ ବୋଳିଦେଇଛି ଓଡ଼ିଆ ପାଠକ ଏ କବିତାରେ ନିଜକୁ ଆବିଷ୍କାର କରେ । ତା ପରିବେଶକୁ ଚିହ୍ନେ ।

 

ଭୀମଭୋଇ ଯେ ଟାଣିଓଟାରି ଏ ଚିତ୍ରକଳ୍ପ ସବୁ କବିତାରେ ନେଇ ଥୋଇଛନ୍ତି ତାହା ନୁହେଁ । ନିଃସର୍ତ୍ତରେ, ଆପେଆପେ ସେସବୁ ତାଙ୍କ କାବ୍ୟଜଗତକୁ ଓହ୍ଲାଇ ଆସିଛି । ଗାଳି ଶ୍ରାବଣର ବର୍ଷାପରି ଅଜାଡ଼ି ପଡ଼ିଛି । ଶୂନ୍ୟବ୍ରହ୍ମ ଜହ୍ନଭଳି ଉଇଁଛି । ଦେହ ଭିତରେ ଆତ୍ମା ନାରିକେଳ ଭିତରେ ଜଳ ଭଳି ଥଳଥଳ କରିଛି । ପଥିକ ନାଆକୁ ଅପେକ୍ଷା କଲାଭଳି ଭକ୍ତ ତା ପ୍ରଭୁଙ୍କୁ ଅନାଇ ବସିଛି । ଭୀମଭୋଇଙ୍କ କବିତାରେ ଦେଶଜ, ଆଞ୍ଚଳିକ ଶବ୍ଦ ମଝିରେ ମଝିରେ ଆସିଛି । ଆର୍ତ୍ତବଲ୍ଲଭ ମହାନ୍ତି ସେ ଭାଷାକୁ ନବୁଝି, ଏ ଅଞ୍ଚଳର ଆତ୍ମାକୁ ଚିହ୍ନି ନପାରି ସେ ଶବ୍ଦ ସବୁକୁ ବଦଳାଇ ଦେଇଛନ୍ତି । ଭାଷାର ସ୍ୱକୀୟତା ନଷ୍ଟ ହୋଇଯାଇଛି ଅଜାଣତରେ ।

 

ଭୀମଭୋଇ ଗତାନୁଗତିକ ଭାବରେ ଗଡ଼୍‌ଡ଼ାଳିକା ପ୍ରବାହରେ କବିତା ରଚନା କରିନଥିଲେ । ସରଳ କଥିତ ଭାଷାର ସ୍ୱଚ୍ଛନ୍ଦ ସ୍ରୋତ ଭିତରେ ହଜିଯାଇ ନଥିଲେ । ନୂଆ ନୂଆ ରାଗ ସୃଷ୍ଟି କରିଥିଲେ । ସ୍ତୁତି ଚିନ୍ତାମଣିର ପ୍ରତ୍ୟେକ ଧାଡ଼ିରେ କୋଡ଼ିଏଟି ଅକ୍ଷର । ପ୍ରତ୍ୟେକ ‘ବୋଲି’ରେ କୋଡ଼ିଏଟି ପଦ । ବ୍ରହ୍ମ ନିରୂପଣ ଗୀତା ଚଉଦଟି ଅଧ୍ୟାୟରେ ଲିଖିତ । ପ୍ରତ୍ୟେକ ଧାଡ଼ିରେ ଚଉଦଟି ଅକ୍ଷର । ସେହିପରି ଆଦିଅନ୍ତ ଗୀତାରେ ବାରଟି ସର୍ଗ ଓ ପ୍ରତ୍ୟେକ ଧାଡ଼ିରେ ବାରଟି ଅକ୍ଷର । ଅଷ୍ଟକ ବିହାରୀ ଗୀତା ଛ’ଟି ଅଧ୍ୟାୟରେ ରଚିତ । ପ୍ରଥମ ତିନୋଟିରେ ‘କ’ ରୁ ‘କ୍ଷ’ ଓ ଶେଷ ତିନୋଟିରେ ‘କ୍ଷ’ ରୁ ‘କ’ ପର୍ଯ୍ୟନ୍ତ ଅଷ୍ଟକ ରୀତିରେ ଲେଖାଯାଇଛି । ଜନ୍ମମୃତ୍ୟୁର ଆବର୍ତ୍ତନ ଏ ଅଙ୍ଗସଜ୍ଜାରେ ସୂଚିତ ହୋଇଛି ।

 

ଭୀମଭୋଇ ଯେ ପାଠଶାଠ ପଢ଼ି ନଥିଲେ, ଭଲ ହୋଇଛି- ଏହା ହେଉଛି ଓଡ଼ିଶାର ଖ୍ୟାତନାମା ସବୁଜ କବି ମାୟାଧର ମାନସିଂହଙ୍କ ମନ୍ତବ୍ୟ ଭୀମଭୋଇଙ୍କ ଉପରେ । ପାଠ ପଢ଼ିଥିଲେ ହୁଏତ ଭାଷାକୁ ମାଜିସାଜି, ପୁଟଦେଇ ଉପସ୍ଥାପିତ କରିଥାନ୍ତେ । ଅଳଙ୍କାର ଦେଇ ସଜାଇଥାନ୍ତେ । ରାଜଦରବାର ପାଇଁ ଦୁର୍ମୂଲ୍ୟ ପରିଚ୍ଛଦରେ କାବ୍ୟରାଣୀଙ୍କୁ ଘୋଡ଼ାଇ ଦେଇଥାନ୍ତେ-। କିନ୍ତୁ ଯା ପାଇଁ ସେ ଥିଲେ ଏକ ଅନିର୍ବାଣ ଦୀପଶିଖା, ସେଇ ସର୍ବହରାମାନେ ପଥହରା ହୋଇଯାଇ ଥାନ୍ତେ । କିଏ ତାଙ୍କୁ ଅନ୍ଧାରରେ ବାଟ କଢ଼ାଇଥାନ୍ତା ? ଆଖିର ଲୁହ ପୋଛିଥାନ୍ତା ? ତାଙ୍କ ଶବ୍ଦହୀନ ବେଦନା କବିତାରେ ଝଂକୃତ କରିଥାନ୍ତା ? ଅରଣ୍ୟରେ ପଥ ବାହିଥାନ୍ତା ? ଭୀମଭୋଇ ଥିଲେ ଜନତାର କବି, ଗଣକବି । ତାଙ୍କ କବିତାରେ ସମଗ୍ର ମାନବ ଜୀବନର ସୁଖଦୁଃଖ, ପ୍ରଣୟ ବିରହ, ଆଶା ଆଶଙ୍କା, ରାଗରୋଷ, ଚିନ୍ତାବ୍ୟଥା ସବୁ ପ୍ରତିଫଳିତ ହୋଇଛି । ମାନବସମାଜର ରକ୍ତ ସେ କବିତାର ଶିରାରେ ଶିରାରେ ପ୍ରବାହିତ ହୋଇଛି । ମଣିଷର ହୃଦୟ ସେ ଶବ୍ଦରେ ଶବ୍ଦରେ ସ୍ପନ୍ଦିତ ହୋଇଛି । ତାଙ୍କ କାବ୍ୟକବିତାରେ ଭୀମଭୋଇ ନିଜକୁ ‘ଭୀମକନ୍ଧ’, ‘ଭୀମ ଅରକ୍ଷିତ’, ‘ଭୀମହୀନ’ ବୋଲି ଅଭିହିତ କରିଛନ୍ତି । ଭୀମଭୋଇ ଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ହୋଇଥିଲେ-ଜଙ୍ଗଲରେ । ଯେଉଁଠି ସଭ୍ୟତାର ଆଲୋକ ପ୍ରବେଶ କରି ନଥିଲା । ସେ ଯେଉଁମାନଙ୍କ ସାଥିରେ ଚଳପ୍ରଚଳ ହେଉଥିଲେ, ସେମାନେ ନିରକ୍ଷର ଥିଲେ । ଗାଁରେ ରହୁଥିଲେ । କିନ୍ତୁ ଭୀମଭୋଇ ଥିଲେ ଅମୃତର ସନ୍ତାନ । ନହେଲେ ମାତ୍ର ୪୫ ବର୍ଷ ବାହି ସେ ଓଡ଼ିଆ ସାହିତ୍ୟକୁ ଏତେ ସମୃଦ୍ଧ ସୁନ୍ଦର କରିପାରି ନଥାନ୍ତେ । ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ତାଙ୍କ Typical Selections from Oriya Literature ପୁସ୍ତକର ଦ୍ୱିତୀୟ ଭାଗରେ ଲେଖିଛନ୍ତି- In my humble opinion, he (Bhima Bhoi) is a genius and for his moral courage and clarity of thought, he is a unique personality in Orissa. ଓଡ଼ିଶାର ତିନି ଭୀମ-କପଟପାଶାର ଭୀମ ଧୀବର, ଭକ୍ତିରତ୍ନାବଳୀର ଭୀମଦାସ ଓ ଭୀମଭୋଇଙ୍କୁ ତୁଳନାକରି ଆର୍ତ୍ତବଲ୍ଲଭ ମହାନ୍ତି ଲେଖିଲେ : ଏ ତୃତୀୟ ଭୀମ ଜାତିରେ କନ୍ଧ । ପୁଣି ଅନ୍ଧ । କିନ୍ତୁ ଏ ସଭିଙ୍କ ଭିତରେ ସେ ଥିଲେ ଶ୍ରେଷ୍ଠ କବି । ମହାଭାରତର ଭୀମଭଳି ଭୀମକର୍ମା ଥିଲେ ସେ । ଉତ୍କଳ ! ଏ କନ୍ଧକୁ ଅଭିନନ୍ଦନ ଜଣାଅ । ପୃଥିବୀ ସମକ୍ଷରେ ତା ପ୍ରତିଭାକୁ ନେଇ ଥୁଅ । ଉତ୍କଳ ବୋଧହୁଏ ତା’ ଗର୍ବ ଓ ଗୌରବ ରକ୍ଷା କରିବାରେ ଅପାରଗ । ନହେଲେ, ତା’ରି ଏଭଳି ଅବସ୍ଥା ହୋଇନଥାନ୍ତା... ଶେଷରେ ଗୋଟିଏ କଥା, ଭୀମ ମହାନ୍ ଥିଲେ । (ସ୍ତୁତିଚିନ୍ତାମଣି ମୁଖବନ୍ଧ) ଉତ୍କଳ ଏ ଭାଷା ବୁଝୁଛି ତ ? ଏ ଦିନରେ, କବି ଭୀମଭୋଇଙ୍କ ମହାପ୍ରୟାଣର ଶହେବର୍ଷ ପରେ ବି ଉତ୍କଳର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ତ ।

 

ସହାୟକ ଗ୍ରନ୍ଥସୂଚୀ :

 

 

ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ

ସ୍ନାତକୋତ୍ତର ଇଂରାଜି ବିଭାଗ

ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ।

 

***

 

ପୃଷ୍ଠବନ୍ଧ

ଦେଖୁଁ ଦେଖୁଁ କେବା ସହୁ !

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଏବେ କୁନି କବିତା ବହିଟିଏ ପଢ଼ିଲି । କବିତାଗୁଡ଼ିକ ପିଲାଙ୍କପାଇଁ ଲେଖା ହୋଇଛି । ସଂକଳନଟିର ନାମ ହେଉଛି, ‘‘ମହତ ସହିବ ଜନ’’ । ସହିବା ଯେ ଏକ ମହତ ଗୁଣ ଓ ସହିବା ଜନ ଯେ ଏକ ମହତ ଜନ, ନାନା, ଉଦାହରଣ ଦେଇ ପିଲାମାନଙ୍କୁ ଗୀତର ମାଧ୍ୟମରେ ସେହି କଥା କୁହାଯାଇଛି । ବହିଟିକୁ ବଡ଼ମାନେ ମଧ୍ୟ ପଢ଼ିପାରିଲେ ହୁଅନ୍ତା । ପୃଥିବୀରେ ପିଲାମାନେ ତ କେତେ କ’ଣ ସହୁଛନ୍ତି । ଅସହିଷ୍ଣୁ ବଡ଼ମାନେ ହିଁ କେତେ କେତେ ଚାତୁର୍ଯ୍ୟର ସହିତ ତାଡ଼ନା ଦେଉଛନ୍ତି, ଅନେକ ଅନେକ ଦୁଃଖର କାରଣ ହୋଇ ରହିଛନ୍ତି । ସେମାନଙ୍କୁ ଭଲା ସହିବାଲାଗି କେହି କାଟୁ କଲାଭଳି ଉଦ୍‌ବୋଧନଟିଏ ଦେଇ ପାରନ୍ତା କି ! କବିତାରେ ହେଲେ ମଧ୍ୟ ଚଳନ୍ତା ।

 

ସାହିତ୍ୟ ମଣିଷକୁ ଶାନ୍ତ କରିଆଣେ ବୋଲି ଏକ ଅପବାଦ ରହିଛି । ସେହି ପର୍ଯ୍ୟାୟରେ ପ୍ରକୃତିକୁ ମଧ୍ୟ ବହୁ କବି ଶାନ୍ତିଦାତ୍ରୀ ବୋଲି କହିଛନ୍ତି । ପୃଥିବୀର ଧର୍ମମାନେ ମଣିଷମାନଙ୍କୁ ଶାନ୍ତକରି ରଖିବାକୁ ହିଁ ଅଧିକ ଖୋରାକ ଯୋଗାଇ ଆସିଛନ୍ତି । ଗୋଟାଏ ଗୋଟାଏ ସମ୍ପ୍ରଦାୟର ଖୋଳ ପିନ୍ଧି ସେମାନେ ମଣିଷକୁ ଗୁଳା ଭିତରକୁ ଆକର୍ଷିତ କରି ଆଣିଛନ୍ତି ଓ ବାଧ୍ୟ ଏବଂ ବଶ କରି ରଖିଛନ୍ତି । ସ୍ୱର୍ଗନାମକ ଏକ କଳ୍ପନାରେ କୌଣସି ସଂଘର୍ଷ ନାହିଁ, କୌଣସି ପାହାଚଉଠା ନାହିଁ, ସତେଅବା ଏକ ଅନନ୍ତ ଜଡ଼ତା ମଣିଷକୁ ଆସ୍ପୃହାହୀନ କରି ରଖିଛି । ତୁ ସେଇଠି ସବୁ ପାଇବୁ ବୋଲି କହି ଧର୍ମ ମଣିଷକୁ ଚିରଦିନ ଏକ ଆଡ଼ମ୍ବରମୟ ପ୍ରବୋଧନା ଦେଇ ଆସିଛି । ସହିବା ମଣିଷ ସେହି କଳ୍ପିତ ‘‘ସବୁ ପାଇବା’’ର ପୁଲକ ଭିତରେ ସଂସାରରେ ଉଦାସୀନ ହୋଇ ରହିଛି ।

 

କବି ଭୀମଭୋଇ ନସହିବାର କଥା ହିଁ ଅଧିକ କହିଛନ୍ତି । ଗୋଟାଏ ସାହିତ୍ୟ ଅଛି, ଯାହା ଗୋଟାସୁଦ୍ଧା ଶୀତଳ କରି ପକାଏ । ଓଡ଼ିଶା ସମେତ ଭାରତବର୍ଷରେ ଯାହାକୁ ଖାତାମାନଙ୍କରେ ଆଧୁନିକ ସାହିତ୍ୟ ବୋଲି କୁହାଯାଉଛି, ଗୋଟିଏ ଦୃଷ୍ଟିରୁ କହିଲେ ତାହା ମନୁଷ୍ୟମାନଙ୍କୁ ସତେଅବା ଅଧିକତର ପରିମାଣରେ ଶୀତଳ ଓ ଉଦାସୀନ କରି ରଖିବାରେ ଏକ ଷଡ଼ଯନ୍ତ୍ର କରିଛି । ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସାହିତ୍ୟ ବୋଲି ଯାହା ଲେଖା ଯାଉଥିଲା, ତାହା ଭିତରେ ଅଧିକାଂଶତଃ ସର୍ବଜନଙ୍କ ପ୍ରତି ଏକ ଆବେଦନ ରହିଥିଲା-ସ୍ୱାଧୀନତା ପରେ ଆବେଦନ ସୀମାଟି କେଜାଣି କାହିଁକି କ୍ରମେ ଭାରି ସଙ୍କୁଚିତ ହୋଇ ଆସିଛି । ସତେଅବା ନିଜ ରତିପାଇଁ ଜଣେ କବି କ’ଣ ସବୁ ଲେଖିଛି ଏବଂ ସେହି ଆଳରେ, ବୃହତ୍ତର ମନୁଷ୍ୟବୃତ୍ତଟିଠାରୁ ନିଜକୁ ଛିନ୍ନ କରି ରଖିଛି । କବି କହିଲେ, ଲେଖକ କହିଲେ ସତେଅବା ଏକ ନିର୍ଦ୍ଦିଷ୍ଟ ବର୍ଗର ଜନ୍ତୁମାନଙ୍କୁ ବୁଝାଉଛି, ଯେଉଁମାନେ ନିଜର କୋରଡ଼ ଭିତରେ ବୁଜି ହୋଇ ରହିବାକୁ ହିଁ ସର୍ବୋତ୍ତମ ରତି ବୋଲି ଭାବୁଛନ୍ତି । ସେମାନେ ଶବ୍ଦ ଖୋଜୁଛନ୍ତି, ଶୈଳୀ ଖୋଜୁଛନ୍ତି, ଶବ୍ଦ ଓ ଶୈଳୀ ଖୋଜି ନିରୋଳା ସମୟରେ ଦୂର ଦୂର କେତେ ବଜାରକୁ ବାହାରି ଯାଉଛନ୍ତି ଏକାନ୍ତ ଭାବରେ ସ୍ୱଗତରେ ବାଟ ଚାଲୁଛନ୍ତି । ତଥାକଥିତ ଏକ ବ୍ୟକ୍ତିଆତ୍ମାକୁ ପ୍ରାୟ ଏକ ଭାବପ୍ରବଣ ମାନସିକ ଝୁଙ୍କର ପ୍ରକୋପ ସହିତ ଖୋଜୁଛନ୍ତି, ମାତ୍ର ମଣିଷକୁ କାହିଁକି ଖୋଜୁନାହାନ୍ତି କେଜାଣି ?

 

ଭୀମଭୋଇ ଗୁରୁଆଶ୍ରା କରି ନିଜକୁ ପାଇଥିଲେ ଏବଂ ନିଜକୁ ପାଇ ଭୁବନଯାକର ସବୁ ମଣିଷଙ୍କୁ ଏକାବେଳେକେ ଅତି ନିକଟ କରି ପାଇଥିଲେ । ଏବେ ତ ମଣିଷମାନେ କେତେ ପାଠ ପଢ଼ିଲେଣି;–ପାଠ ପଢ଼ିଥିବା ଲୋକ ନହେଲେ ଏବେ ସାହିତ୍ୟ ଭିତରେ ଥାନ ହିଁ ମିଳୁନାହିଁ । ଭୀମଭୋଇ ପାଠ ପଢ଼ିଥିଲେ କି ନାହିଁ କେଜାଣି ? କେତେକ ଗବେଷଣ କହୁଛନ୍ତି, ସିଏ ଯେତେବେଳେ ନିଜର କବିତା ଭିତରେ ଏତେ ଏତେ ତତ୍ତ୍ୱକୁ ଆଣି ଥୋଇ ପାରିଛନ୍ତି, ସିଏ ଅଲବତ ପାଠ ପଢ଼ିଥିବେ । ସତେ ଯେପରି ପାଠ ପଢ଼ିବା ମଣିଷମାତ୍ରକେ ହିଁ ଜୀବନରେ ତତ୍ତ୍ୱାଭିମୁଖୀ ଅର୍ଥାତ୍ ସତ୍ୟାଭିମୁଖୀ ହେବା ଏକ ଅବଶ୍ୟମ୍ଭାବୀ କଥା ! ଭୀମଭୋଇ ନିଜେ କହିଛନ୍ତି ଯେ ସିଏ ମୂର୍ଖହିଁ ଥିଲେ, ତାଙ୍କର ବାଳୁତସମୟ ଅତ୍ୟନ୍ତ ଦହଗଞ୍ଜ ଭିତରେ କଟିଥିଲା । ବାପାମାଆ, ପରିବାର ଏବଂ ଆଦର-ଅଲିଅଳର ସୁଖ ତାଙ୍କୁ ପ୍ରାୟ କିଛିବି ମିଳିନଥିଲା । ତଥାପି ସିଏ ସାରା ପୃଥିବୀର ଏଡ଼େ ବଡ଼ ଭାରାଟାକୁ ନିଜର କବିତା ମାଧ୍ୟମରେ, ନିଜର ଭକ୍ତି ନିବେଦନର ମାଧ୍ୟମରେ ମୁଣ୍ଡାଇବାକୁ କିପରି ସାହସ କଲେ କେଜାଣି ? ସେହି ସାହସ ପ୍ରକୃତରେ କେଉଁଠୁ ଆସେ, କିଏ ଦିଏ ? ଗବେଷକମାନେ ଥକିଯିବେ ପଛକେ, ଏହି କଥାଟିର ରହସ୍ୟ ପାଇ ପାରିବେ ନାହିଁ ।

 

ଭୀମଭୋଇ ଯେତେବେଳେ କବିତା ଲେଖୁଥିଲେ, ସେତେବେଳେ ଓଡ଼ିଶା ନଥିଲା । ମୋଗଲବନ୍ଦୀ ଓ ଖାସମାହାଲ ଅଞ୍ଚଳରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ ନାମରେ କିଛି ଖୁଡ଼ୁ ଖୁଡ଼ୁ ଶବ୍ଦ ଶୁଭୁଥିଲା ସିନା, ଗଡ଼ଜାତ ଭିତରେ ତାହାର କୌଣସି ସ୍ପନ୍ଦନ ଯାଇ ବାଜୁନଥିଲା । ମିନିମିନି ଗଡ଼ଜାତରେ ଗୋଟାଏ ଗୋଟାଏ କଂସ ରାଜତ୍ୱ କରୁଥିବା ପରି ସେମାନେ ବାହାରର କୌଣସି ଆଲୋକ ବାହାରୁ ଭିତରକୁ ପଡ଼ିବାକୁ ବି ଦେଉନଥିଲେ । ୧୯୩୭ ମସିହା ପରେ ମଧ୍ୟ ଆମେ ଗଡ଼ଜାତର ପ୍ରାୟ ସେହିପରି ଚେହେରାମାନ ଦେଖିବାକୁ ପାଇବା । ଧନ୍ୟ କହିବା ସେହି ମହିମା ଗୋସାଇଁଙ୍କୁ ଯିଏକି ବହୁବର୍ଷ ମୋଗଲବନ୍ଦୀରେ କଟାଇ ଏକାବେଳେକେ ଅଜ୍ଞାତ ଭାବରେ ଗଡ଼ଜାତ ଆଡ଼କୁ ବାହାରି ଆସିଥିଲେ । ଯୋରନ୍ଦାରୁ ଖଲିଆପାଲି ଆସିବାକୁ ଏବେ ମଧ୍ୟ ନାକସିଧା ରାସ୍ତାଟିଏ ତିଆରି ହୋଇନାହିଁ । ମହାନଦୀର ଏ କୂଳ ସହିତ ସେ କୂଳ ସେତୁଟିଏଦ୍ୱାରା ଯୋଡ଼ା ହେବାକୁ ଏବେ ମଧ୍ୟ ବାକୀ ରହିଛି । ତଥାପି ସେହି ଧର୍ମଟା ଭିତରେ କେଉଁ ଶକ୍ତିଶାଳୀ ହୃଦୟସ୍ପର୍ଶକାରୀ ଅଗ୍ନି ଗୁପ୍ତ ହୋଇ ରହିଥିଲା କେଜାଣି, ତାହା ଗଡ଼ଜାତରୁ ଗଡ଼ଜାତ ଜଙ୍ଗଲର ନିଆଁ ପରି ମାଡ଼ିଗଲା । ଏକାବେଳେକେ ସେହି ଅରଣ୍ୟମାର୍ଗ ଧରି ଆନ୍ଧ୍ର ଭିତରକୁ ପ୍ରବେଶ କରିପାରିଲା ସିନା, ଏଣେ ମୋଗଲବନ୍ଦୀକୁ ଆସି ପାରିଲାନାହିଁ । ଇଚ୍ଛା କରିଥିଲେ ହୁଏତ ଏଣେ ମଧ୍ୟ ଆସି ପାରିଥାନ୍ତା । କାରଣ ଏଣେ ମଧ୍ୟ ଅସ୍ପୃଶ୍ୟ ଥିଲେ, ବିହିତ ଓ ଅଗଣ୍ୟମାନେ ରହିଥିଲେ । ମାତ୍ର ଏଣେ ସେତେବେଳେ ଅନ୍ୟ ଏକ ଲୀଳା ଲାଗିଥିଲା । ଏଣେ ମଣିଷକୁ ସ୍ୱୀକାର କରିବା ଆଗରୁ ଥୋକେ ସହରୀ ଜାତି ଓ ଜାତୀୟତାର ବାନାଗୁଡ଼ିକୁ ଉଡ଼ାଇ କଲିକତା ସହିତ ପ୍ରତିଯୋଗିତା କରୁଥିଲେ । କଲିକତାରୁ କପି ମାଗି ଆଣି ନୂଆ ସାହିତ୍ୟ, ନୂଆ ଜାଗରଣ ଓ ନୂଆ ଅଭିମାନଗୁଡ଼ିକର ସୃଷ୍ଟି କରୁଥିଲେ । ଭଲ ହେଲା, ମହିମାଧର୍ମର ସ୍ରୋତଟା ଏଣେ ନଆସି ସିଆଡ଼କୁ ମୁହାଁଇ ଗଲା । ହୁଏତ ସେହିଆଡ଼େ ହିଁ ସେହିପରି ଏକ ସନ୍ଦେଶର ଅଧିକ ପ୍ରୟୋଜନ ରହିଥିଲା ।

 

ଏବେ ଯେମିତି, ସମ୍ଭବତଃ ସେତେବେଳେ ମଧ୍ୟ ଆମର ଏହି ଭୂମିଟିରେ ପ୍ରେରଣାର ଧାତୁଟା ପ୍ରାୟ ସେମିତି ହୋଇ ରହିଥିଲା : ଦୂରଟା ସୁନ୍ଦର ଦିଶୁଥିଲା, ପାଖରେ, ଏକାବେଳେକେ ଆମ ଘରଭିତରେ ଚିହ୍ନିବାର, ଲୋଡ଼ିବାର କିଛି ରହିଛି ବୋଲି ତତ୍‌କାଳୀନ ସମ୍ଭ୍ରାନ୍ତ ପୁରୋଗାମୀ ଓ ପ୍ରବରମାନଙ୍କର ପ୍ରତ୍ୟୟ ହେଉନଥିଲା । କବିବର ରାଧାନାଥ ଗ୍ରୀକ୍ ନାଟକର କାହାଣୀଗୁଡ଼ିକରୁ ସାମଗ୍ରୀ ନେଇଆସି ପାରିଲେ, ମାତ୍ର ଭୀମଭୋଇ ବୋଲି ସମସାମୟିକ ସମଧର୍ମୀ ବାପୁଡ଼ାଟିଏ କିଏ ପ୍ରକୃତରେ ଅଛି ବୋଲି ଜାଣି ପାରିଲେ ନାହିଁ । ଫକୀରମୋହନ କେତେ ଗଡ଼ଜାତ ବୁଲିଥିଲେ, ବୁଲିଛନ୍ତି ବୋଲି ପ୍ରତିପାଦିତ କରିବା ନିମନ୍ତେ ସୁରମ୍ୟ ବର୍ଣ୍ଣନାରେ ‘ଉତ୍କଳଭ୍ରମଣ’ କଲେ, ତଥାପି ସୋନପୁରର ଭୀମଭୋଇଙ୍କୁ ଠାବ କରି ପାରିଲେ ନାହିଁ । ଭକ୍ତକବି ମଧୁସୂଦନ ସୁଦୂର ଲିସ୍‌ବନ୍ ସହରର ଭୂମିକମ୍ପ ବିଷୟରେ ପିଲାଙ୍କପାଇଁ ଗଦ୍ୟ ଲେଖାଟାଏ ଲେଖି ଥୋଇଦେଲେ, ବ୍ରାହ୍ମଧର୍ମର ସନ୍ଧାନୀ ରଥରେ ନଦୀ, ଆକାଶ, ଷଡ଼ୠତୁ ଓ ଆହୁରି କେତେ କେତେ ଭୁବନର କଥା କହିଲେ, ମାତ୍ର ଭୀମଭୋଇଙ୍କର ସମାଚାର ପାଇଲେ ନାହିଁ । ଭୀମଭୋଇଙ୍କ ସହିତ ସୁହୃତ୍‌ପଣ ବାନ୍ଧିଥିଲେ ତାଙ୍କର ଦୃଷ୍ଟି ଓ ସୃଷ୍ଟି ଅଧିକ ରସାଳ ଓ ସଜୀବ ହୋଇଥାନ୍ତା କି ନାହିଁ, ସେକଥା ଗବେଷକମାନେ ନିଜ ଅନ୍ଦାଜକୁ ଲମ୍ବାଇ ଅବଶ୍ୟ କହିପାରନ୍ତେ ଏବଂ ସୋନପୁର ବରପାଲିଠାରୁ ସତେଅବା କେଇ ଡାକର ବାଟ ହୋଇଥିଲେ ମଧ୍ୟ କବି ଗଙ୍ଗାଧର ମଧ୍ୟ ସେଯାଏ ମାଡ଼ିଯାଇ ପାରିଲେ ନାହିଁ । ଏହା ଏବେ ମଧ୍ୟ ସଂପୃକ୍ତ ଆମ ସମସ୍ତଙ୍କ ସକାଶେ ଏକ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଆମ କାନ୍ଥଗୁଡ଼ାକ ଏଡ଼େ ଉଚ୍ଚ ଯେ ଆମକୁ ଆଗ ଦିଶିବାର ସମ୍ପଦଗୁଡ଼ିକ ଦେଖା ଯାଉନାହିଁ ଏବଂ ଗୋଟାଏ ପାଖରେ ଯେତେ ଆଧୁନିକ କରି ଦେଇ ପାରୁଥିଲେ ମଧ୍ୟ ଅନ୍ୟପାଖରେ ଆମର ଗଭୀରତମ ଆସ୍ପୃହାଗୁଡ଼ିକର ଘରେ ଆମକୁ ସତେଅବା ଭାରି ଦରିଦ୍ର କରି ରଖିଛି ।

 

ଓଡ଼ିଶାରେ ସାହିତ୍ୟର ଆଧୁନିକ ବାଟିକାଟିକୁ ଯେଉଁମାନେ ନୂଆ ମସଲା ଏବଂ ନୂଆ ଭାଗ ଓ ମାପ ଖଞ୍ଜି ତିଆରି କଲେ, ଏବେ ଅନାଇ ଦେଖିଲେ ମନେ ହେଉଛି, ସେମାନଙ୍କ ପୂର୍ବର ଓଡ଼ିଆ ସାହିତ୍ୟ ସହିତ ସେମାନଙ୍କର ଖିଅ ମୋଟେ ଲାଗି ନଥିଲା । ସେହି ଖିଅକୁ ଲୋଡ଼ିଥିଲେ ଖିଅଟି ବଳେ ମିଳିଥାନ୍ତା । ମାତ୍ର, ଆମ ନୂତନ ପ୍ରେରିତ ମାର୍ଗକଢ଼ାଳିମାନେ ଅତ୍ୟନ୍ତ ସାଧୁତା ଏବଂ ନିଷ୍ଠାର ସହିତ ସାହିତ୍ୟ ନାମରେ ଓଡ଼ିଶା ଭିତରକୁ ଯାହାକିଛି ଚୟନ କରି ବାହାରିଥିଲେ, ସେଥିରେ ପୂର୍ବର ଖିଅଗୁଡ଼ିକୁ ଖୋଜିବାଲାଗି ସମ୍ଭବତଃ କୌଣସି ପ୍ରୟୋଜନ ଅନୁଭୂତ ହୋଇନଥିଲା । ଆଧୁନିକ ଯୁଗଟା ସତେଅବା ଉପରୁ ଗୋଟାଏ ବୋଲୁଅ ପରି ସାହିତ୍ୟରେ ଆମ ଅନୁରାଗ-ପରମ୍ପରା ଉପରେ ଆସି ପଡ଼ିଲା ଏବଂ ପ୍ରଧାନତଃ ସେଇଥିଲାଗି ଆଗର ଯାବତୀୟ ଭୂଇଁଠାରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ସେମାନେ ନୂଆକୁ ବରଣ କରି ଆଣିବାର ନିଶାରେ ପୁରୁଣା ଖୁଣ୍ଟଗୁଡ଼ିକୁ ସ୍ମରଣ କରି ପାରିଲେ ନାହିଁ ଏବଂ ଉପରେ ଉପରେ ସାହିତ୍ୟରେ ଯୁଗଟାଏ ଆରମ୍ଭ କରିଦେଲେ ଏବଂ ସମ୍ଭବତଃ ସେହିପରି କୌଣସି କାରଣରୁ ପ୍ରାୟ ଶହେବର୍ଷ ପରେ ଏବେ ମଧ୍ୟ ଆଧୁନିକ ସାହିତ୍ୟଟା ତଥାପି ଭାରି ହଲହଲ ହେଉଛି ଏବଂ ଖୁଣ୍ଟଗୁଡ଼ିକୁ ଘ୍ରାଣ କରି ପାରୁନାହିଁ ବୋଲି ସତେଅବା ଘରଛେଉଣ୍ଡ ଛୁଆ ପରି ଦାଣ୍ଡେ ଦାଣ୍ଡେ ନାଚୁଛି ସିନା, ଭିତରକୁ ଠାବ ପାଇପାରୁନାହିଁ ।

 

ଏକାଧିକ ଦୃଷ୍ଟିରୁ ଆମେ ଆମ ସାହିତ୍ୟର ଏହି କୁଣିଆ ସଦୃଶ ଆଧୁନିକମାନଙ୍କୁ ଓଡ଼ିଆ ସାହିତ୍ୟର ମଧ୍ୟଯୁଗର ଦରବାରୀ ରୀତିବାଦୀ କାବ୍ୟକାରମାନଙ୍କ ସହିତ ତୁଳନା କରିପାରିବା, ଯେଉଁମାନେ କି ରାଜଆଶ୍ରା ପାଇଲେ ବୋଲି ଏକଦା ଅସଲ ଖିଅଟା ପାଖରୁ ହୁଡ଼ି ଯାଇଥିଲେ । ଏବେ ମଧ୍ୟ, ଯଦି ବତ୍ସାଦାସ, ସାରଳାଦାସ ଓ ପଞ୍ଚସଖାଙ୍କର କୃତିଗୁଡ଼ିକ ଆପଣଙ୍କୁ ପ୍ରକୃତରେ ଭଲ ଲାଗୁଥିବ, ତେବେ କୁନିକନି ରାଜନ୍ୟସାନ୍ନିଧ୍ୟ ଭିତରେ ସୂର୍ଯ୍ୟ, ସମ୍ରାଟ ବା ଆହୁରି କେତେ କ’ଣ ବୋଲାଇ ଚିକିଚିକି କରୁଥିବା ରୀତିଗଗନର ମଣିମାନଙ୍କର ରଚନା ଆପଣଙ୍କୁ ପ୍ରକୃତରେ ଭୟଙ୍କର ମନେହେବ । ଓଡ଼ିଆ ଆଧୁନିକ ସାହିତ୍ୟକାରିତା ସେହିପରି ଗୋଟାଏ କ’ଣ ଅସ୍ୱାଭାବିକ ଅନ୍ୟ ଉଲ୍ଲାସ ଭିତରେ ଯାଇ ପଶିଗଲାକି ବୋଲି ପଚାରିବାକୁ ମନହେବ । କେବଳ ସନ୍ଥମାନେ ଥିଲେ ବୋଲି ସେହି ଆଗର ପରମ୍ପରାଟି ବଞ୍ଚି ରହିଥିଲା । ସମ୍ଭ୍ରାନ୍ତ ସମାଜର କଟାଳକୁ ଏଡ଼ାଇ ପାରିବାପାଇଁ ସନ୍ଥମାନେ ସଭାକୁ ମଧ୍ୟ ଏଡ଼ି ରହିଥିଲେ । ସେମାନଙ୍କ ଭିତରୁ କେତେ କେତେ ଅରଣ୍ୟ ଓ ଗିରିକନ୍ଦରା ଭିତରେ ଛପି ରହୁଥିଲେ । ନିତାନ୍ତ ସାଧାରଣ ମଣିଷମାନଙ୍କ ଭିତରେ ସେମାନେ ଭାବ ଲଗାଇ ରହିଥିଲେ । ଅରକ୍ଷିତ ଦାସ ଓ ସେହି କାଟର ସନ୍ଥମାନଙ୍କର ରଚନା ପାଠ କଲେ ଆମକୁ ପଞ୍ଚସଖା ଓ ସାରଳାଦାସ ପ୍ରକୃତରେ କେଡ଼େ ନିକଟର ପରି ଅନୁଭୂତ ହେବେ । ଏକ ଆତ୍ମିକ ଡୋର ଏକାବେଳେକେ ଏଠାରୁ ସେଠାଯାଏ ଲାଗି ରହିଥିବା ପରି ମନେହେବ ଏବଂ ଆତ୍ମାକୁ ବହୁତ ସାନ୍ତ୍ୱନା ଦେବ, ସାହସଦେବ, ଆନନ୍ଦ ମଧ୍ୟ ଦେବ । ଡୋରଟିଏ ପାଇଥିବା ମଣିଷମାନଙ୍କୁ ଆମେ ଏହି ପୃଥିବୀରେ ପ୍ରକୃତରେ ଧନ୍ୟ ଧନ୍ୟ ବୋଲି କହିପାରିବା ।

 

ସେହି ପରମ୍ପରାରେ ଏକ ଅତୁଳନୀୟ ଉଚ୍ଚତା ହାସଲ କରିଥିବା ଭୀମଭୋଇଙ୍କୁ ଆମେ ଏକାବେଳେକେ ଊନବିଂଶ ଶତାବ୍ଦୀରେ ଆସି ଭେଟିବା । ତାଙ୍କୁ ତାଙ୍କର ଯେକୌଣସି ରଚନା ଦେଇ ଭେଟୁଥିବା ସମୟରେ ଟିକିଏ ଦୂରକୁ ଅନାଇଲେ ଅରକ୍ଷିତ ଦାସ ଦେଖାଯିବେ ଏବଂ ଚାରିଆଡ଼କୁ ଅନାଇ ପାରିଲେ ଖଡ଼ିଆଳରୁ ଚୈତନ୍ୟ ଦାସ ମଧ୍ୟ ଦେଖାଯିବାକୁ ଆରମ୍ଭ କରିବେ । ପଞ୍ଚସଖା ସମେତ ଏମାନେ ସମସ୍ତେ ଗୋଟିଏ ଗୋତ୍ରର, ଗୋଟିଏ ଆବେଦନର ପ୍ରତୀକ । ଚେରଗୁଡ଼ିକ ଭାରି ଦମ୍ଭ, ତେଣୁ ଭାଷା ଅତ୍ୟନ୍ତ ସାବଲୀଳ ଓ ସରଳ । ସେହି ଓଡ଼ିଆ କେଉଁ ଦୁର୍ଭାଗ୍ୟରୁ ସାହିତ୍ୟ ଭିତରୁ ବାସନ୍ଦ ହୋଇ ରହିଲା ? ସାହିତ୍ୟ କାହିଁକି ଘର ଛାଡ଼ିଲା ଯେ ଓଡ଼ିଶାର ସମୂହଟା ମଧ୍ୟ ଯାବତୀୟ ଅର୍ଥରେ ଦୁଇଫାଳ ହୋଇଗଲା ? ସେହି କଥାଟିକୁ ସନ୍ଦର୍ଭ ରୂପେ ବ୍ୟବହାର କରି ଗତ ଗୋଟାଏ ଶତାବ୍ଦୀର ଆମର ଏହି ଭୂମିଟାର ଏକ ସମନ୍ୱିତ ଅଧ୍ୟୟନ କରାଯାଇ ପାରନ୍ତା, ଯାହା ମଧ୍ୟରୁ କି ଆମକୁ ହୁଏତ ସାମାଜିକ ଓ ସାସ୍କୃତିକ ସଂହତି ଓ ଏପରିକି ରାଜନୀତିକ ବିକାଶର କ୍ଷେତ୍ରଗୁଡ଼ିକରେ ଏବେ ଆମ ଗୋଡ଼ରେ ପ୍ରାୟ ପଥର ପରି ବନ୍ଧା ହୋଇ ରହିଥିବା ବହୁ ସମସ୍ୟାର ସମାଧାନ ଦିଗରେ କିଞ୍ଚିତ ଅନ୍ତର୍ଦୃଷ୍ଟି ବି ମିଳିଯାଇ ପାରନ୍ତା ।

 

ମହାଭାରତକାର ସାରଳାଦାସ ଯେ ସିଧା ଆକାଶରୁ ଖସି ଏପରି ଏକ ଅନବଦ୍ୟ ଗଦ୍ୟର ନମୁନା ହୋଇ ରହିଗଲେ, ସେକଥା ଆଦୌ ନୁହେଁ । ସେହି କେବଳ ସଂସ୍କୃତର ଯୁଗରେ ହୁଏତ ଲୋକାୟତର ସ୍ତରରେ ଓଡ଼ିଆରେ ପୋଥି ଲେଖା ହୋଇଥିବ ଓ ରାଜା ତଥା ପଣ୍ଡିତମାନଙ୍କର ଭୟରେ ସଭାକୁ ମନ କରିନଥିବ । ସେହି ଲୋକାୟତ ଭିତରେ ତଥାପି ଜୀବନ୍ତ ହୋଇ ରହିଥିବ । ସାରଳାଦାସ ସେହି ଅଭିକ୍ରମର କେବଳ ଗୋଟିଏମାତ୍ର ନମୁନା । ଠିକ୍‌ ସେହିପରି, ଖଡ଼ିଆଳର ଚୈତନ୍ୟ ଦାସ ମଧ୍ୟ କଦାପି ଆକାଶରୁ ଖସି ଦୈବାତ୍‌ ଆବିର୍ଭୂତ ହୋଇ ନଥିବେ । ସମ୍ଭବତଃ ପଞ୍ଚସଖାଙ୍କ ସମୟରୁ ହିଁ ଆମ ଭୂଇଁର ସେହି ଅଞ୍ଚଳରେ ନିର୍ଗୁଣ ପରାମ୍ପରାର ସାହିତ୍ୟ ବିକଶିତ ହୋଇ ଆସିଥିଲା, ଚୈତନ୍ୟ ଦାସଙ୍କୁ ଯାହାର ଏକ ଉଜ୍ଜ୍ୱଳ ନମୁନା ବୋଲି କୁହାଯାଇ ପାରିବ । ଭୀମଭୋଇଙ୍କୁ ମଧ୍ୟ ଆମେ ସେହି ଧାଡ଼ିରେ ଦେଖିବାକୁ ପ୍ରୟାସ କରିବା । ଥରେ ଭାବନ୍ତୁ ତ ତଥାକଥିତ ଆଧୁନିକମାନଙ୍କଦ୍ୱାରା ବର୍ଜିତ ନହୋଇ ସେଇଟି ହିଁ ଯଦି ଏଯାଏ ଆମ ଭାବନାର ଓ ଆମ ସାହିତ୍ୟର ବାହନ ହୋଇ ରହିଥାନ୍ତା, ତେବେ ଓଡ଼ିଆ ଭାଷା ସ୍ୱଭାବବିବର୍ତ୍ତିତ ହୋଇ ସତକୁ ସତ କେତେ ଅଧିକ ସମର୍ଥ ଓ ସରଳ ହୋଇ ପାରିଥାନ୍ତା । ସାହିତ୍ୟିକ ଓଡ଼ିଆ କଦାପି ଏକ ଶିଷ୍ଟଭାଷାର ଅବନମିତ ସ୍ତରରେ ରହିନଥାନ୍ତା, ଆମ ବାବୁମାନେ ମଧ୍ୟ ସାଧାରଣ ମଣିଷଙ୍କଠାରୁ ଏଡ଼େ ଅଲଗା ପ୍ରକାରେ ଚିନ୍ତା କରୁନଥାନ୍ତେ କିମ୍ବା ଲେଖୁନଥାନ୍ତେ । ସାହିତ୍ୟିକ ଓଡ଼ିଆକୁ ଏକ ଶିଷ୍ଟ ଭାଷାରୂପେ ଅଲଗା କରି ରଖିବାରେ ରୀତିଯୁଗଠାରୁ ଏପର୍ଯ୍ୟନ୍ତ ଯେଉଁମାନଙ୍କର ଏକ ଭୂମିକା ରହିଛି, ସେମାନଙ୍କୁ ସମସ୍ତଙ୍କୁ ଆମେ ହୁଏତ ଏକାଠି ଗୋଟାଏ ଗୋଷ୍ଠୀ ଭିତରେ ଅନ୍ତର୍ଭୁକ୍ତ କରି ଦେଖି ପାରିବା । ଏବେ ଓଡ଼ିଶାରେ ଇଂରାଜୀ ଭାଷା ଯେପରି ଶିଷ୍ଟଭାଷାର ସ୍ଥାନଟିକୁ ଦଖଲ କରିବାକୁ ଉଦ୍ୟତ ହେଲାଣି, ହୁଏତ ସେଇଥିରୁ ଶିକ୍ଷା ପାଇ ଆମେ ଓଡ଼ିଆ ଭାଷାକୁ ତା’ର ଲୋକାୟତ ବିଭବ ସ୍ତରକୁ ଫେରାଇ ନେବାପାଇଁ ଏକ ପ୍ରେରଣା ଲାଭ କରି ପାରନ୍ତେ ।

 

କବି ଭୀମଭୋଇ ଲୋକାୟତର ଭାଷାରେ ଲେଖିଲେ ବୋଲି ଏତେ ଗହନ ଗହନ କଥାକୁ ଏପରି ସହଜ ଭାବରେ କହିପାରିଲେ । ନିଜର ଭାଷାକୁ ସହଜ ଓ ଅଧିକ ଗ୍ରହଣକ୍ଷମ କରି ପାରିଲେ ସମ୍ଭବତଃ ଜଣେ ଲେଖକର ଚିତ୍ତରେ ଏପରି ଏକ ସାହସ ଆସେ, ଯାହାର ସର୍ବଶ୍ରେଷ୍ଠ ନମୁନାରୂପେ ଆମେ କେବଳ ଭୀମଭୋଇଙ୍କୁ ହିଁ ହାତର ଆଙ୍ଗୁଠିଦ୍ୱାରା ଦେଖାଇଦେଇ ପାରିବା । ସେହି ସାହସରୁ ଯେଉଁ ଭାବଟି ଅଭିବ୍ୟକ୍ତ ହୋଇଆସେ, ତାହାକୁ ସାଂସାରିକ ଅର୍ଥାୟତନରେ ଚଳି ଆସିଥିବା କ୍ରୋଧ ବୋଲି କଦାପି କୁହାଯିବ ନାହିଁ । ହଁ, ଆଉ ଗୋଟିଏ ପ୍ରକାରର କ୍ରୋଧ ମଧ୍ୟ ରହିଛି, ଯାହାକୁ ଶ୍ରୀଅରବିନ୍ଦ ରୁଦ୍ରଶକ୍ତି ବୋଲି କହିଛନ୍ତି । ଭୀମଙ୍କର କ୍ରୋଧ ସେହି ଉଚ୍ଚତାର କ୍ରୋଧ, ପ୍ରଭୁଙ୍କର ଯନ୍ତ୍ର ହୋଇ ଶେଷଯାଏ ଯାଇ ପାରିବାର ପୂର୍ଣ୍ଣବିଶ୍ୱାସରୁ ପ୍ରସୂତ କ୍ରୋଧ । ଭୀମଭୋଇଙ୍କ ସଂସାର ବ୍ରହ୍ମରାଶିଦ୍ୱାରା ପୂର୍ଣ୍ଣହୋଇ ରହିଥିଲା । ନିଜ ଆଖିରେ ସିଏ ଭବସିନ୍ଧୁ ମଧ୍ୟରେ ଭାବସିନ୍ଧୁକୁ ଦେଖୁଥିଲେ । ସେହି ଭାବସିନ୍ଧୁକୁ ପ୍ରାୟ ଏକ ପଙ୍କରେ ପରିଣତ କରି ରଖିଥିବା ବିରୋଧୀ ଅସତ୍ୟଗୁଡ଼ିକୁ କାଟି ଚାଲିଯିବା ପାଇଁ ଆପଣାକୁ ପରମ ଠାକୁରଙ୍କ ପାଖରେ ଯନ୍ତ୍ରଟିଏ, ଆଜ୍ଞାବହଟିଏ କରି ଥୋଇ ଦେଇଥିଲେ । ସଂସାର ଅର୍ଥରେ ଆମେ ଯାହାକୁ କବି ବୋଲି କହୁ, ସିଏ କଦାପି ଯନ୍ତ୍ର ହୋଇ ପାରିବ ନାହିଁ । ଉକ୍ତଟିଏ କବି ହେଲେ ଅଥବା କବିଟିଏ ଯନ୍ତ୍ର ହେଲେ ଯାଇ ସେହି ଭୂମିକାର ଭାଜନ ହୋଇପାରିବ । ସେତେବେଳେ ସାହିତ୍ୟ ଜୀବନର ନାନା ଇଲାକା ଭିତରେ ଏକ ଅନ୍ୟତମ ଇଲାକା ହୋଇ କଦାପି ରହି ପାରିବ ନାହିଁ । ସାହିତ୍ୟ ସତେଅବା ଆଉ କ’ଣ ଗୋଟାଏ ପୂର୍ଣ୍ଣ ଆଲୋଡ଼ନକାରୀ ଆହ୍ୱାନ ମଧ୍ୟରେ ଅଭିନ୍ନ ହୋଇ ମିଶିଯିବ । ସଂଶୟୀମାନେ ଟାପରା କରୁଥିବେ, ସଙ୍ଗୀମାନେ ସାଙ୍ଗ ଛାଡ଼ିଯିବେ-ତଥାପି ସୂର୍ଯ୍ୟମୁହାଁ ହୋଇ ବଞ୍ଚିବା ବ୍ୟତୀତ ସତେଅବା ଅନ୍ୟ ଆଜ୍ଞା ନାହିଁ ବୋଲି ଦୃଢ଼ଭାବରେ ନିର୍ଦ୍ଦେଶ ପାଉଥିବା ଭକ୍ତ, ଯନ୍ତ୍ର ଓ କବି ତା’ ବାଟରେ ଚାଲିଥିବ । ଭୀମଭୋଇ କେବଳ ଇତରମାନଙ୍କଠାରୁ ନୁହେଁ, ନିଜର ସମ୍ପ୍ରଦାୟୀଙ୍କଠାରୁ ମଧ୍ୟ ଟାପରା ଶୁଣିଛନ୍ତି, ପ୍ରତ୍ୟାଖ୍ୟାତ ହୋଇଛନ୍ତି । ତଥାପି ତାଙ୍କ ଭିତରର କବି ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି । ମହିମାମାର୍ଗରେ ତ ଏବେ ମଧ୍ୟ ପରା ଓ ଅପରା କେତେ କେତେ ଅଛନ୍ତି, ସଂସାରୀ ଓ ସନ୍ନ୍ୟାସୀ ରହିଛନ୍ତି । ସେମାନଙ୍କୁ ଦେଖିଲେ ଜଣେ ଜଣେ ମାର୍ଗଚାରୀର ପରିଚିତିରେ ସେମାନଙ୍କୁ ଚମତ୍କାର ଦେଖିହୁଏ । ତଥାପି ସେମାନେ ସତେଯେପରି ନିଜ ଗୁଳାଟି ଭିତରେ ଏତେ ସଚେତନ ଭାବରେ ରହିଥାନ୍ତି ବା ଚାଲୁଥାନ୍ତି ଯେ, ଭିତରେ ଆଉକିଛି ତା’ ସେପାଖକୁ ରହିଛି ବୋଲି ଆଦୌ ଅନୁଭବ ହୁଏ ନାହିଁ । ସମ୍ମାନ ଦେଇହୁଏ, ତଥାନି ନିଜର ବୋଲି ଲାଗେନାହିଁ । ନିଜକୁ ସେମାନଙ୍କର ଗୁଳା ବାହାରେ ରହିଥିବା ପରି ଲାଗେ ।

 

ଗୁଳାରେ ଥାଇ ମଧ୍ୟ ତଥାପି ଗୁଳାରେ ନଥିବା ମଣିଷମାନେ, ସେମାନେ ସଂସାରୀ ବା ସନ୍ନ୍ୟାସୀ ଯାହା ହୋଇଥାନ୍ତୁ ପଛକେ, ସମ୍ପ୍ରଦାୟକୁ ନୁହେଁ, ଭଗବାନଙ୍କୁ ସାଙ୍ଗରେ ନେଇ ବାଟ ଚାଲୁଥାନ୍ତି । ତେଣୁ ପ୍ରିୟ ଲାଗନ୍ତି । ଭଗବାନ ସମ୍ଭବତଃ ସେମାନଙ୍କୁ ନିଜର ପ୍ରିୟ ବୋଲି ସ୍ୱୀକାର କରିନେଇ ଥିବାରୁ ସେମାନେ ଏହିପରି ପ୍ରିୟ ଲାଗନ୍ତି । ଭୀମଭୋଇଙ୍କର ରଚନା ଭିତରେ ପଶିବା ମାତ୍ରକେ ମଣିଷ କେତେବେଳେ ଯେ ଗୋଟାସୁଦ୍ଧା ମଜ୍ଜିଯାଏ, ସେକଥା ସେ ନିଜେ ଜାଣିପାରେ ନାହିଁ । ଭୀମଭୋଇ ସତେଅବା ସାମନାରେ ଆସି ଛିଡ଼ାହୋଇ ଯାଆନ୍ତି । ତାପରେ ସବୁ ପ୍ରିୟ ଲାଗେ । ତାଙ୍କର ଭାଷା, ତାଙ୍କର ବକ୍ତବ୍ୟ ଓ ‘ଅନାଦି ରାଜା’ଙ୍କ ପାଖରେ ତାଙ୍କର ଯାବତୀୟ ଅନୁଯୋଗ ସବୁ ପ୍ରିୟ ଲାଗେ । ମୁଁ ନିଜେ ମହିମା ସମ୍ପ୍ରଦାୟର କି ନୁହେଁ, ସେପରି ସକଳ ଭାବନା କୁଆଡ଼େ ଅନ୍ତର୍ହିତ ହୋଇ ଯାଇଥାଏ । ଯାବତୀୟ ଧର୍ମସମ୍ପ୍ରଦାୟ ଭଗବାନଙ୍କୁ ମଝିରେ ଥାପି ତିଆରି ହୋଇଥିଲେ, ମଧ୍ୟ ଭଗବାନ ପ୍ରକୃତରେ ଯାବତୀୟ ସମ୍ପ୍ରଦାୟୀ ଭାବନାକୁ ଅତିକ୍ରମ କରି ରହିଥାନ୍ତି ବୋଲି ହିଁ ଏହି ପୃଥିବୀରେ ଗୁଳାକୁ ଅତିକ୍ରମ କରି ରହିଥିବା ଭୀମଭୋଇଙ୍କ ଭଳି ଜଣେ କବି ଆମକୁ ଏଡ଼େ ପ୍ରିୟ ଲାଗନ୍ତି । ଏକଥା ଭାବିବାକୁ ଆହୁରି ଅଧିକ ଭଲ ଲାଗେ ଯେ, ଭୀମଭୋଇ ଯଥାର୍ଥ ଦୃଷ୍ଟିରେ କବି ଥିଲେ ବୋଲି ଗୁଳା ଭିତରେ ଥାଇ ମଧ୍ୟ ଗୁଳାକୁ ଅତିକ୍ରମ କରି ପାରିଲେ । ହଁ, କବିତ୍ୱ ଭିତରେ ଥାଇ ମଧ୍ୟ କବିତ୍ୱର ଗୁଳାକୁ ଅତିକ୍ରମ କରିଗଲେ ଏବଂ ସମାଜ ଭିତରେ ଏକାବେଳେକେ ତଳେ ଯାଇ ଜନ୍ମ ହୋଇଥିଲେ ବୋଲି ସିଏ ସେଇଠୁ ଆଖି ବଢ଼ାଇ ଜୀବନଟାକୁ, ପୃଥିବୀଟାକୁ ଏପରି ସମଗ୍ର ଭାବରେ ମଧ୍ୟ ଦେଖି ପାରିଥିଲେ । ତଳେଥାଇ ଉପରଯାଏ ଦେଖି ପାରିବା ଅଧିକ ସହଜ ନା ଉପରୁ ଦୟାକରି ତଳଯାଏ ଦେଖିବାକୁ ମନ କରିବା ଅଧିକ ସହଜ, ଏକଥାଟିର ସମାଧାନ ହୁଏତ ଆମକୁ ସନ୍ଥମାନଙ୍କର ଜୀବନୀରୁ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ମିଳିଯାଇ ପାରିବ । ଭାରତରେ ମନୁଷ୍ୟାତ୍ମାର ଜାଗରଣ ନିମନ୍ତେ ହୋଇଥିବା ଅଧିକାଂଶ ଆନ୍ଦୋଳନ ଉପରୁ ହୋଇଛି । ତେଣୁ ଖଣ୍ଡେଦୂର ଯାଇ ବିଣ୍ଡିମାରି ଯାଇଛି । ଏକ ସମସାମୟିକ ସମାନ୍ତର ଭାବରେ ଆମେ ବ୍ରାହ୍ମଧର୍ମର ଉଦାହରଣଟିକୁ ମଧ୍ୟ ସମୀକ୍ଷା କରି ଦେଖିପାରିବା । ଯେଉଁ ଆନ୍ଦୋଳନ ଏକାବେଳେକେ ତଳୁ ଗିରିଶିଖରକୁ ଲୟ ରଖି ଯାତ୍ରା କରୁଥାଏ, ସିଏ ସମଗ୍ର ସମାଜଟାକୁ ଦୋହଲାଇ ଦିଏ, ପୁରୁଣା ଗଠନଗୁଡ଼ିକ ମଧ୍ୟରେ ପ୍ରାୟ ଏକ ତ୍ରାସର ସଞ୍ଚାର କରିଦିଏ । କେରଳର ଶ୍ରୀ ନାରାୟଣ ଗୁରୁ ଏବଂ ଓଡ଼ିଶାର ଭୀମଭୋଇ, ଏହି ଉଭୟଙ୍କୁ ଆମେ ଏପରି ଏକ ଉଜ୍ଜ୍ୱଳ ବ୍ୟତିକ୍ରମ ରୂପେ ବିଚାର କରି ପାରିବା, ଯାହାକି ପରମସତ୍ୟକୁ ସତେଅବା ଏକ ଚ୍ୟାଲେଞ୍ଜ୍‌ରୂପେ ଏକାବେଳେକେ ତଳଯାଏ ଓହ୍ଲାଇ ନେଇ ଆସିଥିଲା । ଭୀମଭୋଇ ଓ ନାରାୟଣଗୁରୁ ଉଭୟେ ନୀଚ କୁଳରେ ନିତାନ୍ତ ଅଳ୍ପ ସମ୍ଭାବନା ମଧ୍ୟରେ ଜନ୍ମ ହୋଇଥିଲେ । ତଥାପି ସେମାନଙ୍କର ଭିତରେ ରହିଥିବା ଆଖିଟା ଯେତେ ଅଧିକ ଓ ଯେତେ ନିବିଡ଼ ଭାବରେ ଜୀବନକୁ ଦେଖି ପାରୁଥିଲା, ସେମାନଙ୍କ ସମୟର ଆଉ କେହିହେଲେ ସେତେ ଦେଖି ପାରୁ ନଥିଲେ ଏବଂ ସେହି କାରଣରୁ ହିଁ ସେମାନେ ଆମର ଏତେବେଶୀ ପ୍ରିୟ ହୋଇ ରହିଲେ । ଯେପର୍ଯ୍ୟନ୍ତ ସତ୍ୟର ବିଧାନ ଅନୁସାରେ ସଂସାର ନ ଚାଲିଛି, ସେପର୍ଯ୍ୟନ୍ତ ସିଏ କୁମ୍ଭୀପଟ ପିନ୍ଧିବେ ନାହିଁ ବୋଲି ଭୀମଭୋଇ ନିଜ ପାଖରେ ପଣ କରିଥିଲେ । ସତ୍ୟର ବିଧାନ କ’ଣ ଏବେ ମଧ୍ୟ ପ୍ରତିଷ୍ଠିତ ହୋଇପାରିଲାଣି ? ତେଣୁ ଯେପର୍ଯ୍ୟନ୍ତ ସେହି ପ୍ରତିଷ୍ଠା ନିମନ୍ତେ ଏହି ଜଗତର ମଣିଷମାନେ ଆସ୍ପୃହା ରଖିଥିବେ, ବାଟ ଖୋଜୁଥିବେ ଏବଂ ଆପଣାକୁ ସେହି ବାଟରେ ଚାଲିବାପାଇଁ ଅଧିକରୁ ଅଧିକ ଭାଜନ କରାଇ ଆଣୁଥିବେ, ସେତେଦିନ ଯାଏ ଭୀମଭୋଇ ଓଡ଼ିଶାରେ ଆମର ପ୍ରିୟ ହୋଇ ରହିଥିବେ ।

 

ଅକ୍ଷର ବିଳାସର ଆମ ସ୍ୱତନ୍ତ୍ର ସାହୀଟା ଭିତରେ ଆମେ ଯାହାକୁ କବିତା ବୋଲି କହୁ, କବି ଭୀମଭୋଇଙ୍କର କୃତିଗୁଡ଼ିକ ମୋଟେ ସେହି ପଂକ୍ତିର କବିତା ନୁହେଁ; ତାହା ହେଉଛି ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଏକ ଅଙ୍ଗୀକାରବଦ୍ଧତା, ଏକ ଆତ୍ମୀୟତା । ଆପଣାର ଉପଲବ୍‌ଧିରେ ସତ୍ୟ ଏହିପରି ଅତି ପାଖ ହୋଇ ଆସିଲେ ମନୁଷ୍ୟ କେଡ଼େ ସହଜରେ ସେହି ଆତ୍ମୀୟତାର ସ୍ତରକୁ ଉତ୍ତୋଳିତ ହୋଇଯାଏ । ଆତ୍ମୀୟତା ମୂଳ ନିର୍ଣ୍ଣାୟକ ହେଲେ କପଟତା ତଳକୁ ଖସିପଡ଼େ । ଆଉ ମୋଟେ ଶବ୍ଦମାନଙ୍କୁ ଖୋଜିବାକୁ ପଡ଼େ ନାହିଁ । ନିଜ ଜୀବନଟିକୁ ବଞ୍ଚିବାର ଛତ୍ରେ ଛତ୍ରେ କବିତା ପରମପ୍ରତ୍ୟୟର ଉଦ୍‌ଭାସ ନେଇ ଫୁଟି ଉଠିବାରେ ଲାଗିଥାଏ । ଭଗବାନଙ୍କୁ ପାଇ ମଣିଷ ସଂସାରକୁ ପାଏ । ସଂସାର ସହିତ ଅଭେଦ ଭାବରେ ଗୁନ୍ଥି ହୋଇଯାଏ । ତା’ପରେ ସିଏ ସତେଅବା ସବୁକିଛି ନିମନ୍ତେ ପ୍ରସ୍ତୁତ ହୋଇଯାଏ । ସଂସାରର ରୁଧିର, ମାଂସ ଓ ହାଡ଼ ସହିତ ଯେ ନିଜ ରୁଧିର, ମାଂସ ଓ ହାଡ଼ର ଏକ ଅବିଚ୍ଛେଦ୍ୟ ସମ୍ପର୍କ ରହିଛି, ସେତିକି ବ୍ୟତୀତ ଅଲଗା କରି ଆଉ କିଛି ହେଲେ ଅନୁଭବ କରି ହୁଏନାହିଁ । ସେତେବେଳେ ସ୍ୱର୍ଗ ଆଉ ନର୍କ ଦୁଇଟା ଅଲଗା ଗତି ବୋଲି ଆଦୌ ଦୃଶ୍ୟ ହୁଅନ୍ତି ନାହିଁ ଏବଂ ତା’ପରେ ଯାହାକିଛି ସଂସାରର ମଣିଷକୁ ଅଚେତ କରି ରଖିଛି, ସେଗୁଡ଼ାକୁ ମୋଟ ସହି ହୁଏ ନାହିଁ । ସହିବାର କୌଣସି ପ୍ରସଙ୍ଗିକତା ନଥାଏ । ସହିଯିବାଟା ଏକ ପଳାୟନ ପରି ବୋଧହୁଏ । ଭୀମଭୋଇଙ୍କର ରଚନାକୁ ଭେଦି ଆମେ ଯେତିକି ଯେତିକି ଗଭୀରକୁ ଯାଉଥିବା, ସେତିକି ସେତିକି ଆମ ଚେତନାର ସାନ ସଂସାରଟି ସତେଅବା ବୃହତ୍ ଓ ପ୍ରସାରିତ ହୋଇ ଯାଉଥିବ । ସଂସାରର ଦୁଃଖ ନିଜ ଦୁଃଖ ପରି ଲାଗୁଥିବ,ସଂସାରର ଭାରା ନିଜ ଭାରା ପରି ହିଁ ଲାଗିବ । ସେତେବେଳେ ଆମର ଚେତନାରେ କ’ଣ ଘଟିବ କେଜାଣି, ଭୀମଭୋଇ ଏ ସାହିତ୍ୟର ଓ ସେ ସାହିତ୍ୟର ନୁହନ୍ତି, ଅଥବା ଏହି ଭୂମିର ଓ ଅନ୍ୟ କେଉଁ ଭୂମିର ନୁହନ୍ତି ବୋଲି ଅର୍ଦ୍ଧସତ୍ୟଗୁଡ଼ିକ ଏକାବେଳେକେ ପାସୋରି ହୋଇଯିବ,ହାଲୁକା ଲାଗିବ-ଏହି ସବୁଟି ସହିତ ଯୁକ୍ତ ହୋଇ ଗଲାପରି ଲାଗିବ । ସାହିତ୍ୟ ଭିତରେ ଯେ ସତକୁ ସତ ଏକ ପରିଶୁଦ୍ଧକାରିଣୀ ଶକ୍ତି ରହିଛି, ସେତେବେଳେ ଯାଇ ସେ କଥାଟି ବୁଝିହେବ ଏବଂ ଅନ୍ୟ ପକ୍ଷରେ, ତାହାକୁ ଆମ ବଜାର ଅର୍ଥରେ ଖାଲି ସାହିତ୍ୟ ବୋଲି କହିବାକୁ ବି ମନ ହେବ ନାହିଁ ।

 

ଭୀମଭୋଇଙ୍କ ହେତୁ ଭିତରେ ଓଡ଼ିଶା କିମ୍ୱା ଓଡ଼ିଆ ସାହିତ୍ୟ ବୋଲି କିଛି ନଥିଲା । ଏବେ ତ ଜାତୀୟତାବାଦୀ ଯୁଗରେ ରାଷ୍ଟ୍ରମାନେ ଆହୁରି କେତେ ଆଗକୁ ଯାଇ ସମୂଦ୍ରକୁ ଓ ଆକାଶକୁ ମଧ୍ୟ ଗାର କାଟି ଖଣ୍ଡ ଖଣ୍ଡ କରି ବାଣ୍ଟି ନେଲେଣି । ପ୍ରାୟ ସେହିପରି ଗୋଟିଏ କାମୁକତା ଭିତରେ ପଡ଼ି ଆମେ ଓଡ଼ିଆ ଭାଷାରେ ଲେଖା ହୋଇ ଆସିଥିବା ସାହିତ୍ୟକୁ ଓଡ଼ିଆ ସାହିତ୍ୟ ଅଥବା ଆମ ଓଡ଼ିଆ ସାହିତ୍ୟ ବୋଲି କହି କିଞ୍ଚିତ୍ ଗୌରବମୁଖ ଲାଭ କରିବାକୁ ମନ କରୁନାହୁଁ ତ-? ଏହି ଏକା ପର୍ଯ୍ୟାୟଟିର ମାଡ଼ ବାଜି ଚିଲିକାହ୍ରଦ ଆମ ଚିଲିକା ସୁନ୍ଦରୀରେ ପରିଣତ ହୋଇଛି, ଏଡ଼େ ବଡ଼ ଆହ୍ୱାନ ଏବଂ ଉତ୍ତୋଳନର ପ୍ରତୀକ ଜଗନ୍ନାଥ ଆମ ପୌତ୍ତଳିକତାର ତୁଚ୍ଛା ଭାବପ୍ରବଣତା ଭିତରେ ହୁଏତ କୁଆଡ଼େ ଯାଇ ମୁହଁ ମାଡ଼ି ପଡ଼ିଛନ୍ତି । ସଂସ୍କୃତିକୁ ଆମ ସଂସ୍କୃତି ବୋଲି କହିବା ଦିନଠାରୁ ସମ୍ଭବତଃ ତାହାର ଅବକ୍ଷୟ ହେବାକୁ ଆରମ୍ଭ କରିଛି । ଏସବୁଥିରେ ଏଭଳି କହୁଥିବା ମଣିଷଟିଏ ସତେଅବା ଗୋଟିଏ ବିକୃତ କାଚ ସେପାଖରୁ ନିଜେ କିଞ୍ଚିତ୍ ମୋଟା ହୋଇଗଲା ପରି ଦେଖେ ବା ଅନୁଭବ କରେ ସିନା, ତଦ୍ଦ୍ୱାରା ସଂସ୍କୃତି ଓ ତେଣୁ ସାହିତ୍ୟର ବି ଭାରି ମର୍ଯ୍ୟାଦାହାନି ହୁଏ । ସାହିତ୍ୟ ସମ୍ପତ୍ତି ପରି ଦିଶେ । ସାହିତ୍ୟକାରମାନେ ଖାସ୍ ଆମରି ସମ୍ପତ୍ତି ପରି ଦେଖାଯାଉଥାନ୍ତି ଏବଂ ସଂପୃକ୍ତ ମଣିଷଟିକୁ ବେଶ୍ ହୃଷ୍ଟ କରି ରଖିଥାନ୍ତି । ଜାତୀୟତାବାଦୀର ସାହିତ୍ୟଲୋକନ ଓ ସାହିତ୍ୟସମୀକ୍ଷା ଏହିପରି ଏକ ହୃଷ୍ଟତା ଅନୁଭବ କରିବାରେ ହିଁ କାମ ସାରିଦିଏ । ସାହିତ୍ୟ ତାକୁ ଆହ୍ୱାନ ଦିଏନାହିଁ, ଆଘାତ ଦେବା ତ ଆହୁରି ଦୂରର କଥା । ଭୀମଭୋଇ ତା’ର ଅନ୍ତର ଭିତରଟାକୁ ଆଦୌ କୋରି ପକାନ୍ତି ନାହିଁ । ଭୀମଭୋଇ ଆମ ଓଡ଼ିଆ ସାହିତ୍ୟର ଜଣେ ଅପ୍ରିତିଦ୍ୱନ୍ଦୀ ରତ୍ନ ବୋଲି କହି ସିଏ କେତେ ଫୁଲେଇ ହୁଏ, ବାଉଳା ବି ହୁଏ । ଓଡ଼ିଆ ସାହିତ୍ୟାଲୋଚନାରେ ଭୀମଭୋଇ ଅଧିକାଂଶ କ୍ଷେତ୍ରରେ ସେହିଭଳି ଏକ ଦୁର୍ଦ୍ଦଶା ଭୋଗ କରି ଆସିଛନ୍ତି ।

 

ଏବେତ ଆମମାନଙ୍କଦ୍ୱାରା ଭୀମଭୋଇ ବଜାରକୁ ଆସିଲେଣି । ତାଙ୍କ ପାଇଁ ରାଜଧାନୀରେ ସଭା ହେଲାଣି । ଅପ୍ରମିତ ଦୁଃଖର ସିଧା କାରଣ ହୋଇଥିବା ଆମେ ସାହସ କରି ସଭାରେ ରଖା ହୋଇଥିବା ତାଙ୍କ ଚିତ୍ରପଟରେ ମାଳା ଚଢ଼ାଇବାକୁ ଗଲୁଣି । ପୂଜ୍ୟ ପୂଜାର ନିଶାରେ ଆମେ ଭୀମଭୋଇଙ୍କର ଅଖାଡ଼ୁଆ ଏବଂ ଅବାଗିଆ କଥାଗୁଡ଼ି‌କୁ ଶୀତଳ କରି ଦେବାକୁ ଇଚ୍ଛା କରୁନୁ ତ ? ଭୀମଭାଇଙ୍କର ଭଜନକୁ ଏଯାଏ କେବଳ ଅବଗାହୀ ଓ ଅନୁଗାମୀମାନେ ବୋଲୁଥିଲେ । ଏବେ ତାହା ଯାନ୍ତ୍ରିକ ଫିତା ଭିତରେ ପଶିଲାଣି । ଏଣିକି ମନକଲା ମାତ୍ରକେ ସମ୍ଭ୍ରାନ୍ତମାନେ ତାହାକୁ ଉପଭୋଗ କରି ପାରିବେ । ଭୀମଭୋଇଙ୍କର ଭଜନମାନ ଏବେ ଇଂରାଜୀରେ ଅନୁବାଦ କରାଗଲାଣି । ଯେଉଁ ଗଞ୍ଜେଇକୁ ଖାଇ ଭୀମଭୋଇ ଏକଦା ତିନିତ୍ରୈଲୋକ୍ୟ ଦେବତାଙ୍କୁ ସ୍ମରଣ କରି ପଦଗୁଡ଼ିକୁ ତିଆରି ଥିଲେ, ଏବେ ତାଙ୍କର ଅନୁବାଦ କରୁଥିବା ରସଗ୍ରାହୀମାନଙ୍କ ଗଞ୍ଜେଇର ତାହା ସହିତ ହୁଏତ ଆଦୌ କୌଣସି ମେଳ ନାହିଁ । ତଥାପି ହାଟସରାଗୀ ଆମେ ଅନେକେ ଭୀମଭୋଇଙ୍କୁ ପୁଞ୍ଜିକରି ଦେଶବିଦେଶରେ ଆମ ଓଡ଼ିଶା ନାମକ ଘରର ମହକ ଚହଟାଇବାକୁ ବାହାରିଲୁଣି । ଭୀମଭୋଇ ସେକାଳେ ସାହୁକାରମାନଙ୍କୁ ବ୍ୟଙ୍ଗ ସମ୍ପର୍କ ଯୋଡ଼ି ରାହୁ ବୋଲି କହିଥିଲେ । ସାମ୍ପ୍ରତିକ ସମାଜରେ ରାହୁର ନାନାବିଧ ଭୁମିକାରେ ଜୀବନଟାକୁ ଭୁଞ୍ଜୁଥିବା ଆମେ ଏଣିକି ଭୀମଭୋଇଙ୍କୁ ମଧ୍ୟ ଭୋଗିବୁ ବୋଲି ମନ କଲୁଣି । ଏହାଦ୍ୱାରା ଆମେ ତାଙ୍କର ଜାତି ନେବାକୁ ବସୁନାହୁଁ ତ ?

 

ସବାଶେଷରେ ଆଉ ଗୋଟିଏ ପ୍ରସଙ୍ଗର ବି ଉତ୍‌ଥାପନ କରା ଯାଇପାରେ । ଭୀମଭୋଇ ଯୋଉ ମହିମାଧର୍ମର ପ୍ରସାର ଓ ପ୍ରଚାର ପାଇଁ ଜଙ୍ଗଲ ଭିତରେ ଯାଇ ଟୁଙ୍ଗି କରିଥିଲେ ଓ ମଣିଷକୁ ଏକାବେଳେକେ ସେହି ସବାତଳ ସ୍ତରରୁ ଆଲୋକ ଦେଖାଇ ଉପରକୁ ଉଠାଇବାର ଉଦ୍ୟମ କରିଥିଲେ, ବର୍ତ୍ତମାନ ସେହି ମହିମାଧର୍ମର ପ୍ରାୟ ଏକ ନବ୍ୟ ଭାଷ୍ୟ କରାଇବାର ପ୍ରଚେଷ୍ଟା ମଧ୍ୟ ହେଲାଣି । ଶିଷ୍ଟମାନେ ସେହି ଧର୍ମକୁ ଭାରତୀୟ ସନାତନ ଧର୍ମର ସାରଣୀ ଭିତରେ ଚମତ୍କାର ପାଣ୍ଡିତ୍ୟ ପ୍ରଦର୍ଶନ କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନତଃ ଯେଉଁ ମୂଳଭୂତ ପ୍ରତିବାଦଟି ହିଁ ମହିମା ଧର୍ମର ମୁଖ୍ୟ ସ୍ୱର ହୋଇ ରହିଥିଲା, ସେହି ପ୍ରତିବାଦର ଉପାଦାନଟିକୁ ଗୌଣ କରି ଦେଖାଇ ଅତ୍ୟନ୍ତ ନିଷ୍ଠାର ସହିତ ତାହାକୁ ଶୀତଳ କରି ଆଣିବାକୁ ଚେଷ୍ଟା ହେଉଛି । ତେଣୁ ସମାଜର ଉପର ସ୍ତରର ସମ୍ଭ୍ରାନ୍ତମାନେ ଏହି ଧର୍ମକୁ ଆଗେଇବାକୁ ଆରମ୍ଭ କଲେଣି । ଭାରତୀୟ ଅଧ୍ୟାତ୍ମର ସର୍ବପ୍ରଥମ ପ୍ରତିବାଦ ରୂପେ ଆବିର୍ଭୂତ ହୋଇଥିବା ବୌଦ୍ଧଧର୍ମକୁ ମଧ୍ୟ ଏକଦା ଏପରି ଭାବରେ ଆପଣାର ସ୍ୱତନ୍ତ୍ର ଆବେଦନଟିକୁ ହରାଇ ତଥାକଥିତ ମୁଖ୍ୟ ସ୍ରୋତରେ ମିଶିଯିବାକୁ ପଡ଼ିଥିଲା । ବୁଦ୍ଧଦେବ ଅବତାର ହେଲେ, ମୂର୍ତ୍ତି ଭିତରକୁ ସଙ୍କୁଚିତ ହୋଇ ଆସିଲେ, ପୁର୍ନବାର ଶିଷ୍ଟ ଭାଷାରେ ବୌଦ୍ଧଶାସ୍ତ୍ରମାନ ଲେଖାଗଲା । ପୁରୁଣା ନର୍ଦ୍ଦମାଗୁଡ଼ାକ କ୍ରମେ ସମାଜରେ ପୁନଃସ୍ୱୀକୃତି ଲାଭ କଲେ । ଧର୍ମ ଯେପର୍ଯ୍ୟନ୍ତ ପୁରୁଣା ସମାଜଟା ବିଷୟରେ ପାଟି ନଫିଟାଇ ଥାଏ, ସେ ପର୍ଯ୍ୟନ୍ତ ପୁରୁଣା ସମାଜର ଶିଷ୍ଟମାନେ ସେହି ଧର୍ମକୁ ଆଦରରେ କୁଣ୍ଢାଇ ଧରିଥାନ୍ତି । ସମାଜ ବିଷୟରେ ପାଟି ଫିଟିଲେ ହିଁ ଗୋଳ ଉପୁଜେ । ମହିମା ଧର୍ମକୁ ଯେ ସମ୍ଭ୍ରାନ୍ତମାନେ ଆଦର କରିବାକୁ ଆରମ୍ଭ କଲେଣି ଓ ଯେମିତି ଥିଲେ ସେମିତି ହୋଇ ରହିଛନ୍ତି, ଭୀମଭୋଇଙ୍କୁ ମହାନ୍ ଓ ଆଉସବୁ କ’ଣ ବୋଲି କହିଲେଣି ଏବଂ ତେଣେ ଯେମିତି ଥିଲେ ସେମିତି ରହିଛନ୍ତି, ଏଥିରେ ମହିମାଧର୍ମ ଲାଗି ହୁଏତ ଏକ ପ୍ରମାଦ ନିହିତ ହୋଇ ରହିଛି । ଭୀମଭୋଇଙ୍କ ପାଇଁ ମଧ୍ୟ କମ୍ ପ୍ରମାଦ ନିହିତ ହୋଇ ରହିନାହିଁ । ଶିଷ୍ଟମାନେ ତାଙ୍କର ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରିବା ପଛରେ ଏହିପରି କିଛି ସମ୍ଭ୍ରାନ୍ତ ଚକ୍ରାନ୍ତ ଗୁପ୍ତ ହୋଇ ରହିନାହିଁ ତ ? ଭଗବାନ କରନ୍ତୁ, କବି ଭୀମଭୋଇ ଏତେବେଶୀ ଭୁବନେଶ୍ୱର ଆଡ଼େ ନଆସି ସେହି ଖଲିଆପାଲିରେ ହିଁ ରହନ୍ତୁ । ବର୍ତ୍ତମାନର ରାତ୍ରିଗୁଡ଼ିକ ବିରୁଦ୍ଧରେ ପ୍ରତିବାଦ କରିବା ଲାଗି ବଞ୍ଚିତ ମଣିଷକୁ ବଳ ଦେଉଥାନ୍ତୁ । ତାଙ୍କର କବିତା ସେଇ ସବାତଳେ ହିଁ ଅଭିଳଷିତ ଉଦ୍‌ବେଳନଗୁଡ଼ିକ ଲାଗି ସହାୟକ ହେଉ । ଅନ୍ତତଃ ରାତିଟା ପାହିବା ପର୍ଯ୍ୟନ୍ତ ତାହାହିଁ ହେଉ । ରାତି ପାହିବା ଲାଗି କ୍ଷେତ୍ର ପ୍ରସ୍ତୁତ କରୁଥାଉ । ବହୁ ଅସହାୟତାର କୂପ ମଧ୍ୟରୁ ସବୁ ମଣିଷ ବାହାରି ଆସିପାରିବାର ଆଲୋକକୁ ନିଜ ଭିତରେ ଅନୁଭବ ନକରିଥିବା ଯାଏ ଭୀମଭୋଇ ସେହିମାନଙ୍କ ସହିତ ତହିଥାନ୍ତୁ ।

 

***

 

ଏକାଡେମୀ ସମାଚାର

କର୍ମବୀର ଗୌରୀଶଙ୍କର ଜୟନ୍ତୀ

୧୩-୬-୯୬ ତାରିଖ ଅପରାହ୍ନ ୩-୩୦ ଘଣ୍ଟା ସମୟରେ ଭୂବନେଶ୍ୱରସ୍ଥ ପାନ୍ଥନିବାସ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ ଅବସରରେ ଏକ ସାରସ୍ୱତ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।

 

ଓଡ଼ିଆଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରମୁଖ ସଂରକ୍ଷକ, ଉତ୍କଳ ଦୀପିକାର ଆଦ୍ୟପ୍ରବର୍ତ୍ତକ ତଥା ସମ୍ପାଦକ କର୍ମବୀର ଗୌରୀଶଙ୍କରଙ୍କର ଜୟନ୍ତୀ ଅବସରରେ ଉପସ୍ଥିତ ବରେଣ୍ୟ ସାହିତ୍ୟିକଗଣ ତାଙ୍କର ଅମ୍ଳାନ ପ୍ରତିଭା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଶ୍ରୀଯୁକ୍ତ ଚିନ୍ତାମଣି ବେହେରା ଏହି ସାରସ୍ୱତ ଉତ୍ସବରେ ପୌରୋହିତ୍ୟ କରି ଊନବିଂଶ ଶତାବ୍ଦୀର ଏକକ ଅନନ୍ୟ ବୀର ସନ୍ତାନ ସଂଗ୍ରାମୀ ଗୌରୀଶଙ୍କରଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡକ୍ଟର ସୁଭାଷଚନ୍ଦ୍ର ମିଶ୍ର ଗୌରୀଶଙ୍କରଙ୍କ ଜୀବନ, ସାରସ୍ୱକ ସାଧନା ଓ କୃତି ଉପରେ ଆଧାରିତ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ।

 

ଏହି ଉତ୍ସବରେ ସର୍ବଶ୍ରୀ ଇନ୍ଦୁଭୂଷଣ ମିଶ୍ର, ଦଣ୍ଡପାଣି ମିଶ୍ର, ଡ: ବାସୁଦେବ ସାହୁ, ଉପେନ୍ଦ୍ର ନାଥ ହୋତା, ବ୍ରଜମୋହନ ସାମନ୍ତରାୟ, ଅଧ୍ୟାପକ ରମାକାନ୍ତ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କର୍ମବୀର ଗୌରୀଶଙ୍କରଙ୍କ ପ୍ରତି ଶ୍ରଦ୍ଧାନିବେଦନ କରିଥିଲେ ।

 

ମନୀଷୀ ନୀଳକଣ୍ଠ ଜୟନ୍ତୀ ଓ କବିତା ପାଠୋତ୍ସବ..

ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତା-୫-୮-୯୬ରିଖ ଅପରାହ୍ନ ଚାରିଘଣ୍ଟା ସମୟରେ ନୟାଗଡ଼ସ୍ଥିତ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ମନୀଷୀ ନୀଳକଣ୍ଠଙ୍କର ଶହେବାରତମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଏହାର ସୁପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ବଂଶୀଧର ଷଡ଼ଙ୍ଗୀ ଏବଂ ସଂଯୋଜନା କରିଥିଲେ ଅଧ୍ୟାପକ ଶ୍ରୀ ବଂଶୀଧର ଷଡ଼ଙ୍ଗୀ ଏବଂ ସଂଯୋଜନା କରିଥିଲେ ଅଧ୍ୟାପିକା କୁମାରୀ ଦୀପ୍ତିମୟୀ ଶତପଥୀ ।

 

ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ଜାରି ଆଲୋଚନାଚକ୍ରର ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକ ମୁଖ୍ୟବକ୍ତା ଏବଂ ଶ୍ରୀ ହରିହର ମିଶ୍ର ସମ୍ମାନିତ ବକ୍ତାଭାବରେ ଯୋଗଦାନ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ନୀଳକଣ୍ଠଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏକାଡେମୀର ଉପ-ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଉଭୟ କବିତା-ପାଠୋତ୍ସବ ଓ ଆଲୋଚନା-ଚକ୍ରରେ ଅଧ୍ୟକ୍ଷତା କରିଥିଲେ । ପରିଶେଷରେ ଜିଲ୍ଲାପାଳ-ସଂପର୍କ ଅଧିକାରୀ ଶ୍ରୀ ଧନେଶ୍ୱର ଷଡ଼ଙ୍ଗୀ ଧନ୍ୟବାଦାର୍ପଣ କରିଥିଲେ ।

 

ପଣ୍ଡିତ ଗୋପୀନାଥ ନନ୍ଦ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା-୨୧-୮-୯୬ରିଖରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ୧୨୮ତମ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡିସ୍ଥ ଟାଉନ୍‌ହଲ୍‌ରେ ଏକ ଆଲୋଚନା-ଚକ୍ରର ଆୟୋଜନ କରାଯାଇଥିଲା ।

ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଏହି ଆଲୋଚନାଚକ୍ରରେ ପୌରୋହିତ୍ୟ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ପାଲ ଠାକୁର ଆଇ, ଏ. ଏସ. ମୁଖ୍ୟଅତିଥି ଭାବରେ ଯୋଗଦାନ ପୂର୍ବକ ଉକ୍ତ ଆଲୋଚନା-ଚକ୍ରକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ଏହି ସାରସ୍ୱତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀ ମୁଖ୍ୟବକ୍ତା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡକ୍ଟର ବାଉରୀବଂଧୁ କର ସମ୍ମାନିତ ବକ୍ତାଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଏକାଡେମୀ ପ୍ରକାଶିତ ପୁସ୍ତକର ଏକ ମନୋଜ୍ଞ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

 

ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ :

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳଙ୍କ ମିଳିତ ଆନୁକୂଲ୍ୟରେ ୨୮-୮-୯୬ ତାରିଖ ପବିତ୍ର ଶ୍ରାବଣ ପୂର୍ଣ୍ଣିମାତିଥିରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୩୪ତମ ଜୟନ୍ତୀ ଢେଙ୍କାନାଳସ୍ଥ ଗୋପବଂଧୁ ଟାଉନହଲଠାରେ ପାଳନ କରାଯାଇଥିଲା ।

 

ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପରାଗ ଗୁପ୍ତା ଉକ୍ତ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ରଜତ୍‌କୁମାର କର ମୁଖ୍ୟବକ୍ତା ଏବଂ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓ ଶ୍ରୀଯୁକ୍ତ ବସନ୍ତକୁମାର ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ପ୍ରକୃତି-କବି ଗଙ୍ଗାଧରଙ୍କ କାବ୍ୟ ସାହିତ୍ୟ ଉପରେ ସବିଶେଷ ଆଲୋଚନା କରିଥିଲେ ।

 

ବରିଷ୍ଠ ସାହିତ୍ୟିକ ଡକ୍ଟର ଖଗେଶ୍ୱର ମହାପାତ୍ର ଜୟନ୍ତୀ ସଭାରେ ସଭାପତିତ୍ୱ କରିଥିଲେ-

 

‘ଓଡ଼ିଆ ଶିଶୁ-ସାହିତ୍ୟ ଓ ଶିକ୍ଷା’ ଆଲୋଚନାଚକ୍ର :

ଓଡିଶା ସାହିତ୍ୟ ଏକାଡେମୀ ଓ ମାଣିକ ବିଶ୍ୱନାଥ ସ୍ମୃତିନ୍ୟାସ, ଭୁବନେଶ୍ୱର ପକ୍ଷରୁ ସେପ୍‌ଟେମ୍ବର ୧୫-୧୯୯୬ ଅପରାହ୍‌ଣ ଦୁଇଘଣ୍ଟା ସମୟରେ ଭଞ୍ଜକଳା ମଣ୍ଡପଠାରେ ‘ଓଡ଼ିଆ ଶିଶୁ-ସାହିତ୍ୟ ଓ ଶିକ୍ଷା’ ଶୀର୍ଷକ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ।

 

ଏଥିରେ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗର ସଚିବ ଶ୍ରୀ ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଏବଂ ‘ଶିଶୁଲେଖା’ର ସମ୍ପାଦକ ତଥା ସୁସାହିତ୍ୟିକ ଶ୍ରୀ ଚିନ୍ତାମଣୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବରିଷ୍ଠ ସାହିତ୍ୟିକ ଡକ୍ଟର ଜାନକୀବଲ୍ଲଭ ମହାନ୍ତି ଏହି ଆଲୋଚନାଚକ୍ରରେ ପୌରୋହିତ୍ୟ କରିଥିଲେ । ଏହି ଆଲୋଚନା-ଚକ୍ରର ବିଷୟବସ୍ତୁ ଥିଲା ‘ଓଡ଼ିଆ ଶିଶୁ-ସାହିତ୍ୟ ଓ ଶିକ୍ଷା’ । ଡଃ ଜାନକୀବଲ୍ଲଭ ମହାନ୍ତି, ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ କୃଷ୍ଣଚରଣ ବେହେରା, ଶ୍ରୀ ରାମପ୍ରସାଦ ମହାନ୍ତି, ଡକ୍ଟର ବିଭୂତି ପଟ୍ଟନାୟକ, ଶ୍ରୀ ଭାଗୀରଥୀ ନାୟକ, ଡକ୍ଟର ମହେଶ୍ୱର ମହାନ୍ତି, ଡକ୍ଟର ବାସୁଦେବ ସାହୁ, ଶ୍ରୀ ବୈଷ୍ଣବଚରଣ ସାମଲ, ଡକ୍ଟର ମନୀନ୍ଦ୍ର ମହାନ୍ତି, ଡକ୍ଟର ଦିଗରାଜ ବ୍ରହ୍ମା, ଡକ୍ଟର ବସନ୍ତକିଶୋର ସାହୁ, ଡକ୍ଟର ଉଦ୍ଧବଚରଣ ନାୟକ, ଡକ୍ଟର କୃତ୍ତିବାସ ନାୟକ,ଡକ୍ଟର ସୁରେଶଚନ୍ଦ୍ର କର, ଶ୍ରୀ ଶଶିଭୂଷଣ ବିଶ୍ୱାଳ, ଶ୍ରୀ ଦାଶ ବେନେହୁର, ଶ୍ରୀ ପ୍ରାଣବଲ୍ଲଭ ପାଢ଼ୀ, ଶ୍ରୀ ଉତ୍ପଳ ହୋମରାଏ ଏବଂ ଡକ୍ଟର ଜଗନ୍ନାଥ ମହାନ୍ତି ପ୍ରଭୃତି ଶିଶୁ-ସାହିତ୍ୟିକମାନେ ଆଲୋଚକ ଭାବେ ଯୋଗଦାନ କରି ଆଲୋଚନା-ଚକ୍ରଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ :

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା୨୦।୯।୯୬ରିଖ ପବିତ୍ର ରାଧାଷ୍ଟମୀ ତିଥିରେ ନବଗଠିତ ଜଗତସିଂହପୁର ଜିଲ୍ଲାର ଶ୍ରୀକୃଷ୍ଣ ଏକାଡେମୀ ସଭାକକ୍ଷରେ ପୁଣ୍ୟଶ୍ଳୋକ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଓ ତଦୁପଲକ୍ଷେ ଏକ ଆଲୋଚନା-ଚକ୍ର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତକୁମାର ମହାପାତ୍ର ଏହି ସାରସ୍ୱତ ଉତ୍ସବଟିକୁ ଉଦ୍‌ଘାଟନ କରିଥଲେ ।

 

ଏକାଡେମୀ ସମ୍ପାଦକ ଶ୍ରୀ ରାଜକିଶୋର ମିଶ୍ର ଏହି ଜୟନ୍ତୀ ସଭାରେ ପୌରୋହିତ୍ୟ କରି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପଣ୍ଡିତ ଶ୍ରୀ ସୁଦର୍ଶନ ଆଚାର୍ଯ୍ୟ, ପ୍ରାଧ୍ୟାପକ ଶ୍ରୀ ପର୍ଶୁରାମ ଖଣ୍ଡୁଆଳ ଏବଂ ପଣ୍ଡିତ ଗୋବିନ୍ଦଚନ୍ଦ୍ର ମିଶ୍ର ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ‘ଅନ୍ତର୍ଦୃଷ୍ଟି’ ସଂସ୍ଥାର ସମ୍ପାଦକ ଶ୍ରୀ ଗୋପାଳଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକାଡେମୀ ପ୍ରକାଶିତ ପୁସ୍ତକର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

 

କବିବର ରାଧାନାଥ ଜୟନ୍ତୀ ପାଳନ :

ତା୨୮।୯।୯୬ ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ପାନ୍ଥନିବାସ ସଭାକକ୍ଷରେ ଏକ ସାହିତ୍ୟ-ସଭାର ଆୟୋଜନ କରାଯାଇଥିଲା । ବିଶିଷ୍ଟ ଗାଳ୍ପିକ ତଥା ଏକାଡେମୀର ସଭାପତି ଶ୍ରୀଯୁକ୍ତ କିଶୋରୀଚରଣ ଦାସ ଏହି ସଭାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ କବି ତଥା ସମାଲୋଚକ ଶ୍ରୀ ଚିନ୍ତାମଣି ବେହେରା ଏଥିରେ ପୌରୋହିତ୍ୟ କରିଥିଲେ । ଡକ୍ଟର ରମାକାନ୍ତ ବେହେରା ଓ ଶ୍ରୀ ଅପୂର୍ବରଞ୍ଜନ ରାୟ ଏହି ସାରସ୍ୱତ ଉତ୍ସବରେ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ରାଧାନାଥଙ୍କ ସାହିତ୍ୟକୃତି ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀର ସହ-ସମ୍ପାଦକ ଶ୍ରୀ ମହେନ୍ଦ୍ରକୁମାର ଛୁଆଳସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀପ୍ରସାଦ ସିଂହ ଧନ୍ୟବାଦାର୍ପଣ କରିଥିଲେ ।

 

***